ETV Bharat / state

ସିକୋବାସୀଙ୍କୁ ସଫଳତା ଦେଇଛି ସୂର୍ଯ୍ୟମୁଖୀ ଚାଷ, 2 ଗୁଣା ଲାଭ ସହ ମିଳୁଛି ସରକାରୀ ପ୍ରୋତ୍ସାହନ - sunflower cultivation

author img

By ETV Bharat Odisha Team

Published : Apr 6, 2024, 2:03 PM IST

Sunflower cultivation: ସିକୋ ଗ୍ରାମବାସୀଙ୍କୁ ସଫଳତା ଆଣିଦେଇଛି ଦେଇଛି ସୂର୍ଯ୍ୟମୁଖୀ ଚାଷ । ଗ୍ରାମରେ ପାଖାପାଖି ଦେଢ଼ ଶହ ଏକର ଜମିରେ ଏହି ଚାଷ ହେଉଥିବା ବେଳେ 2 ଗୁଣା ଲାଭ ପାଉଥିବା କହିଛନ୍ତି ଚାଷୀ । ଏହି ଅର୍ଥକାରୀ ଫସଲ ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ମଧ୍ୟ ମିଳୁଛି । ଅଧିକ ପଢନ୍ତୁ

sunflower cultivation
sunflower cultivation

sunflower cultivation

ଖୋର୍ଦ୍ଧା: କ୍ଷେତରେ ହସୁଛି ସୂର୍ଯ୍ୟମୁଖୀ ଫୁଲ । ଆଖି ଯୁଆଡେ ଯାଉଛି ସିଆଡେ ସୂର୍ଯ୍ୟମୁଖୀର ସମ୍ଭାର । ଏହା ସଫଳ ହୋଇଛି ସିକୋ ଗ୍ରାମର ଚାଷୀ ଦାଶରଥି ନରେନ୍ଦ୍ରଙ୍କ ପାଇଁ । ଗ୍ରାମର ପଚାଶ ପ୍ରତିଶତ ଲୋକ ଏହି ଅର୍ଥକାରୀ ସୂର୍ଯ୍ୟମୁଖୀ ଫୁଲ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ଗ୍ରାମର ପ୍ରାୟ ଜମି ରବି ଋତୁରେ ପଡିଆ ପଡ଼ୁଥିବା ବେଳେ ଦାଶରଥି ପ୍ରଥମେ ୧୯୯୦ ମସିହାରେ ଭୁବନେଶ୍ୱର ଓୟୁଏଟି ଯାଇ ଟ୍ରେନିଂ ନେଇ ଆସିବା ପରେ ପ୍ରଥମେ ନିଜର ଏକ ଏକର ଜମିରେ ଆରମ୍ଭ କରିଥିଲେ ଏହି ଅର୍ଥକାରୀ ଫସଲ ସୂର୍ଯ୍ୟମୁଖୀ । ଆଉ ସେବେ ଠାରୁ ଏହି ଅର୍ଥକାରୀ ଫସଲ ତାଙ୍କୁ ଆର୍ଥିକ କ୍ଷେତ୍ରରେ ସମ୍ବଳ କରିପାରିଛି ।

ଖୋର୍ଦ୍ଧା ଜିଲ୍ଲାର ସିକୋ ଗ୍ରାମରେ 1990 ମସିହାରେ ମାତ୍ର 1 ଏକର ଜମିରେ ଅର୍ଥକାରୀ ଫସଲ ସୂର୍ଯ୍ୟମୁଖୀ ଚାଷ ଆରମ୍ଭ କରିଥିଲେ ଦାଶରଥି ନରେନ୍ଦ୍ର । ଆଉ ଏଥିରୁ ଦୁଇଗୁଣ ଲାଭ ସହ ସୂର୍ଯ୍ୟମୁଖୀ ତେଲର ବଜାର ଚାହିଦାକୁ ଦେଖି ଏବେ ଗ୍ରାମରେ ପାଖାପାଖି ଦେଢ଼ ଶହ ଏକର ଜମିରେ ଏହି ଚାଷ କରାଯାଉଛି । ସିକୋ ଗ୍ରାମର ପ୍ରାୟ ପଚାଶ ପ୍ରତିଶତ ଲୋକ ଧାନ ଫସଲ ଅମଳ ପରେ ଦଶରଥଙ୍କ ଠାରୁ ପରାମର୍ଶ ନେଇ ଏହି ଫୁଲ ଚାଷ କରି ଲାଭବାନ ହେଉଛନ୍ତି ।

