ETV Bharat / state

ପ୍ରସିଦ୍ଧ ମାଇପି ମେଳା ଆରମ୍ଭ, ମାନସିକ ପୂରଣ ପାଇଁ ଅଧିଆ ପଡନ୍ତି ମହିଳା - Maipi Mela

author img

By ETV Bharat Odisha Team

Published : Apr 6, 2024, 1:39 PM IST

Maipi Mela: ଖୋର୍ଦ୍ଧା ବନବିହାରୀଙ୍କ ପୀଠରେ ଆରମ୍ଭ ହୋଇଛି ମାଇପି ମେଳା । ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ । ମାଇପି ମେଳା କଣ ? କଣ ରହିଛି ଲୋକଙ୍କ ବିଶ୍ବାସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ମାଇପି ମେଳା
ମାଇପି ମେଳା

ମାଇପି ମେଳା

ନିଆଳି: ଆରମ୍ଭ ହୋଇଛି ବନବିହାରୀଙ୍କ ପୀଠରେ ପ୍ରସିଦ୍ଧ ମାଇପି ମେଳା । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ନରିଶୋ ପଞ୍ଚାୟତ ଛିଟିକଣା ଠାରେ ପ୍ରତିବର୍ଷ ମାଇପି ମେଳା ହୋଇଥାଏ । ଏଠାରେ ମାନସିକ କଲେ ନିଶ୍ଚିତ ପୂରଣ ହୋଇଥାଏ ବୋଲି ଦୃଢ ବିଶ୍ବାସ ରହିଛି । ଏହି ମାଇପି ମେଳା ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଆରମ୍ଭ ହୋଇଛି ଏହି ବନବିହାରୀଙ୍କ ମେଳା । ଏହି ମେଳାଟି ମାଇପି ମେଳା ରୂପେ ପରିଚିତ । ଶନିବାର ଅଘର ପ୍ରଦ୍ୟୁଷରୁ ମା' ବନବିହାରୀଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା କରାଯାଇଥିଲା । ଏହି ମେଳାଟି ଆଜି କାଲିର ନୁହେଁ ୨୦୦ ଶହ ବର୍ଷ ତଳର ପୁରୁଣା ପରମ୍ପରା । ମେଳାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ମହିଳା ଓ ପୁରୁଷ ମାନଙ୍କ ସମାଗମ ହୋଇଥାଏ ।

ମେଳାକୁ ନେଇ ରହିଛି ଏମିତି ଲୋକକଥା: କୁହାଯାଏ ଯେ, ଜଣେ ବୃଦ୍ଧା ମହିଳା ହାଟକୁ ଯାଉଥିବା ସମୟରେ ବୃଦ୍ଧା ଜଣଙ୍କୁ ମା' ବନବିହାରୀଙ୍କୁ ସ୍ବପ୍ନାଦେଶ ହୋଇଥିଲା । ସେତେବେଳେ ଏହି ଅଞ୍ଚଳକୁ ରାସ୍ତା ଘାଟ ଦୂରର କଥା ଘଞ୍ଚ ଜଙ୍ଗଲ ଏବଂ ଜୀବଜନ୍ତୁଙ୍କ ପ୍ରାଦୃଭାବ ଥାଏ । ଦିନ ସମୟରେ ଯିବା ଆସିବା ସମ୍ଭବ ହେଉନଥାଏ । ସେବେ ଠାରୁ ବୃଦ୍ଧା ମହିଳା ଜଣଙ୍କ ମା'ବନବିହାରୀ ପୂଜା ଅର୍ଚ୍ଚନା କରିଥିଲେ । ଆଖପାଖ ଅଞ୍ଚଳର ରୋଗୀ ଏବଂ ମାନସିକଧାରୀ ମାନେ ଅଧିଆ ପଡିବା ଦ୍ବାରା ଦୂରାରୋଗ୍ୟରୁ ଆରୋଗ୍ୟ ହୋଇଥାନ୍ତି । ଏହି ଖବର ପ୍ରଚାରିତ ହେବା ପରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଏବଂ ରୋଗୀ ମାନଙ୍କ ଗହଳି ଲାଗିଥିଲା । ମା' ବନବିହାରୀଙ୍କ ନିକଟରୁ ବୃଦ୍ଧା ମହିଳା ଆରୋଗ୍ୟ ହେବା ଏବଂ ମହିଳା ପୂଜା ଅର୍ଚ୍ଚନା କରିବା ପରେ ଏହି ମେଳାକୁ ମାଇପି ମେଳା ଭାବରେ ପରିଚିତ । ପ୍ରତ୍ୟେକ ବର୍ଷ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଆରମ୍ଭ ହୋଇଥାଏ ଏହି ମାଇପି ମେଳା । ଏହାକୁ କେହି କେହି ବୁଢି ମେଳା ବୋଲି କହିଥାନ୍ତି ।

