ETV Bharat / state

ସାଧାରଣ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ପୋଲିସର ସମୀକ୍ଷା ବୈଠକ - Berhampur Police Review Meeting

author img

By ETV Bharat Odisha Team

Published : Mar 23, 2024, 1:14 PM IST

Berhampur Police Review Meeting: ସାଧାରଣ ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ବ୍ରହ୍ମପୁର ପୋଲିସର ସମୀକ୍ଷା ବୈଠକ । ଅପରାଧିଙ୍କ ଉପରେ ରହିଛି କଡା ନଜର । ଅଧିକ ପଢନ୍ତୁ

Berhampur Police
Berhampur Police

ବ୍ରହ୍ମପୁର ପୋଲିସର ସମୀକ୍ଷା ବୈଠକ

ବ୍ରହ୍ମପୁର: ପାଖେଇ ଆସୁଛି ଲୋକସଭା ଓ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ବ୍ରହ୍ମପୁର ପୋଲିସ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ କରାଯାଇଛି ସମୀକ୍ଷା । ଜିଲ୍ଲା ପୋଲିସ ମୁଖ୍ୟାଳୟରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଆୟୋଜିତ ହୋଇଥିଲା ବୈଠକ । ନିର୍ବାଚନ ସମୟରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନେ କିପରି ନିର୍ବାଚନ କମିଶନରଙ୍କ ଗାଇଡଲାଇନକୁ ସଠିକ ଭାବରେ ପାଳନ କରିବେ, ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ କରାଯାଇ ଶୃଙ୍ଖଳିତ ଭାବରେ ମତଦାନ କରାଯିବ ସେନେଇ ଆଲୋଚନା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଆଗକୁ ନିର୍ବାଚନ, ରାୟଗଡାରେ ବସିଲା ପୋଲିସ ଓ ମାଜିଷ୍ଟ୍ରେଟଙ୍କ ସମନ୍ୱୟ ବୈଠକ - Coordination meeting

ସେହିପରି ପୋଷ୍ଟାଲ ବ୍ୟାଲେଟ୍ ମାଧ୍ୟମରେ ପୋଲିସ କର୍ମଚାରୀ ଓ ଅଧିକାରୀ ମାନେ କିପରି ସେମାନଙ୍କର ନିଜ ନିଜର ମତ ସାବ୍ୟସ୍ତ କରିବେ ଓ ଜିଲ୍ଲାର ପୁରାତନ ଏବଂ ଦୁର୍ଦ୍ଦାନ୍ତ ଅପରାଧିଙ୍କ ଉପରେ କିଭଳି ତିକ୍ଷ୍ଣ‌ ନଜର ରଖିବେ ତାହାକୁ ନେଇ ଆୟୋଜିତ ସମୀକ୍ଷା ବୈଠକରେ ବିସ୍ତୁତ ଭାବରେ ଆଲୋଚନା କରାଯାଇଛି । ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ସାରିଥିବା ବେଳେ ଅନଲାଇନରେ ରହିଥିବା ନିର୍ବାଚନ କମିଶନରଙ୍କ ବିଭିନ୍ନ ଆପ୍ ଏବଂ ତାହାର କାର୍ଯ୍ୟ ସାଙ୍ଗକୁ କିପରି ରହିବ ଫ୍ଲାଇଙ୍ଗ୍ ସ୍କାର୍ଡ ଓ ଷ୍ଟାଡିକ୍ ସରଭିଲାନ୍ସ ଟିମର କାର୍ଯ୍ୟଶୈଳୀକୁ ବୈଠକରେ ସମୀକ୍ଷା କରାଯାଇଥିଲା ।

ନିର୍ବାଚନ ପୂର୍ବରୁ ଜିଲ୍ଲାର କେଉଁ ଥାନା ଅଞ୍ଚଳରେ କେତେ ଅପରାଧି ରହିଛନ୍ତି ଏହାର ତାଲିକା ପ୍ରସ୍ତୁତ କରି ତାହାରି ଉପରେ ସଂପୂର୍ଣ୍ଣ ଭାବରେ ନଜର ରଖିଛି ବ୍ରହ୍ମପୁର ପୋଲିସ । ଏନେଇ ଗତ ଜାନୁଆରୀ ପହିଲାରୁ ହିଁ ବ୍ରହ୍ମପୁର ପୋଲିସ ପକ୍ଷରୁ ବିଭିନ୍ନ ମାମଲାରେ ସଂପୃକ୍ତ ରହି ଫେରାର ରହିଥିବା ଅପରାଧିଙ୍କୁ ଧରିବା ପାଇଁ ଏନ୍.ବି.ଡବ୍ଳୁ ଧରପଗଡ ଅଭିଯାନ ଜାରି ରହିଛି । ଇତିମଧ୍ୟରେ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ଏନ୍.ବି.ଡବ୍ଳୁ(NBW) ରହିଥିବା ବ୍ୟକ୍ତିବିଶେଷଙ୍କୁ ଧରିବାରେ ସକ୍ଷମ ହୋଇପାରିଛି ପୋଲିସ । ସେଭଳି ମାମଲା ରହିଥିବା ପୁରୁଣା ଅପରାଧିଙ୍କୁ ଧରିବା କ୍ଷେତ୍ରରେ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।

ଅପରାଧିଙ୍କୁ ଧରିବାକୁ ଦୈନିକ ପ୍ରତ୍ୟେକ ଥାନା ଅଞ୍ଚଳରେ ୧୫ ଗୋଟି ଏନ୍.ବି.ଡବ୍ଲୁ(NBW) ଧରପଗଡ କରାଯାଉଛି । କେବଳ ସେତିକି ନୁହେଁ ପୂର୍ବରୁ ବିଭିନ୍ନ ମାମଲାରେ ସଂପୃକ୍ତ ଥାଇ କୋର୍ଟରୁ ଜାମିନରେ ଆସି ବାହାରେ ରହିଥିବା ଅପରାଧି ମାନଙ୍କୁ ଡାକି ସେମାନଙ୍କ ବିରୁଦ୍ଧରେ ୧୦୭ ଓ ୧୧୦ ଦିଆଯାଉଥିବା ବେଳେ ବହୁ ମାମଲାରେ ସଂପୃକ୍ତ ରହିଥିବା ଦୁର୍ଦ୍ଦାନ୍ତ ବ୍ୟକ୍ତିବିଶେଷଙ୍କ ତାଲିକା ପ୍ରସ୍ତୁତ କରି ରଖାଯାଉଛି । ସଠିକ୍ ସମୟରେ ଆବଶ୍ୟକ ପଡିଲେ ସେମାନଙ୍କ ବିରୁଦ୍ଧରେ ଜାତୀୟ ନିରାପତ୍ତା ଆଇନ ବଳରେ ଅଟକ ରଖିବା ପାଇଁ ମଧ୍ୟ ତାହାର ତାଲିକା ପ୍ରସ୍ତୁତ କରି ରଖାଯାଇଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.