ETV Bharat / politics

କାଲି ରାଉରକେଲାରେ ପହଞ୍ଚିବ ରାହୁଲଙ୍କ ନ୍ୟାୟ ଯାତ୍ରା, ଚଳଚଞ୍ଚଳ କଂଗ୍ରେସ ଶିବିର

author img

By ETV Bharat Odisha Team

Published : Feb 5, 2024, 4:05 PM IST

Updated : Feb 5, 2024, 8:43 PM IST

Rahul Gandhi's Upcoming Bharat Jodo Nyay Yatra in Rourkela : ଆସନ୍ତା ୬ ତାରିଖରେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ଏହାକୁ ନେଇ ରାଉରକେଲାରେ ପିସିସି ସଭାପତି ଶରତ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ରାଉରକେଲାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ; ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ସମ୍ପର୍କରେ ସୂଚନା

ରାଉରକେଲା: ଆସନ୍ତା ୬ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ପୂର୍ବରୁ ଅନେକ ରାଜ୍ୟରେ ଭାରତ ଯୋଡୋ ନ୍ୟାୟ ଯାତ୍ରା କରିଥିବା ରାହୁଲ ଏଥର ଓଡିଶାରେ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ଭରିବେ ଋଣହୁଙ୍କାର । ଏହାକୁ ନେଇ ରାଉରକେଲାରେ ପିସିସି ସଭାପତି ଶରତ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ପିସିସି ସଭାପତି ସୂଚନା ଦେଇଛନ୍ତି ।

ଝାଡ଼ଖଣ୍ଡରେ ଏକ ସାଧାରଣ ସଭାରେ ୬ ତାରିଖରେ ଯୋଗ ଦେବା ପରେ ରାହୁଲ ସଡ଼କ ପଥରେ ଆସି ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ପହଞ୍ଚିବେ ଓ ରମାବହାଲ ଠାରେ ଆସି ରାତ୍ରି ଯାପନ କରିବେ । ଏହା ପରେ ୭ ତାରିଖ ଦିନ ସକାଳ ୯ଟା ସମୟରେ ରାଉରକେଲାର ପାନପୋଷ ସ୍ଥିତ ଗାନ୍ଧୀ ଛକରେ ପହଞ୍ଚିବେ ଏବଂ ଲୋକଙ୍କୁ ସମ୍ବୋଧନ କରିବେ । ସେଠାରୁ ଏକ ପଦଯାତ୍ରାରେ ବାହାରି ପାନପୋଷ ସ୍ଥିତ ଗାନ୍ଧି ଛକରୁ ନେଇ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ ଆଡକୁ ଯାତ୍ରା କରିବେ ।

ଏହା ମଧ୍ୟ ପଢନ୍ତୁ ... ଆସନ୍ତା ୭ରେ ସୁନ୍ଦରଗଡରେ ହେବ ଭାରତ ଯୋଡ଼ ନ୍ୟାୟ ଯାତ୍ରା

ରାଜଗାଙ୍ଗପୁର ରାଣୀବନ୍ଧଠାରେ ବିଶ୍ରାମ ନେଇ ରାହୁଲ ଗାନ୍ଧୀ ଜନସାଧାରଣମାନଙ୍କୁ ସମ୍ବୋଧନ କରିବେ ଏବଂ ପୁନଃ ପଦଯାତ୍ରା ଆରମ୍ଭ କରିବେ । ସେଠାରୁ ପୁଣି ବାହାରି କୁତ୍ରା ଏବଂ ବଡ଼ଗାଁ ଅଞ୍ଚଳ ଦେଇ ଯାଇ ସୁନ୍ଦରଗଡ଼ ଠାରେ ପହଞ୍ଚି ସେଠାରୁ ନୂଆ ବସଷ୍ଟାଣ୍ଡଠାରେ ନେଇ ସୁନ୍ଦରଗଡ ସହର ଭିତରେ SBI ଛକ ଦେଇ ଯାଇ ସୁନ୍ଦରଗଡ଼ଠାରେ ଲୋକଙ୍କୁ ସମ୍ବୋଧିତ କରିବେ । ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହାପରେ ସେଠାରୁ ବାହାରି ଝାରସୁଗୁଡା ଅଭିମୁଖେ ଯାତ୍ରା କରିବେ । 8 ତାରିଖ ସକାଳୁ ଝାରସୁଗୁଡ଼ା ସହରରୁ ଲଖନପୁର ଦେଇ ଛତିଶଗଡ଼ ବାହାରିବ ଭାରତ ଯୋଡ ନ୍ୟାୟ ଯାତ୍ରା ।

ଏହାରି ମଧ୍ୟରେ ରାହୁଲଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି କଂଗ୍ରେସ ଶିବିର । ତେବେ ରାହୁଲ ଗାନ୍ଧୀ ରାଉରକେଲା ଆସି କର୍ମୀ ଏବଂ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ ଏବଂ ବହୁ ସଂଖ୍ୟାରେ ଲୋକେ ମଧ୍ୟ ଏଥିରେ ଯୋଗ ଦେବେ ବୋଲି କହିଛନ୍ତି ଶରତ ପଟ୍ଟନାୟକ । ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଓ ପିସିସି ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ସମେତ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସହ ପିସିସି ଏବଂ ଏଆଇସିସିର ଅନ୍ୟ ବରିଷ୍ଠ ନେତା ଏବଂ କର୍ମୀମାନେ ରାଉରକେଲା ଆସି ପହଞ୍ଚିଛନ୍ତି । ଜିଲ୍ଲା କଂଗ୍ରେସ କର୍ମୀଙ୍କ ସହ ବୈଠକ କରି ରାହୁଲ ଗାନ୍ଧୀଙ୍କ ଗସ୍ତକୁ କିପରି ସଫଳ କରାଯିବ ସେ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରା ଏଥର ନିର୍ବାଚନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ କଂଗ୍ରେସକୁ ଏହାର ଲାଭ ହେବା ସହ ଲୋକଙ୍କ ଉପରେ ପ୍ରଭାବ ପକାଇବ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ : ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ବିଜେଡି ଓ ବିଜେପି ମଧ୍ୟରେ ଲଭ ମ୍ୟାରେଜ ହୋଇ ଯାଇଛି । ତେଣୁ ଦୁଇ ଦଳ ସଲାସୁତୁରା ହୋଇ ନିଜର କାମ କରିବାରେ ଲାଗିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ପୁଳା ପୁଳା ମିଛ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଉଭୟ ଦଳକୁ ଲୋକ ମାନେ ପ୍ରତ୍ୟାଖ୍ୟାନ କରିବେ । ରାଜ୍ୟର ବର୍ତ୍ତମାନ ଯେଉଁଭଳି ଭାବରେ ତାମିଲ ଶାସନ ଚାଲିଛି, ଏହାକୁ ରାଜ୍ୟବାସୀ ସ୍ବୀକାର କରିବେ ନାହିଁ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ପ୍ରଭାବ ଓଡିଶାରେ ମଧ୍ୟ ନିଶ୍ଚୟ ପଡିବ । ଏହା ସହ 2024 କଂଗ୍ରେସର ବର୍ଷ ହେବ ଓ ଏଥର ବିଧାନସଭାରେ ୯୦ ସିଟ ଏବଂ ଲୋକସଭାରେ ୧୦ ରୁ ୧୨ ସିଟ ଜିତିବାର କଂଗ୍ରେସ ସଫଳ ହେବ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

ଇଟିଭି ଭାରତ, ରାଉରକେଲା

Last Updated : Feb 5, 2024, 8:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.