ETV Bharat / state

ଅକ୍ଷୟ ତୃତୀୟାରେ କମିଲା ସୁନା ଦର, ଜାଣନ୍ତୁ ସୁନା କିଣିବାର ଶୁଭ ମୁହୂର୍ତ୍ତ - Akshaya Tritiya 2024

author img

By ETV Bharat Odisha Team

Published : May 10, 2024, 7:58 AM IST

Updated : May 10, 2024, 9:22 AM IST

Akshaya Tritiya 2024: ଆଜି ଅକ୍ଷୟ ତୃତୀୟା । ସୁନା ଦୋକାନରେ ହେବ ଖଚାଖଚ ଭିଡ । ଅକ୍ଷିମୁଠି ଅନୁକୂଳ କରିବେ ଚାଷୀ । ଅଧିକ ପଢନ୍ତୁ

AKSHAYA TRITIYA
AKSHAYA TRITIYA (ETV Bharat Odisha)

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ଶୁକ୍ଳ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପ୍ରତିବର୍ଷ ପାଳନ କରାଯାଏ । ଆଜିର ଦିନଟି ବେଶ ଶୁଭମୟ । ସମସ୍ତ ଶୁଭ କାର୍ଯ୍ୟ ଯେମିତିକି ବିବାହ, ନିର୍ବନ୍ଧ, ଗୃହନିର୍ମାଣ ପରି ଶୁଭକର୍ମ ଆଜି କଲେ ଶୁଭଫଳ ମିଳିଥାଏ। ଅକ୍ଷୟ ତୃତୀୟାରେ ସୁନା କିଣିବା ପରମ୍ପରା ରହିଛି । ଏହି ଦିନ ସୁନା କିମ୍ବା କୌଣସି ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି । ଗାଡି, ଘର ଓ ସୁନା କିଣିବାକୁ ଆଜିର ଦିନକୁ ଗ୍ରାହକ ଅପେକ୍ଷା କରିଥିବା ବେଳେ ଦୋକାନଗୁଡିକରେ ଭଲ ବ୍ୟବସାୟ ଆଶାରେ ଆକର୍ଷଣୀୟ ଅଫର ମଧ୍ୟ ଦେଇଥାନ୍ତି ବ୍ୟବସାୟୀ ।

AKSHAYA TRITIYA
AKSHAYA TRITIYA (ETV Bharat Odisha)

ସୁନା ଦୋକାନରେ ହେବ ଖଚାଖଚ ଭିଡ: ଚଳିତ ବର୍ଷ ସୁନା ଦର ହୁ ହୁ ବଢି ଚାଲିଛି । ତେଣୁ ସୁନା କିଣିବାକୁ ଲୋକେ ଭୟ କରୁଛନ୍ତି । ଅକ୍ଷୟ ତୃତୀୟାରେ ସୁନା ଦୋକାନଗୁଡିକରେ ଆକର୍ଷଣୀୟ ଅଫର ଦିଆଯାଇଥାଏ । ତେଣୁ ଏହି ଦିନ ସମସ୍ତେ ସୁନା କିଣିବାକୁ ଅନାଇ ବସିଥାନ୍ତି । ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ଦୋକାନଗୁଡିକରେ ଅଫର ମଧ୍ୟ ରହିଛି । ଦର ଅଧିକ ରହିଥିଲେ ବି ସୁନା ଦୋକାନଗୁଡିକରେ ଆଜି ଖଚାଖଚ ଭିଡ ଜମିବ ବୋଲି ବ୍ୟବସାୟୀଙ୍କ ଆଶା । କାହିଁକି ନା ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ସୁନା କିଣିବାକୁ ସମସ୍ତେ ବ୍ଯଗ୍ର ।

AKSHAYA TRITIYA
AKSHAYA TRITIYA (ETV Bharat Odisha)

ଏହା ମଧ୍ୟ ପଢନ୍ତୁ-ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ରାଜ୍ୟରେ କେତେ ରହିଛି ଦାମ - Gold Price IN Odisha

କମିଲା ସୁନା ଦର: ରାଜଧାନୀ ଭୁବନେଶ୍ବରରେ ଗତକାଲି ଅପେକ୍ଷା ଆଜି ସୁନା ଦରରେ ସାମାନ୍ୟ ହ୍ରାସ ହୋଇଛି । ଆଜି 22 କ୍ୟାରେଟ ସୁନାର ମୂଲ୍ୟ ଏକ ଗ୍ରାମ ପିଛା 6,661 ରହିଛି । 8 ଗ୍ରାମକୁ 52, 912 ଓ 10 ଗ୍ରାମ ସୁନାର ମୂଲ୍ୟ 66,140 ରହିଛି । ସେହିପରି 24 କ୍ୟାରେଟ ସୁନାର ମୂଲ୍ଯ ଏକ ଗ୍ରାମ ପିଛା 7,215 ରହିଛି । 8 ଗ୍ରାମର ମୂଲ୍ୟ 57,720 ଓ 10 ଗ୍ରାମର ମୂଲ୍ୟ 72,150 ରହିଛି ।

ଶୁଭ ମୁହୂର୍ତ୍ତ: ଆଜିର ଦିନରେ କୌଣସି ମୂଲ୍ୟବାନ ଜିନିଷ କିଣିବା ପାଇଁ ଶୁଭ ସମୟ ମଧ୍ୟ ରହିଛି । ସକାଳ 5ଟା 33ରୁ ଦିନ 12ଟା 37 ମଧ୍ୟରେ ସୁନା, ରୂପା ଏବଂ ଅନ୍ୟାନ୍ୟ ଜିନିଷ କିଣିଲେ ଶୁଭ ଫଳ ପ୍ରାପ୍ତି ହେବ ।

କୃଷକ ଦିବସ: ଅକ୍ଷୟ ତୃତୀୟାକୁ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ । କୃଷକମାନେ ଏହାକୁ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଦେଇ ଉକ୍ତ ନୈବେଦ୍ୟ କିଆରୀରେ ପୋତି ହଳ ବୁଲାଏ ଓ ମୁଠା ମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।

Last Updated : May 10, 2024, 9:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.