ETV Bharat / politics

24 ବର୍ଷର ସରକାରରେ ଓଡ଼ିଶାରେ କାହିଁକି ବିକାଶ ହୋଇନାହିଁ: ଧର୍ମେନ୍ଦ୍ର ପ୍ରଧାନ - Modi Guarantee

author img

By ETV Bharat Odisha Team

Published : May 8, 2024, 8:42 AM IST

Dharmendra Pradhan press meet in Sambalpur: ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ମୋଦି ଗ୍ୟାରେଣ୍ଟି ଏବଂ ଓଡ଼ିଶା ସଂକଳ୍ପ ପତ୍ର ବିଷୟରେ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

Modi Guarantee in Sambalpur
Modi Guarantee in Sambalpur (ETV Bharat Odisha)

Modi Guaranty in Sambalpur (ETV Bharat Odisha)

ସମ୍ବଲପୁର: ମୋଦି ଗ୍ୟାରେଣ୍ଟି ଏବଂ ବିଜେପି ସଂକଳ୍ପ ପତ୍ର ନେଇ ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ କଲେ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳବାର ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା । ଯେଉଁଥିରେ ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି -୨୦୨୪ ଏବଂ ଓଡ଼ିଆଙ୍କ ପାଇଁ ଦଳ ପକ୍ଷରୁ ଉନ୍ମୋଚିତ ହୋଇଥିବା ଓଡ଼ିଶା ସଂକଳ୍ପ ପତ୍ର ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ସୂଚନା ପ୍ରଦାନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଓଡ଼ିଶାରେ ବିଜେପି ସରକାର ହେଲେ ସମ୍ବଲପୁର ବସ୍ତ୍ରର ଗୁଣବତ୍ତା ବଢାଇବା ପାଇଁ ପଦକ୍ଷେପ ନିଆଯିବା ସହ ବୁଣାକାରଙ୍କୁ ପ୍ରୋତ୍ସାହିତ କରାଯିବ । କୃଷି ପ୍ରାଧାନ୍ୟ ସମ୍ବଲପୁର ସହରରେ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ସହ ଖାଦ୍ୟ ପ୍ରକ୍ରିୟାକରଣର ଏକ ହବ୍ କରାଯିବ । ବିଜେପିର ସଂକଳ୍ପ ପତ୍ରରେ ସବୁ ବର୍ଗ ବିଶେଷତଃ ଗରିବ, କୃଷକ, ମହିଳା, ଯୁବବର୍ଗଙ୍କ କଲ୍ୟାଣ ସହ ସମ୍ବଲପୁରର ବୁଣାକାରମାନଙ୍କ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଭଳି ଅନେକ ସଂକଳ୍ପ କରାଯାଇଛି । ଓଡ଼ିଶାରେ ବିଜେପି ସରକାର ହେଲେ ସବୁ ଘୋଷଣାକୁ ପାଳନ କରାଯିବା ସହ ଦୁର୍ନୀତିକୁ ରୋକିବା ପାଇଁ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରାଯିବ । ସମ୍ବଲପୁରକୁ ଭାରତର ପ୍ରମୁଖ ସହର ଭାବେ ତିଆରି କରାଯିବ ।

