ETV Bharat / politics

୫ବର୍ଷ ପରେ ଫେରୁଛନ୍ତି ନେତା, ସୋନପୁର ଭୋଟରଙ୍କ ହାତରେ ସମସ୍ୟାର ଲମ୍ବା ତାଲିକା

author img

By ETV Bharat Odisha Team

Published : Mar 19, 2024, 7:53 PM IST

Several problems of Sonepur: ବାଜି ସାରିଛି ନିର୍ବାଚନୀ ବିଗୁଲ । ମୈଦାନକୁ ଓହ୍ଲାଇଲେଣି ନେତା । ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଛି ମାଳ ମାଳ ସମସ୍ୟା । ପ୍ରଶ୍ନ କରିବାକୁ ପ୍ରସ୍ତୁତ ଭୋଟର । ଅଧିକ ପଢ଼ନ୍ତୁ

Several problems of Sonepur
Several problems of Sonepur

Several problems of Sonepur

ସୁବର୍ଣ୍ଣପୁର: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାରରେ ଲାଗି ପଡିଛନ୍ତି । ୫ ବର୍ଷ ପରେ ପୁଣି ନେତାମାନେ ଲୋକଙ୍କ ପାଖରେ ପହଞ୍ଚିବାର ସମୟ ଆସିଥିବାରୁ ଏହାର ସୁଯୋଗ ନେଇ ଭୋଟରମାନେ ପ୍ରାର୍ଥୀମାନଙ୍କୁ ନିଜ ନିଜ ଅଞ୍ଚଳର ବିକାଶ ସମ୍ପର୍କରେ ଦାବି କରିବା ଆରମ୍ଭ କରି ଦେଇଛନ୍ତି । ଦୀର୍ଘ ଦିନରୁ ପଡି ରହିଥିବା ପ୍ରକଳ୍ପ ଗୁଡିକ ଏଥର ସଦର ସୋନପୁର ବିଧାନସଭା ନିର୍ବାଚନ ପାଇଁ ପୁଣି ନିର୍ବାଚନୀ ମୁଦ୍ଦା ପାଲଟିଛି ।

କ'ଣ ରହିଛି ସମସ୍ୟା: ଜିଲ୍ଲାର ଏକମାତ୍ର ସୋନପୁର ସୂତାକଳକୁ ରାଜ୍ୟ ସରକାର ହାତକୁ ନେଇ ସ୍ବୟଂ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଛନ୍ତି ଭୋଟର । ରାଜ୍ୟ ସରକାର ସୂତାକଳକୁ ଘରୋଇକରଣ କରିବା ପରେ କେବଳ 10 ପ୍ରତିଶତ ଶ୍ରମିକ ଓ କର୍ମଚାରୀଙ୍କୁ ନେଇ ସୂତାକଳ ଚାଲିଛି । ଘରୋଇକରଣ ହେବା ପରେ ପ୍ରାୟ 1200 ଶ୍ରମିକ ଓ 350ରୁ ଅଧିକ କର୍ମଚାରୀ ନିଜ କର୍ମ ସଂସ୍ଥାନ ହରାଇଛନ୍ତି । ସେହିପରି ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଙ୍ଗ ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଚାଷୀମାନେ ଦାବି କରିଛନ୍ତି । ଚିର ମରୁଡି ପ୍ରପିଡିତ ଅଙ୍ଗ ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଚାଷୀମାନେ ଅନ୍ତତଃ ଖରିଫ ଋତୁରେ ମରୁଡିର ମୁକାବିଲା କରିପାରିବେ । ତେବେ ଚାଷୀଙ୍କ ଚାଷଜମିକୁ କ୍ଷୁଦ୍ର ଜଳସେଚନ ବିଭାଗ, ଜଳସେଚନ ବିଭାଗ, ଉଠା ଜଳସେଚନ ବିଭାଗ ପକ୍ଷରୁ ଜଳସେଚନର ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି ।

ସେହିଭଳି ଉଚ୍ଚଶିକ୍ଷା କ୍ଷେତ୍ରରେ ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବା ସାଙ୍ଗକୁ ସ୍ନାତକୋତ୍ତର ବିଭାଗ ଖୋଲିବା, ବୈଷୟିକ ବିଭାଗ ଖୋଲିବା ସହିତ ବିଶ୍ବ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ଶାଣିତ ହୋଇଛି । ସହରରେ ଦଶନ୍ଧି ପୂର୍ବରୁ ନିର୍ମାଣ ଚାଲିଥିବା ରିଙ୍ଗ୍‌ ରୋଡ ପ୍ରକଳ୍ପ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ସହରବାସୀ ଦାବି କରିଛନ୍ତି । ସେହିପରି ମନ୍ଦିର ମାଳିନୀ ନଗରୀ ଭାବେ ପରିଚିତ ସହରର ପର୍ଯ୍ୟଟନ ପୀଠର ବିକାଶ କରିବା ପାଇଁ ମଧ୍ୟ ଦାବି ହେଉଛି । ସହର ପାର୍ଶ୍ବରେ ପ୍ରବାହିତ ମହାନଦୀ ଓ ତେଲନଦୀକୁ ସ୍ବଚ୍ଛ ଓ ନିର୍ମଳ ରଖିବା, ପ୍ରାଚୀନ ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ ଓ ଅଷ୍ଟ ଚଣ୍ଡୀଙ୍କ ମନ୍ଦିର ସବୁର ଆବଶ୍ୟକ ମରାମତି କରିବା ସହିତ ସୌନ୍ଦର୍ଯ୍ୟକରଣ କରିବା, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା ପାଇଁ ଦାବି ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନକୁ ନେଇ ଉତ୍ସାହିତ ନୂଆ ଭୋଟର, ଗୁଜବକୁ ବିଶ୍ବାସ ନକରିବାକୁ ଅନୁରୋଧ

ଗତ ତିନୋଟି ନିର୍ବାଚନରେ ସୋନପୁର ବିଧାୟକ ଭାବେ ବିଜେଡିର ବରିଷ୍ଠ ନେତା ନିରଞ୍ଜନ ପୂଜାରୀ କ୍ରମାଗତ ନିର୍ବାଚିତ ହୋଇ ଆସୁଛନ୍ତି । ଏଥର କିନ୍ତୁ ଜିଲ୍ଲାର ବିକାଶ ନିର୍ବାଚନୀ ପ୍ରସଙ୍ଗ ହେବା ସହିତ ବିପକ୍ଷ ପ୍ରତିଦ୍ବନ୍ଦ୍ବୀ କଡା ଟକ୍କର ଦେବେ ବୋଲି ରାଜନୀତି ସମୀକ୍ଷକମାନେ ଆକଳନ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.