ETV Bharat / politics

ଅନୁଗୋଳରେ ବଢୁଛି ନିର୍ବାଚନୀ ତାତି; ଲୁଟିଖିଆ ନେତାଙ୍କ ବିରୋଧରେ ଏହି ଲଢେଇ କହିଲେ କଂଗ୍ରେସ ପ୍ରାର୍ଥୀ - Lok Sabha Election 2024

author img

By ETV Bharat Odisha Team

Published : May 1, 2024, 10:43 AM IST

Updated : May 1, 2024, 2:23 PM IST

Congress Guarantee Card: ନିର୍ବାଚନ ତାରିଖ ପାଖେଇବ ସହ ଅନୁଗୋଳରେ ବଢୁଛି ରାଜନୈତିକ ଉଷ୍ମତା । ଭୋଟରଙ୍କୁ ଆକୃଷ୍ଟ କରିବାକୁ ରଣକୌଶଳ ଆପଣାଉଛି କଂଗ୍ରେସ । ୧୦ ଦଫା ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କଲେ ଅନୁଗୋଳ କଂଗ୍ରେସ ଲୋକସଭା ପ୍ରାର୍ଥୀ । ଅଧିକ ପଢନ୍ତୁ

LOK SABHA ELECTION 2024
LOK SABHA ELECTION 2024

ଅନୁଗୋଳରେ ବଢୁଛି ନିର୍ବାଚନୀ ତାତି

ଅନୁଗୋଳ: ରାଜ୍ୟରେ ପାଖେଇ ଆସୁଛି ଲୋକସଭା ଓ ବିଧାନସଭା ନିର୍ବାଚନ । ନିର୍ବାଚନୀ ବୈତରଣୀ ପାର୍ ହେବାକୁ ସବୁ ପ୍ରକାର ରଣକୌଶଳ ଆପଣାଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ଜୋରଦାର ପ୍ରଚାର ସହ ପ୍ରତିଶ୍ରୁତି ବର୍ଷା କରୁଛନ୍ତି ପ୍ରାର୍ଥୀ । ଏହି କ୍ରମରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଢ଼େଙ୍କାନାଳ ଲୋକସଭା ପ୍ରାର୍ଥୀ ଇଂ ସସ୍ମିତା ବେହେରା ନିଜସ୍ୱ ୧୦ ଦଫା ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରି ଅନୁଗୋଳ ଓ ଢେଙ୍କାନାଳର ଅଧୁରା ସ୍ୱପ୍ନକୁ ପୁରା କରିବାର ଏକ ରୋଡ଼ମ୍ୟାପ ଉପସ୍ଥାପନ କରିଛନ୍ତି । ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଆଶୀର୍ବାଦ ରହିଛି ବୋଲି ପ୍ରକାଶ କରି ଯେଉଁମାନେ ଅନୁଗୋଳ, ଢେଙ୍କାନାଳ ଲୋକଙ୍କୁ ଅଣଦେଖା କରି ବାହାରିଆଙ୍କ ସହ ମିଶି ଲୁଟୁଛନ୍ତି, ସାଂସଦ ଓ ବିଧାୟକମାନେ ଓଡ଼ିଶାର ନେତୃତ୍ଵ ନେବା ବଦଳରେ ଠିକାଦାର ପାଲଟିଛନ୍ତି, ପିସି କାରବାର ଚଳାଇଛନ୍ତି, ଏହି ଲଢେଇ ସେହି ଲୁଟିଖିଆଙ୍କ ବିରୁଦ୍ଧରେ ଏବଂ ଖଟିଖିଆଙ୍କ ଅଧିକାର, ରୋଜଗାର ଓ ବାସ୍ତବିକ ବିକାଶର ପାଇଁ ଆନ୍ଦୋଳନ ବୋଲି କଂଗ୍ରେସ ପ୍ରାର୍ଥୀ କହିଛନ୍ତି । ତେଣୁ ବିଜେପି-ବିଜେଡିର ଅଦୃଶ୍ୟ ମେଣ୍ଟର ସରକାରକୁ ହଟାଇ କଂଗ୍ରେସ ସରକାର ଗଢିବା ପାଇଁ ହାତ ଚି଼ହ୍ନକୁ ଦୁଇଟି ଭୋଟ ଦେଇ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି ।

