ETV Bharat / state

ସରିଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ; ଫଟୋ ଉଠାଇଲେ ବିଧାୟକ

author img

By ETV Bharat Odisha Team

Published : Feb 9, 2024, 7:33 PM IST

Updated : Feb 9, 2024, 8:05 PM IST

Odisha Assembly Last session: ଶେଷ ହୋଇଛି ଷୋଡଶ ବିଧାନସଭାର ଶେଷ ଅଧିବେଶନ । ବିଧାନସଭା ଶେଷ ହେବା ପରେ ଆଜି ଗୋଟିଏ ଫ୍ରେମରେ ଦେଖିବାକୁ ମିଳିଛନ୍ତି ଶାସକ ଓ ବିରୋଧୀ । ବିଧାନସଭା ପରିସରରେ ଶାସକ ଓ ବିରୋଧୀ ଏକାଠି ହୋଇ ଫଟୋସୁଟ କରିଛନ୍ତି । ଅଧିକ ପଢନ୍ତୁ

Odisha Legislative Assembly
Odisha Legislative Assembly

ଷୋଡଶ ବିଧାନସଭାର ଶେଷ ଅଧିବେଶନ

ଭୁବନେଶ୍ବର: ଶେଷ ହୋଇଛି ଷୋଡଶ ବିଧାନସଭାର ଶେଷ ଅଧିବେଶନ । ବିଧାନସଭା ଶେଷ ହେବା ପରେ ଆଜି ଗୋଟିଏ ଫ୍ରେମରେ ଦେଖିବାକୁ ମିଳିଛନ୍ତି ଶାସକ ଓ ବିରୋଧୀ । ବିଧାନସଭା ପରିସରରେ ଶାସକ ଓ ବିରୋଧୀ ଏକାଠି ହୋଇ ଫଟୋସୁଟ କରିଛନ୍ତି । ପରସ୍ପରକୁ ଆଗାମୀ ରାଜନୈତିକ ଯାତ୍ରା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ସରିଛି ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଅଧିବେଶନ ନିର୍ଦ୍ଧାରିତ ସମୟର 2 ଦିନ ପୂର୍ବରୁ ଶେଷ ହୋଇଛି । ଏହା ସହ ସରିଛି ଷୋଡଶ ବିଧାନସଭାର କାର୍ଯ୍ୟକାଳ । ଏହି ସ୍ମୃତିକୁ ସାଇତି ରଖିବା ଲାଗି ଆଜି ଅପରାହ୍ନରେ ବିଧାନସଭା ପରିସରରେ ଆୟୋଜିତ ହୋଇଛି ଫଟୋ ସେସନ । ବାଚସ୍ପତି ପ୍ରମିଳା ମଲ୍ଲିକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫଟୋସୁଟ କରିଛନ୍ତି ଶାସକ ଓ ବିରୋଧୀ ଦଳର ବିଧାୟକ । ଫଟୋସୁଟ ସମୟରେ ଭାବପ୍ରବଣ ହୋଇଛନ୍ତି ଅନେକ ବିଧାୟକ । ମୁଖମଣ୍ଡଳରୁ ସେମାନେ ଭାବବିହ୍ବଳ ହୋଇଥିବା ଦେଖିବାକୁ ମିଳିଛି ।

ସୁରେଶ କୁମାର ରାଉତରାୟ, ନରସିଂହ ମିଶ୍ର, ନିତ୍ୟାନନ୍ଦ ସାହୁ, ସାବିତ୍ରୀ ଅଗ୍ରୱାଲ, ଅନନ୍ତ ଦାସ, ଉଷା ଦେବୀ, ରଘୁନନ୍ଦନ ଦାସ, ବଦ୍ରୀ ନାରାୟଣ ପାତ୍ର, ପ୍ରଫୁଲ୍ଲ କୁମାର ମଲ୍ଲିକ, ପ୍ରଫୁଲ୍ଲ କୁମାର ସାମଲଙ୍କ ଭଳି ବରିଷ୍ଠ ନେତାଙ୍କର ଏହା ଶେଷ ବିଧାନସଭା ଅଧିବେଶନ । କାରଣ ସେମାନେ ଆଉ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଛନ୍ତି । ସେହିଭଳି ୨୦୨୪ ନିର୍ବାଚନରେ ଅନେକ ବିଧାୟକ ଟିକେଟ ପାଇବାରୁ ମଧ୍ୟ ବଞ୍ଚିତ ହୋଇପାରନ୍ତି । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ଭାବବିହ୍ବଳ ହୋଇଛନ୍ତି ବିଧାୟକ । ତେବେ ଏହି ଫଟୋ ସେସନରେ ଅନେକ ବିଧାୟକ ସାମିଲ ହୋଇନାହାନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିରୁ ବିତାଡିତ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ ଓ ବିଜେଡିରୁ ଇସ୍ତଫା ଦେଇଥିବା ପ୍ରେମାନନ୍ଦ ନାୟକ । କିନ୍ତୁ ଗଣେଶ ଜଗଦେବଙ୍କୁ ଫଟୋ ସୁଟ ସମୟରେ ଦେଖିବାକୁ ମିଳିଛି ।

