ETV Bharat / politics

ଶାହଙ୍କ ରଣହୁଙ୍କାର: ୧୫ରୁ ଅଧିକ ଲୋକସଭା, ୭୫ରୁ ଅଧିକ ବିଧାନସଭା ଜିତିବ ବିଜେପି - Amit Shah at Rourkela

author img

By ETV Bharat Odisha Team

Published : May 17, 2024, 10:32 PM IST

Amit Shah at Rourkela: ରାଉରକେଲାରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ ଟାର୍ଗେଟ କଲେ ଶାହ । କହିଲେ ଓଡିଶାରେ ୧୫ରୁ ଅଧିକ ଲୋକସଭା ସିଟ୍‌ ଏବଂ ୭୫ରୁ ଅଧିକ ବିଧାନସଭା ସିଟ୍‌ରେ ବିଜେପି ବିଜୟୀ ହେବ । ଅଧିକ ପଢ଼ନ୍ତୁ

Amit Shah at Rourkela
Amit Shah at Rourkela (ETV Bharat Odisha)

Amit Shah at Rourkela (ETV Bharat Odisha)

ରାଉରକେଲା: ପୁଣି ଶାହଙ୍କ ଟାର୍ଗେଟରେ ବିଜେଡି ଓ ରାଜ୍ୟ ସରକାର । ଏଥର ରାଉରକେଲାରୁ ବର୍ଷିଲେ । ଓଡିଶାରେ ୧୫ରୁ ଅଧିକ ଲୋକସଭା ସିଟ ଏବଂ ୭୫ରୁ ଅଧିକ ବିଧାନସଭା ସିଟ୍‌ରେ ବିଜେପିର ବିଜୟ ନେଇ ବାଢ଼ିଲେ ଦୃଢୋକ୍ତି । ସେହିଭଳି ବିଜେଡିକୁ ଲୁଟେରା ସରକାର କହି ଟାର୍ଗେଟ କଲେ କେନ୍ଦ୍ର ଗୃହମନ୍ତ୍ରୀ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଉରକେଲା ସହ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାର ରାଜନୀତି ସରଗରମ ହୋଇଛି । ଆଗାମୀ ୨୦ ତାରିଖରେ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ସମେତ ଏହା ଅଧୀନ ୭ ବିଧାନଭା ଆସନରେ ପଡ଼ିବ ଭୋଟ । ସୁନ୍ଦରଗଡ଼ ଦଖଲ ପାଇଁ ବିଭିନ୍ନ ଦଳ ଆପଣାଇଛନ୍ତି ବିଭିନ୍ନ ରଣକୌଶଳ । ବିଶେଷ କରି ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ଘନ ଘନ ସୁନ୍ଦରଗଡ ଜିଲ୍ଲା ଗସ୍ତ ଜାରି ରହିଛି । ଏହାରି ମଧ୍ୟରେ ରାଉରକେଲାରେ ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

'ନିର୍ବାଚନ ଫଳାଫଳ ଏକ ପାଖିଆ ହେବ': ରାଉରକେଲାରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରି ସିଧାସଳଖ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ଶାହ । ସେ କହିଛନ୍ତି, "ରାଜ୍ୟରେ ବିକାଶ ବର୍ତ୍ତମାନ ନିମ୍ନଗାମୀ । ତେଣୁ ଓଡ଼ିଶାରେ ନିଶ୍ଚିତ ଡବଲ ଇଞ୍ଜିନ ସରକାର ଦରକାର । ଏ ରାଜ୍ୟ ସରକାର କେବଳ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ନେଇ ନିଜିକରଣ କରି ଲୋକଙ୍କୁ ଭୁଆଁ ବୁଲାଉଛି । ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଏବଂ ଗ୍ରାମାଞ୍ଚଳର ଉନ୍ନତି ଏବଂ ଗମନାଗମନ ସହ ସମସ୍ତ ଉନ୍ନତିମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଛି, କାର୍ଯ୍ୟକାରୀ କମ ହେଉଛି । ଏଥର ନିର୍ବାଚନ ଫଳାଫଳ ଏକ ପାଖିଆ ହେବ । ଓଡିଶାରେ ୧୫ରୁ ଅଧିକ ଲୋକସଭା ସିଟ୍‌ ଏବଂ ୭୫ରୁ ଅଧିକ ବିଧାନସଭା ସିଟ୍‌ରେ ବିଜେପି ବିଜୟୀ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସର ସମ୍ବିଧାନ ପରିବର୍ତ୍ତନ ଦାବି ନେଇ ମୁହଁ ଖୋଲିଲେ ଶାହ, କେଜ୍ରିଓ୍ବାଲଙ୍କୁ ମଧ୍ୟ କଲେ ଟାର୍ଗେଟ - Amit Shah Interview

ବିଜେଡି ଉପରେ ବର୍ଷିଲେ: ରାଉରକେଲାରେ ସିଧାସଳଖ ବିଜେଡିକୁ ଟାର୍ଗେଟ କରିଥିଲେ ଅମିତ ଶାହ । ବିଜେଡି ଓ ନବୀନ ବାବୁଙ୍କ ସରକାର ଲୁଟେରା ସରକାର ବୋଲି କହି ଟାର୍ଗେଟ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ସେ କହିଥିଲେ, "ଓଡ଼ିଶାର ଶାସନ ଓଡ଼ିଆ ଚଳାଇବା ବଦଳରେ ଏଠାରେ ତାମିଲ ଶାସନ ଚାଲିଛି । ଏହାକୁ ଏଥର ଲୋକେ ଆଉ ସହିବେ ନାହିଁ । ନବୀନ ପଟ୍ଟନାୟକ ଉତ୍ତର ଦେବା କଥା, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କାହା ପାଖରେ ଅଛି ? ପଶ୍ଚିମ ଓଡିଶା ସହ ବିଜେଡି ସରକାର ସବୁବେଳେ ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ବିଜେଡି ଆଦିବାସୀଙ୍କୁ ଅବହେଳା କରୁଥିବାବେଳେ ବିଜେପି ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ସ୍ଥାନରେ ଅଳଙ୍କୃତ କରିଛି । ବିଜେପି ସରକାର ଆସିଲେ ୩ ମାସରେ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ କରିବ । ନବୀନ ବାବୁ କେବଳ ବ୍ୟାଗ ଦେଉଛନ୍ତି, କେନ୍ଦ୍ର ସରକାର ଚାଉଳ ଦେଉଛି । କିନ୍ତୁ ଏହାକୁ ନିଜ ଯୋଜନା କହି ଲୋକଙ୍କୁ ଭୁଆଁ ବୁଲାଉଛି ବିଜେଡି ସରକାର ।" ରାଜ୍ୟ ସରକାର ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିକୁ ଅପମାନ କରୁଛନ୍ତି ବୋଲି ଗମ୍ଭୀର ଆରୋପ ଲଗାଇଛନ୍ତି ଶାହ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.