ଏହା ମଧ୍ୟ ପଢନ୍ତୁ-କଟକ ବୈଶାଖୀ ମେଳା, ଡିମାଣ୍ଡରେ ଆଫଗାନିସ୍ତାନୀ ଡ୍ରାଏଫ୍ରୁଟ୍ ଓ ଦୁବାଇ ଚକୋଲେଟ

ମେଳା ଆରମ୍ଭରୁ ମା' ବନବିହାରୀ ନିକଟରେ ଉଭୟ ପୁରୁଷ ଏବଂ ମହିଳା ମାନସିକଧାରୀ ମାନେ ମୁଣ୍ଡ ନିକଟରେ ନଡିଆ ଏବଂ ଗୁଆ ରଖି ଅଧିଆ ପଡିଥାନ୍ତି । ବିଶ୍ବାସ ରହିଛି ଅପୁତ୍ରିକ ନାରୀ ମଧ୍ୟ ସନ୍ତାନ ପ୍ରାପ୍ତି ହୋଇଥାଏ । ଏଠାରେ ମୁଖ୍ୟ ଭୋଗ ଖଇ, କୋରା । ମା'ଙ୍କ ନିକଟରେ ବାନା ଚଢାଇଲେ ମାନସିକ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତ ଏବଂ ପୂଜକ କହିଛନ୍ତି ।

ମେଳା ଆରମ୍ଭରୁ ବାଡି ଖେଳ,ଲଉଡି, ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଥାଏ । ପୂର୍ବରୁ ଏହି ମେଳାରେ ମହିଳାଙ୍କ ଅଧିକ ସମାଗମ ହେଉଥିଲା । ଏବେ କିନ୍ତୁ ଉଭୟ ପୁରୁଷ ଓ ମହିଳା ମାନଙ୍କ ଗହଳି ହେଉଛି । ଏହି ମାଇପି ମେଳାକୁ ୫୦/୬୦ ଖଣ୍ଡ ଗାଁର ଲୋକେ ମିଶି ଆୟୋଜନ କରିଥାନ୍ତି । ମେଳାଟି ତିନି ଦିନ ଧରି ଅନୁଷ୍ଠିତ ହୋଇଥାଏ । ମେଳାରେ ଖୋର୍ଦ୍ଧା ଜିଲ୍ଲା, ଜଗତସିଂହପୁର,ପୁରୀ ଏବଂ ନୟାଗଡ ସମେତ ଅନେକ ଜିଲ୍ଲାର ବ୍ୟବସାୟୀମାନଙ୍କ ଦ୍ବାରା ବିଭିନ୍ନ ସାମଗ୍ରୀ ଏବଂ ଖାଦ୍ୟ ବିକ୍ରି କରାଯାଇଥାଏ । ଶାନ୍ତି ଶୃଙ୍ଖଳା ପାଇଁ ବାଲିପାଟଣା କମିଶନରେଟ ପୋଲିସ ନିୟୋଜିତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ନରିଶୋ ପଞ୍ଚାୟତର ଛିଟିକଣା ପ୍ରସିଦ୍ଧ ମାଇପି ମେଳାଟି ମହିଳା ମାନଙ୍କୁ ଏକାଠି କରିବା ଏକ ନିଆରା ପରମ୍ପରା ସୃଷ୍ଟି କରିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.