ETV Bharat / state

ପ୍ରାଧିକୃତ ସାମ୍ବାଦିକଙ୍କ ପାଇଁ ପୋଷ୍ଟାଲ ବାଲାଟରେ ମତଦାନ ବ୍ୟବସ୍ଥା

author img

By ETV Bharat Odisha Team

Published : Mar 20, 2024, 10:01 PM IST

Updated : Mar 20, 2024, 10:40 PM IST

Journalists Can Vote On Postal Ballot: ପ୍ରାଧିକୃତ ସାମ୍ବାଦିକମାନେ ଏଥର ପୋଷ୍ଟାଲ ବାଲାଟ୍ ମାଧ୍ୟମରେ କରିପାରିବେ ମତଦାନ । ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଅଧିକ ପଢନ୍ତୁ

Postal Ballot Voting
Postal Ballot Voting

ଭୁବନେଶ୍ବର: ଭାରତ ନିର୍ବାଚନ କମିଶନଙ୍କ ଐତିହାସିକ ନିଷ୍ପତ୍ତି । ପ୍ରାଧିକୃତ ସାମ୍ବାଦିକମାନେ ଏଥର ପୋଷ୍ଟାଲ ବାଲାଟ୍ ମାଧ୍ୟମରେ କରିପାରିବେ ମତଦାନ । ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ପ୍ରାଧିକୃତ ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରୁ ଦୂରରେ ରହି କର୍ତ୍ତବ୍ୟ ସଂପାଦନ କରିବା ସହିତ ସାଧାରଣ ନିର୍ବାଚନରେ ମତଦାନ ମଧ୍ୟ କରିପାରିବେ । ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ଅଗ୍ରଣୀ ଭୂମିକା ରହିଆସିଛି । ନିର୍ବାଚନ ସମୟରେ ଅନେକ ପ୍ରାଧିକୃତ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀଠୁ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ। ଏଣୁ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିପାରୁନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରାଧିକୃତ ସାମ୍ବାଦିକ ଓ ଗଣତନ୍ତ୍ରର ହିତରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।



ସାଧାରଣ ନିର୍ବାଚନ-୨୦୨୪ରେ ପ୍ରାଧିକୃତ ସାମ୍ବାଦିକମାନଙ୍କୁ ‘ଜରୁରୀ ସେବା ଯୋଗୁଁ ଅନୁପସ୍ଥିତ ଭୋଟର’ ତାଲିକାରେ ସାମିଲ କରିଛନ୍ତି ନିର୍ବାଚନ କମିଶନ । ଏହାଦ୍ୱାରା ପ୍ରାଧିକୃତ ସାମ୍ବାଦିକମାନେ ‘ରିପ୍ରେଜେଣ୍ଟେସନ ଅଫ ପିପୁଲ ଆକ୍ଟ-୧୯୫୧’ର ଧାରା ୬୦ (C) ଅଧୀନରେ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମତଦାନ କରିପାରିବେ । ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରାଧିକୃତ କାର୍ଯ୍ୟରତ ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଆବେଦନ କରିବେ । ଉକ୍ତ ରିଟର୍ଣ୍ଣିଂ ଅଫିସର ଆବେଦନ କରିଥିବା ପ୍ରାଧିକୃତ ସାମ୍ବାଦିକଙ୍କର ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ହୋଇଥିବା ପ୍ରାଧିକୃତ ପତ୍ର ଯାଞ୍ଚ କରିବେ ।

ଏହା ମଧ୍ୟ ପଢନ୍ତୁ...ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠାରୁ ନାମାଙ୍କନ, ଏପ୍ରିଲ 19ରେ 102 ଆସନରେ ଭୋଟ୍

ଏହାପରେ ସେ ନିଜେ କିମ୍ବା ଜଣେ ନୋଡାଲ ଅଧିକାରୀଙ୍କ ମାଧ୍ୟମରେ ଅବେଦନକାରୀଙ୍କୁ ଫର୍ମ ୧୨-ଡି ଦସ୍ତଖତ କରାଇବେ । ଉକ୍ତ ପ୍ରାଧିକୃତ ସାମ୍ବାଦିକ ଯଥା ସମୟରେ ନିଜ ପୋଷ୍ଟାଲ ବାଲାଟ୍‌ ପାଇପାରିବେ ଏବଂ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସ୍ଥିରୀକୃତ ସମୟସୀମା ମଧ୍ୟରେ ପୋଷ୍ଟାଲ ଭୋଟିଂ ସେଣ୍ଟରରେ ମତଦାନ କରିବେ । ଓଡ଼ିଶାରେ ମଧ୍ୟ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ଏହାସହ ପ୍ରାଧିକୃତ ସାମ୍ବାଦିକମାନଙ୍କ ମତଦାନ ପାଇଁ ଉଚିତ ବ୍ୟବସ୍ଥା କରାଯିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । କୌଣସି ମତଦାତା ଯେପରି ବାଦ ନପଡ଼ିବେ ଏହି ଲକ୍ଷ୍ୟ ନେଇ ରାଜ୍ୟରେ ନିର୍ବାଚନ ପରିଚାଳନା ହେଉଛି ବୋଲି ସେ କହିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ସହମତି କ୍ରମେ ଭାରତ ନିର୍ବାଚନ କମିଶନଙ୍କୁ ଏହି ପ୍ରସ୍ତାବ ପଠାଇଥିଲେ । ଯାହା ବର୍ତ୍ତମାନ କାର୍ଯ୍ୟକାରୀ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 20, 2024, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.