ETV Bharat / state

ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ହାଇକୋର୍ଟଙ୍କ ନୋଟିସ - Chit Fund Case

author img

By ETV Bharat Odisha Team

Published : Mar 22, 2024, 9:52 AM IST

Chit Fund Case: ନବଦିଗନ୍ତ ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ । ଏହି ମାମଲାରେ ଦୁର୍ନୀତି ନିବାରଣ ଆଇନରୁ ହାଁସଦାଙ୍କୁ ଦୋଷମୁକ୍ତ କରଯାଇଥିବା ବେଳେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛି ସିବିଆଇ । ଅଧିକ ପଢନ୍ତୁ

ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ହାଇକୋର୍ଟଙ୍କ ନୋଟିସ
ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ: ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ହାଇକୋର୍ଟଙ୍କ ନୋଟିସ୍ । ନବଦିଗନ୍ତ ଚିଟଫଣ୍ଡ ମାମଲାରେ ସିବିଆଇର ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି । ୨୦୨୨ରେ ଦୁର୍ନୀତି ନିବାରଣ ଆଇନରୁ ହାଁସଦାଙ୍କୁ ଦୋଷମୁକ୍ତ କରଯାଇଥିଲା । ଏହି ଦୋଷମୁକ୍ତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛି ସିବିଆଇ । ତେବେ ଏହି ଚିଟଫଣ୍ଡ ମାମଲାରେ ହାଁସଦାଙ୍କୁ ପୂର୍ବରୁ ଡିସଚାର୍ଜ କରିଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ ।

କାହିଁକି ନୋଟିସ ଜାରି କଲେ ହାଇକୋର୍ଟ:

ଚିଟଫଣ୍ଡ ମାମଲାରେ ପୂର୍ବତନ ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି । ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତ (ସିବିଆଇ) ୨୦୨୨, ଜୁଲାଇ ୬ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି । ଏହି ମାମଲାର ପ୍ରତିପକ୍ଷ ହାଁସଦାଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି । ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କ ବିରୋଧରେ ସିବିଆଇ ଦାୟର କରିଥିବା ଆବେଦନ ସହିତ ଏହି ମାମଲାର ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନବଦିଗନ୍ତ କ୍ୟାପିଟାଲ ସର୍ଭିସ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ରାମଚନ୍ଦ୍ର ହାଁସଦାଙ୍କୁ ୨୦୧୪, ନଭେମ୍ବରରେ ସିବିଆଇ ଗିରଫ କରିଥିଲା । ଗିରଫ ହେବା ପରେ ସେ ଝାରପଡା ଜେଲରେ ଥିଲେ । ଏହି ମାମଲାରେ ହାଁସଦା ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଚାର୍ଜସିଟ ଦାଖଲ କରିଥିଲା । ପୂର୍ବତନ ସାଂସଦଙ୍କ ବିରୋଧରେ ଆଇପିସିର ଦଫା ୧୦୨-ବି, ୪୦୯, ୪୨୦, ପ୍ରାଇଜ ଚିଟ୍ସ ଆଣ୍ଡ ମନି ସାର୍କୁଲେସନ୍ ସ୍କିମ୍ (ବ୍ୟାନିଂ) ଆଇନର ଧାରା ୪, ୫, ୬ ଓ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୧)(ଡି(୩)ରେ ସିବିଆଇ ଚାର୍ଜସିଟ ଦାଖଲ କରିଥିଲା । ପରବର୍ତ୍ତୀ ସମୟରେ ରାମଚନ୍ଦ୍ର ହାଁସଦା ଏହି ମାମଲାରେ ଜାମିନ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟରେ OHRDC ମାମଲା, ରାୟକୁ ସଂରକ୍ଷିତ ରଖିଲେ କୋର୍ଟ

ସ୍ବତନ୍ତ୍ର ଅଦାଲତ ତାଙ୍କ ଡିସଚାର୍ଜ ପିଟିସନର ଶୁଣାଣି କରି ତାଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୧)(ଡି)(୩)ରୁ ଦୋଷମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ବତନ୍ତ୍ର ଅଦାଲତଙ୍କ ୨୦୨୨, ଜୁଲାଇ ୬ର ନିର୍ଦ୍ଦେଶ ବିରୋଧରେ ସିବିଆଇ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲା । ଏହି ନିର୍ଦ୍ଦେଶ ବିରୋଧରେ ସିବିଆଇ ହାଇକୋର୍ଟରେ ଦାୟର କରିଥିବା ମାମଲାରେ ୨୦୨୩, ଫେବ୍ରୁଆରୀ ୨୧ରେ ସୁବର୍ଣ୍ଣ ନାୟକଙ୍କୁ ନୋଟିସ୍ ଜାରି କରାଯାଇଥିଲା । ଏବେ ରାମଚନ୍ଦ୍ର ହାଁସଦାଙ୍କୁ ନୋଟିସ୍ କରିଛନ୍ତି କୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.