ETV Bharat / state

ସରିଲା ହାତୀ ଗଣନା, ଅଭୟାରଣ୍ୟରେ କମୁଛି ଗଜରାଜଙ୍କ ସଂଖ୍ୟା - Elephant census in Boudh

author img

By ETV Bharat Odisha Team

Published : May 26, 2024, 10:17 AM IST

Elephant census in Boudh: ବୌଦ୍ଧରେ ସରିଲା ହାତୀ ଗଣନା । ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ସମସ୍ତ ପାଞ୍ଚଟି ବନାଞ୍ଚଳରେ ହାତୀଗଣନା ହୋଇଥିଲା । ଜିଲ୍ଲାରେ ହାତୀ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Elephant census in Boudh
Elephant census in Boudh (ETV Bharat Odisha)

Elephant census in Boudh (ETV Bharat Odisha)

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ସରିଲା ହାତୀ ଗଣନା । ଅଭୟାରଣ୍ୟ ମଧ୍ୟରେ ହାତୀମାନଙ୍କର କ୍ରମଶଃ ବିଲୁପ୍ତ ଘଟୁଥିବାବେଳେ ଜିଲ୍ଲା ବନଖଣ୍ଡ ପକ୍ଷରୁ ପାଞ୍ଚଟି ବନାଞ୍ଚଳ ସହିତ ଅଭୟାରଣ୍ୟ ଅଞ୍ଚଳରେ ହାତୀ ଗଣନା କାର୍ଯ୍ୟକ୍ରମ କରାଯାଇଥିଲା । ତେବେ ହାତୀଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଚଳିତ ବର୍ଷ ହାତୀ ଗଣନା ସମୟରେ ଗୋଟିଏ ହାତୀ ନଥିବା ସୂଚନା ରହିଛି ।

ଶନିବାର ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ସମସ୍ତ ପାଞ୍ଚଟି ବନାଞ୍ଚଳରେ ହାତୀ ଗଣନା କାର୍ଯ୍ୟକ୍ରମ ସମାପନ ହୋଇଛି । ମାଧପୁର ବନାଞ୍ଚଳରେ ୧୪ଟି ହାତୀ ରହିଥିବାବେଳେ ଅନ୍ୟ ବନାଞ୍ଚଳରେ କେତେ ହାତୀ ଅଛନ୍ତି ତାର ସୂଚନା ମିଳିନାହିଁ । ବୌଦ୍ଧ ବନଖଣ୍ଡ ପକ୍ଷରୁ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ଫରେଷ୍ଟ ଟିମ୍, ବିଶେଷଜ୍ଞ ଟିମ୍ ହାତୀ ଗତିବିଧି, କ୍ୟାମେରା ଓ ଡ୍ରୋନ ସହାୟତା ନେଇ ହାତୀ ଗଣନା କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ରାଜ୍ୟରେ ସରିଲା ହାତୀ ଗଣନା, କ୍ୟାମେରା କଏଦ ହେଲା କୌତୁହଳ ଦୃଶ୍ୟ - Elephant Census In Odisha

ଏହି ଗଣନା ସମୟରେ ଜିଲ୍ଲାରେ ହାତୀ ସଂଖ୍ୟା କମୁଥିବା ଦେଖିବାକୁ ମିଳିଛି । ଏପରିକି କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଚଳିତ ବର୍ଷ ହାତୀ ଗଣନା ସମୟରେ ଗୋଟିଏ ମଧ୍ୟ ହାତୀ ନଥିବା ଦେଖିବାକୁ ମିଳିଛି । ତେବେ ଦିନକୁ ଦିନ ଏହି ବିଶାଳକାୟ ଜାତୀୟ ଐତିହ୍ୟ ପ୍ରାଣୀ ହାତୀର ସଂଖ୍ୟା କମୁଥିବା ଯୋଗୁଁ ବନ୍ୟପ୍ରାଣୀ ବିଶେଷଜ୍ଞ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ମୋଗଲ ତଥା ବିଟ୍ରିଶ ରାଜତ୍ୱରେ ଦିଲ୍ଲୀ ଦରବାରରେ ବୌଦ୍ଧ ହାତୀମାନଙ୍କର ଉଚ୍ଚ ପ୍ରଶଂସା କରାଯାଉଥିବା ବେଳେ ବର୍ତ୍ତମାନ ଏହି ଜାତୀୟ ଐତିହ୍ୟ ପ୍ରାଣୀ ହାତୀ ବିଲୁପ୍ତ ହେବା ଅବସ୍ଥାରେ ପହଞ୍ଚିଥିବା ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଗତ କିଛି ବର୍ଷ ମଧ୍ୟରେ ପାଞ୍ଚଟି ଦନ୍ତାହାତୀକୁ ଶିକାର କରାଯାଇଛି । ଜଙ୍ଗଲ ସମ୍ପଦରେ ଭରପୁର ଥିବା ଅଞ୍ଚଳ ବର୍ତ୍ତମାନ ଗଞ୍ଜେଇ ମାଫିଆ ଓ କାଠ ମାଫିଆମାନଙ୍କ କବ୍‌ଜାରେ ରହିଲା ଭଳି ମନେ ହେଉଛି । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ପାଞ୍ଚଟି ବନାଞ୍ଚଳର ଅଧିକାଂଶ ଆଭ୍ୟନ୍ତରୀଣ ଜଙ୍ଗଲ ଧିରେ ଧିରେ ଉଜୁଡି ଯିବାକୁ ବସିଛି । ବ୍ୟାପକ ଜଙ୍ଗଲରୁ ଗଛ କାଟି ନିଆଯାଇ ସେଠାରେ ବେଆଇନ ଗଞ୍ଜେଇ ଚାଷ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ଆଭ୍ୟନ୍ତରୀଣ ଜଙ୍ଗଲ ସମ୍ପଦ ନଷ୍ଟ ଯୋଗୁଁ ଜଙ୍ଗଲର ବନ୍ୟପ୍ରାଣୀମାନେ ଅସୁରକ୍ଷିତ ହୋଇ ପଡିବା ସହିତ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇପଡୁଛନ୍ତି । ବିଶେଷ ଭାବରେ ଜାତୀୟ ଐତିହ୍ୟ ପ୍ରାଣୀ ହାତୀଙ୍କ ସଂଖ୍ୟା ଧିରେ ଧିରେ କମିଯାଉଥିବା ଦେଖିବାକୁ ମିଳୁଛି ।


ବୌଦ୍ଧ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.