ETV Bharat / politics

ଏପ୍ରିଲ 25ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ - Amit Shah Odisha Visit

author img

By ETV Bharat Odisha Team

Published : Apr 21, 2024, 3:12 PM IST

Updated : Apr 21, 2024, 4:04 PM IST

Amit Shah Odisha Visit: ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୋନପୁରରେ ବିଶାଳ ଜନସଭାରେ ଉଦବୋଧନ ଦେବେ ଶାହ । ଅଧିକ ପଢନ୍ତୁ

Amit Shah Odisha Visit
Amit Shah Odisha Visit

Amit Shah Odisha Visit

ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୫ ତାରିଖ ସେ ଓଡ଼ିଶା ଆସିବା ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ସୋନପୁରରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ ଶାହ । ଏହା ପରେ ଭୁବନେଶ୍ବରରେ ରହିଛି କାର୍ଯ୍ୟକ୍ରମ । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଏନେଇ ସୂଚନା ପ୍ରଦାନ କରିଛନ୍ତି । ସୋନପୁରରେ ଅପରାହ୍ନରେ ହେବ ବିଶାଳ ଜନସଭା ହେବାକୁ ଥିବାବେଳେ ଭୁବନେଶ୍ଵରରେ ଦଳର ରାଜ୍ୟ ନେତୃତ୍ବଙ୍କ ସହ ଆଲୋଚନା କରିବେ କେନ୍ଦ୍ର ଗୃହମନ୍ତ୍ରୀ ।

ଏହାପରେ ଭୁବନେଶ୍ଵରରେ ରାତ୍ରି ରହଣୀ କରିବାର କାର୍ଯ୍ୟକ୍ରମ ଥିବା ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଆଉ କିଛି ଦିନ ପରେ ନିର୍ବାଚନ ଥିବାବେଳେ ରାଜ୍ୟ ନେତୃତ୍ବଙ୍କୁ ଶାହ ଗୁରୁମନ୍ତ୍ର ଦେବେ ବୋଲି ଜଣାପଡ଼ିଛି । ଶାହଙ୍କ ଓଡ଼ିଶା ଗସ୍ତ ନେଇ ରାଜ୍ୟ ବିଜେପି ଶିବିର ଚଳଚଞ୍ଚଳ ହୋଇପଡ଼ିଛି । ଶାହାଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, "ଯେଉଁଭଳି ଭାବରେ ଓଡ଼ିଆ ଭାଷାକୁ କଦର୍ଥ କରାଯାଇଛି, ଓଡ଼ିଆ ଯୁବକକୁ ଦାଦନ ଖଟିବାକୁ ବାଧ୍ୟ କରାଯାଇଛି । ଏସବୁ ବିରୋଧରେ ଲଢେଇ ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି । ଆସନ୍ତା ୨୫ ତାରିଖରେ ସୋନପୁରରୁ ଏହି ଲଢେଇ ଆରମ୍ଭ କରିବେ ଅମିତ ଶାହ । ୨୫ରୁ ନିର୍ବାଚନ ବିଗୁଲ ବଜାଇବେ । ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବାକୁ ଶାହ ଆସୁଛନ୍ତି ।"

ଏହା ବି ପଢନ୍ତୁ...28ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ବ୍ଲୁ ବୁକ୍ SOP ଅନୁସାରେ ଦିଆଯିବ ସୁରକ୍ଷା

ସେ ଆହୁରି କହିଛନ୍ତି, "ସୋନପୁରରେ ବିଶାଳ ଜନସଭାର ଆୟୋଜନ ହେବ । ସେଥିରେ ଶାହ ସମ୍ବୋଧିତ କରିବେ । ଏହାପରେ ଭୁବେନଶ୍ବରରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ ଓ ଭୁବନେଶ୍ବରରେ ରାତ୍ରି ରହଣୀ କରିବେ । ଏ ନିର୍ବାଚନ ଏକ ରୋଚକ ନିର୍ବାଚନ ହେବ । ଶାହ ଆସିବା ପରେ ଓଡ଼ିଶା ବିଜେପିକୁ ବଳ ମିଳିବ । ଚଳିତ ନିର୍ବାଚନରେ ବିଜେପି ରାଜ୍ୟରେ ସରକାର ଗଢିବ ।" ପୂର୍ବରୁ ଶାହ ଜାତୀୟ ଗଣମାଧ୍ୟମରେ ଦେଇଥିବା ବିବୃତ୍ତିକୁ ମଧ୍ୟ ଦୋହରାଇଛନ୍ତି ରାଜ୍ୟ ବିଜେପି ଉପସଭାପତି ।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ମେଣ୍ଟ ପ୍ରସଙ୍ଗରେ ଏକ ଜାତୀୟ ଗଣମାଧ୍ୟମରେ ଶାହ କହିଥିଲେ, " ଆମର କାର୍ଯ୍ୟକର୍ତ୍ତାମାନେ ଓଡ଼ିଆ ଭାଷା, ସଂସ୍କୃତି ଓ ‌ଓଡ଼ିଶାର ଗୌରବ ପାଇଁ ବିଜେପି ଏକା ଲଢ଼ିବାକୁ ଦୃଢ଼ ମତ ଦେଲେ । ଏହା ଆମ କାର୍ଯ୍ୟକର୍ତ୍ତା ଓ ଓଡ଼ିଶାର ଜନତାଙ୍କ ଇଚ୍ଛା ଥିଲା । ସେହି ଅନୁଯାୟୀ ଆମେ ଆଗକୁ ବଢ଼ିଲୁ ।" ଗତ କିଛି ଦିନ ତଳେ ପୁଣି ଏକ ଜାତୀୟ ଗଣମାଧ୍ୟମକୁ ନିଜ ମତ ରଖି ଓଡିଶାରେ ଲଢେଇ ଜୋରଦାର ହେବାର ସୂଚନା ଦେଇଥିଲେ । ତେବେ ଶାହଙ୍କ ଗସ୍ତକୁ ନେଇ ବିଜେପି ଶିବିରରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି କାର୍ଯ୍ୟକ୍ରମକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ନିର୍ବାଚନ ପାଇଁ ଫୁଲ ଦମରେ ପ୍ରସ୍ତୁତ ଭାରତୀୟ ଜନତା ପାର୍ଟି ।


ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 21, 2024, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.