ଏହି ଗ୍ୟାରେଣ୍ଟି କାର୍ଡରେ ମହିଳା, ଯୁବ, ଛାତ୍ର, ଚାଷୀ, ମଜଦୁର, ବେରୋଜଗାରଙ୍କୁ ଗୁରୁତ୍ୱ ଦେବା ସହ ଅନୁଗୋଳ, ଢେଙ୍କାନାଳର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ପ୍ରାଥମିକତା ରହିବ ବୋଲି ଉଲ୍ଲେଖ କରିଛନ୍ତି । ଲୋକଙ୍କ ଆଶୀର୍ବାଦରୁ ବିଜୟୀ ହେଲେ ସେ ନିଜର ପ୍ରତ୍ୟେକ ମାସର ଭତ୍ତାକୁ ସଂସଦୀୟ କ୍ଷେତ୍ରର ମହିଳା ସଶକ୍ତିକରଣ ପାଇଁ ବିନିଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ନିଶା ମୁକ୍ତ ଢେଙ୍କାନାଳ, ଅନୁଗୋଳ ଗଢିବା, ବେରୋଜଗାରୀକୁ ରୋଜଗାର, ମାଆ-ଭରଣୀଙ୍କ ସୁରକ୍ଷା, ସ୍ୱାଭିମାନ ଓ ସମ୍ମାନ ତଥା ନିମ୍ନଲିଖିତ ଜନହିତକାରୀ ବିଷୟକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସ୍ୱର ଉତ୍ତୋଳନ କରିବେ ବୋଲି କହିଛନ୍ତି । ସେ ନିଜ ଗ୍ୟାରେଣ୍ଟି କାର୍ଡରେ ଉଲ୍ଲେଖ କରିଛନ୍ତି:-


୧. ଢେଙ୍କାନାଳ ଓ ଅନୁଗୋଳ ଜ଼ିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ତଥା ପୁନଃ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ଗତ ୧୦ ବର୍ଷରେ ପ୍ରାୟ ୨୦୦ ଦୁର୍ଘଟଣାରେ ୪୦୦ ଲୋକଙ୍କର ମୃତ୍ୟୁ ହୋଇଛି l ଉଭୟ ବିଜେପି ଓ ବିଜେଡି ନେତାଙ୍କର ଅବହେଳା ଯୋଗୁଁ ୫୫ ନମ୍ବର ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି, ତାହା ଅତିଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରିବେ ।

୨. ବହୁ ଜନଆନ୍ଦୋଳନ ପରେ ମଧ୍ୟ ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇପାରିନଥିବା ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ, ତାଳଚେରରେ ମେଡିକାଲ କଲେଜ ଓ ଅନୁଗୋଳରେ ସୁପରସ୍ପେସିଆଲିଷ୍ଟ ହସ୍ପିଟାଲ ତୁରନ୍ତ ଚାଲୁ ହେବ ।

୩. ଉଭୟ କେନ୍ଦ୍ର ଓ ରାଜ୍ୟ ସଂସ୍ଥା “କେନ୍ଦ୍ରୀୟ ପୋଲ୍ଲୁସନ କଣ୍ଟ୍ରୋଲ ବୋର୍ଡ” ଓ “ରାଜ୍ୟ ପୋଲ୍ଲୁସନ କଣ୍ଟ୍ରୋଲ ବୋର୍ଡ”ର ଚରମ ନିଷ୍କ୍ରିୟତା ଯୋଗୁଁ ଓ “ପୁଞ୍ଜିପତି ରାଜ ” କାରଣରୁ ଅନୁଗୋଳ, ତାଳଚେର ଓ ମେରାମୁଣ୍ଡଳୀ ଅଞ୍ଚଳ ଦେଶର ପ୍ରମୁଖ ପ୍ରଦୂଷିତ ଅଞ୍ଚଳ ରୂପେ ଗଢି ଉଠିଛି l

୪. କୋଇଲା, ଲୁହାପଥର ସମେତ ବିଭିନ୍ନ ଖଣିଜ ପଦାର୍ଥ ଓ ଯନ୍ତ୍ରପାତି ପରିବହନ ପାଇଁ ସ୍ୱତନ୍ତ୍ର ପରିବହନ କୋରିଡର ତିଆରି ନକରି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ରାସ୍ତାରେ ଦୈନିକ ହଜାର ହଜାର ଗାଡି ଚଳାଚଳ କରୁଥିବାରୁ ବ୍ୟାପକ ଟ୍ରାଫିକ ସମସ୍ୟା ଓ ପ୍ରଦୂଷଣ ସୃଷ୍ଟି ହେଉଛି l

୫. ବିଜେଡି ଓ ବିଜେପି ନେତାମାନେ ବିଭିନ୍ନ ଉପାୟରେ ଶିଳ୍ପ ଓ ଖଣି ସଂସ୍ଥାଗୁଡିକ ଠାରୁ ପ୍ରଚୁର ଅନୈତିକ ଲାଭ ନେଉଥିବାରୁ, ସ୍ଥାନୀୟ ବେକାର ଯୁବକ ଯୁବତୀମାନେ ନିଯୁକ୍ତି ଓ କର୍ମ ସଂସ୍ଥାନରୁ ବଞ୍ଚିତ ହୋଇ ଦାଦନ ଖଟିବାକୁ ଯାଉଛନ୍ତି ।

୬. ବିଜେଡି ଓ ବିଜେପି ନେତାମାନେ ଲୋକଙ୍କୁ ଭ୍ରମିତ କରାଇ ଏଠାରେ ଛାୟାଯୁଦ୍ଧ କରୁଥିବା ବେଳେ, କେନ୍ଦ୍ରରେ ମୋଦି ସରକାରର ତାନସାହି ସହ ଦୁର୍ନୀତି ସରକାର ଚଳାଇବା ପାଇଁ ପାଇଁ ଏକଜୁଟ ହୋଇଛନ୍ତି ।

