ETV Bharat / state

କାରରୁ ମିଳିଲା ପେଟି ପେଟି ଟାବଲେଟ୍; ବିଜେଡି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ - TABLETS SEIZED IN RAYAGADA

author img

By ETV Bharat Odisha Team

Published : Apr 17, 2024, 10:36 AM IST

Tablets Seized in Rayagada: ଇନୋଭା କାର ଦ୍ବାରା କାର୍ଟୁନରେ ଟାବଲେଟ ବଣ୍ଟା ହେବାକୁ ଯାଉଥିବା ବେଳେ ଜବତ କରିଛି ପୋଲିସ । ରାଜ୍ୟ ସରକାର ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣିଲା କଂଗ୍ରେସ । ଅଧିକ ପଢନ୍ତୁ

ଇନୋଭାରେ ପେଟି ପେଟି ଟାବଲେଟ ଜବତ, କଂଗ୍ରେସର କୋଡ ଅଫ୍ କଣ୍ଡକ୍ଟ ଭାଙ୍ଗିବା ଅଭିଯୋଗ
ଇନୋଭାରେ ପେଟି ପେଟି ଟାବଲେଟ ଜବତ, କଂଗ୍ରେସର କୋଡ ଅଫ୍ କଣ୍ଡକ୍ଟ ଭାଙ୍ଗିବା ଅଭିଯୋଗ

ଇନୋଭାରେ ପେଟି ପେଟି ଟାବଲେଟ ଜବତ, କଂଗ୍ରେସର କୋଡ ଅଫ୍ କଣ୍ଡକ୍ଟ ଭାଙ୍ଗିବା ଅଭିଯୋଗ

ରାୟଗଡା: ଜିଲ୍ଲାରେ ରାଜ୍ୟ ସରକାର ଦ୍ବାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ଆଣିଛି କଂଗ୍ରେସ ଓ ବିଜେପି । ମଙ୍ଗଳବାର ସକାଳ ପ୍ରାୟ ୧୦ଟା ସମୟରେ ରେଳଷ୍ଟେସନ ନିକଟସ୍ଥ ରେଳବାଇ ଷ୍ଟାଫ୍ କ୍ବାର୍ଟର ଅଞ୍ଚଳରେ ୮ଟି ଇନୋଭା କାରରେ କିଛି କାର୍ଟୁନ ଲୋଡ଼ିଂ ହେଉଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । କୌଣସି ବେଆଇନ ଚାଲାଣ ସନ୍ଦେହରେ ସ୍ଥାନୀୟ ଲୋକେ ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଏବଂ ପୋଲିସ ପ୍ରମୁଖଙ୍କୁ ସୂଚନା ଦେଇଥିଲେ । ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ବିଡ଼ିଓ ଅମୂଲ୍ୟ କୁମାର ସାହୁ ଘଟଣାସ୍ଥଳରେ ପୋଲିସ ସହିତ ପହଞ୍ଚିଥିଲେ । ତେବେ ବିଡ଼ିଓ ପହଞ୍ଚିବା ପୂର୍ବରୁ ୫ଟି କାର ସେଠାରୁ କାର୍ଟୁନଗୁଡ଼ିକୁ ନେଇ କେଉଁଆଡ଼େ ଚାଲିଯାଇଥିଲା । ଉକ୍ତ ୫ଟି ଗାଡ଼ି କଳାହାଣ୍ଡି ଜିଲ୍ଲା ଅଭିମୁଖେ ଚାଲିଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ତେବେ ବଳକା କାର୍ଟୁନଗୁଡ଼ିକୁ ଜବତ କରି ଟାଉନ ଥାନାକୁ ଆଣିବା ପରେ ବିଡ଼ିଓ ଅମୂଲ୍ୟ କୁମାର ସାହୁ, ପୌରନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, ବ୍ଲକ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାସ, ଏସଡିପିଓ ରଶ୍ମିରଞ୍ଜନ ସେନାପତି, ଆଇଆଇସି କେକେବିକେ କହଁର ପ୍ରମୁଖଙ୍କ ଉପସ୍ଥିତିରେ ସେଗୁଡ଼ିକ ଖୋଲି ଦେଖିବା ବେଳେ ସେଥିରୁ ସାମସଙ୍ଗ କମ୍ପାନିର ଟାବଲେଟ୍ ବାହାରିଥିଲା । ରାୟଗଡ଼ା ଜିଲ୍ଲାରେ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଓ ଏହି କାର୍ଯ୍ୟରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ହାତ ଥିବା ନେଇ ପୋଲିସ ନିକଟରେ ଫେରାଦ ହୋଇଛି ଜିଲ୍ଲା ବିଜେପି ଓ କଂଗ୍ରେସ । ରାଜ୍ୟରେ ଥିବା ଓକାକ ନାମକ ସଂସ୍ଥା ଦ୍ଵାରା ରାୟଗଡ଼ା ରେଳ ଷ୍ଟେସନ ନିକଟରେ ୮ଟି ଇନୋଭା ଗାଡ଼ିରେ ଏହି ଟାବଲେଟ ଆଣି ବିଭିନ୍ନ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପଠା ଯାଉଥିବା ସମୟରେ ପ୍ରଥମେ କଂଗ୍ରେସ ପରେ ବିଜେପି ଏନେଇ ପ୍ରତିବାଦ କରିବା ପରେ ରାୟଗଡ଼ ବିଡିଓ ଅମୂଲ୍ୟ ସାହୁ ଆସି ଉକ୍ତ ଟାବଲେଟଗୁଡ଼ିକ ରାୟଗଡ଼ ଥାନାକୁ ଆଣି ଖୋଲିବା ପରେ ଜଣାପଡ଼ିଥିଲା ।

