ETV Bharat / state

ଝିଅର ଅନ୍ୟଜାତିରେ ବିବାହ ଯୋଗୁଁ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ଟ୍ରଲିରେ ବୁହାହେଲା ମୃତଦେହ - Social Prejudice after Death

author img

By ETV Bharat Odisha Team

Published : May 11, 2024, 10:43 PM IST

Social Prejudice even after Death: ଝିଅ ଅନ୍ୟ ଜାତିରେ ବିବାହ କରିଥିଲା । ସେଥିପାଇଁ ତା'ର ବାପାଙ୍କୁ ମୃତ୍ୟୁ ପରେ ବି ମିଳିଲାନି ଚାରି କାନ୍ଧ । ମୃତଦେହକୁ ଟ୍ରଲିରେ ବୋହି ନେଇ ଦାହ କରାଗଲା । ଅଧିକ ପଢ଼ନ୍ତୁ

Social Prejudice even after Death
Social Prejudice even after Death (ETV Bharat Odisha)

Social Prejudice even after Death (ETV Bharat Odisha)

ବୌଦ୍ଧ: ଅନ୍ୟ ଜାତିରେ ବିବାହ କରିଥିବାରୁ ଯୁବତୀଙ୍କ ପିତାଙ୍କୁ ମୃତ୍ୟୁ ପରେ ମିଳିଲାନି ଚାରି କାନ୍ଧ । ନିଜ ଜାତି ଲୋକ ମୃତଦେହ ଛୁଇଁବାକୁ ମନା କରିବାରୁ ମୃତଦେହକୁ ଏକ ଟ୍ରଲିରେ ବୋହି ନେଇ ଦାହ କରାଯାଇଛି । ଏଭଳି ଅଭାବନୀୟ ଘଟଣା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଖାସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆଦିବାସୀ ବସ୍ତିରେ ଘଟିଛି ।

ସାମାଜିକ କୁସଂସ୍କାରର ଆଉ ଏକ ନଗ୍ନ ଚିତ୍ର ଆମ ବ୍ୟବସ୍ଥା ଉପରକୁ ପୁଣିଥରେ ଅଙ୍ଗୁଳି ଉଠାଇଛି । ଜୀବିତ ଅବସ୍ଥାରେ ଏଭଳି ଅନେକ ଘଟଣା ଘଟୁଥିବାବେଳେ ମୃତ୍ୟୁ ପରେ ମଧ୍ୟ ସାମାଜିକ ବିଧି ବ୍ୟବସ୍ଥା ଯୋଗୁଁ କିଭଳି ଗୋଟିଏ ପରିବାର ଉପରେ ଚଡ଼କ ପଡ଼ୁଛି, ତାର ଏକ ଉଦାହରଣ ଖାସ ବୌଦ୍ଧ ଜିଲ୍ଲାର ସଦରମହକୁମା ଠାରେ ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲା ସଦର ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ରହିଛି ଆଦିବାସୀ ବସ୍ତି ବାପୁଜୀ ନଗର । ଏଠାରେ ବସବାସ କରୁଥିବା ନୀଳାମ୍ବର ମେହେରଙ୍କର ଗତ ରାତିରେ ମୃତ୍ୟୁ ହୋଇଥିଲା । ନୀଳାମ୍ବରଙ୍କ ମୃତ୍ୟୁ ଖବର ପାଇ ତାଙ୍କ ଝିଅ ସୁନି ପିତାଙ୍କ ଅନ୍ତିମ ସଂସ୍କାର ପାଇଁ ନିଜ ଜାତି ଲୋକଙ୍କ ସହାୟତା ଲୋଡ଼ିଥିଲେ । କିନ୍ତୁ ସୁନି ଅନ୍ୟ ଜାତିରେ ବିବାହ କରିଥିବାରୁ ସୁନିଙ୍କୁ ପ୍ରଥମେ ଜାତିକୁ ଫେରି ନିୟମ ପ୍ରକାରେ ଭୋଜି ଦେବାକୁ ଦାବି କରାଯାଇଥିବା ସୁନି ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦ୍ରାପଡ଼ାରେ କୁସଂସ୍କାର: ଶେଷ ଠିକଣାରେ ବି ପାତରଅନ୍ତର, ବ୍ରାହ୍ମଣ ଶ୍ମଶାନରେ ଅନ୍ୟ ଜାତିଙ୍କୁ ମୃତଦେହ ସତ୍କାର ମନା

ତେବେ ଅତ୍ୟନ୍ତ ଗରିବ ହୋଇଥିବାରୁ ସୁନି ତଥାପି ଅଳ୍ପ ଅର୍ଥର ବ୍ୟବସ୍ଥା ପାଇଁ ଆକୁଳ ନିବେଦନ ଜାତି ଲୋକଙ୍କ ଆଗରେ କରିଥିଲେ ମଧ୍ୟ କେହି ତାଙ୍କ ଦୁଃଖ ଶୁଣିନଥିଲେ । ଏପରିକି ଶେଷରେ ସୁନି ବୌଦ୍ଧ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ଏହାପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ପରିବାରର ଦୁଇଜଣଙ୍କ ସହାୟତାରେ ଏକ ଟ୍ରଲିରେ ଶବକୁ ବୋହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଦେଇ ମହାନଦୀ ପଠାରେ ଦାହ କରିଥିଲେ । ତେବେ ଅନ୍ୟ ଜାତିରେ ବିବାହ କାରଣରୁ ଜଣେ ମୃତକଙ୍କୁ ଚାରି କାନ୍ଧ ନମିଳିବା ଘଟଣା, ତାହା ପୁଣି ସହରାଞ୍ଚଳ ମଧ୍ୟରେ ନିଶ୍ଚିତ ଆମ ସାମାଜିକ କୁସଂସ୍କାର ତଥା ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.