ETV Bharat / sports

FIH ପ୍ରୋ ଲିଗ୍: ସୁଟଆଉଟରେ ଆମେରିକାକୁ ହରାଇଲା ଭାରତୀୟ ମହିଳା ଟିମ୍, ଶୀର୍ଷରେ ନେଦରଲ୍ୟାଣ୍ଡ୍ସ

author img

By ETV Bharat Odisha Team

Published : Feb 19, 2024, 7:19 AM IST

Updated : Feb 19, 2024, 1:45 PM IST

FIH Pro League
FIH ପ୍ରୋ ଲିଗ୍

FIH Pro League 2023-24: ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ଏଫଆଇଏଚ ପ୍ରୋ ଲିଗ୍‌ର ଦ୍ୱିତୀୟ ଲେଗ୍‌ର ଅନ୍ତିମ ମ୍ୟାଚରେ 2-1 ଗୋଲରେ ଆମେରିକାକୁ ହରାଇଲା ଭାରତୀୟ ମହିଳା ଟିମ୍ । ସେପଟେ ଅଷ୍ଟ୍ରେଲିଆକୁ ହରାଇ ଶୀର୍ଷରେ ନେଦରଲ୍ୟାଣ୍ଡ୍ସ । ଅଧିକ ପଢନ୍ତୁ

FIH ପ୍ରୋ ଲିଗ୍

ରାଉରକେଲା: ହକି ମହାକୁମ୍ଭ । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ଏଫଆଇଏଚ ପ୍ରୋ ଲିଗ୍‌ର ଦ୍ୱିତୀୟ ଲେଗ୍‌ର ଅନ୍ତିମ ମ୍ୟାଚରେ 2-1 ଗୋଲରେ ଆମେରିକାକୁ ହରାଇଲା ଭାରତୀୟ ମହିଳା ଟିମ୍ । ପେନାଲଟି ସୁଟଆଉଟରେ 2-1ରେ ଭାରତ ବିଜୟୀ ହୋଇଛି । ସେପଟେ ଅପରାହ୍ନରେ ନେଦରଲ୍ୟାଣ୍ଡ୍ସ ବନାମ ଅଷ୍ଟ୍ରେଲିଆ ମ୍ୟାଚରେ 3-1 ଗୋଲରେ ଅଷ୍ଟ୍ରେଲିଆକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ନେଦରଲ୍ୟାଣ୍ଡ୍ସ । ଅନ୍ୟପଟେ ଆଜିଠୁ (ସୋମବାର) ଆରମ୍ଭ ହେବାକୁ ଯାଉଛି ପୁରୁଷ ପ୍ରୋ ଲିଗ୍ ମ୍ୟାଚ୍ । ପ୍ରଥମ ଦିନରେ ସ୍ପେନକୁ ଭେଟିବ ଭାରତ ।

ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ମହିଳା ପ୍ରୋ ଲିଗ ଦ୍ୱିତୀୟ ଲେଗ୍‌ର ଶେଷ ଦିନ ଅର୍ଥାତ ରବିବାର ଦିନ 2ଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଆମେରିକାକୁ ଭେଟିଥିଲା ଭାରତ ।

ଏହାମଧ୍ୟ ପଢନ୍ତୁ.. ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: କାଲିଠୁ ରାଉରକେଲାରେ ପୁରୁଷ ଲଢ଼େଇ, ଅଲିମ୍ପିକ୍ସ ପାଇଁ ଦଳ ସଜାଡ଼ିବେ କ୍ୟାପ୍ଟେନ

