ETV Bharat / politics

ଚୌଦ୍ବାର ବିଜେପିରେ ଫାଟ, ଧର୍ମେନ୍ଦ୍ରଙ୍କ ଆଗରେ ମାରପିଟ୍ ହେଲେ ଦୁଇ ଗୋଷ୍ଠୀ - Rift in BJP

author img

By ETV Bharat Odisha Team

Published : Apr 14, 2024, 12:14 PM IST

Updated : Apr 14, 2024, 2:23 PM IST

Rift in BJP: ଚୌଦ୍ବାର-କଟକ ବିଜେପିରେ ଗୋଷ୍ଠୀ କନ୍ଦଳ । ନୟନ ମହାନ୍ତିଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ଏଥିରେ ଅନେକ କର୍ମୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଚୌଦ୍ବାର ବିଜେପିରେ ଫାଟ, ଧର୍ମେନ୍ଦ୍ରଙ୍କ ଆଗରେ ମାରପିଟ୍ ହେଲେ ଦୁଇ ଗୋଷ୍ଠୀ
ଚୌଦ୍ବାର ବିଜେପିରେ ଫାଟ, ଧର୍ମେନ୍ଦ୍ରଙ୍କ ଆଗରେ ମାରପିଟ୍ ହେଲେ ଦୁଇ ଗୋଷ୍ଠୀ

ଚୌଦ୍ବାର ବିଜେପିରେ ଫାଟ

କଟକ: ରଣକ୍ଷେତ୍ର ପାଲଟିଲା ବିଜେପିର ମିଶ୍ରଣ ପର୍ବ । ଚୌଦ୍ବାର-କଟକରୁ ନୟନ ମହାନ୍ତିଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ମୁହାଁମୁହିଁ ହେଲେ ବିଜେପିର ଦୁଇ ଗୋଷ୍ଠୀ । କାହାର ମୁଣ୍ଡ ଫାଟିଲା, ଏକାଧିକ ଆହତ ହେଲେ । ଶନିବାର କଟକ କଲେଜ ଛକଠାରେ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏଭଳି ଗଣ୍ଡଗୋଳ ସହ ମାରପିଟ୍ ହୋଇଛି । ଏଥିରେ ଦୁଇରୁ ଅଧିକ ବିଜେପି କର୍ମୀ ଆହତ ହୋଇଥିବା ବେଳେ କିଛି କର୍ମୀଙ୍କ ମୁଣ୍ଡ ଫାଟି ଯାଇଛି । ଏମିତିକି ମହିଳା କର୍ମୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ ଗୋଷ୍ଠୀ ଚୌଦ୍ବାର ବିଜେପି ବିଧାୟକ ପ୍ରାର୍ଥୀ ନୟନଙ୍କୁ ବିରୋଧ କରି ନାରାବାଜି କରିବା ସମୟରେ ଅପର ଗୋଷ୍ଠୀ ଏହାକୁ ବିରୋଧ କରିବାରୁ ଏଭଳି ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିଥିଲା ।

ତେବେ ଏହି ମିଶ୍ରଣ ପର୍ବରେ ବିଜେଡିର କେତେକ କର୍ମୀ ଓ ନେତାମାନେ ବିଜେପିରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କର୍ମୀମାନଙ୍କୁ ସ୍ଵାଗତ କରିବା ସହ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଧର୍ମେନ୍ଦ୍ର କହିଥିଲେ ଯେ, କେନ୍ଦ୍ରରେ ମୋଦି ସରକାର ଓଡ଼ିଶାରେ ଅନେକ ପରିବର୍ତ୍ତନ ଆଣିଛନ୍ତି । ମାତ୍ର ବିଜେଡି ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟରେ ଶିକ୍ଷା, ସ୍ଵାସ୍ଥ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଜେଡି ଶାସନ କାଳରେ ଓଡ଼ିଶାର ଶ୍ରମିକମାନେ କାମ ନ୍ଦା ନପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । କଟକ ସହର ହଜାର ବର୍ଷର ପୁରାତନ ସହର, ଏହି ସହର ଐତିହ୍ୟ ଏବଂ ଇତିହାସ ମହାନ । ଅତୀତରେ ଏହି ସହର ସବୁ କ୍ଷେତ୍ରରେ ରାଜ୍ୟକୁ ନେତୃତ୍ୱ ଦେଇଆସିଥିଲା । ମାତ୍ର ଏବେ ପରିସ୍ଥିତି ଭିନ୍ନ ହୋଇପଡ଼ିଛି । ରାଜ୍ୟରେ ବିଜେଡି ସରକାର କେବଳ ପ୍ରଚାର ସର୍ବସ୍ବ ହୋଇଛି । ଏଥିରେ କୌଣସି ବାସ୍ତବତା ନାହିଁ ।

