ETV Bharat / sports

ବିରୁଷ୍କାଙ୍କ ଘରକୁ ଆସିଲେ କୁନି ଅତିଥି, ଶୁଭେଚ୍ଛା ଜଣାଇଲେ ସଚିନଙ୍କ ସମେତ ଏହି ସେଲିବ୍ରିଟି

author img

By ETV Bharat Odisha Team

Published : Feb 21, 2024, 10:53 AM IST

ବିରୁଷ୍କାଙ୍କ ଘରକୁ ଆସିଲେ କୁନି ଅତିଥି, ଶୁଭେଚ୍ଛା ଜଣାଇଲେ ସଚିନ ସମେତ ଏହି ସେଲିବ୍ରିଟି
ବିରୁଷ୍କାଙ୍କ ଘରକୁ ଆସିଲେ କୁନି ଅତିଥି, ଶୁଭେଚ୍ଛା ଜଣାଇଲେ ସଚିନ ସମେତ ଏହି ସେଲିବ୍ରିଟି

Celebrities Congratulate Virushka: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଗତକାଲି ପିତାମାତା ହେବାର ଖୁସି ଖବର ଦେଇଥିଲେ । ଉଭୟ ଦ୍ୱିତୀୟ ଥର ପାଇଁ ଏକ ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି । ତେବେ ଏହି ଖୁସି ଖବର ଜାଣିବା ପରେ ଉଭୟଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ହାଇଦ୍ରାବାଦ: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି । ଗତ ଫେବୃଆରୀ 15 ତାରିଖରୁ ଅନୁଷ୍କା ଏକ ପୁତ୍ର ସନ୍ତାନ 'ଅକାୟ'ଙ୍କୁ ଜନ୍ମ ଦେଇଛନ୍ତି । ଉଭୟ ଏନେଇ ଗତକାଲି (ଫେବୃଆରୀ ୨୦) ରାତିରେ ଏକ୍ସରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଏହି ଖବର ଜାଣିବା ପରେ ଷ୍ଟାର ଦମ୍ପତିଙ୍କୁ ଚାରିଆଡ଼ୁ ଛୁଟିଛି ଶୁଭେଚ୍ଛାର ସୁଅ । ସୋସିଆଲ ମିଡିଆ ଜରିଆରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ସମେତ ବି-ଟାଉନର ତମାମ ସେଲିବ୍ରିଟି ଏହି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ୍ସରେ ଏକ ବିଶେଷ ବାର୍ତ୍ତା ଲେଖି କୋହଲି ଏବଂ ଅନୁଷ୍କାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ବିରାଟଙ୍କ ପୋଷ୍ଟକୁ ରି-ଟ୍ୱିଟ କରି ଲେଖିଛନ୍ତି, "ଆପଣଙ୍କ ପରିବାରରେ 'ଅକାୟ' ନାମକ ସଦସ୍ୟର ଆଗମନ ନେଇ ବିରାଟ-ଅନୁଷ୍କାଙ୍କୁ ଶୁଭେଚ୍ଛା । ଯେପରି ତାଙ୍କ ନାଁ ସେପରି ସେ ଆପଣଙ୍କ ଜୀବନରେ ମଧ୍ୟ ହସଖୁସିରେ ଭରିଦେବେ । ଦୁନିଆକୁ ସ୍ୱାଗତ, ଲିଟିଲ୍ ଚାମ୍ପ୍।"

ସେହିପରି ଅନୁଷ୍କା ସେୟାର କରିଥିବା ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ବି-ଟାଉନର ତମାମ ସେଲିବ୍ରିଟି ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଆଲିଆ ଭଟ୍ଟ ଲେଖିଛନ୍ତି, ବହୁତ ସୁନ୍ଦର । ଅଭିନନ୍ଦନ । ରଣଭୀର ସିଂ ମଧ୍ୟ ତାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ଅନୁଷ୍କାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ରକୁଲ ପ୍ରୀତ ସିଂ, ମୌନି ରୟ, ସୋନମ କପୁର, ଭାନି କପୁର, ରାଜପାଲ ୟାଦବ, ନେହା ଧୁପିଆ, ମନୀଷ ପଲ, ଫରହାନ ଅଖତର ସମେତ ଫ୍ୟାନ୍ସ ମଧ୍ୟ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେପଟେ ଏହି ଖବର ଘୋଷଣା ପରେ ବିରାଟ ଏକ ଫଟୋ ଭାଇରାଲ ହେଉଛି । ଫଟୋରେ ବିରାଟ ଲଣ୍ଡନରେ ବୁଲୁଥିବାର ନଜର ଆସିଛନ୍ତି । କିଛି ଦିନ ପୂର୍ବରୁ ଲଣ୍ଡନର ଏକ ଡାକ୍ତରଖାନାରେ ଅନୁଷ୍କା ଶର୍ମାଙ୍କ ଡେଲିଭରି ହେବ ବୋଲି ଖବର ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ମଧ୍ୟରେ ବର୍ତ୍ତମାନ କ୍ରିକେଟରଙ୍କ ଏହି ଫଟୋ ସାମ୍ନାକୁ ଆସିବା ପରେ ଅନୁଷ୍କା ପୁଅ ଅକାୟଙ୍କୁ ଲଣ୍ଡନରେ ଜନ୍ମ ଦେଇଥିବା ନିଶ୍ଚିତ ଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: କୋହଲିଙ୍କ ଘରକୁ ଆସିଛି ନୂଆ ଅତିିଥି, ଖୁସି ଖବର ଦେଲେ ବିରୁଷ୍କା

ସୂଚନା ଯୋଗ୍ୟ ଯେ, ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହ ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ହୋଇଥିଲା । ଏହାପରେ, ଗତ ୨୦୨୧ ମସିହା ଜାନୁଆରୀ ୧୧ ତାରିଖରେ ଏହି ଷ୍ଟାର ଦମ୍ପତି ଏକ କନ୍ୟା ସନ୍ତାନ ଭାମିକାଙ୍କ ପିତାମାତା ହୋଇଥିଲେ । ଏହାପରେ ଗତ କିଛିମାସ ହେବ ବିରାଟ ଓ ଅନୁଷ୍କା ଦ୍ବିତୀୟ ସନ୍ତାନକୁ ନେଇ ଚର୍ଚ୍ଚାରେ ରହିଥିଲେ । ଏବେ ଏହି ଷ୍ଟାର ଦମ୍ପତି ଉଭୟ ଏକ ପୁତ୍ର ଓ କନ୍ୟା ସନ୍ତାନର ଅଭିଭାବକ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.