ETV Bharat / state

ବେଆଇନ୍ ଲିଙ୍ଗ ନିରୂପଣ ଘଟଣାରେ ଡାକ୍ତର ସମେତ ପାଞ୍ଚ ଗିରଫ

author img

By ETV Bharat Odisha Team

Published : Feb 9, 2024, 9:11 PM IST

Illegal Sex Determination In Cuttack: କଟକରେ ବେଆଇନ୍ ଲିଙ୍ଗ ନିରୂପଣ ଘଟଣାର ପର୍ଦ୍ଦାଫାସ । ଡାକ୍ତର ପୂଣ୍ୟଶ୍ଳୋକ ଦାସ ନିଜ ଘରେ ଦୀର୍ଘ ଦିନ ହେବ ବେଆଇନ୍ ଭାବେ ଲିଙ୍ଗ ନିରୂପଣ କରୁଥିବା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ

ବେଆଇନ୍ ଲିଙ୍ଗ ନିରୂପଣ ଘଟଣା , ଡାକ୍ତର ସମେତ ପାଞ୍ଚ ଗିରଫ
ବେଆଇନ୍ ଲିଙ୍ଗ ନିରୂପଣ ଘଟଣା , ଡାକ୍ତର ସମେତ ପାଞ୍ଚ ଗିରଫ

ବେଆଇନ୍ ଲିଙ୍ଗ ନିରୂପଣ ଘଟଣା , ଡାକ୍ତର ସମେତ ପାଞ୍ଚ ଗିରଫ

କଟକ: କଟକରେ ବେଆଇନ୍ ଲିଙ୍ଗ ନିରୂପଣ ଘଟଣାରେ ଗିରଫ ହେଲେ ଡାକ୍ତର । ତାଙ୍କ ସହ ପତ୍ନୀ ବିସ୍ମିତା ଦାସ ଏବଂ ୩ ଜଣ ଦଲାଲଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । କଟକ ଉପଜିଲ୍ଲାପାଳ କମଲଜିତ ଦାସଙ୍କ ଏତଲା ଆଧାରରେ ଗିରଫ କରିଛି ପୋଲିସ । କଟକ ଫ୍ରେଣ୍ଡସ୍ କଲୋନୀରେ ଡାକ୍ତର ପୂଣ୍ୟଶ୍ଳୋକ ଦାସ ନିଜ ଘରେ ଦୀର୍ଘ ଦିନ ହେବ ବେଆଇନ୍ ଭାବେ ଲିଙ୍ଗ ନିରୂପଣ କରୁଥିବାବେଳେ ଅଭିଯୋଗ ପାଇ ଉପଜିଲ୍ଲାପାଳଙ୍କ ସହ ସ୍ବାସ୍ଥ୍ୟ ବିଭାଗ ଏବଂ ପୋଲିସର ମିଳିତ ଟିମ୍ ଆଜି ସକାଳେ ଚଢାଉ କରିଥିଲେ । ଚଢାଉ ବେଳେ ଏକ ପୋର୍ଟେବୁଲ ଅଲଟ୍ରାସାଉଣ୍ଡ ମେସିନ, ୪୦ ହଜାର ଟଙ୍କା, ବିଭିନ୍ନ ମେଡିସିନ୍ ସହ ଜେଲି ଓ କମ୍ୟୁଟର ଯନ୍ତ୍ରାଂଶ ଜବତ କରିଥିଲା ପୋଲିସ ।

ତେବେ ଦୀର୍ଘ ଦିନ ହେବ ଡାକ୍ତର ଜଣକ ବେଆନ ଲିଙ୍ଗ ନିରୂପଣ କାର୍ଯ୍ୟ କରୁଥିବାବେଳେ ତାଙ୍କ ପତ୍ନୀ ସହଯୋଗ କରୁଥିବା ପୋଲିସ କହିଛି । ୩ ଜଣ ଦଲାଲ ବିଭିନ୍ନ ସ୍ଥାନରୁ ମହିଳାମାନଙ୍କୁ ଆଣି ଲିଙ୍ଗ ନିରୂପଣ କରାଉଥିଲେ । ପୂର୍ବରୁ ମଧ୍ୟ ଦୁଇ ଥର ତାଙ୍କ ଘରେ ଚଢାଉ କରି ପୋଲିସ ଅଲଟ୍ରାସାଉଣ୍ଡ ମେସିନ ଜବତ କରିଥିଲା । ଏହି ଘଟଣାରେ ସେ ଚାକିରୀରୁ ନିଲମ୍ବିତ ହେବା ସହ ତାଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା ।

ତେବେ ଆଜି ତୃତୀୟ ଥର ପାଇଁ ସ୍ବାସ୍ଥ୍ୟ ବିଭାଗ ଅଭିଯୁକ୍ତ ଡାକ୍ତରଙ୍କ ଘରେ ଚଢାଉ କରି ଗିରଫ କରିଛି । ୫ ଜଣ ଅଭିଯୁକ୍ତଙ୍କ ମେଡ଼ିକାଲ ପରୀକ୍ଷା ପରେ କୋର୍ଟ ଚାଲାଣ କରିଛି ପୋଲିସ । ସେହିପରି ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ରହିଛନ୍ତି ତାହା ତଦନ୍ତ କରୁଛି ପୋଲିସ । ମୋଟା ଅଙ୍କର ଟଙ୍କା ନେଇ ଗର୍ଭବତୀ ମାନଙ୍କ ଗର୍ଭସ୍ଥ ଶିଶୁର ଲିଙ୍ଗ ସମ୍ପର୍କରେ ଜଣାଉଥିବା ଅଭିଯୋଗ ହୋଇଥିଲା ।

ତେବେ ଏସସିବି ମେଡିକାଲର ଅତି ନିକଟରେ ଏହି କାରବାର ଚାଲିଥିଲାବେଳେ କିଭଳି ଘଟଣା ଏତେଦିନ ଧରି ଲୁଚି ରହିଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଟକରେ ଭୃଣ ନିରୂପଣ ଓ ହତ୍ୟାକୁ ନେଇ ଚିନ୍ତା ବଢ଼ୁଥିଲା ବେଳେକେବଳ ଚଢ଼ାଉ କରାଯାଇ ଏହି ଦିଗରେ କାର୍ଯ୍ୟନୁଷ୍ଠାନ ପ୍ରାୟତଃ ଶିଥିଳ ହୋଇ ପଡୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ ......ଡାକ୍ତରଙ୍କ ଘରେ ଚାଲିଥିଲା ବେଆଇନ ଲିଙ୍ଗ ନିରୂପଣ ! ସ୍ବାସ୍ଥ୍ଯ ବିଭାଗର ଚଢ଼ାଉ, ୫ ଅଟକ

ଏହା ପୂର୍ବରୁ କଟକ ରକ୍ସି ଲେନ ମୂଳିଆ କଲୋନୀରେ ମଧ୍ୟ ସମାନ ଘଟଣାରେ କମିଶନରେଟ ପୋଲିସ, ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରିଥିଲେ । ତିନୋଟି ଜାଗାରେ ଏକା ଥରକେ ଚଢ଼ାଉ କରି କିଛି ଆପତ୍ତିଜନକ ଯନ୍ତ୍ରପାତି, ଔଷଧ ଠାବ ହୋଇଥିବା ସୂଚନା ଦେଇଥିଲେ ଚଢ଼ାଉରେ ସାମିଲ ଥିବା ଅଧିକାରୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.