ସମ୍ବଲପୁରୀ ଟେକ୍ସଟାଇଲକୁ ବିଶ୍ବରେ ପହଞ୍ଚାଇବାର କାମ ଆରମ୍ଭ ହୋଇଥିବା ବେଳେ ଏହାକୁ ପ୍ରାଥମିକତା ଦିଆଯିବ। ଲୋକଙ୍କୁ ସବୁ ସୁବିଧା ସହ ଶିକ୍ଷା ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ସହ ସବୁ ପ୍ରକାର ଯୁବ ପ୍ରତିଭାକୁ ପ୍ରାଥମିକତା ଦେଇ ସେମାନଙ୍କୁ ଆଗକୁ ବଢିବା ପାଇଁ ଦକ୍ଷ କରାଯିବ । ସମ୍ବଲପୁର ସମେତ ରାଜ୍ୟରେ ଉଚ୍ଚମାନର ଶିକ୍ଷା ପାଇଁ ସହରାଞ୍ଚଳ ସହ ପ୍ରତି ବ୍ଲକରେ ୨ଟି ଭାବରେ ୮୦୦ ପିଏମଶ୍ରୀ ସ୍କୁଲ ପ୍ରତିଷ୍ଠା ହେବ । କେନ୍ଦୁପତ୍ର ତୋଳାଳିମାନଙ୍କୁ ୩୫ ପ୍ରତିଶତ, କେନ୍ଦୁପତ୍ର ବାନ୍ଧୁଥିବା ଲୋକଙ୍କୁ ୧୦ ପ୍ରତିଶତ ବୋନସ ଦିଆଯିବ । ସମ୍ବଲପୁର ପାଇଁ ଖୁବଶୀଘ୍ର ବିଜେପି ଏକ ସଂକଳ୍ପ ପତ୍ର ଉନ୍ମୋଚନ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ବିଜେପିର ସଂକଳ୍ପ ପତ୍ରରେ କୃଷକ କଲ୍ୟାଣକୁ ଜୋର ଦିଆଯାଇଛି । ଧାନ କିଣା ଓଡ଼ିଶା କୃଷି ଅର୍ଥନୀତିର ମେରୁଦଣ୍ଡ ଅଟେ । ଓଡ଼ିଶାରେ ମୋଦିଙ୍କ ସରକାର ହେଲେ ଛତିଶଗଡ ଭଳି ଧାନର ଏମଏସପି କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାକୁ ଏହି ଅର୍ଥ ଯିବ । କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଧାନରେ ପ୍ରଥମ ଥର ପାଇଁ ରାଜ୍ୟ ତରଫରୁ ବୋନସ ଦିଆଯିବ । ସବୁ ଚାଷ ଜମି ଜଳସେଚନ ହେବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆସନ୍ତା 2 ବର୍ଷରେ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ଦୁଇ ବର୍ଷ ମଧ୍ୟରେ ଏହି ଟଙ୍କାକୁ ମହିଳାମାନେ ଏକକାଳୀନ କିମ୍ବା ଭିନ୍ନ ଭିନ୍ନ ସମୟରେ କିସ୍ତିରେ ବାହାର କରି ଖର୍ଚ୍ଚ କରିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ.. 'ବିଜେଡି ବିଗତ ୫ ବର୍ଷରେ କ'ଣ କରିଛି ତାର ହିସାବ ନାହିଁ, ବିଜେଡି ନେତାଙ୍କ ବଦଳରେ ଗୁମାସ୍ତା ପ୍ରଚାର କରୁଛନ୍ତି' - Sajjan Sharma Questions On BJD

ସବୁ ଗରିବଙ୍କୁ ପଟ୍ଟା ସହ ପକ୍କା ଘର ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୫ ଲକ୍ଷ ଘର ଦିଆଯିବ । ରାଜ୍ୟର ଘରେ ଘରେ ନଳ ଯୋଗେ ପାନୀୟ ଜଳ ପହଞ୍ଚାଯିବ । ଶୌଚାଳୟ ଓ ଉଜ୍ବଳା ଗ୍ୟାସ ସହ ସବୁ ପ୍ରକାର ସୁବିଧା ଦିଆଯିବ । ଓଡ଼ିଶାରେ ବକେୟା ଥିବା ୧.୫ ଲକ୍ଷ ସରକାରୀ ନିଯୁକ୍ତି ପୂରଣ ସହିତ ୩.୫ ଲକ୍ଷ ନୂଆ ନିଯୁକ୍ତି ଦିଆଯିବ । ଦାଦନ ଯନ୍ତ୍ରଣାରୁ ମୁକ୍ତି ଦିଆଯିବ । ପିଏମ ସୂର୍ଯ୍ୟଘର ଯୋଜନାରେ ସୌର ବିଦ୍ୟୁତ ସୁବିଧା ପ୍ରଦାନ କରାଯିବ ସହ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ । ୭୫ ହଜାର କିମି ନୂଆ ସଡକପଥ ନିର୍ମାଣ ହେବ । ଅସାଂଗଠନିକ କ୍ଷେତ୍ରରେ ଶ୍ରମିକମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସହ ଇ-ଶ୍ରମ ପୋର୍ଟାଲରେ ଯୋଡାଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । ଶତକଡା ୮୦ ଭାଗ ଥିବା ଦିବ୍ୟାଙ୍ଗଙ୍କୁ ୩୫୦୦ ଟଙ୍କା ଭତ୍ତା ଦିଆଯିବ ।

