ETV Bharat / state

ବିଶ୍ବାସ ନା ଅନ୍ଧବିଶ୍ବାସ: ମିଳିମିଳା ଓ କଲେରା ଭଲ କରନ୍ତି ମା’, ଦେବୀଙ୍କ ସନ୍ତୁଷ୍ଟି ପାଇଁ ଝାମି ଯାତ୍ରା !

author img

By ETV Bharat Odisha Team

Published : Mar 21, 2024, 8:05 AM IST

Jhami Yatra: ରୋଗ ଦୂର କରିବାକୁ ଆୟୋଜିତ ହେଉଛି 'ଝାମି ଯାତ୍ରା'। ଦେହରେ ହଳଦୀ, ହାତରେ ନିମଡ଼ାଳ ସହ ନଡ଼ାରେ ପ୍ରସ୍ତୁତ ଛାଟ ନେଇ ବୁଲୁଛନ୍ତି ପୂଜକ । ଅଧିକ ପଢନ୍ତୁ

Jhami Yatra
Jhami Yatra

Jhami Yatra

ଗଜପତି: ଏବେବି ଲୋକଙ୍କ ମନରୁ ଲିଭିନି ଅନ୍ଧବିଶ୍ବାସ । ରୋଗ ଦୂର କରିବାକୁ ଆୟୋଜିତ ହେଉଛି 'ଝାମି ଯାତ୍ରା' । ଦେହରେ ହଳଦୀ, ହାତରେ ନିମଡ଼ାଳ ସହ ନଡ଼ାରେ ପ୍ରସ୍ତୁତ ଛାଟ ଏବଂ ଗୋଡରେ ଘୁଙ୍ଗୁରୁ ବାନ୍ଧି ଟାଣ ଖରାରେ ଖାଲି ପାଦରେ ସାହି ସାହି ବୁଲି ବଜାର ତାଳେ ତାଳେ ନାଚି ବୁଲୁଛନ୍ତି ପୂଜକ । ଏଭଳି କଲେ ମିଳିମିଳା ଓ କଲେରା ରୋଗରୁ ମୁକ୍ତି ମଳିଥାଏ ବୋଲି ବିଶ୍ବାସ ରହିଛି । ତେଣୁ ମା’ଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ରାସ୍ତା ଆପଣେଇଥାନ୍ତି । ସେଥି ମଧ୍ୟରୁ ଝାମି ଯାତ୍ରା ଅନ୍ୟତମ । ବିଶେଷ କରି ଦକ୍ଷିଣ ଓଡିଶାରେ ଏହା ବହୁଳ ଭାବେ ଦେଖାଦେଇଥାଏ । ମିଳିମିଳା ଏବଂ କଲେରା ଏକ ସଂକ୍ରାମକ ରୋଗ ବୋଲି ବିଜ୍ଞାନ ଷ୍ପଷ୍ଟ କରିଛି । କିନ୍ତୁ ଆଜିବି କିଛି ଲୋକ ଏହା ଦେବୀଙ୍କ ରୋଷରୁ ହିଁ ହୋଇଥାଏ ବୋଲି ବିଶ୍ବାସ କରନ୍ତି ।

ଫାଲଗୁନ ମାସ ଆସିଲେ ପାରଳାଖେମୁଣ୍ଡି ସହର ସମେତ ଏହାର ଆଖପାଖ ଅଞ୍ଚଳର କିଛି ଲୋକ ଦେହରେ ହଳଦୀ ବୋଳି ଛାଟରେ ବାଡେଇ ହୋଇ ବାଜା ବଜାଇ ବୁଲୁଥିବାର ଦେଖିବାକୁ ମିଳିଥାଏ । ଏମାନଙ୍କୁ ଝାମି ଯାତ୍ରାର ପ୍ରତିନିଧି ଭାବେ ଗଣାଯାଏ । ସେମାନେ ଘର ଘର ତୁଲି ଦିନ ତମାମ ଯାହା ଭିକ୍ଷା କରିଥାନ୍ତି ସନ୍ଧ୍ୟାରେ ଘରକୁ ଫେରି ସେସବୁକୁ ଗ୍ରାମ୍ୟ ଦେବୀଙ୍କ ନିକଟରେ ଭୋଗ ଲଗାଇଥାନ୍ତି । କେତେ ଜଣ ନିଜର ବଂଶଗତ ପରମ୍ପରା ଅନୁସାରେ ଏହା କରୁଥିବାବେଳେ ଆଉ କିଛି ମାନସିକଧାରୀ ପ୍ରାୟ ୨୧ ଦିନ ଧରି ଏଭଳି କରିଥାନ୍ତି । ଏହା କରିବା ଦ୍ଵାରା ନିଜର କିମ୍ବା ପରିବାରର ସମସ୍ତେ ଆରୋଗ୍ୟ ରହିଥାନ୍ତି ବୋଲି ବିଶ୍ବାସ ରହିଛି । ବିଶେଷ କରି ମିଳିମିଳା ଏବଂ କଲେରା ରୋଗରୁ ମୁକ୍ତି ପାଇଁ ଏଭଳି କରାଯାଉଥିବା ଲୋକେ କହିଛନ୍ତି । ଏଭଳି ଜଣେ ବେଶଧାରୀ ହେଉଛନ୍ତି ଟି.ୟାସ । ତାଙ୍କ କହିବା କଥା ହେଉଛି, "ଏହା ତାଙ୍କର ପାରିବାରିକ ପରମ୍ପରା । ପୂର୍ବରୁ ବାପା ଏବଂ ଜେଜେବାପା ବି ଏହା କରିଥିଲେ । ଏହି ସମୟରେ ଅଧିକ ମିଳିମିଳା ଏବଂ ବସନ୍ତ ଭଳି ରୋଗ ବ୍ୟାପିଥାଏ । ମା’ ଅସନ୍ତୁଷ୍ଟ ହେଲେ ଏଭଳି ହୋଇଥାଏ । ତେଣୁ ମା’ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଭଳି ପୂଜା କରାଯାଇଥାଏ ।"
ଏହା ମଧ୍ୟ ପଢନ୍ତୁ...ନଦୀରୁ ମିଳିଲା ବିରଳ ପଥର, ବେଲଗଛ ମୂଳରେ ପାଉଛି ପୂଜା !

ମହାମାରୀ ରୋଗରୁ ମୁକ୍ତି ପାଇବା ପାଇଁ ମା’ଙ୍କ ନିକଟରେ ପୂଜା କରାଯାଇଥାଏ । ତେବେ ଝାମି ଯାତ୍ରା ମାଧ୍ୟମରେ ପୂଜା କଲେ ମା’ ଅଧିକ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ରହିଛି ଅଞ୍ଚଳବାସୀଙ୍କ ବିଶ୍ବାସ । ବେଶଧାରୀ ଲୋକେ ଆସି ପିଲାଙ୍କୁ ଝଡ଼ାଫୁଙ୍କା କରିବା ସହ ହଳଦୀ ଲଗାଇଥାନ୍ତି । ଏହା ବଦଳରେ ମା’ଙ୍କ ପାଇଁ ସେମାନେ ଭୋଗ ଦେଇଥାନ୍ତି । ଏଭଳି ହେଲେ ପିଲାମାନେ ବର୍ଷ ସାରା ନିରୋଗ ରୁହନ୍ତି ବୋଲି କୁହାଯାଏ । ଏହାକୁ କେବଳ ବୃଦ୍ଧ ବୃଦ୍ଧା ମାନନ୍ତି ତାହା ନୁହେଁ, ଆଜିକାର ଯୁବପିଢି ମଧ୍ୟ ମାନୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.