ETV Bharat / politics

ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଭଲ ପଦର୍ଶନ କରିବ: ବିଶ୍ୱରଞ୍ଜନ - lok sabha election 2024

author img

By ETV Bharat Odisha Team

Published : May 9, 2024, 9:55 PM IST

LOK SABHA ELECTION 2024:ଦକ୍ଷିଣ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି । ଦଳର ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି କହିଲେ ରାହୁଲ ଗାନ୍ଧୀ ଆଦିବାସୀଙ୍କ ଅଧିକାର ପାଇଁ ଛିଡା ହୋଇଛନ୍ତି । ସେଥିପାଇଁ ଆଦିବାସୀଙ୍କ ଭୋଟ କଂଗ୍ରେସକୁ ଆସିବ । ଅଧିକ ପଢନ୍ତୁ

ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଭଲ ପଦର୍ଶନ କରିବ : ବିଶ୍ୱରଞ୍ଜନ
ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଭଲ ପଦର୍ଶନ କରିବ : ବିଶ୍ୱରଞ୍ଜନ (ETV Bharat Odisha)

ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଭଲ ପଦର୍ଶନ କରିବ : ବିଶ୍ୱରଞ୍ଜନ (ETV Bharat Odisha)

ଭୁବନେଶ୍ବର: ଆସନ୍ତା 13 ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ଦକ୍ଷିଣ ଓଡ଼ିଶାର 28ଟି ବିଧାନସଭା ଏବଂ 4ଟି ସଂସଦୀୟ କ୍ଷେତ୍ରରେ ଜମୁଛି ପ୍ରଚାର । ଫୁଲ୍ ଜୋସରେ ଲାଗି ପଡିଛନ୍ତି କର୍ମୀ ଓ ନେତା । କିଏ କରିବ ବାଜିମାତ ଆଉ କିଏ ହେବ ରେସରୁ ଆଉଟ୍ ତାକୁ ନେଇ ମଧ୍ୟ ପ୍ରଚାର ଜୋରଦାର ଚାଲିଛି । ଆଦିବାସୀଙ୍କ ଗଡ଼ କୁହାଯାଉଥିବା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ଉପକୂଳ ଓଡିଶାର ସର୍ବବୃହତ ଲୋକସଭା ମଣ୍ଡଳୀ ଗଞ୍ଜାମରେ ପ୍ରାର୍ଥୀ ମାନଙ୍କର ଭାଗ୍ୟ ପରୀକ୍ଷା ହେବ । ତାକୁ ନେଇ ଆରମ୍ଭ ହୋଇଛି ଅଙ୍କ କଷା ।


ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଏବଂ ଗଞ୍ଜାମ ସଂସଦୀୟ କ୍ଷେତ୍ରର 28ଟି ବିଧାନସଭା କ୍ଷେତ୍ର ପାଇଁ ହେବ ନିର୍ବାଚନ । 2019ରେ କଂଗ୍ରେସର ଗଡ଼ କୁହାଯାଉଥିବା ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଜୟପୁରରୁ ଏବେ କଂଗ୍ରେସର ଜଣେ ମାତ୍ର ବିଧାୟକ । ଦକ୍ଷିଣ ଓଡ଼ିଶାରେ ବିଜେଡି ସବୁଠୁ ଅଧିକ ଆସନ ପାଇ ଆଗରେ ରହିଛି । ଗତକାଲି ବିଜେଡି ନେତା ଭିକେ ପାଣ୍ଡିଆନ ଦକ୍ଷିଣ ଓଡ଼ିଶାରେ ବିଜେଡି ସହ କଂଗ୍ରେସର ଫାଇଟ୍ ହେବ କହିବା ପରେ, କଂଗ୍ରେସ କହିଛି ଯେ, ଦକ୍ଷିଣ ଓଡ଼ିଶାରେ ବିଜେଡି ବିଜେପି ନୁହେଁ ବରଂ କଂଗ୍ରେସକୁ ଲୋକେ ଜୟଯୁକ୍ତ କରାଇବେ ।

କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ମହାନ୍ତି କହିଛନ୍ତି," କୋରାପୁଟ ,ନବରଙ୍ଗପୁର ,କଳାହାଣ୍ଡି ଏବଂ ଗଞ୍ଜାମରେ କଂଗ୍ରେସ ଜିତିବ । ଆଦିବାସୀମାନଙ୍କ ସମସ୍ୟା ପାଇଁ କଂଗ୍ରେସ ଲଢ଼ିଛି । ରାହୁଲ ଗାନ୍ଧୀ ଆଦିବାସୀଙ୍କ ଅଧିକାର ପାଇଁ ଛିଡା ହୋଇଛନ୍ତି । ସେଥିପାଇଁ ଆଦିବାସୀଙ୍କ ଭୋଟ କଂଗ୍ରେସକୁ ଆସିବ । କଂଗ୍ରେସର ପ୍ରଚାର ତୃଣମୂଳ ସ୍ତରରୁ ଆରମ୍ଭ ହୋଇଛି । ଆଦିବାସୀଙ୍କ ପାଇଁ କଂଗ୍ରେସ ସବୁବେଳେ ଛିଡା ହୋଇଛି । ଏଥର କଂଗ୍ରେସକୁ ଜନସାଧାରଣ ଭୋଟ ଦେବେ ।"

ଏହା ମଧ୍ୟ ପଢନ୍ତୁ .....ନିଆଳି ମୈଦାନରେ ଉଚ୍ଚ ଶିକ୍ଷିତ ଜ୍ୟୋତିରଞ୍ଜନ, ଅଞ୍ଚଳର ମୌଳିକ ସମସ୍ୟା ସାଜିଛି ମୁଖ୍ୟ ମୁଦ୍ଦା - NIALI ASSEMBLY CONSTITUENCY


2019 ନିର୍ବାଚନରେ କୋରାପୁଟରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ଖୁବ୍ କମ ଭୋଟ ବ୍ୟବଧାନରେ ଜିତିଥିଲେ, ସେହିପରି ଦକ୍ଷିଣ ଓଡିଶାରେ ବିଜେଡି ଗଞ୍ଜାମ ଏବଂ ନବରଙ୍ଗପୁରରେ ଜିତିଥିବା ବେଳେ କଳାହାଣ୍ଡିରେ ବିଜେପିର ବସନ୍ତ ପଣ୍ଡା ଜିତିଥିଲେ । ଚଳିତ ନିର୍ବାଚନରେ କୋରାପୁଟରେ ବିଜେଡି ସହିତ କଂଗ୍ରେସର କଡା ଟକ୍କର ହେଉଥିବା ବେଳେ ଗଞ୍ଜାମରେ ବିଜେପିର ପ୍ରଦୀପ ପାଣିଗ୍ରାହୀଙ୍କ ସହ ବିଜେଡିର ଭୃଗୁ ବକ୍ସିପାତ୍ରଙ୍କ ବିଗ ଫାଇଟ୍ ହେଉଛି । ସେହିପରି କଳାହାଣ୍ଡିରେ ବିଜେଡ଼ି ସହ ବିଜେପିର କଡା ମୁକାବିଲା ହେଉଛି । ସେପଟେ ନବରଙ୍ଗପୁରରେ କଂଗ୍ରେସର ଭୁଜବଳ ମାଝୀଙ୍କ ସହ ବିଜେଡିର ପ୍ରଦୀପ ମାଝୀଙ୍କ ଭିତରେ ଲଢେଇ ହେଉଛି ।

ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀ ମାନଙ୍କ ଭିତରେ ସେତିକି ଉତ୍ସାହ ବୃଦ୍ଧି ପାଉଛି । 13 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରହିଛି । ଭୋଟର ଏହି ମହାକୁମ୍ଭରେ କିଏ ବାଜିମାତ କରୁଛି ଏବଂ କେଉଁ ଦଳ ସବୁଠୁ ଅଧିକ ସିଟ୍ ପାଉଛି ନିର୍ବାଚନ ପରେ ହିଁ ସ୍ପଷ୍ଟ ହେବ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.