ସୂର୍ଯ୍ୟମୁଖୀ ଚାଷରେ ଦୁଇଗୁଣ ଲାଭ ହେଉଥିବା ବେଳେ ଏହି ଚାଷରେ ବିଶେଷ ରୋଗପୋକ ଲାଗି ନଥାନ୍ତି । ତେଣୁ ଏହି ଫସଲ ପ୍ରତି ଏବେ ଚାଷୀଙ୍କ ଆଗ୍ରହ ବଢୁଛି । ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହେଉଥିବା ଲୋକ ଆଜିକାଲି ବିଶୁଦ୍ଧ ସୂର୍ଯ୍ୟମୁଖୀ ତେଲ ଖାଇବାକୁ ପସନ୍ଦ କରୁଛନ୍ତି । ଏନେଇ ଚାଷୀଙ୍କ ଠାରୁ ସିଧାସଳଖ ଯୋଗାଯୋଗ କରି ଭଲ ଦରରେ ତେଲ କିଣୁଛନ୍ତି ଗ୍ରାହକ ।

ଏହାମଧ୍ୟ ପଢନ୍ତୁ.. କନ୍ଧମାଳ ‘ଠୁରି ଆଳୁ’ର ଚାହିଦା ବେଶୀ, ମିଳୁନି ସରକାରୀ ପ୍ରୋତ୍ସାହନ - Potatos Cultivation Kandhamal

ସେହିପରି ସରକାର ମଧ୍ୟ ଚାଷୀଙ୍କ ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରୁଛନ୍ତି । ବର୍ତ୍ତମାନ ସମୟରେ ଅର୍ଥ ଆମଦାନୀ ଫସଲ ପାଲଟିଛି ସୂର୍ଯ୍ୟମୁଖୀ । ନିଜ ବିଲକୁ ପଡିଆ ନପକାଇ ଏହି ଅର୍ଥକାରୀ ଫସଲ ଚାଷ କରିବାକୁ ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇଛନ୍ତି ଦାଶରଥି । ଏନେଇ ସରକାରୀ ସହାୟତା ମଧ୍ୟ ମିଳୁଛି । ଉତ୍ସାହୀ ଚାଷୀଙ୍କୁ କୃଷି ବିଭାଗ ବିହନ ଯୋଗାଇ ଦେଉଥିବା ବେଳେ କୀଟନାଶକ ପାଇଁ ଚାଷୀ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ଅର୍ଥ ଆସୁଥିବା କହିଛନ୍ତି ସୂର୍ଯ୍ୟମୁଖୀ ଚାଷୀ ।

ଅନ୍ୟପଟେ ସିକୋ ଗ୍ରାମ ଦେଇ ଯାଇଥିବା ମଲାଗୁଣୀ ନଦୀରେ ଜଳସ୍ତର ଏବେ ହ୍ରାସ ପାଉଥିବାରୁ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ଗ୍ରାମରେ ଉଠା ଜଳସେଚନ ବିଭାଗ ପକ୍ଷରୁ ୧୬ଟି ଜଳସେଚନ ପଏଣ୍ଟ କରାଯାଇଥିଲେ ମଧ୍ୟ ନଦୀରେ ଚେକଡ୍ୟାମ ନଥିବାରୁ ଖରା ଦିନେ ଚାଷ ପାଇଁ ଜଳ ସଙ୍କଟ ଦେଖାଦେଇଥିବା ଚାଷୀ କହିଛନ୍ତି । ଜଳସେଚନ ବ୍ୟବସ୍ଥା ନେଇ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.