ଅସୁସ୍ଥତା କାରଣରୁ ସାମିଲ ହୋଇନାହାନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର, ପ୍ରଦୀପ୍ତ କୁମାର ନାୟକ । ଏହାବାଦ ଦୀପାଳି ଦାସ, ସୂର୍ଯ୍ୟବଂଶୀ ସୁରଜଙ୍କ ପରି କିଛି ଯୁବ ବିଧାୟକ ଅନିର୍ଦ୍ଦିଷ୍ଟ କାରଣରୁ ଫୋଟ ସୁଟ ସମୟରେ ଅନୁପସ୍ଥିତ ଥିଲେ । ଫଟୋ ସୁଟ ସମୟରେ କିଛି ରୋଚକ ଚିତ୍ର ଦେଖିବାକୁ ମିଳିଛି । କିଛି ବିଧାୟକ ଜୟ ଜଗନ୍ନାଥ ନାରା ଦେଇଥିବାବେଳେ ଆଉ କିଛି ଜୟ ଶ୍ରୀରାମ ନାରା ଦେଇଥିଲେ । ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଜୟ ଲିଙ୍ଗରାଜ ନାରା ଦେଇଥିଲେ । ଯାହାକୁ ନେଇ ସେଠାରେ ହାସ୍ୟରୋହଳ ସୃଷ୍ଟି ହୋଇଥିଲା ।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, ମୋ ପାଇଁ ବିଧାନସଭା ସବୁବେଳେ ସ୍ମରଣୀୟ ହୋଇ ରହିବ । ଆସନ୍ତା ନିର୍ବାଚନରେ ମୁଁ ଲଢିବି ନାହିଁ । ବିଧାନସଭାରୁ ବହୁତ କିଛି ଶିଖିଛି । ତେଣୁ ଏହି ଶେଷ ଅଧିବେଶନ ସବୁବେଳେ ସ୍ମରଣୀୟ ହୋଇ ରହିବ । ଫଟୋ ସେସନରେ ଆମେ ସବୁ ବିଧାୟକ ଏକତ୍ରୀତ ହୋଇଥିଲୁ । ସମସ୍ତେ ଉତ୍ସାହିତ ଥିଲେ । ଲୋକଙ୍କ ମତ ଅନୁଯାୟୀ କିଏ ଆସନ୍ତା ଅଧିବେଶନରେ ଗୃହକୁ ଆସିବ ତାହା ତ ସମୟ କହିବ । କିନ୍ତୁ ଏହି ଅଧିବେଶନ ସ୍ମରଣୀୟ ହୋଇ ରହିବ । ବିଜେଡି ବିଧାୟକ ସମୀର ଦାସ କହିଛନ୍ତି ଯେ, ବହୁତ ଅଭିଜ୍ଞତା ମିଳିଛି । ଆସନ୍ତା ନିର୍ବାଚନରେ ବିଜୟ ହୋଇ ପୁନର୍ବାର ବିଧାନସଭା ଆସିବୁ । ସେହିପରି ବିଜେପିର ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ କହିଛନ୍ତି ଯେ, ମୁଁ ପ୍ରଥମ ଥର ବିଧାୟକ ହୋଇ ଆସିଛି । ବହୁତ କାମ କରିଛି । ଆଜି ଆମ ପାଇଁ ଭାବ ବିହ୍ଵଳ ସମୟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 9, 2024, 8:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.