ETV Bharat / state

ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଜାରି ହେଲା ଟେଣ୍ଡର

author img

By ETV Bharat Odisha Team

Published : Feb 18, 2024, 8:50 PM IST

IDCO Invites tender For Puri Airport: ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଜାରି କଲେ ଟେଣ୍ଡର । ଖର୍ଚ୍ଚ ଅଟକଳ ରାଶି 2,203 କୋଟି ଟଙ୍କା । 3 ବର୍ଷ ମଧ୍ୟରେ ଶେଷ ହେବ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ । ଅଧିକ ପଢନ୍ତୁ

ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଜାରି ହେଲା ଟେଣ୍ଡର
ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଜାରି ହେଲା ଟେଣ୍ଡର

ଭୁବନେଶ୍ବର: ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଜାରି କଲେ ରାଜ୍ୟ ସରକାର । ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡକୋ) ପକ୍ଷରୁ ପ୍ରଥମ ପର୍ଯ୍ୟାୟ କାମ ପାଇଁ ଏହି ଟେଣ୍ଡର ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟ କାମ ସରକାରୀ ଓ ଘରୋଇ କମ୍ପାନୀ ଭାଗିଦାରୀ (ପିପିପି ମୋଡ)ରେ ହେବାକୁ ଥିବା ବେଳେ ଏହାର ଖର୍ଚ୍ଚ ଅଟ୍ଟକଳ ରାଶି ରହିଛି 2 ହଜାର 2ଶହ 3 କୋଟି ଟଙ୍କା । ଫେବୃଆରୀ 21 ତାରିଖରୁ ଏହି ଟେଣ୍ଡର ଆବେଦନ ପାଇଁ ଉପଲବ୍ଧ ହେବ । ଏପ୍ରିଲ 20 ତାରିଖ ମଧ୍ୟରେ ଆଗ୍ରହୀ କମ୍ପାନୀ ଏଥିପାଇଁ ଆବେଦନ କରିପାରିବେ । ପୁରୀର ସିପସରୁବାଲିରେ ନିର୍ମାଣ ହେବାକୁ ଥିବା ଏହି ପ୍ରସ୍ତାବିତ ବିମାନ ବନ୍ଦରର ନାମ ‘ଶ୍ରୀ ଜନଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର’ ରଖାଯିବ ।

ଟେଣ୍ଡରରେ ରହିଥିବା ସର୍ତ୍ତାବଳି ଅନୁସାରେ, ଟେଣ୍ଡର ଗ୍ରହଣ କରିବାକୁ ଥିବା କମ୍ପାନୀ ଏହି ପ୍ରକଳ୍ପ କାମ 1,095 ଦିନ ବା ପ୍ରାୟ 3 ବର୍ଷ ମଧ୍ୟରେ ଶେଷ କରିବ । ଏଥିରେ ବାର୍ଷିକ 4.6 ମିଲିୟନ ବା 46 ଲକ୍ଷ ଯାତ୍ରୀଙ୍କ ଯାତ୍ରା କ୍ଷମତା ବିଶିଷ୍ଟ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ରହିବ । ବିଶ୍ବ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ମାନଚିତ୍ରରେ ସ୍ବତନ୍ତ୍ର ପରିଚୟ ରଖୁଥିବା ଜଗନ୍ନାଥ ଧାମ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ବର୍ଷ 2021ରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ସମ୍ପର୍କରେ ଚିଠି ଲେଖି ସହଯୋଗ ମାଗିଥିଲେ ।

ଏହା ମଧ୍ୟ ପଢନ୍ତୁ :- କାଲିଠୁ ବଙ୍ଗୋପସାଗରେ 3ଦିନିଆ ବହୁଦେଶୀୟ ନୌଅଭ୍ୟାସ ମିଲନ-2024, ଅଂଶଗ୍ରହଣ କରିବେ 50 ଦେଶ

ତେବେ ଏହି ଅନ୍ତର୍ଜାତୀୟ ବିମାନ ନିର୍ମାଣ କ୍ଷେତ୍ରରେ ଏକାଧିକ ଆହ୍ବାନ ମଧ୍ୟ ରହିଛି । ରାଜଧାନୀ ଭୁବନେଶ୍ବରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ବେଳେ ଏହାଠାରୁ ପୁରୀର ଦୂରତା ମାତ୍ର ପ୍ରାୟ 60 କି.ମି । ଏହି ବ୍ୟବଧାନ ମଧ୍ୟରେ ଅନ୍ୟ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରାଯିବା ସମ୍ପର୍କରେ ମଧ୍ୟ ବେସାମିରକ ବିମାନ ଚଳାଚଳ ମନ୍ତ୍ରଣାଳୟର କିଛି ନିୟମାବଳି ରହିଛି । ସେହିପରି ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ପରିବେଶ ମଞ୍ଜୁରୀ ଓ ପୁରୀ ସହର ଏକ ଉପକୂଳବର୍ତ୍ତୀ ଏରିଆ ହୋଇଥିବାରୁ ଏଥିପାଇଁ ଅନ୍ୟ କିଛି ମଞ୍ଜୁରୀ ପ୍ରାପ୍ତ କରିବାର ଆବଶ୍ୟକତା ମଧ୍ୟ ରହିଛି । ତେବେ ଏସବୁ ମଧ୍ୟରେ ରାଜ୍ୟ ସରକାର ଆଜି ଟେଣ୍ଡର ଜାରି କରି ଏହି ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କ୍ଷେତ୍ରରେ ତତ୍ପରତା ଦେଖାଇଛନ୍ତି । ଏହି କାମ କେତେ ଆଗଉଛି, ନା କୌଣସି ନିୟମ ଓ ମଞ୍ଜୁରୀ ମଧ୍ୟରେ ଛନ୍ଦି ହୋଇ ଝୁଲି ରହୁଛି, ତାହା ମଧ୍ୟ ଦେଖିବାର କଥା ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.