ETV Bharat / sports

ରଣଜୀ ଟ୍ରଫି ୩ୟ ଦିନ: ୧୬୦ ରନ ଆଗରେ ଓଡିଶା, କାଲି ନିର୍ଣ୍ଣାୟକ ଲଢ଼େଇ

author img

By ETV Bharat Odisha Team

Published : Feb 4, 2024, 8:16 PM IST

Odisha vs Puducherry Day 3: ବାରବାଟୀ ରଣଜୀ ଫାଇଟ୍‌ରେ ପୁଡୁଚେରୀ ବିପକ୍ଷରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୬୦ ରନ ଆଗରେ ଘରୋଇ ଓଡ଼ିଶା । ହାତରେ ଆଉ ଗୋଟିଏ ଦିନ ଥିବାରୁ ଆସନ୍ତାକାଲି ନିର୍ଣ୍ଣାୟକ ଲଢ଼େଇ ଲଢ଼ିବ ଶାନ୍ତନୁ ବାହିନୀ । ଅଧିକ ପଢ଼ନ୍ତୁ

ରଣଜୀ ଟ୍ରଫି ୩ୟ ଦିନ
ରଣଜୀ ଟ୍ରଫି ୩ୟ ଦିନ

କଟକ: ବାରବାଟୀ ରଣଜୀ ଲଢେଇରେ ମଜଭୁତ ସ୍ଥିତିରେ ଓଡିଶା । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୬୦ ରନ ଆଗରେ ଘରୋଇ ଦଳ । ବିପକ୍ଷ ପୁଡୁଚେରୀ ପାଇଁ ଅଡ଼ୁଆ ସୃଷ୍ଟି କଲେ ବୀପ୍ଳବ ଓ ଗୋବିନ୍ଦ । ପ୍ରଥମ ପାଳିରେ ୩୨୨ ରନ କରିଥିଲା ଓଡ଼ିଶା । ଜବାବରେ ୨୮୪ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା ବିପକ୍ଷ ପୁଡୁଚେରୀ । ଏହାପରେ ୩୮ ରନ ଲିଡ୍‌ ନେଇ ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଥିବା ଓଡ଼ିଶା ଦ୍ୱିତୀୟ ପାଳିରେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ୱିକେଟ୍‌ ହରାଇ ୧୨୨ ରନ ସଂଗ୍ରହ କରିଛି । ଫଳରେ ଭ୍ରମଣକାରୀ ଦଳଠାରୁ ଏବେ ୧୬୦ ରନ ଆଗରେ ରହିଛି ଓଡ଼ିଶା ।

ତୃତୀୟ ଦିନ ଖେଳ ଆରମ୍ଭରୁ ଓଡିଶାର ବୋଲିଂ ବିଭାଗ ବେଶ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ୧୨୭ରୁ ପ୍ରଥମ ପାଳି ଆରମ୍ଭ କରିଥିବା ପୁଡୁଚେରୀ ଦଳ କ୍ରମାଗତ ୱିକେଟ୍‌ ହରାଇ ସଙ୍କଟରେ ପଡିଥିଲା । ଦଳ ପକ୍ଷରୁ ଅଧିନାୟକ ଅରୁଣ କାର୍ତ୍ତିକ ଶତକୀୟ ପାଳି ଖେଳିବା ପରେ ଦଳ ୨୮୪ ରନର ଏକ ସମ୍ମାନଜନକ ସ୍କୋର ପହଞ୍ଚିଥିଲା । କାର୍ତ୍ତିକ ଏକାକୀ ୧୭୫ ବଲରୁ ୧୧୦ ରନ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟର ଅର୍ଦ୍ଧଶତକ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ ମଧ୍ୟ ଛୋଟ ଛୋଟ ଭାଗିଦାରୀ ବଳରେ ୨୮୪ ରନରେ ପ୍ରଥମ ପାଳି ଶେଷ କରିଥିଲା ପୁଡୁଚେରୀ ।

ଏହା ମଧ୍ୟ ପଢ଼ନ୍ତୁ...ରଣଜୀ ଟ୍ରଫି: ରୋଚକ ମୋଡ଼ରେ ବାରବାଟୀ ଫାଇଟ, ଚିନ୍ତା ବଢ଼ାଇଲେ ପୁଡୁଚେରୀ କ୍ୟାପ୍ଟେନ୍‌

ଓଡିଶା ପ୍ରଥମ ପାଳିରେ ୩୮ ରନ ଅଗ୍ରଣୀ ଲାଭ କରିବା ପରେ ଦ୍ୱିତୀୟ ଇନିଂସରେ ୩ୟ ଦିନ ଖେଳ ଶେଷ ସୁଦ୍ଧା 4 ୱିକେଟ୍‌ ହରାଇ ୧୨୨ ରନ ସଂଗ୍ରହ କରିଛି । ଯଦିଓ କୌଣସି ଟପ୍‌ ଅର୍ଡର ବ୍ୟାଟର ୩୦ ରନ ମଧ୍ୟ ଛୁଇଁପାରିନାହାନ୍ତି, ଶାନ୍ତନୁ ମିଶ୍ର ୨୮, ଅନୁରାଗ ଷଡ଼ଙ୍ଗୀ ୨୨, ସନ୍ଦୀପ ପଟ୍ଟନାୟକ ୧୬ ଓ ଶୁଭ୍ରାଂଶୁ ସେନାପତି ୧୯ ରନ କରି ଆଉଟ୍‌ ହୋଇଛନ୍ତି । ବର୍ତ୍ତମାନ ଗୋବିନ୍ଦ ପୋଦାର ଓ ବୀପ୍ଳବ ସାମନ୍ତରାୟ ଯଥାକ୍ରମେ ୧୯ ଓ ୫ ରନ କରି ମହଜୁଦ ରହିଛନ୍ତି । ଏହା ସହିତ ବିପକ୍ଷ ଦଳ ଠାରୁ ବର୍ତ୍ତମାନ ସୁଦ୍ଧା ୧୬୦ ରନ ଆଗରେ ରହିଛି ଓଡ଼ିଶା ।

ହାତରେ ଆଉ ଗୋଟିଏ ଦିନ ବାକି ରହିଥିଲା ବେଳେ ଏହି ମ୍ୟାଚ୍‌ ଚତୁର୍ଥ ଦିନରେ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା ବେଳେ ନିଶ୍ଚୟ ଶାନ୍ତନୁ ବାହିନୀ ଆସନ୍ତାକାଲି ଓଡ଼ିଶାକୁ ବିଜୟ ଦେବା ପାଇଁ ସ୍ୱତନ୍ତ୍ର ରଣନୀତି ସହ ମୈଦାନକୁ ଓହ୍ଲାଇବେ । ଶେଷ ଦିନରେ ପ୍ରଥମ ସେସନ୍‌ରେ ଓଡ଼ିଶା ଏକ ଭଲ ସ୍କୋର କରି ଶୀଘ୍ର ବିପକ୍ଷ ଦଳ ପାଇଁ ଟାର୍ଗେଟ୍‌ ଘୋଷଣା କରିଦେବା ଦିଗରେ ଖେଳିବ । ଯଦି ଏହି ଗୋଟିଏ ଦିନରେ ପୁଡୁଚେରୀକୁ ଅଲ୍‌ଆଉଟ୍‌ କରିବାରେ ଓଡ଼ିଆ ବୋଲର ସଫଳ ହୁଅନ୍ତି, ତେବେ ଓଡ଼ିଶା ଏଥର ରଣଜୀ ସିଜିନରେ ବିଜୟଧାରା ବଜାୟ ରଖିବାରେ ସଫଳ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.