ETV Bharat / state

ମିଳିଲାନି ଉପଯୁକ୍ତ ସମ୍ମାନ; ରାଗିଗଲେ ନନା, ନେବେ କାର୍ଯ୍ୟାନୁଷ୍ଠାନ

author img

By ETV Bharat Odisha Team

Published : Feb 20, 2024, 9:28 PM IST

Updated : Feb 21, 2024, 3:04 PM IST

MP Pratap Sarangi Brings Insult Allegation: ସରକାରୀ କାର୍ଯ୍ୟକ୍ରମରେ ବାଲେଶ୍ବର ସାସଂଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଅପମାନ ଅଭିଯୋଗ । ସାଂସଦ କହିଲେ ବିଜେଡି ଶାସନରେ ଗଣତାନ୍ତ୍ରିକ ପଦ୍ଧତି ଉପରେ କୁଠାରଘାତ ହେଉଛି । ଅଧିକ ପଢନ୍ତୁ

MP Pratap Sarangi
MP Pratap Sarangi

ରାଗିଗଲେ ନନା, ନେବେ କାର୍ଯ୍ୟାନୁଷ୍ଠାନ

ବାଲେଶ୍ବର: ସରକାରୀ କାର୍ଯ୍ୟକ୍ରମରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପମାନିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ କେଉଁ ପରିସ୍ଥିତିରେ ଅପମାନିତ ହୋଇଛନ୍ତି ଏବଂ କିଏ କରିଛନ୍ତି ଏହାସହ ଆଗାମୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇଛନ୍ତି । ବିଜେଡି ଶାସନରେ ବାରମ୍ବାର ଗଣତାନ୍ତ୍ରିକ ପଦ୍ଧତି ଉପରେ କୁଠାରାଘାତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା ଅନୁସାରେ, ଜିଲ୍ଲା ପ୍ରଶାସନ ଦ୍ବାରା ପଦ୍ମାବତୀ ପାର୍କରେ ସିକିମ ପଟା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଯୋଗ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ହେଲେ କାର୍ଯ୍ୟକ୍ରମ ସ୍ଥାନକୁ ଯିବା ପରେ ସେଠାରେ ଉପସ୍ଥିତ ଥିବା ଜିଲ୍ଲାପାଳ, ସଦର ବିଧାୟକ ଓ ଜଳେଶ୍ଵର ବିଧାୟକ ତଥା ମନ୍ତ୍ରୀ ଅଶ୍ବିନୀ ପାତ୍ର ପ୍ରମୁଖଙ୍କୁ ଷ୍ଟେଜରେ ବସିବାକୁ ଦିଆଯାଇଥିବା ବେଳେ ସାଂସଦଙ୍କୁ ତଳେ ବସିବା ପାଇଁ ବ୍ୟବସ୍ଥା ହୋଇଥିଲା ।

ଏହା ବି ପଢନ୍ତୁ- ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥିଲେ ଭଗବାନ ଶ୍ରୀରାମଚନ୍ଦ୍ର: ସାଂସଦ ପ୍ରତାପ ଷଡଙ୍ଗୀ

ପ୍ରୋଟୋକଲ ଅନୁସାରେ ଜଣେ ବିଧାୟକ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଠାରୁ ଉପରେ । ଏ କ୍ଷେତ୍ରରେ ଜଣେ ସାଂସଦ ବିଧାୟକଙ୍କଠାରୁ ଅନେକ ଊର୍ଦ୍ଧ୍ବରେ ଓ ଜଣେ ଜିଲ୍ଲାପାଳ ମୁଖ୍ୟ ଶାସନସଚିବଙ୍କ ଠାରୁ ଅନେକ ତଳେ । ଜିଲ୍ଲାପାଳ କୋଉ ସାହସରେ ନିଜେ ଷ୍ଟେଜରେ ବସିଥିବା ବେଳେ ଜଣେ ସାଂସଦଙ୍କୁ ତଳେ ବସିବା ପାଇଁ କହୁଛନ୍ତି ବୋଲି ସାଂସଦ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି । ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ବାସ୍ତବରେ ବିଜେଡିର ଦଳୀୟ କାର୍ଯ୍ୟକ୍ରମ ଭଳି ପରିଣତ ହୋଇଥିଲା ବୋଲି ସାଂସଦ କହିଛନ୍ତି ।

ଯେହେତୁ ରେମୁଣା ବିଧାୟକ ବିଜେଡିରୁ ନିଲମ୍ବିତ ଓ ସାଂସଦ ବିଜେପି ଦଳର ହେଇଥିବାରୁ ତାଙ୍କୁ ତଳେ ବସିବାକୁ ଦିଆଯାଇଥିଲା ବୋଲି ସାଂସଦ ଅଭିଯୋଗ ଆଣିଛନ୍ତି । ବିଜେଡି ଶାସନରେ ବାରମ୍ବାର ଗଣତାନ୍ତ୍ରିକ ପଦ୍ଧତି ଉପରେ କୁଠାରାଘାତ କରାଯାଉଛି ଓ ଗଣତାନ୍ତ୍ରିକ ମୁଲ୍ୟବୋଧର ହତ୍ୟା ହେଉଛି । ସରକାରୀ କର୍ମଚାରୀମାନେ ବିଜେଡ଼ିର ଦଳୀୟ କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି। ସାଂସଦ କେବେହେଲେ ଦଳମତ ନିର୍ବିଶେଷରେ କାହାରିକୁ ଅସମ୍ମାନ କରନ୍ତି ନାହିଁ, ସଦା ସର୍ବଦା ବିରୋଧୀ ଦଳରେ ହୋଇଥିଲେ ମଧ୍ୟ ଜନପ୍ରତିନିଧି ମାନଙ୍କୁ ସମ୍ମାନ ଦିଅନ୍ତି ।

ସେ କ୍ଷେତ୍ରରେ ତାଙ୍କୁ ଏମିତି ଅସମ୍ମାନ କରିବା ପ୍ରାୟୋଜିତ ବୋଲି ସ୍ପଷ୍ଟ ଅନୁମେୟ ବୋଲି କହିଛନ୍ତି ସାଂସଦ । ବିଗତ ଦିନରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ପାଇଁ ସ୍ବୟଂ ଶାସିତ ବିଶ୍ବବିଦ୍ୟାଳୟର ପରୀକ୍ଷା ସରକାର ଚାପରେ ବାତିଲ କରାଯାଇଥିଲା । ରାଜ୍ୟରେ କେଉଁ ଗଣତାନ୍ତ୍ରିକ ସଂସ୍ଥାର ସ୍ବାଧୀନତା ନାହିଁ । ପଞ୍ଚାୟତର ସ୍ବାଧୀନତା ନାହିଁ । ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ପାଇଁ ଗଣମାଧ୍ୟମ ବାଲେଶ୍ଵର ଛାତ୍ର ସମାଜକୁ ଆହ୍ବାନ ଦେଇଛନ୍ତି । ଏହାସହ ଜିଲ୍ଲାପାଳଙ୍କ ଏମିତି ବ୍ୟବହାର ପାଇଁ ସାଂସଦ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Feb 21, 2024, 3:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.