ETV Bharat / state

କେନ୍ଦ୍ରାପଡ଼ାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର

author img

By ETV Bharat Odisha Team

Published : Mar 17, 2024, 5:40 PM IST

Election Preparation In Kendrapara: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

Election Preparation
Election Preparation

Election Preparation

କେନ୍ଦ୍ରାପଡ଼ା: ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ନିର୍ବାଚନକୁ ନେଇ କିଭଳି ପ୍ରସ୍ତୁତ ରହିଛି, ସେନେଇ ବିସ୍ତୃତ ଭାବେ ସୂଚନା ଦେଇଥିଲେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଏସ୍‌ପି ସିଦ୍ଧାର୍ଥ କଟାରୀୟା ।

ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଛନ୍ତି , "ଆସନ୍ତା ୧ ଜୁନ, ୨୦୨୪ରେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ କଟକର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ୭ ମେ'ରୁ ଆରମ୍ଭ ହେବାକୁ ଥିବାବେଳେ ନାମାଙ୍କନ ପତ୍ର ଦାଖଲ ୧୪ ତାରିଖରେ ଶେଷ ହେବ । ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବା ସହ ୧୭ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି ।"

ଲୋକସଭା ଆସନର ରିଟର୍ଣ୍ଣିଂ ଅଫିସର ଭାବେ ନିଜେ ଜିଲ୍ଲାପାଳ ଦାୟିତ୍ୱ ନିର୍ବାହ କରିବାକୁ ଥିବାବେଳେ ସାଲେପୁର, ମାହାଙ୍ଗାର ରିଟର୍ଣ୍ଣିଂ ଅଫିସର ଭାବେ କଟକର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ପାଟକୁରା, କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ, ଆଳି ନିର୍ବାଚନ ମଣ୍ଡଳୀ ପାଇଁ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ରାଜନଗର ନିର୍ବାଚନ ମଣ୍ଡଳୀ ପାଇଁ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଓ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଉପଜିଲ୍ଲାପାଳ ରିଟର୍ଣ୍ଣିଂ ଅଫିସର ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ଦିଆଯାଇଛି । ଜିଲ୍ଲାରେ ମତଦାନ ପାଇଁ ମୋଟ ୧ ହଜାର ୪୪୫ଟି ବୁଥ ରହିଥିବାବେଳେ ୧ ହଜାର ୪୪୫ ଜଣ ବୁଥ ଅଧିକାରୀ, ୧୪୫ ଜଣ ବୁଥ ପରିଦର୍ଶକ, ୧୪୫ ଜଣ ସେକ୍ଟର ଅଫିସର ରହିଥିବା ସୂଚନା ମିଳିଛି ।

ସେହିପରି ଆସନ୍ତା ସାଧାରଣ ନିର୍ବାଚନରେ ୧୨ ଲକ୍ଷ ୬୫ ହଜାର ୩୭୨ ଜଣ ମତଦାତା ମତ ସାବ୍ୟସ୍ତ କରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁଥିରେ ୬ ଲକ୍ଷ ୫୬ ହଜାର ୬୭୮ ଜଣ ପୁରୁଷ, ୬ ଲକ୍ଷ ୮ ହଜାର ୬୪୨ ଜଣ ମହିଳା ଓ ୫୨ ଜଣ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି । ଜିଲ୍ଲାରେ ମୋଟ ୧୩ ହଜାର ୨୫୩ ଜଣ ଦିବ୍ୟାଙ୍ଗ ମତଦାତା ଓ ୨୦ ହଜାର ୪୧୮ ଜଣ ୮୫ରୁ ୧୨୦ ବର୍ଷ ବୟସ୍କ ମତଦାତା ରହିଥିବାବେଳେ ସେମାନଙ୍କ ପାଖରେ ପହଞ୍ଚି ପୋଷ୍ଟାଲ ବାଲାଟ ପାଇଁ ଦସ୍ତଖତ ନେବେ ଅଧିକାରୀ । ପାଟକୁରା ନିର୍ବାଚନ ମଣ୍ଡଳୀର ୩୦୯ଟି ବୁଥରେ ୧ ହଜାର ୯୫୪ ଜଣ ପୋଲିଂ ଅଫିସର, କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ୨୪୬ଟି ବୁଥରେ ୧ ହଜାର ୪୭୬ ଜଣ, ଆଳି ନିର୍ବାଚନ ମଣ୍ଡଳୀର ୩୧୯ଟି ବୁଥରେ ୧ ହଜାର ୯୧୪ ଜଣ, ରାଜନଗର ନିର୍ବାଚନ ମଣ୍ଡଳୀର ୨୮୭ଟି ବୁଥରେ ୧ ହଜାର ୭୨୨ ଜଣ ଓ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ୨୮୪ଟି ବୁଥରେ ୧ ହଜାର ୭୦୪ ଜଣ ପୋଲିଂ ଅଫିସରଙ୍କ ଆବଶ୍ୟକ ରହିଛି ।

ଏହା ବି ପଢନ୍ତୁ...ନିର୍ବାଚନ ପାଇଁ ପ୍ରସ୍ତୁତ ଝାରସୁଗୁଡ଼ା ପ୍ରଶାସନ, MCC ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ମୋଟ ଆବଶ୍ୟକୀୟ ୮ ହଜାର ୬୭୦ ଜଣ ପୋଲିଂ ଅଫିସରଙ୍କଠାରୁ ଅଧିକ ଅର୍ଥାତ୍ ୧୦ ହଜାର ୪୪୦ ଜଣ ଉପସ୍ଥିତ ରହିଛନ୍ତି । ସେହିପରି ଚଳିତ ନିର୍ବାଚନରେ ମହିଳା, ଭିନ୍ନକ୍ଷମ, ଯୁବ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଜିଲ୍ଲାରେ ୯୨ଟି ସଖି ବୁଥ, ୨୫ଟି ଯୁବ ବୁଥ, ୫ଟି ଭିନ୍ନକ୍ଷମ ବୁଥ ଓ ଅନ୍ୟାନ୍ୟ ବୁଥ ୨୫ଟି କରାଯାଇଛି । ସେହିପରି ଆଦର୍ଶ ଆଚରଣ ବିଧି ଅନୁପାଳନ କରିବା ପାଇଁ ଓ ଏ ସମ୍ପର୍କିତ ଆପତ୍ତି ଅଭିଯୋଗ କରିବା ପାଇଁ ଜିଲ୍ଲାସ୍ତରୀୟ ନମ୍ବର ଗୁଡିକ ଜାରି କରାଯାଇଛି । ସେହିପରି ଜିଲ୍ଲାରେ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ଥାନାରେ ଫ୍ଲାଗ ମାର୍ଚ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.