୭. ବ୍ୟାପକ ପ୍ରଦୂଷଣରେ ପ୍ରଭାବିତ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବସ ଷ୍ଟାଣ୍ଡ ନିର୍ମାଣ, ଭିତ୍ତିଭୂମିର ସ୍ଥାପନା ଦେବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି |
୮. ସରକାରଙ୍କର ବର୍ତ୍ତମାନର ସ୍ଵାସ୍ଥ୍ୟ ପରିଚାଳନାରେ କେତେକ ଘରୋଇ ହସ୍ପିଟାଲ ମିଥ୍ୟା ବିଲ୍ ଦେଇ ସରକାରୀ ପାଣ୍ଠିରୁ କୋଟି କୋଟି ଟଙ୍କା ଲୁଟ କରୁଛନ୍ତି l

୯. ଶିଳ୍ପ ପାଇଁ ଜମି ଦେଇଥିବା ବିସ୍ଥାପିତ ପରିବାରକୁ ଏବେ ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନି, ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାରର ବ୍ୟବସ୍ଥା କରାଯାଇ ନାହିଁ ।

୧୦. ଜଳ, ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ: କଣ୍ଟାମାଳ ଆସନରେ ବିଜେଡିର ପୁନର୍ବାର ଗଡ଼ ଦଖଲ ପାଇଁ ଉଦ୍ୟମ - Kantamal Assembly


ଏହି ଅବସରରେ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ତଥା ଅନୁଗୋଳ ବିଧାନସଭା ଆସନ ପ୍ରାର୍ଥୀ ଅମ୍ବିକା ପ୍ରସାଦ ଭଟ୍ଟ କହିଛନ୍ତି ଯେ, ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରାଯାଇଛି ଯେଉଁଥିରେ ଚାଷୀଙ୍କୁ ବୋନସ ସହ ଧାନର କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩୦୦୦ ଟଙ୍କା ଓ କୃଷିଋଣ ଛାଡ଼ କରାଯିବ ପାଇଁ ଗ୍ୟାରେଣ୍ଟି ଦିଆଯାଇଛି । ସେହିପରି ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ କରାଯିବ ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ଓ ମାସିକ ୩୦୦୦ ଟଙ୍କା ବେକାରୀ ଭତ୍ତା ଦିଆଯିବ । ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରିବା ସହ ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା ଦିଆଯିବ । ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ସିଲିଣ୍ଡର ଦିଆଯିବ । ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯିବ । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ଦିଆଯିବ । ରାଜ୍ୟରେ ଜାତିଭିତ୍ତିକ-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା କରାଯିବ ।

ଅନୁଗୋଳ ଜିଲ୍ଲାର ଅନେକ ମୌଳିକ ସୁବିଧା ସାଧାରଣ ଜନତାଙ୍କ ପାଇଁ ଆଜିବି ଅପହଞ୍ଚ ହୋଇରହିଛି । ଅନୁଗୋଳବାସୀ ମିଥ୍ୟା ପ୍ରହେଳିକାରେ ନ ଭାସି କଂଗ୍ରେସକୁ ଭୋଟ ଦେଇ ବିଜୟୀ କଲେ, ନିଶ୍ଚିତ ଦଳ ପ୍ରାଥମିକତାର ସହ ସେସବୁ ସମାଧାନ କରିବ ବୋଲି ଜିଲ୍ଲା ସଭାପତି ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମ୍ମିଳନୀରେ ତାଳଚେର ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ଦାସ ତାଳଚେରରେ ଚାଲିଥିବା ମାଫିଆରାଜର ଅନ୍ତ କରିବା, ବିସ୍ଥାପିତ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ସହ ପ୍ରତି ଗାଆଁରୁ ସର୍ବନିମ୍ନ ୨୦୦ ଜଣକୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏତଦ୍‌ବାଦ ମେଡିକାଲ କଲେଜ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା, ଶିକ୍ଷା, ସ୍ବାସ୍ଥ୍ୟ, ଓ ଗମନାଗମନ ପ୍ରତି ପ୍ରାଥମିକତା ଦେବା ପାଇଁ ଘୋଷଣା କରିଛନ୍ତି । ଗଣତନ୍ତ୍ର, ସମ୍ବିଧାନର ସୁରକ୍ଷା, ବାସ୍ତବିକ ବିକାଶ ଓ ଓଡ଼ିଶାର ସ୍ୱାଭିମାନ ପାଇଁ କଂଗ୍ରେସ ସରକାର ଜରୁରୀ କହିଛନ୍ତି କଂଗ୍ରେସ ନେତା ।

ଇଟିଭି ଭାରତ, ଅନୁଗୋଳ

Last Updated : May 1, 2024, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.