ETV Bharat / politics

ସମ୍ବଲପୁର ମହାଲଢେଇ: ଜୟନାରାୟଣଙ୍କୁ ସୁହାଇବ କି ଧର୍ମେନ୍ଦ୍ରଙ୍କ କ୍ରେଜ ? - BJP CAMPAIGN IN SAMBALPUR

author img

By ETV Bharat Odisha Team

Published : May 9, 2024, 8:41 AM IST

BJP Leaders Campaigning In Sambalpur: ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ପାଇଁ ଫୁଲ ଦମରେ ଲାଗିପଡିଛି ବିଜେପି । ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କୁ ଏକାଠି ନିର୍ବାଚନ ସଭାରେ ପ୍ରଚାର କରୁଛନ୍ତି । ଅଧିକ ପଢନ୍ତୁ

BJP Leaders Campaigning In Sambalpur
BJP Leaders Campaigning In Sambalpur (ETV Bharat Odisha)

BJP Leaders Campaigning In Sambalpur (ETV Bharat Odisha)

ସମ୍ବଲପୁର: ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହାର କାରଣ ହେଉଛି ଏଠାରେ ବିଜେପିର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ପ୍ରାର୍ଥୀ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ । ଅନ୍ୟପଟେ ସମ୍ବଲପୁର ବିଧାନସଭା ଆସନରେ ବିଜେପିର ଜୟନାରାୟଣ ମିଶ୍ର ଓ ବିଜେଡିର ରୋହିତ ପୂଜାରୀଙ୍କ ମଧ୍ୟରେ କଡା ଲଢେଇ ହେବାକୁ ଯାଉଛି । ପୂର୍ବରୁ ଜୟନାରାୟଣ ମିଶ୍ର ଅସୁସ୍ଥତା ଯୋଗୁଁ ବିଗତ ଗୋଟିଏ ବର୍ଷ ଧରି ସମ୍ବଲପୁର ଆସୁନଥିବାରୁ ଏହାକୁ ନେଇ ବିଜେଡି ପ୍ରସଙ୍ଗ କରି ଆଗୁଆ ରହିଥିଲା । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁରରେ ଘନ ଘନ ପ୍ରଚାର ପରେ ତାଙ୍କର କ୍ରେଜ ଯୋଗୁଁ ଏବେ ସମୀକରଣରେ କିଛିଟା ପରିବର୍ତ୍ତନ ହୋଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।

ବର୍ତ୍ତମାନର ପରିସ୍ଥିତିରେ ସମ୍ବଲପୁର ବିଧାନସଭା ଆସନରେ ଜୟ ନାରାୟଣ ମିଶ୍ର ଓ ରୋହିତ ପୂଜାରୀଙ୍କ ମଧ୍ୟରେ କେହି କାହାରିଠୁ କମ ନୁହଁନ୍ତି ବୋଲି ରାଜନୀତି ବିଶ୍ଳେଷକ ମତ ଦେଉଛନ୍ତି । ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି । ମୁଖ୍ୟତଃ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଯେଉଁ କ୍ରେଜ ରହିଛି ତା' ଯୋଗୁଁ ରାଜନୈତିକ ଦୃଷ୍ଟିକୋଣରୁ ଜୟନାରାୟଣ ମିଶ୍ରଙ୍କ ସ୍ଥିତି ସୁଧୁରିଥିବା ଚର୍ଚ୍ଚା ହେଉଛି । ଧର୍ମେନ୍ଦ୍ରଙ୍କ ଫେସ୍ ଭେଲ୍ୟୁ ବା ତାଙ୍କ କ୍ରେଜ କାରଣରୁ ଜୟନରାୟଣ ମିଶ୍ରଙ୍କ ନିର୍ବାଚନ ବୈତରଣୀ ପାର୍ ହେବାର ସମ୍ଭାବନା ରହିଛି ବୋଲି ରାଜନୀତି ବିଶ୍ଳେଷକ ମତ ରଖିଛନ୍ତି । ଅନ୍ୟପଟେ ସମ୍ବଲପୁରରେ ଜୟନାରାୟଣଙ୍କ ଭଲ ସଂଗଠନ ରହିଥିବା ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ସମ୍ବଲପୁର ଆସି ପାରିନଥିବାରୁ ଏହାକୁ ନେଇ ବିଜେଡି ତାଙ୍କ ଉପରେ ବାରମ୍ବାର ପ୍ରଶ୍ନ କରି ଆସୁଛି ।

ଏହା ମଧ୍ୟ ପଢନ୍ତୁ ... 24 ବର୍ଷର ସରକାରରେ ଓଡ଼ିଶାରେ କାହିଁକି ବିକାଶ ହୋଇନାହିଁ: ଧର୍ମେନ୍ଦ୍ର ପ୍ରଧାନ - Modi Guarantee

ବୁଧବାର ମଧ୍ୟ ସକାଳୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟଣ ମିଶ୍ର ସମ୍ବଲପୁର ସହରର କୁଞ୍ଜେଲପଡା ଅଞ୍ଚଳରେ ଘରକୁ ଘର ଯାଇ ଲିଫଲେଟ ଓ ପୁସିଂ କାର୍ଡ ଦେଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକଙ୍କ ଗହଣରେ ଚା ପିଇ ଚର୍ଚ୍ଚା କରିବା ସହ ସମ୍ବଲପୁରର ପ୍ରସିଦ୍ଧ ଚାଉଳ ବରା ଖାଇଥିଲେ । ଏହି ସମୟରେ ତାଙ୍କ ପାଖରେ ଜୟନାରାୟଣ ମିଶ୍ର ରହିଥିଲେ । ପୋଷ୍ଟର ବ୍ୟାନରରେ ମଧ୍ୟ ଧର୍ମେନ୍ଦ୍ର ଓ ଜୟନାରାୟଣଙ୍କ ଫଟୋ ଏକାଠି ରହୁଛି ।

ସବୁଠାରୁ ବଡ଼ କଥା ହେଲା କିଛି ଦିନ ପୂର୍ବରୁ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଡା ରାସେଶ୍ବରୀ ପାଣିଗ୍ରାହୀ ଦଳ ଛାଡ଼ିଥିବା ବେଳେ ତାଙ୍କ ପାଖକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟିବାକୁ ଯାଇଥିବା ସମୟରେ ଜୟ ନାରାୟଣ ମିଶ୍ରଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ ଓ ପରବର୍ତ୍ତୀ ସମୟରେ ନିଜେ କହିଥିଲେ ଯେ ରାସେଶ୍ବରୀ ଉଭୟଙ୍କୁ ଆଶୀର୍ବାଦ କରିଛନ୍ତି ବୋଲି । ଏଭଳି ସ୍ଥିତିରେ ଧର୍ମେନ୍ଦ୍ର ଯେଉଁ ସ୍ଥାନରେ ସଭା ସମିତି କଲେ ଜୟନାରାୟଣ ମିଶ୍ରଙ୍କୁ ସବୁବେଳେ ରଖୁଥିବାରୁ ଏହାଦ୍ବାରା ଜୟନାରାୟଣଙ୍କ ବିଜୟ ସମ୍ଭାବନା ବୃଦ୍ଧି ହେଉଥିବା ରାଜନୀତି ବିଶ୍ଳେଷକ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.