ETV Bharat / state

ଜେଲରୁ ବାହାରିଲେ କମ୍ୟୁନିଷ୍ଟ ନେତା ଏନ.ନାରାୟଣ ରେଡ୍ଡୀ - N Narayan Reddy Bail

author img

By ETV Bharat Odisha Team

Published : May 22, 2024, 10:36 PM IST

Interim Bail To Former MLA Nagireddi Narayan Reddy: କମ୍ୟୁନିଷ୍ଟ ପାର୍ଟିର ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀଙ୍କୁ ଜାମିନ । ଛତ୍ରପୁର ଥାନା ଅଞ୍ଚଳରେ ଟାଟାର ମେଗା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚାଲିଥିବା ବେଳେ ହୋଇଥିଲା ବୋମାମାଡ ଘଟଣାରେ ହୋଇଥିଲେ ଗିରଫ । ଅଧିକ ପଢ଼ନ୍ତୁ

ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇ ଜେଲରୁ ବାହାରିଲେ କମ୍ୟୁନିଷ୍ଟ ନେତା ଏନ୍. ନାରାୟଣ ରେଡ୍ଡୀ
ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇ ଜେଲରୁ ବାହାରିଲେ କମ୍ୟୁନିଷ୍ଟ ନେତା ଏନ୍. ନାରାୟଣ ରେଡ୍ଡୀ (ETV Bharat Odisha)

ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇ ଜେଲରୁ ବାହାରିଲେ କମ୍ୟୁନିଷ୍ଟ ନେତା ଏନ୍. ନାରାୟଣ ରେଡ୍ଡୀ (ETV Bharat Odisha)

ବ୍ରହ୍ମପୁର: ୧୦ ମାସ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିବା ପରେ ଓଡିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଅନ୍ତରୀଣ ଜାମିନ ପାଇ ଜେଲରୁ ବାହାରିଛନ୍ତି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ । ଛତ୍ରପୁର ଥାନା ଅଞ୍ଚଳରେ ଟାଟାର ମେଗା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚାଲିଥିବା ବେଳେ ହୋଇଥିବା ବୋମାମାଡ ମାମଲାରେ ଜେଲ ଯାଇଥିଲେ ଏନ୍.ନାରାୟଣ ।

ତେବେ ୧୯୯୮ ମସିହାରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅଞ୍ଚଳରେ ଟାଟାର ମେଗା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚାଲିଥିବା ବେଳେ ହୋଇଥିଲା ବୋମାମାଡ । ଏଥିରେ ତତ୍କାଳୀନ ପୋଲିସ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଗତ ବର୍ଷ (2023) ଜୁଲାଇ ୩୧ ତାରିଖରେ ବ୍ରହ୍ମପୁରର ତୃତୀୟ ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟ ସିପିଆଇ ନେତା ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ (୬୮) ସହିତ ଉକ୍ତ ମାମଲାରେ ସଂପୃକ୍ତ ରହିଥିବା ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ ସହିତ ୨୦ ବର୍ଷୀୟ କାରାଦଣ୍ଡ ଶୁଣାଇଥିଲେ । ଏହି ମାମଲାରେ ଦୀର୍ଘ ୧୦ ମାସ ଜେଲରେ ରହିବା ପରେ ଓଡିଶା ହାଇକୋର୍ଟ ପକ୍ଷରୁ ତାଙ୍କୁ ୮ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି । ଏନ. ନାରାୟଣ ସମେତ ଏନ୍. ଦିଲ୍ଲୀପ କୁମାର ରେଡ୍ଡୀ (୫୦) ଏବଂ ଡି. କାମରାଜୁ ବର୍ମା (୬୯)ଙ୍କୁ ମଧ୍ୟ ଜାମିନରେ ଜେଲରୁ ଆସିଛନ୍ତି । ଆସନ୍ତାକାଲି ଅବଶିଷ୍ଟ ୧୦ ଜଣ ଜାମିନରେ ଆସିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏନ୍. ନାରାୟଣ ।

ଏନ୍. ନାରାୟଣ କହିଛନ୍ତି ଯେ, ଟାଟାର ମେଗା ପ୍ରକଳ୍ପ ପାଇଁ ହୋଇଥିବା ବୋମାମାଡ ଘଟଣା ଦିନ ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ବିଶେଷ ତତ୍କାଳୀନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଶାନ୍ତି କମିଟି ବୈଠକରେ ଉପସ୍ଥିତ ରହିଥିଲେ । ହେଲେ ସେହି ସମୟରେ ଟାଟା ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନରେ ଗଣ ସଂଗ୍ରାମ ସମିତି ନେତୃତ୍ୱ ନେଉଥିବାରୁ ଶାନ୍ତିକମିଟିର ସମସ୍ତ କର୍ମକର୍ତ୍ତାଙ୍କ ନାମ ଓ ଠିକଣା ପ୍ରଶାସନ ପାଖରେ ରହିଥିବାରୁ ତାହାକୁ ନେଇ ଏତଲା କରାଯାଇଥିଲା । ତେବେ ଏହି ଅନ୍ତରୀଣ ଜାମିନ ପରେ ସଂପୂର୍ଣ୍ଣ ଜାମିନ୍ ମିଳିବା ବୋଲି ଆଶା ରଖିଛନ୍ତି ଛତ୍ରପୁରର ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ ।

ଏହା ମଧ୍ୟ ପଢ଼ନ୍ତୁ...କାର ଚଢାଇ ଦୁଇ ଇଞ୍ଜିନିୟରଙ୍କୁ ମାରିଦେଲେ ନାବାଳକ, ବାପାକୁ ବାନ୍ଧିଲା ପୋଲିସ ! - Pune Porsche Accident


ସୂଚନା ଅନୁଯାୟୀ, ୨୫ ବର୍ଷ ପୂର୍ବର ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ ସିନ୍ଦିଗାଁରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ରାୟ ପ୍ରକାଶ କରି ଛତ୍ରପୁର ପୂର୍ବତନ ବିଧାୟକଙ୍କ ସମେତ 13 ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ 20 ବର୍ଷର ସଶ୍ରମ ଦଣ୍ଡାଦେଶ ଶୁଣାଇଥିଲେ ବ୍ରହ୍ମପୁରର ADJ-3 କୋର୍ଟ । ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ପୂର୍ବରୁ ତତ୍କାଳୀନ ଗଣସଂଗ୍ରାମ ସମିତିର ନେତା ତଥା ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡିଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା ପୂର୍ବରୁ ପ୍ରାୟ ୧ ବର୍ଷ ୮ ମାସ ଜେଲରେ ରହିବା ପରେ ଜାମିନରେ ଆସିଥିଲେ । ଏଥିସହ ଦୁଇ ଥର ଜାତୀୟ ନିରାପତ୍ତା ଆଇନରେ ଅଟକ ମଧ୍ୟ ରଖାଯାଇଥିଲା । ଏହି ମାମଲାରେ ମୋଟ ଉଭୟ ସରକାରୀ ଓ ବେସରକାରୀ ଭାବରେ ୬୦ ଜଣ ସାକ୍ଷୀ ରହିଥିବା ବେଳେ କୋର୍ଟରେ ମୋଟ ୪୨ ଜଣ ସାକ୍ଷୀ ଦେଇଥିଲେ । ୧୯୯୮ ପୋଲିସ-ଜନତା ସଂଘର୍ଷ ଘଟଣାରେ ଜମି ଅଧିଗ୍ରହଣ ବେଳେ ଗଞ୍ଜାମ ଜିଲ୍ଲାର ସିନ୍ଦିଗାଁରେ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.