ETV Bharat / state

ସାବଧାନ ! ଆପଣଙ୍କୁ ବି ଆସିପାରେ ସାଇବର ଠକଙ୍କ ଫୋନକଲ

author img

By ETV Bharat Odisha Team

Published : Jan 20, 2024, 5:38 PM IST

Custom officer cyber crime: ସାବଧାନ ! ଆପଣଙ୍କୁ ବି ଆସିପାରେ ସାଇବର ଠକଙ୍କ ଫୋନକଲ । କଷ୍ଟମ ଅଫିସର କହି ଡରାଇ ନେଇପାରନ୍ତି ଟଙ୍କା । ଅଧିକ ପଢନ୍ତୁ

Cyber expert Prashant Sahu
Cyber expert Prashant Sahu

ଆପଣଙ୍କୁ ବି ଆସିପାରେ ସାଇବର ଠକଙ୍କ ଫୋନକଲ

ଭୁବନେଶ୍ବର: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକେଇ । ଲୋକଙ୍କୁ ମୋଟା ଅଙ୍କର ଚୂନ ଲଗାଇବା ଲାଗି ଭିନ୍ନ ଭିନ୍ନ ଉପାୟ ଖୋଜୁଛନ୍ତି ଠକ । ଏବେ ଏମିତି ଏକ ନୂଆ ଧରଣର ଠକେଇ ସାମ୍ନାକୁ ଆସିଛି । କଷ୍ଟମ ଅଫିସର କହି ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଜଣାପଡ଼ିଛି । ତେବେ କିଭଳି ଏହି କୋରିୟର ସ୍କାମରୁ ନିଜକୁ ଓ ନିଜ ଆତ୍ମୀୟସ୍ବଜନଙ୍କୁ ରକ୍ଷା କରିବେ ସେ ନେଇ ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି ।

କିଛି ଏପରି ହୋଇଥାଏ ଠକାମି:- ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ କହିବାନୁସାରେ ପ୍ରଥମେ ଆପଣଙ୍କ ନମ୍ବରକୁ ଏକ ଫୋନ କଲ ଆସିବ । ଏହି କଲରେ ବ୍ୟକ୍ତି ଜଣଙ୍କ ନିଜକୁ କଷ୍ଟମ ଅଫିସରର ପରିଚୟ ଦେବେ । ଆଉ କହିବେ ଆପଣ ପଠାଇଥିବା କୋରିୟର ମିଆଁମାର ଯାଉଥିଲା । ଯାହା ଧରାପଡିଛି । ଏହି କୋରିୟରରେ ଡ୍ରଗସ ଥିଲା । 10ଟି ବେଆଇନ ପାସପୋର୍ଟ ଥିଲା । ଏହା ଶୁଣିବା ପରେ ଆପଣଙ୍କ ମନରେ ଛନକା ପଶିବ । ସେମାନେ ଆପଣଙ୍କ ମନରେ ଭୟ ସୃଷ୍ଟି କରିବାକୁ ଉଦ୍ୟମ କରିବେ । ଏହିସବୁ ସାମଗ୍ରୀ ଧରାପଡିଥିବାରୁ ଆପଣଙ୍କୁ ମୁମ୍ବାଇ କିମ୍ବା ଲକ୍ଷ୍ନୌର ପୋଲିସ ଷ୍ଟେସନକୁ ଆସିବାକୁ ପଡିବ । ସଙ୍ଗେ ସଙ୍ଗେ କଷ୍ଟମ ଅଫିସର ଜଣଙ୍କ ପୋଲିସ ଅଫିସରଙ୍କୁ କଲ ଟ୍ରାନ୍ସଫର କରିଦେବେ । ପୋଲିସ ଅଫିସର ଜଣଙ୍କ ଆପଣଙ୍କ ସହିତ କଥା ହେବେ । ଏହା ପୂର୍ବରୁ କଷ୍ଟମ ଅଫିସର ଜଣଙ୍କ ଆପଣଙ୍କ ଆଧାର କାର୍ଡ ନମ୍ବର, ସେଥିରେ ଥିବା ବାପାଙ୍କ ନାଁ ଓ ଠିକଣା କହି ଏହା ଆପଣ ପଠାଇଥିବା କୋରିୟର ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିବେ । ନିଜର ଆଧାର କାର୍ଡ ନମ୍ବର ଶୁଣି ଆପଣ ବି ବିଶ୍ବାସ କରିଯିବେ ଯେ ହଁ ଏହା ମୋର ଆଧାର କାର୍ଡ ।

ଏହା ବି ପଢନ୍ତୁ- Cyber Fraud: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସ୍ୱରକୁ ନକଲ କରି ଠକେଇ, ଅଭିଯୁକ୍ତ କିନ୍ନରକୁ ବାନ୍ଧିଲା ପୋଲିସ