ପଏଣ୍ଟ ତାଲିକାରେ ଶୀର୍ଷରେ ଥିବା ନେଦରଲ୍ୟାଣ୍ଡ୍ସ ଦୃଢ ମନୋବଳ ସହ ପଡିଆକୁ ଓହ୍ଲାଇଥିବା ଦେଖିବାକୁ ମିଳିଥିଲା । ଆରମ୍ଭରୁ ହିଁ ନେଦରଲ୍ୟାଣ୍ଡ୍ସ ଟିମର ଆକ୍ରାମକ ଭାବେ ଖେଳୁଥିବା ଦେଖିବାକୁ ମିଳିଥିଲା । ମ୍ୟାଚର ପ୍ରଥମ କ୍ୱାର୍ଟରର ଆରମ୍ଭରୁ ନେଦରଲ୍ୟାଣ୍ଡ୍ସର ଲଢୁଆ ଖେଳାଳି ୟାବି ଜନସେନ୍ ପ୍ରଥମ ଗୋଲ ମାରି ଦେଇଥିଲେ । ପରେ ନେଦରଲ୍ୟାଣ୍ଡ ଦଳକୁ ୪ଟି ପେନାଲ୍ଟି ମିଳିଥିବାବେଳେ ସେଥିରୁ ଫରଆର୍ଡ ଖେଳାଳି ପ୍ରଥମ କ୍ୱାଟରର ୧୩ ମିନିଟ୍‌ରେ ଦ୍ବିତୀୟ ଗୋଲ ଓ ୧୪ ମିନିଟ୍‌ରେ ତୃତୀୟ ଗୋଲମାରି ଦଳକୁ ୩-୦ ଗୋଲରେ ଆଗୁଆ ରଖିଥିଲେ । ଅଷ୍ଟ୍ରେଲିଆ ମହିଳା ଦଳ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଚାପ ପକାଇ ୪ଟି ପେନାଲଟିର ସୁଯୋଗ ପାଇ ମ୍ୟାଚର ଦ୍ବିତୀୟ କ୍ୱାର୍ଟରର ୨୦ ମିନିଟ୍‌ରେ ଗୋଟିଏ ଗୋଲ କରିଥିଲେ । ତେବେ ଏହି ମ୍ୟାଚରେ ୩-୧ ରେ ବିଜୟୀ ହୋଇଛି ନେଦରଲ୍ୟାଣ୍ଡ୍ସ ।


ଦ୍ୱିତୀୟ ମ୍ୟାଚରେ ଆମେରିକା ବିପକ୍ଷରେ ପଡିଆକୁ ଓହ୍ଲାଇଥିଲା ଘରୋଇ ଟିମ ଭାରତ । ଆମେରିକା ବିପକ୍ଷରେ ଭାରତୀୟ ମହିଳା ଦଳ ଭଲ ଖେଳିଥିଲେ । ଏହି ମ୍ୟାଚରେ ଘରୋଇ ଟିମ ନୂଆ ଷ୍ଟ୍ରାଟେଜି ସହ ଖେଳିଥିବା ଦେଖିବାକୁ ମିଳିଥିଲା । ଆମେରିକା- ଭାରତ ମଧ୍ୟରେ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା । ଉଭୟ ଟିମ ଗୋଟିଏ ଲେଖାଏଁ ଗୋଲ୍ ଦେବା ପରେ ମ୍ୟାଚ ଅମୀମାଂସିତ (ଡ୍ର) ରହିଥିଲା । ଏହାପରେ ଶେଷରେ ସୁଟଆଉଟରେ ବାଜିମାତ କରିନେଇଥିଲା ଟିମ ଇଣ୍ଡିଆ । ପେନାଲଟି ସୁଟଆଉଟରେ 2-1 ଗୋଲରେ ଭାରତ ବିଜୟୀ ହୋଇଥିଲା ।

ଅନ୍ୟପଟେ ଆଜିଠୁ (ସୋମବାର) ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁରୁଷ ପ୍ରୋ ଲିଗ୍‌ର ଦ୍ୱିତୀୟ ଲେଗ୍‌ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନ ଭାରତ- ସ୍ପେନ ଓ ନେଦରଲ୍ୟାଣ୍ଡ୍ସ- ଆୟର୍ଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ବିଗତ ଦିନରେ ଭାରତର ପ୍ରଦର୍ଶନ ଉଚ୍ଚକୋଟିର ରହିଥିବା ବେଳେ ଏହି ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି ।

ଇଟିଭି ଭାରତ, ରାଉରକେଲା

Last Updated :Feb 19, 2024, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.