ETV Bharat / state

ରାଜଧାନୀରେ କାର ଉପରେ ବୋମାମାଡ, ଜଣେ ଆହତ - Bomb blast in Bhubanswar

author img

By ETV Bharat Odisha Team

Published : May 27, 2024, 2:13 PM IST

Bomb blast in Bhubanswar: ରାସ୍ତା ଉପରେ ବୋମାମାଡ । ରାଜଧାନୀ ଭୁବନେଶ୍ୱରର ଏୟାରପୋର୍ଟ ନୂଆ ରୋଡ଼ ଓ ବରମୁଣ୍ଡା ରାସ୍ତାରେ କାର ଉପରକୁ ବୋମାମାଡ । ଜଣେ ଆହତ । ଖଣ୍ଡଗିରି ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

Bomb blast in Bhubanswar
Bomb blast in Bhubanswar (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ରାସ୍ତା ଉପରେ କାର ଉପରକୁ ବୋମାମାଡ । ଭୁବନେଶ୍ବର ସ୍ଥିତ ଏୟାରପୋର୍ଟ ନୂଆ ରୋଡ଼ ଓ ବରମୁଣ୍ଡା ରାସ୍ତାରେ ଏହି ବୋମାମାଡ କରାଯାଇଛି । ଏହି ଆକ୍ରମଣରେ ସ୍କର୍ପିଓ କାର ଭାଙ୍ଗିଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆହତକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । କେବିଏନ ଗ୍ୟାଙ୍ଗ ଓ ଅନ୍ୟ ଏକ ରାଜନୈତିକ ଦଳର ଛାତ୍ରନେତାଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷରୁ ଏହି ଆକ୍ରମଣ କରାଯାଇଥିବା ପୋଲିସ ସନ୍ଦେହ କରୁଛି ।

ରାଜଧାନୀରେ କାର ଉପରେ ବୋମାମାଡ (ETV Bharat Odisha)

ସୁଚନା ଅନୁଯାୟୀ, ଆଜି (ସୋମବାର) ସକାଳ ପ୍ରାୟ 8ଟା ସମୟରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଏୟାରପୋର୍ଟ ନୂଆ ରୋଡରେ ଇପିକଲ ଅଫିସ ସାମ୍ନା ରାସ୍ତାରେ ଏକ କଳା‌ରଙ୍ଗର ସ୍କର୍ପିଓ ଉପରକୁ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ବୋମାମାଡ଼ କରିଥିଲେ । କାରର ଡ୍ରାଇଭର ପାଖ ଆଗ ସିଟ ପାଖରେ କାଚ ଭାଙ୍ଗିଯିବା ସହ ବୋମାମାଡରେ କାରର ଟି ଆଗ ଭାଗଟି ଜଳି ଉଠିଥିଲା । ବୋମାମାଡ କରି ୨ ଦୁର୍ବୃତ୍ତ ସେଠାରୁ ଖସି ପଳାଇଥିବା ବେଳେ କାରର ଡ୍ରାଇଭର ସିଟ୍ ପାଖରେ ବସିଥିବା ଜଣେ ଯୁବକ ଏଥିରେ ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ବେଳେ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ଦିଗରୁ ପୋଲିସ ତଦନ୍ତ ଜାରି ରଖିଛି । ଆହତଙ୍କୁ ଏନେଇ ପଚରାଉଚରା କରିବା ସହ ୨ ଦୁର୍ବୃତ୍ତଙ୍କ ସମ୍ପର୍କରେ ଖବର ମିଳିଥିବା ସୂଚନା ରହିଛି । ତେବେ ପୂର୍ବରୁ ଏହି ରାସ୍ତାରେ ଖଣ୍ଡା ବୁଲାଯିବା ଘଟଣା ସହ ଏହି ଘଟଣାର ଲିଙ୍କ ଥିବା ସନ୍ଦେହ କରାଯାଉଛି । ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ଅନ୍ୟପଟେ ଏହି ବୋମାମାଡ ନିର୍ବାଚନୀ ହିଂସାକାଣ୍ଡ ନୁହେଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏକ ରାଜନୈତିକ ଦଳର ଛାତ୍ରନେତାଙ୍କ ସହ କେବିଏନ ଗ୍ୟାଙ୍ଗର ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାର ସେହି ଘଟଣା ସହ ଲିଙ୍କ ଥାଇପାରେ ବୋଲି କୁହାଯାଉଛି । ତେବେ ଗାଡିଟି ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବକ ଚଲାଉଥିବା ବୋଲି ଜଣାପଡିଛି । ବୋମାମାଡ କରିଥିବା ଦୁଇ ଦୁର୍ବୃତ୍ତ ଏକ ରାଜନୈତିକ ଦଳର ନେତାଙ୍କ ଗୋଷ୍ଠୀର ବୋଲି ସନ୍ଦେହ କରୁଛି ପୋଲିସ । ଏନେଇ‌ ପୋଲିସ ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛି । ସ୍କର୍ପିଓ ଟି ଗାଡିଟି ମମତା ସାମନ୍ତ ସିଂହାର ନାମରେ ରହିଛି ।

ଏହାମଧ୍ୟ ପଢନ୍ତୁ.. ଚନ୍ଦନପୁରରେ ବ୍ୟବସାୟୀଙ୍କୁ ବୋମାମାଡ, ଅଭିଯୁକ୍ତକୁ ଧରି ପୋଲିସ ଜିମା ଦେଲେ ଲୋକେ - Puri Bomb Hurled

ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି,"ଆଜି ସକାଳେ ବରମୁଣ୍ଡାରେ ପାଖରେ ଜଣେ ବ୍ୟକ୍ତି ତାଙ୍କ ଗାଡ଼ିରେ ଯାଉଥିବା ବେଳେ କିଛି ଲୋକ ବାଇକରେ ଆସି ତାଙ୍କ ଉପରକୁ ବୋମାମାଡ କରିଥିବା ନେଇ ଖଣ୍ଡଗିରି ଥାନାକୁ ଖବର ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇ ଉକ୍ତ ଲୋକକୁ ଉଦ୍ଧାର କରିଥିଲା । ଏନେଇ ସେ ଲୋକଙ୍କୁ ପଚରାଉଚରା କରାଯାଉଛି । ବର୍ତ୍ତମାନ ସୁଦ୍ଧା ସଠିକ କାରଣ ଜଣାପଡିନାହିଁ । ଯାହା ଅନୁମାନ କରାଯାଉଛି ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥାଇପାରେ । ଏନେଇ ତଦନ୍ତ କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.