ଏତିକି ବିଶ୍ବାସ ସୃଷ୍ଟି କରାଇ ପୋଲିସ ଅଫିସରଙ୍କୁ କଲ ଟ୍ରାନ୍ସଫର କରିବେ । ପୋଲିସ ବାବୁ ଜଣଙ୍କ ଆପଣଙ୍କୁ ଜେଲ ହୋଇଯିବ କିମ୍ବା ଗିରଫ ନେଇ ଭୟ ଦେଖାଇବେ । ତେବେ ଆପଣ ଥାନାକୁ ଯାଇପାରିବେ ନାହିଁ ବୋଲି କହିଲେ ସେମାନେ ଆପଣଙ୍କୁ ବୁଝାଇବାକୁ ଚେଷ୍ଟା କରିବେ ଯେ ଏହାର ସମାଧାନର ବାଟ କଣ । ଦେଢଲକ୍ଷ ଟଙ୍କା ଦିଅନ୍ତୁ ମାମଲାକୁ ରଫାଦଫା କରିଦେବା ବୋଲି କହି ସେମାନେ ଆପଣଙ୍କ ଠାରୁ ଟଙ୍କା ନେଇଯିବେ । ଯଦି ଆପଣ ଟଙ୍କା ଦେଇଦେଲେ ଭୟଭୀତ ହୋଇ ସେମାନେ ଆପଣଙ୍କୁ ଡିଜିଟାଲ ମାଧ୍ୟମରେ ଗିରଫ କରିନେବେ । ଅର୍ଥାତ ତାଙ୍କ କବଜାରେ ଆପଣଙ୍କୁ ଡିଜିଟାଲି ରଖିବେ । ଏହାପରେ ଆରବିଆଇ ଅଫିସର କହି ଆପଣଙ୍କୁ ଆଉ ଗୋଟେ ଫୋନ ଆସିବ । ସେ ପୁଣି ଭୟଭୀତ କରାଇବ ଏବଂ ଟଙ୍କା ମାଗିବ । ଏହିପରି ଭାବେ ସେମାନେ ଆପଣଙ୍କୁ ଲୁଟି ଚାଲିବେ ।

ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କୁ ଆସିଥିବା ଫେକ କଲ୍‌

ସାଇବର ଏକ୍ସପର୍ଟଙ୍କ ନିକଟକୁ ବି ଆସିଥିଲା ଫୋନକଲ:- ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ ନିକଟକୁ ମଧ୍ୟ ଏପରି ଫୋନ କଲ ଆସିଥିବା ସେ କହିଛନ୍ତି । ଯାହାର ରେକର୍ଡିଂ ସେ କରିଥିବା ବେଳେ ଲୋକଙ୍କୁ ସଚେତନ କରାଇଥିବା କହିଛନ୍ତି । ଏହି ରେକର୍ଡିଂ ଶୁଣିଲେ ଆପଣ ଜାଣିପାରିବେ ସାଇବର ଠକ କେଉଁ ଢଙ୍ଗରେ ଫୋନ କରୁଛି । କିପରି କଥାବାର୍ତ୍ତା ଆରମ୍ଭ କରୁଛି ଏବଂ କିପରି ତାର ଜାଲରେ ଆପଣଙ୍କୁ ଫସାଇବାକୁ ଚେଷ୍ଟା କରୁଛି ।

ଫୋନକଲ ଆସିଲେ କଣ କରିବେ ? ଯଦି ଆପଣଙ୍କ ନିକଟକୁ ଏପରି ଫୋନ କଲ ଆସୁଛି ତେବେ ସତର୍କ ରୁହନ୍ତୁ । ଏହି ଫୋନ ନମ୍ବରକୁ ବ୍ଲକ କରିଦିଅନ୍ତୁ । ଭୟଭୀତ ହୁଅନ୍ତୁ ନାହିଁ । ଏହା ଏକ ଫେକ କଲ । ଆପଣଙ୍କ ଆଧାର କାର୍ଡ଼ କୌଣସି ଏକ ସ୍ଥାନରେ ଲିକ ହୋଇଯାଇଛି । ତେଣୁ ସାଇବର ଠକ ଆପଣଙ୍କ ଆଧାର କାର୍ଡ ପାଇ, ଫୋନ ନମ୍ବର ପାଇ ଆପଣଙ୍କୁ ଟାର୍ଗେଟ କରିବାକୁ ଉଦ୍ୟମ କରୁଛି । ତେଣୁ ତୁରନ୍ତ ସାଇବର ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରନ୍ତୁ । ଆଉ ସାବଧାନ ରୁହନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.