ETV Bharat / politics

ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ୍ ; ମତଦାନ ସାବ୍ୟସ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍ - Lok Sabha Elections 2024

author img

By ETV Bharat Odisha Team

Published : Apr 19, 2024, 7:36 AM IST

Updated : Apr 19, 2024, 10:41 AM IST

Lok Sabha Elections 2024: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ । 21ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 102ଟି ଆସନରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ରାଜନୈତିକ ଦଳଗୁଡିକର ହାଇଭୋଲଟେଜ୍‌ ପ୍ରଚାର ପରେ ଆଜି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । 21ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 102ଟି ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ନିଜ ପନ ପସନ୍ଦର ନେତାଙ୍କୁ ଭୋଟ ଦେଉଛନ୍ତି ଭୋଟର । ବୁଥରେ ଲମ୍ବା ଲାଇନରେ ଛିଡା ହୋଇ ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟ 6ଟାରେ ଶେଷ ହେବ । 102 ସଂସଦୀୟ କ୍ଷେତ୍ର ମଧ୍ୟରେ 73ଟି ଜେନେରାଲ, 11ଟି ଅନୁସୂଚିତ ଜନଜାତି ଓ 18ଟି ଅନୁସୂଚିତ ଜାତି ଓ କେନ୍ଦ୍ର ଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ । ଆଜି 1625 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

ଅରୁଣାଚଳ ଓ ସିକ୍କିମରେ ବିଧାନସଭା ନିର୍ବାଚନ: ଲୋକସଭା ନିର୍ବାଚନ ସହ ଅରୁଣାଚଳ ପ୍ରଦେଶର ଓ ସିକ୍କିମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି । ଅରୁଣାଚଳରେ 60 ଓ ସିକ୍କିମର 32 ବିଧାନସଭା ଆସନରେ ଭୋଟ ଦେଉଛନ୍ତି ଭୋଟର । ଶାନ୍ତି ଶୃଙ୍ଖଳାର ସହ ମତଦାନ ଜାରି ରହିଛି । ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ପ୍ରଥମ ପର୍ଯ୍ୟାୟ ଲୋକସଭା ଭୋଟ: 1625 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା - LOK SABHA ELECTIONs 2024

ଭୋଟ ଦେବାକୁ ଦେଶବାସୀଙ୍କୁ ଅପିଲ କଲେ ମୋଦି: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ ଭୋଟରଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ଆଜି ଠାରୁ ଆରମ୍ଭ ହେଉଛି । 21 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 102 ଟି ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଦିଆଯାଉଛି । ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ମତଦାତାଙ୍କୁ ମୋର ନିବେଦନ ସମସ୍ତେ ସେମାନଙ୍କର ମତ ସାବ୍ୟସ୍ତ କରନ୍ତୁ । ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ସମସ୍ତଙ୍କୁ ମୁଁ ନିବେଦନ କରୁଛି। ବହୁ ସଂଖ୍ୟାରେ ମତଦାନ କରିବାକୁ ନୂଆ ଭୋଟରଙ୍କୁ ମୋର ନିବେଦନ । ଗଣତନ୍ତ୍ରରେ, ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ ଏବଂ ପ୍ରତ୍ୟେକ ସ୍ୱର ଗୁରୁତ୍ୱପୂର୍ଣ୍ଣ ।

ଏହି ସବୁ ଆସନରେ ମତଦାନ: ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁରେ ସର୍ବାଧିକ 39ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହାସହିତ ରାଜସ୍ଥାନର 12, ଉତ୍ତରପ୍ରଦେଶର 8, ମଧ୍ୟପ୍ରଦେଶର 6, ଆସାମ, ଉତ୍ତରାଖଣ୍ଡ ଏବଂ ମହାରାଷ୍ଟ୍ରରେ 5 ଲେଖାଏଁ, ବିହାରରେ 4, ପଶ୍ଚିମବଙ୍ଗରେ 3, ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ମେଘାଳୟରେ 2 ଲେଖାଏଁ, ମଜୋରାମ, ନାଗାଲାଣ୍ଡ, ଆଣ୍ଡାମାନ-ନିକୋବର, ଜମ୍ମୁକାଶ୍ମୀର, ଲକ୍ଷାଦ୍ବୀପ, ପୁଡୁଚେରୀ, ସିକିମ, ଛଡିଶଗଡ଼ ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ଆସନ ପାଇଁ ମତଦାନ ହେଉଛି ।

ରାଜ୍ୟଆସନ
ତାମିଲନାଡୁ39
ରାଜସ୍ଥାନ12
ଉତ୍ତରପ୍ରଦେଶ8
ମଧ୍ୟପ୍ରଦେଶର6
ଉତ୍ତରାଖଣ୍ଡ5
ଆସାମ5
ମହାରାଷ୍ଟ୍ର5
ବିହାର4
ପଶ୍ଚିମବଙ୍ଗ3
ଅରୁଣାଚଳ ପ୍ରଦେଶ2
ମଣିପୁର 2
ମେଘାଳୟ2
ମଜୋରାମ1
ନାଗାଲାଣ୍ଡ1
ଆଣ୍ଡାମାନ-ନିକୋବର1
ଜମ୍ମୁକାଶ୍ମୀର1
ଲକ୍ଷାଦ୍ବୀପ1
ପୁଡୁଚେରୀ1
ସିକ୍କିମ1
ଛଡିଶଗଡ଼ 1
ତ୍ରିପୁରା1

ମତ ସାବ୍ୟସ୍ତ କରିବେ 16.63 କୋଟି ଭୋଟର: 102 ଲୋକସଭା ସିଟ ପାଇଁ 16.63 କୋଟିରୁ ଅଧିକ ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରେ 35.67 ଲକ୍ଷ ନୂଆ ଭୋଟର ରହିଛନ୍ତି । 1.87 ଲକ୍ଷ ମତଦାନ କେନ୍ଦ୍ରରେ ଭୋଟ ଜାରି ରହିଥିବା ବେଳେ 18 ଲକ୍ଷରୁ ଅଧିକ ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 19, 2024, 10:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.