ETV Bharat / state

ଟିକେଟ୍‌ ପାଇବା ପରେ ମୟୂରଭଞ୍ଜରେ ସୁଦାମ ମାରାଣ୍ଡି, କହିଲେ ଜିଲ୍ଲାର ବିକାଶ ପାଇଁ ସ୍ବର ଉତ୍ତୋଳନ କରିବି - Mayurbhanj Lok Sabha Constituency

author img

By ETV Bharat Odisha Team

Published : Mar 31, 2024, 8:23 AM IST

Mayurbhanj Lok Sabha Constituency: ମୟୂରଭଞ୍ଜ ଲୋକସଭା ଆସନରୁ ବିଜେଡି ପକ୍ଷରୁ ସାଂସଦ ପ୍ରାର୍ଥୀ ହେବା ପରେ ରାଇରଙ୍ଗପୁର ଆସିଛନ୍ତି ସୁଦାମ ମାରାଣ୍ଡି । ଅଧିକ ପଢ଼ନ୍ତୁ

ସୁଦାମ ମାରାଣ୍ଡି
ସୁଦାମ ମାରାଣ୍ଡି

ସୁଦାମ ମାରାଣ୍ଡି

ରାଇରଙ୍ଗପୁର: ମୟୂରଭଞ୍ଜ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ବିଜେଡି ପକ୍ଷରୁ ସୁଦାମ ମାରାଣ୍ଡିଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ସୁଦାମଙ୍କ ନାମ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଭୁବନେଶ୍ୱରରୁ ନିଜ ଜିଲ୍ଲା ମୟୂରଭଞ୍ଜକୁ ଫେରିଛନ୍ତି ସୁଦାମ । ଜିଲ୍ଲାରେ ତାଙ୍କୁ ସାଧାରଣ ଜନତାଙ୍କ ସହ ବିଜେଡି କର୍ମୀମାନେ ସ୍ବାଗତ କରିଛନ୍ତି ।

ଗତ ଶୁକ୍ରବାର ଭୁବନେଶ୍ୱରରୁ ନିଜ ଜିଲ୍ଲା ମୟୂରଭଞ୍ଜକୁ ଫେରିଥିଲେ ସୁଦାମ । ବାରିପଦା ଠାରେ ସୁଦାମଙ୍କୁ ସ୍ବାଗତ କରିଥିଲେ ବାରିପଦାବାସୀ । ଗତକାଲି (ଶନିବାର) ବିଜେଡି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ରାଇରଙ୍ଗପୁର ଆସିଛନ୍ତି । ତେବେ ରାଇରଙ୍ଗପୁର ପହଞ୍ଚିବା ପରେ ସୁଦାମ ମାରାଣ୍ଡିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ ରାଇରଙ୍ଗପୁରବାସୀଙ୍କ ସହ ବିଜେଡି ବରିଷ୍ଠ ନେତା ଓ କର୍ମୀ । ପରେ ରାଇରଙ୍ଗପୁର ବିଜେଡି ପକ୍ଷରୁ ଏକ ବାଇକ ଶୋଭାଯାତ୍ରା କରାଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ସୁଦାମ ବାଇକରେ ରାଇରଙ୍ଗପୁର ସହର ପରିକ୍ରମା କରିଥିଲେ । ପରେ ରାଇରଙ୍ଗପୁର ସହରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ସୁଦାମ ।

ସେପେଟ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ବିଜେଡି ଦଳ ତରଫରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇ ଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଜନ ସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁଦାମ । ଏଥି ସହିତ ମୟୂରଭଞ୍ଜର ବିକାଶ ପାଇଁ ସ୍ବର ଉତ୍ତୋଳନ କରିବେ ବୋଲି କହିବା ସହ ମୟୂରଭଞ୍ଜର ସ୍ବାର୍ଥ ପାଇଁ ଲୋକଙ୍କ ସ୍ବର ସହିତ ସ୍ବର ମିଶାଇ କାମ କରିବେ ବୋଲି କହିଛନ୍ତି ସୁଦାମ ମାରାଣ୍ଡି । ଗତକାଲି ସୁଦାମଙ୍କ ସହ ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଇରଙ୍ଗପୁର ପୌରପାଳିକାର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ବରିଷ୍ଠ ନେତା କାଶିନାଥ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ।

ସୁଦାମ ମାରାଣ୍ଡିଙ୍କ ସମ୍ପର୍କରେ ସଂକ୍ଷେପରେ...

୧୯୬୨ ମସିହା ଜୁନ ମାସ ୧ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସୁଦାମ ମାରାଣ୍ଡି । ବାରିପଦା ସ୍ଥିତ ଏମପିସି ମହାବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ । ସୁଦାମ ମାରାଣ୍ଡି ଛାତ୍ର ଜୀବନରୁ ରାଜନୀତିରେ ରୁଚି ରଖିଥିଲେ । ୧୯୯୦ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ପ୍ରଥମ ଥର ପାଇଁ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ପରେ ସୁଦାମ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ଉପସଭାପତି ଏବଂ ସଭାପତି ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ଓଡ଼ିଶା ବିଧାନସଭାକୁ ଦୁଇ ଥର କୁଳିଅଣା ନିର୍ବାଚନ ମଣ୍ଡଳୀରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମୟୂରଭଞ୍ଜରେ ବିଜେଡି ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି, ରୋଡ୍ ଶୋ ସହ କ୍ୟାମ୍ପେନିଂ - SUDAM MARANDI VISITS MAYURBHANJ

ସେହିପରି ୨୦୦୪ ମସିହା ସାଧାରଣ ନିର୍ବାଚନରେ ସୁଦାମ ମୟୂରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ପ୍ରତିନିଧି ଭାବରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସୁଦାମ ମାରାଣ୍ଡି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ୨୦୧୪ ଓ ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ବାଙ୍ଗିରିପୋଷିରୁ ନିର୍ବାଚନ ଲଢ଼ି ନିର୍ବାଚିତ ହୋଇଥିଲେ । ଚଳିତ 2024 ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନରୁ ସୁଦାମଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.