ଆଜି କଟକ ସମେତ ସାରା ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । କେବଳ ବଡ ବଡ କୋଠା କରି ଦେଇ ପ୍ରଚାର କରିଲେ ସ୍ବାସ୍ଥ୍ୟସେବା ମିଳିପାରେ ନାହିଁ । ସ୍ବାସ୍ଥ୍ୟ ସେବା ପାଇଁ ଯେଉଁ ଭିତ୍ତି ଭୂମିର ଆବଶ୍ୟକତା ରହିଛି ତାହା ନାହିଁ । ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀସେବା ବ୍ୟାହତ ହୋଇଛି । ଗାଁ ଗଣ୍ଡାରୁ ଆସୁଥିବା ରୋଗୀମାନେ ଚିକିତ୍ସା ପାଇ ପାରୁନାହାନ୍ତି । ଆଗାମୀ ଦିନରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ୧୦୦ ବର୍ଷ ପାଳନ କରିବ । ମୋଦି ସରକାର ଯେଉଁ ପରିବର୍ତ୍ତନର ସ୍ୱର ଆଣିଛନ୍ତି ତାହା ନିଶ୍ଚିତ ଭାବରେ ସଫଳ ହୋଇପାରିବ । ମୋଦି ସରକାରଙ୍କ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଏକ ନୂଆ ରୂପ ନେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଏହ ମଧ୍ୟ ପଢନ୍ତୁ: ବିଜେପିରେ ଥମୁନି ଟିକେଟ୍ କନ୍ଦଳ, ଗୋପାଲଜୀ ପାଣିଗ୍ରାହୀଙ୍କୁ ଅନନ୍ତଙ୍କ ବିରୋଧ - Ticket Issue


ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ଗତ ୧୯୯୯ ମସିହାରେ ଓଡ଼ିଶାବାସୀ କଂଗ୍ରେସ ବିରୋଧରେ ଯେଉଁ ପରିବର୍ତ୍ତନ ସ୍ୱର ଉଠାଇଥିଲେ ତାହା ଆଜି ସେହି ପରିବର୍ତ୍ତନର ସ୍ୱର ଚାରି ଗୁଣା ବୃଦ୍ଧି ପାଇଛି । ରାଜ୍ୟବାସୀ ଯେଉଁ ପରିବର୍ତ୍ତନ ଚାହୁଁଛନ୍ତି ଆଗାମୀ ନିର୍ବାଚନରେ ନିଶ୍ଚିତ ପରିବର୍ତ୍ତନ ଆସି କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ଗଠନ କରିବ । ଏହି ମିଶ୍ରଣ ପର୍ବରେ ବିଜେଡି କର୍ପୋରେଟର ସଂଗୀତା ଶର୍ମା, ଶୁଭେନ୍ଦୁ ମହାନ୍ତି, ଜ୍ୟୋତି ରଞ୍ଜନ ରାୟ, ବିଜେଡିର ପୂର୍ବତନ ବିଧାୟକ ରମେଶ ରାଉତ, ମିଲନ ଶାହା ପ୍ରମୁଖ ବହୁ ଅନ୍ୟ ଦଳର କର୍ମକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated : Apr 14, 2024, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.