ଏହା ମଧ୍ୟ ପଢନ୍ତୁ... ଓଡିଶା ଆସିବେ ରାହୁଲ ଗାନ୍ଧୀ; ଶ୍ରୀକ୍ଷେତ୍ରରୁ ପ୍ରଚାର ଆରମ୍ଭ କରିବ କଂଗ୍ରେସ - Congress Campaign Committee

ଏହି ଟାବଲେଟ୍‌କୁ ଅନ୍ କରିବାରୁ ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ୱାଲପେପର ରହିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଟାବଲେଟ୍ ଆଣିଥିବା କମ୍ପାନି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଏହା ଜିଲ୍ଲାର ସ୍କୁଲଗୁଡ଼ିକରେ ଶିକ୍ଷକମାନଙ୍କୁ ପ୍ରଦାନ କରାଯିବା ନେଇ ପୂର୍ବରୁ ଟେଣ୍ଡର ହୋଇଥିଲା । ପ୍ରଥମ ଫେଜ୍‌ରେ କିଛି ଟାବଲେଟ୍ ବିତରଣ ହୋଇଥିଲା । ବର୍ତ୍ତମାନ ବଳକା ୧୯୬୦୦ ଟାବଲେଟ୍ ବିତରଣ କରାଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଥିଲେ । ତେବେ ଏନେଇ ରାୟଗଡ଼ା ବିଇଓ ସୁଦୀପ୍ତ କୁମାର ଦାସଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା ପ୍ରକାଶ କରିଥିଲେ । ତେବେ ବର୍ତ୍ତମାନ ସମସ୍ତ ଟାବଲେଟ୍ ଓ ୩ଟି ଗାଡ଼ିକୁ ଜବତ କରି ଥାନାରେ ଅଟକ ରଖି ବିଡ଼ିଓ ଅମୂଲ୍ୟ ସାହୁ ତଦନ୍ତ କରୁଥିବା ଜଣାପଡ଼ିଛି ।

ଏହି ଘଟଣାରେ ପିସିସି ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି ଯେ, ବିଜେଡ଼ି ସରକାରୀ ଦଳ ହୋଇଥିବାରୁ ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲ୍ଲଂଘନ କରୁଛି । ତେଣୁ ଏନେଇ କଂଗ୍ରେସ ସି-ଭିଜିଲ ଆପ୍ ମାଧ୍ୟମରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି । ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିଥିବା ବେଳେ ଏହିଭଳି ସରକାରୀ କାର୍ଯ୍ୟ କିଭଳି କରାଯାଉଛି ସେନେଇ ନିର୍ବାଚନ ଆୟୋଗ ପକ୍ଷରୁ ତଦନ୍ତ ଦାବି କରିଛି କଂଗ୍ରେସ ଏବଂ ବିଜେପି । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ତୀବ୍ର ଉତ୍ତେଜନା ରହିଥିବା ବେଳେ ପୋଲିସ ଉକ୍ତ ଟାବଲେଟଗୁଡ଼ିକ ଥାନାକୁ ଆଣି ଯାଞ୍ଚ କରିବା ସହ ଏହାର ଦାୟିତ୍ବରେ ଥିବା କର୍ମଚାରୀ ଲେଖରାଜ୍ କୁମାର ଓ ତାଙ୍କ ସାଥିରେ ଥିବା ସହକର୍ମୀଙ୍କୁ ଅଟକ ରଖାଯାଇଛି । ଏନେଇ ନିର୍ବାଚନ କମିଶନ ଆଗରେ ବିଜେଡି ବିରୋଧରେ ଫେରାଦ ହୋଇଥିବା ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଦୁର୍ଗା ପଣ୍ଡା କହିଛନ୍ତି ।

ଇଟିଭି ଭାରତ ,ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.