ETV Bharat / state

ଦ୍ବିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମରେ ଖୋଲିଲା ଆମ ବ୍ୟାଙ୍କ

author img

By ETV Bharat Odisha Team

Published : Feb 29, 2024, 9:59 PM IST

Ama Bank Scheme: ରାଜ୍ୟର ୨୮୮ ବ୍ଲକର ୨୦୦୦ ଗ୍ରାମରେ ଖୋଲିଲା ଆମ ବ୍ୟାଙ୍କ । 5T ଉପକ୍ରମରେ ଖୋଲାଯାଉଥିବା ଆମ ବ୍ୟାଙ୍କ ସଂଖ୍ୟା ୨୭୫୦ରେ ପହଞ୍ଚିଲା । ଅଧିକ ପଢନ୍ତୁ

CSP Plus Banking Outlets
CSP Plus Banking Outlets

ଦ୍ବିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମରେ ଖୋଲିଲା ଆମ ବ୍ୟାଙ୍କ

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟରେ ଆଜି (ଗୁରୁବାର) ରାଜ୍ୟର ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି । 5T ଉପକ୍ରମରେ ଖୋଲାଯାଉଥିବା ଆମ ବ୍ୟାଙ୍କ ସଂଖ୍ୟା ୨୭୫୦ରେ ପହଞ୍ଚିଛି । ଅପହଞ୍ଚ ଅଞ୍ଚଳରେ ବ୍ୟାଙ୍କିଂ ସେବା ଯୋଗାଇ ଦେବା କ୍ଷେତ୍ରରେ ଆମ ବ୍ୟାଙ୍କ ଜାତୀୟ ସ୍ତରରେ ଉଦାହରଣ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ।

ଓଡିଶାର ୬୭୯୮ଟି ଗ୍ରାମ ପଞ୍ଚାୟତଟି ମଧ୍ୟରୁ ୪୩୭୩ଟି ପଞ୍ଚାୟତରେ ବ୍ୟାଙ୍କ ଶାଖା ନଥିଲା । ୨୦୨୩ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୭୫୦ଟି ଆମ ବ୍ୟାଙ୍କ ଖୋଲିଥିଲା । ପର୍ଯ୍ୟାୟ କ୍ରମେ ରାଜ୍ୟର ଅବଶିଷ୍ଟ ସମସ୍ତ ପଞ୍ଚାୟତରେ ଆମ ବ୍ୟାଙ୍କ ସୁବିଧା ମିଳିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆଜି ବ୍ୟାଙ୍କ ଜନସେବାର ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରରେ ପରିଣତ ହୋଇଛି । ସମସ୍ତ ସରକାରୀ ସୁବିଧା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେଉଛି । ସେଥିପାଇଁ ରାଜ୍ୟର ସବୁ ହିତାଧିକାରୀ ସୁବିଧା ଓ ଠିକ ସମୟରେ ତାଙ୍କ ପ୍ରାପ୍ୟ ପାଆନ୍ତୁ । କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ଯେପରି ହଇରାଣ ନ ହେବେ ତାକୁ ଦୃଷ୍ଟିରେ ରଖି ଏହି ବ୍ୟାଙ୍କ ଗୁଡିକ ଖୋଲାଗଲା । ଏ ଦିଗରେ ବ୍ୟାଙ୍କଗୁଡିକ ଭଲ ଭାବେ କାମ କରିବ । ଆମ ବ୍ୟାଙ୍କ ରାଜ୍ୟ ସରକାରଙ୍କ ଏକ ଅଭିନବ ପଦକ୍ଷେପ । ସାରା ଦେଶରେ ଏକ ମଡେଲ । ବ୍ୟାଙ୍କଗୁଡିକ ହିତାଧିକାରୀଙ୍କୁ ୧୫ ପ୍ରକାର ସେବା ଯୋଗାଇବ ।"

ଏହା ବି ପଢନ୍ତୁ- ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ; ୨୦୨୪ ମାର୍ଚ୍ଚ ସୁଦ୍ଧା ୪୩୭୩ ପଞ୍ଚାୟତରେ ପହଞ୍ଚିବ ଆମ ବ୍ୟାଙ୍କ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗାଁରେ ଡିଜିଟାଲ ଭିତ୍ତିଭୂମି ମଜଭୁତ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଆର୍ଥିକ ଅନ୍ତର୍ଭୁକ୍ତିକରଣ ସମସ୍ତଙ୍କ ଏକ ମୌଳିକ ଅଧିକାର । ଏକ କଲ୍ୟାଣକାରୀ ରାଜ୍ୟ ଭାବରେ ସମସ୍ତ ନାଗରିକଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ସାମିଲ କରିବା ଆମର ମୁଖ୍ୟ ଦାୟିତ୍ବ । ଓଡିଶା ଆଜି ଯେଉଁ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ଯୋଗାଇ ଦେଉଛି । ତାହା ଜାତୀୟ ସ୍ତରରେ ଉଦାହରଣ । ମଧୁବାବୁ ପେନସନ ଯୋଜନା, ମମତା ଯୋଜନା, ବୁଣାକାର ଓ କଳାକାରମାନଙ୍କ ପେନସନ ଓ ସହାୟତା ନିକଟରେ ବୃଦ୍ଧି କରାଯାଇଛି । ଏମାନଙ୍କ ସହିତ ମିଶନ ଶକ୍ତି ମା'ମାନେ ମଧ୍ୟ ଏହି ବ୍ୟାଙ୍କ ଜରିଆରେ ସୁବିଧା ପାଇବେ । ଆମ ବ୍ୟାଙ୍କ ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଶାରୀରିକ ଅକ୍ଷମଙ୍କୁ ଘର ପାଖରେ ସେବା ଯୋଗାଇ ଦେବ ।" ରାଜ୍ୟ ସରକାରଙ୍କୁ ଏହି ବ୍ୟାଙ୍କ ଖୋଲିବାରେ ସହାୟତା କରିଥିବା ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ରାଜ୍ୟ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଓଡିଶାର ସମସ୍ତ କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ ଆସିଛି । ପୂର୍ବରୁ ରାଜ୍ୟରେ ବ୍ୟାଙ୍କ ଗୁଡିକ ସଂଖ୍ୟା ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ଆର୍ଥିକ ଅନ୍ତର୍ଭୁକ୍ତିକରଣ ପାଇଁ ବ୍ୟାଙ୍କିଙ୍ଗ ଏକ ଜରୁରୀ ସେବା ହୋଇଥିବାରୁ ରାଜ୍ୟର ସମସ୍ତ ଅଞ୍ଚଳର ନାଗରିକଙ୍କୁ ଏହି ମୌଳିକ ସେବା ଉପଲବ୍ଧ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଆମ ବ୍ୟାଙ୍କ ଯୋଜନା ପରିକଳ୍ପନା କରିଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସିଜିଏମ ଉପସ୍ଥିତ ଥିଲେ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.