ETV Bharat / politics

ମୁସଲିମ ମହିଳା ଭୋଟରଙ୍କୁ ବୁର୍ଖା ଖୋଲି ଯାଞ୍ଚ, ହାଇଦ୍ରାବାଦ ବିଜେପି ପ୍ରାର୍ଥୀ ମାଧବିଲତାଙ୍କ ବିରୋଧରେ ମାମଲା - case against Madhavi Latha

author img

By ETV Bharat Odisha Team

Published : May 13, 2024, 2:56 PM IST

Lok Sabha Elections 2024: ମୁସଲିମ ମହିଳା ଭୋଟରଙ୍କୁ ବୁର୍ଖା ଖୋଲି ଯାଞ୍ଚ କରିବା ଅଭିଯୋଗରେ ବିଜେପି ପ୍ରାର୍ଥୀ ମାଧବିଲତାଙ୍କ ବିରୋଧରେ ରୁଜୁ ହେଲା ମାମଲା । ଅଧିକ ପଢନ୍ତୁ

ମୁସଲିମ ମହିଳା ଭୋଟରଙ୍କୁ ବୁର୍ଖା ଖୋଲି ଚେକିଂ କଲେ, ହାଇଦ୍ରାବାଦ ବିଜେପି ପ୍ରାର୍ଥୀ ମଧବିଲତାଙ୍କ ବିରୋଧରେ ମାମଲା
ମୁସଲିମ ମହିଳା ଭୋଟରଙ୍କୁ ବୁର୍ଖା ଖୋଲି ଚେକିଂ କଲେ, ହାଇଦ୍ରାବାଦ ବିଜେପି ପ୍ରାର୍ଥୀ ମଧବିଲତାଙ୍କ ବିରୋଧରେ ମାମଲା (PIC-ETV Bharat Odisha)

ହାଇଦ୍ରାବାଦ: ନିର୍ବାଚନ ଆରମ୍ଭରୁ ବିଭିନ୍ନ କାର୍ଯ୍ୟକଳାପ ପାଇଁ ବିବାଦ ଓ ଚର୍ଚ୍ଚାରେ ରହିଆସିଥିବା ଭାରତୀୟ ଜନତା ପାର୍ଟିର ହାଇଦ୍ରାବାଦ ସାଂସଦ ପ୍ରାର୍ଥୀ ମାଧବିଲତାଙ୍କ ନାମରେ ରୁଜୁ ହେଲା ମାମଲା । ମତଦାନ କେନ୍ଦ୍ରରେ କିଛି ବୁର୍ଖା ପରିହିତ ମୁସଲିମ ମହିଳାଙ୍କୁ ଭୋଟ ପରିଚୟ ପତ୍ର ସହ ସେମାନଙ୍କ ବୁର୍ଖା ଖୋଲି ମାଧବିଲତା ଯାଞ୍ଚ କରିଥିବା ଅଭିଯୋଗ ହୋଇଥିଲା । ଯାହାର ଭିଡିଓ ଭାଇରାଲ ହେବା ପରେ ବିବାଦ ଆରମ୍ଭ ହୋଇଥିଲା । ତେବେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ଏନେଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ମାଧବିଲତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

‘ଏଆଇଏମଆଇଏମ’ ମୁଖ୍ୟ ତଥା ବର୍ତ୍ତମାନର ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ବେସୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ମାଧବିଲତା । ତେବେ ଆଜି ହାଇଦ୍ରାବାଦରେ ଭୋଟିଂ ହେଉଛି । ଆଜି ପୂର୍ବାହ୍ନରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ବୁଥରେ ପହଞ୍ଚିଥିଲେ ମାଧବିଲତା । ସେଠାରେ କିଛି ମୁସଲିମ ମହିଳା ବୁର୍ଖା ପରିଧାନ କରି ମତଦାନ କରିବା ପାଇଁ ଅପେକ୍ଷା କରିଥିଲେ । ମାଧବି ସେମାନଙ୍କ ଭୋଟର କାର୍ଡ ଯାଞ୍ଚ କରିବା ସହ ପରିଚୟ ସ୍ପଷ୍ଟ କରିବା ପାଇଁ ସେମାନଙ୍କୁ ବୁର୍ଖା ଖୋଲିବା ପାଇଁ କହିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା । ବିରୋଧୀମାନେ ମାଧବିଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦାବି କରିଥିଲେ । ଅପରାହ୍ନରେ ମାଧବିଙ୍କ ବିରୋଧରେ ଆଇପିସିର ଧାରା 171-C, 186, 505 (1) (C) ଏବଂ ‘ଜନପ୍ରତିନିଧୀ ଅଧିନିୟମ’ର ଧାରା 132 ଅନୁଯାୟୀ ହାଇଦ୍ରାବାଦର ମାଲକପେଟ ପୋଲିସ ଷ୍ଟେସନରେ ଏକ ମାମଲା ପଞ୍ଜିକୃତ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଆଜି ପ୍ରଥମ ପର୍ଯ୍ୟାୟ ଭୋଟ, ୨୮ ବିଧାନସଭା ଆସନରେ ନେତା ବାଛୁଛନ୍ତି ଜନତା - Odisha Assembly election 2024

ପୂର୍ବରୁ ମଧ୍ୟ ମାଧବି ଅନ୍ୟ କିଛି ଘଟଣାରେ ବିବାଦ ଘେରକି ଆସିସାରିଛନ୍ତି । ନିର୍ବାଚନୀ ପ୍ରଚାର ସମୟରେ ଏକ ମସଜିଦକୁ ତୀର ମାରିବା ମୁଦ୍ରାରେ ତାଙ୍କୁ ଦେଖାଯିବା ପରେ ବିବାଦ ଆରମ୍ଭ ହୋଇଥିଲା । ଏହା ସାମ୍ପ୍ରଦାୟିକ ସଦଭାବନା ନଷ୍ଟ କରିବା ଓ ତିକ୍ତତା ସୃଷ୍ଟି କରିବା ପରି କାର୍ଯ୍ୟକଳାପ ବୋଲି ବିରୋଧୀ ଅଭିଯୋଗ କରିଥିଲେ । ଅଭିଯୋଗକୁ ବିଜେପି ଖଣ୍ଡନ କରିଥିଲେ । ଏବେ ମାଧବିଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.