ବିଜେପି ସରକାର ହେବାର ପ୍ରଥମ ମାସରେ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ । ଏହା ବିଜେପିର କେବଳ ଦସ୍ତାବିଜ ନୁହେଁ, ମୋଦିଙ୍କ ଗ୍ୟାରେଣ୍ଟି ଓ ଆଶ୍ବାସନାର ପତ୍ର ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେ ବିଜେଡି ସରକାରକୁ ଟାର୍ଗେଟ କରି ଆହୁରି କହିଛନ୍ତି ଯେ, 24 ବର୍ଷର ସରକାରରେ ଓଡ଼ିଶାରେ ବିକାଶ କାହିଁକି ହୋଇନାହିଁ ? ଶାସକ ଦଳର ଲୋକମାନେ ତାଙ୍କର ସମର୍ଥକମାନଙ୍କୁ ସରକାରୀ ପଇସାରେ ବିଦେଶ ବୁଲାଇବାର ଯୋଜନା କଲେ । ହେଲେ ଏହା ଉପରେ ବିଜେପି ଅଭିଯୋଗ କରିବା ପରେ ଭାରତୀୟ ନିର୍ବାଚନ ଆୟୋଗ ବନ୍ଦ କଲେ । କିନ୍ତୁ ବିଜେପି କ୍ଷମତାକୁ ଆସିଲେ ଏସଚଜି ବନ୍ଦ କରିଦେବେ ବୋଲି ବିଜେଡି ଅପପ୍ରଚାର କଲା । ଏସଏଚଜି ହେଉଛି ମୋଦି ସରକାରଙ୍କ ସଫଳ କାର୍ଯ୍ୟକ୍ରମ । ସେମାନଙ୍କୁ ସଶକ୍ତ କରିବା ପାଇଁ ମୋଦି ସରକାର ପଇସା ଦେଉଥିବା ବେଳେ ଓଡ଼ିଶାର ୨୫ ଲକ୍ଷ ଭଉଣୀଙ୍କୁ ଲକ୍ଷପତି ଦିଦି ବନାଯିବାର ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ଓଡ଼ିଶାରେ ଗଣତନ୍ତ୍ର ନାହିଁ । ଚତୁର୍ଥସ୍ତମ୍ଭଙ୍କୁ ସରକାରୀ ଦପ୍ତରକୁ ଯିବା ପାଇଁ ବାରଣ କରାଯାଇଛି । ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ଅଧିସ୍ବୀକୃତି କମିଟି ବସୁନାହିଁ । ବିଜେପି ସରକାର ହେଲେ ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଓଡ଼ିଶାରେ ସବଡିଭିଜନରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ନୂଆ ନୂଆ ଅଧିସ୍ବୀକୃତିର ପୁନଃ ରଚନା କରାଯିବ । ରାଜ୍ୟ ସରକାର ସମ୍ବଲପୁରକୁ ମହାନଗର ନିଗମ କଲେ । ଏହାସତ୍ତ୍ବେ ୧୦ ବର୍ଷ ହେବ ସ୍ଥାନୀୟ ଲୋକମାନଙ୍କୁ ମହାନଗର ନିଗମ ନିର୍ବାଚନ ପାଇଁ କାହିଁକି ସୁଯୋଗ ଦିଆଯାଇନାହିଁ ବୋଲି ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଏପରି କରି ସରକାର ବ୍ୟାପକ ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି । ବିଜେପି ସରକାର ହେବା ପରେ ଏହି ବେପାରକୁ ବନ୍ଦ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.