ETV Bharat / state

ନିର୍ବାଚନରେ ଚ୍ୟାଲେଞ୍ଜ ହେବ ମାଓ ଉପଦ୍ରବ, ବସିଲା ଛତିଶଗଡ-ଓଡିଶା ପୋଲିସର ବୈଠକ - Election preparation

author img

By ETV Bharat Odisha Team

Published : Mar 31, 2024, 9:56 AM IST

General Election 2024: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପଡୋଶୀ ଛତିଶଗଡ ଓ କଳାହାଣ୍ଡି ଜିଲ୍ଲା ପୋଲିସ ମଧ୍ୟରେ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

police meeting
police meeting

police meeting

ଭବାନୀପାଟଣା: ସବୁଠି ନିର୍ବାଚନୀ ତାତି । ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନେଇ ଛତିଶଗଡ ଓ ଓଡ଼ିଶା ପୋଲିସ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ୧୩ଟି ବ୍ଲକରୁ ୧୧ଟି ବ୍ଲକ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ସ୍ଵତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

ଆସୁଛି ଗଣତନ୍ତ୍ରର ମହାନ୍ ପର୍ବ ନିର୍ବାଚନ । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ଉତ୍ସାହିତ ଭୋଟର, ତତ୍ପର ଜିଲ୍ଲା ପ୍ରଶାସନ । ଆସନ୍ତା ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡିରେ ଭୋଟିଂ ହେବ । ତେବେ ମାଓ ପ୍ରଭାବିତ କଳାହାଣ୍ଡିରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନେଇ ପଡୋଶୀ ରାଜ୍ୟ ଛତିଶଗଡ ଓ ଓଡ଼ିଶା ପୋଲିସ ମଧ୍ୟରେ ଶନିବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ.. ରାୟଗଡ଼ା ମାଓପ୍ରବଣ ଅଞ୍ଚଳରେ ପୋଲିସର ଫ୍ଲାଗମାର୍ଚ୍ଚ - Police Flag March In Rayagada

ଏହି ବୈଠକରେ ମୁକ୍ତ, ଅବାଧ, ନିରପେକ୍ଷ ତଥା ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ପରିଚାଳନା କରିବା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଛି । କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକରୁ ୧୧ଟି ବ୍ଲକ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ନିର୍ବାଚନ ସମୟରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହୁଏ ତାକୁ ଦୃଷ୍ଟିରେ ରଖି 2 ରାଜ୍ୟ ମଧ୍ୟରେ ଆଲୋଚନା ହୋଇଛି l

ପଡୋଶୀ ଛତିଶଗଡରୁ ଆସୁଥିବା ଅନେକ ସନ୍ଦିଗ୍ଧ ଏବେ ଓଡ଼ିଶା ସୀମାରେ ଥିବା ସିସିଟିଭି କ୍ୟାମେରା ନଜରରେ ରହିଛନ୍ତି l 2 ରାଜ୍ୟର ସୀମା ଉପରେ ବିଶେଷ ଧ୍ୟାନ ରଖାଯାଇଛି । କଳାହାଣ୍ଡି ଏସଡିପିଓ ମନୋଜ ବେହେରା ଏନେଇ କହିଛନ୍ତି ଯେ, ନିର୍ବାଚନକୁ ପ୍ରଭାବିତ କରୁଥିବା ଭଳି ଟଙ୍କା କାରବାର, ଗଞ୍ଜେଇ, ମଦ ଚାଲଣ, ବନ୍ଧୁକ କିମ୍ବା ଅସ୍ତ୍ରଶସ୍ତ୍ର ଚାଲାଣ ଉପରେ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯାଇଛି । ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଅପରାଧିମାନଙ୍କୁ ଧରିବା ନେଇ ଆଲୋଚନା କରାଯାଇଛି । ନିର୍ବାଚନ କିଭଳି ମୁକ୍ତ, ଅବାଧ ଓ ନିରପେକ୍ଷ ହେବ ସେ ନେଇ ଆଲୋଚନା ହୋଇଛି ।

କଳାହାଣ୍ଡି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.