ETV Bharat / politics

ଆପ୍‌ ସରକାରରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବଦଳରେ କିଏ; କମାଣ ସମ୍ଭାଳିବେ କି ପତ୍ନୀ ? - Delhi Cm Arvind Kejriwal

author img

By ETV Bharat Odisha Team

Published : Mar 22, 2024, 9:32 PM IST

Delhi CM Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପରେ କଣ ଜେଲରୁ ଚାଲିବ କି ସରକାର ? କଣ ଏହା ସମ୍ଭବ ହେବ ? ନା ଆପ୍‌ ସରକାରର ଅନ୍ୟ କେହି ମନ୍ତ୍ରୀ ନା କେଜ୍ରିୱାଲଙ୍କ ଧର୍ମପତ୍ନୀ ସମ୍ଭାଳିବେ କମାଣ ? ଅଧିକ ପଢନ୍ତୁ

Delhi CM Arvind Kejriwal
Delhi CM Arvind Kejriwal

ନୂଆଦିଲ୍ଲୀ: ଆମ ଆଦମି ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ଏବେ କଣ ଜେଲରୁ ଚାଲିପାରିବ କି ସରକାର ? ଇଡି ଦ୍ବାରା ଏକାଧିକ ଥର କେଜ୍ରିୱାଲଙ୍କୁ ସମନ ଜାରି କରାଯିବା ପରେ ଦଳର ଶୀର୍ଷ ନେତୃତ୍ବଙ୍କ ମଧ୍ୟରେ ଏହି ପ୍ରଶ୍ନ ଉଠିଥିଲା । ଜେଲରୁ ରହି ଆପ୍‌ ସରକାର ଚାଲିବ ବୋଲି ଦଳୀୟ ନେତା କହିଥିଲେ । ଗୁରୁବାର ଯେତେବେଳେ କେଜ୍ରିୱାଲଙ୍କୁ ଇଡି ଗିରଫ କଲା ସେତେବେଳେ ମଧ୍ୟ ଦଳୀୟ ନେତା ସମାନ କଥାକୁ ଦୋହରାଇଥିଲେ । ହେଲେ ବାସ୍ତବରେ କଣ ଜେଲରୁ ସରକାର ସମ୍ଭାଳିବା ସମ୍ଭବ ହେବ ? ଏହା ଏବେ ବଡ଼ ପ୍ରଶ୍ନ । ଯଦି ଏପରି ନ ହୁଏ, ତେବେ ଆପ ନେତା ଆତିଶି, ସୌରଭ, ଗୋପାଳ ରାୟ ନା କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ସମ୍ଭାଳିବେ କମାଣ । ଏ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆପ୍‌ ସରକାରରେ ନେତୃତ୍ବ ସଙ୍କଟରେ !:- ସମ୍ବିଧାନ ବିଶେଷଜ୍ଞ ଏସ.କେ ଶର୍ମାଙ୍କ କହିବାନୁଯାୟୀ ଯେତେବେଳ ପର୍ଯ୍ୟନ୍ତ କେଜ୍ରିୱାଲ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି, ସେତେବେଳ ପର୍ଯ୍ୟନ୍ତ ତାଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ପଦ ରହିପାରିବ । କିନ୍ତୁ ପ୍ରାକ୍ଟିକାଲି ଦେଖିଲେ, ଜେଲରୁ ରହି ସରକାରୀ କାର୍ଯ୍ୟ ଚଲାଇବା ସହଜ ନୁହେଁ । ସରକାରୀ ଯୋଜନା, ନିଷ୍ପତ୍ତି ଓ ସହମତି ନେବା ଲାଗି ପ୍ରଥମେ କୋର୍ଟଙ୍କ ଅନୁମତି ଆଣିବାକୁ ପଡିବ । ଏହାପରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ମତ ନେବା ଲାଗି ଜେଲକୁ ଯିବାକୁ ଅନୁମତି ମିଳିବ । ଏଭଳି ସ୍ଥିତିରେ ଏବେ ଚର୍ଚ୍ଚା ହେଉଛି ଯେ 'ଆପ୍‌ ସରକାରରେ ନେତୃତ୍ବ ସଙ୍କଟ ଉତ୍ପନ୍ନ ହୋଇନି ତ ?' କାରଣ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦଳର ଶୀର୍ଷ ନେତା ଏବେ ଜେଲରେ ବନ୍ଦୀ ହୋଇ ରହିଛନ୍ତି । ଯେଉଁମାନେ ପୁରୁଣା ସହଯୋଗୀ ଥିଲେ, ସେମାନଙ୍କଠାରୁ କେଜ୍ରିୱାଲ ସମ୍ପର୍କ ଛିନ୍ନ କରିସାରିଛନ୍ତି ।

ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚେହେରା କିଏ ? :- ଅରବିନ୍ଦ କେଜ୍ରିୱାଲଙ୍କ ପୁରୁଣା ସହଯୋଗୀ ତଥା ସୁପ୍ରିମକୋର୍ଟଙ୍କ ପୂର୍ବତନ ଜଷ୍ଟିସ ସନ୍ତୋଷ ହେଗଡେ କେଜ୍ରିୱାଲଙ୍କ ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, " କ୍ଷମତାକୁ ଆସିଲେ ଲୋଭ ମଣିଷ ଉପରେ ଭାରି ପଡେ । ଯାହାକି ସ୍ପଷ୍ଟ ଭାବେ ଦେଖିବାକୁ ମିଳେ । ଲାଗୁଥିଲା ଆପ୍‌ ସରକାର ଏହାଠୁ ଦୂରେଇ ରହିବ । ହେଲେ ତାହା ବାସ୍ତବରେ ଘଟିନଥିଲା ।" ସନ୍ତୋଷ ହେଗଡ଼େଙ୍କ ଏପରି ପ୍ରତିକ୍ରିୟାରୁ ସ୍ପଷ୍ଟ ସେ କେଜ୍ରିୱାଲଙ୍କ ବିରୋଧରେ ଅଛନ୍ତି । ତେବେ ଏଠାରେ ପ୍ରଶ୍ନ ଯଦି କେଜ୍ରିୱାଲ ନିଜେ ଆଗକୁ ଆସି ଇସ୍ତଫା ଦିଅନ୍ତି, ତେବେ ଆପ୍‌ ସରକାରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ?

ଏହା ବି ପଢନ୍ତୁ- ଦିଲ୍ଲୀ ଅବକାରୀ ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ କେଜ୍ରିୱାଲ: ଇଡି

ଆସନ୍ତା ସାଧାରଣ ନିର୍ବାଚନ ଲାଗି ଇଣ୍ଡିଆ ମେଣ୍ଟରେ ଆପ୍‌ ସାମିଲ ହୋଇଥିଲା । ମେଣ୍ଟ ସରକାରରେ ନିର୍ବାଚନ ଲଢିବାକୁ ଆପ୍‌ ନିଷ୍ପତ୍ତି ନେଇଥିଲା । କେଜ୍ରିୱାଲଙ୍କ ଗିରଫଦାରୀ ପରେ ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କିଛି ଦଳୀୟ ବିଧାୟକ ଓ କର୍ମକର୍ତ୍ତା ତାଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିନ୍ତୁ ଅଧିକାଂଶ ବିଧାୟକଙ୍କ ଦେଖା ମିଳିନଥିଲା । ଆଜି ଯେତେବେଳେ ଇଡି କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରିଥିଲା, ସେତେବେଳେ ଦଳୀୟ ବିଧାୟକ ଓ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ପରିବାରକୁ ଭେଟିଥିଲେ । ଏଭଳି କଠିନ ସମୟରେ ସେ ତାଙ୍କ ପରିବାର ସହିତ ଥିବା ଦର୍ଶାଇଥିଲେ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ, ସଞ୍ଜୟ ସିଂ ଓ ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ ତିହାର ଜେଲରେ ବନ୍ଦୀ ଅଛନ୍ତି । ଦଳର ଏହି ଶୀର୍ଷ ନେତୃତ୍ବ ଗିରଫ ହେବା ପରେ ଆତିଶି ଓ ସୌରଭ ଭରଦ୍ବାଜଙ୍କ ଗୁରୁତ୍ବ ପୂର୍ବାପେକ୍ଷା ବୃଦ୍ଧି ପାଇଥିଲା । ଏହି ଦୁଇ ନେତାଙ୍କ ଉପରେ କେଜ୍ରିୱାଲ ଭରସା କରି ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ । ତେବେ କଣ ଏହି ଦୁଇ ନେତାଙ୍କୁ ଦାୟିତ୍ବ ମିଳିବ ? ଏହି ଦୌଡ଼ରେ ଆତିଶି, ସୌରଭ ଭରଦ୍ବାଜ, ଗୋପାଳ ରାୟ ଓ ସାଂସଦ ସନ୍ଦୀପ ପାଠକଙ୍କ ନାମ ରହିଛି ।

କଣ କହେ 'ମେଁ ଭି କେଜ୍ରିୱାଲ' କ୍ୟାମ୍ପେନ:- ଗତ ବର୍ଷ ଡିସେମ୍ବରରେ ଆମ ଆଦମି ପାର୍ଟି ପକ୍ଷରୁ ହସ୍ତାକ୍ଷର କ୍ୟାମ୍ପେନ 'ମେଁ ଭି କେଜ୍ରିୱାଲ' ଆରମ୍ଭ ହୋଇଥିଲା । ଏହା ମାଧ୍ୟମରେ ଲୋକଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବା ଉଚିତ ନା ଗିରଫଦାରୀ ପରେ ମଧ୍ୟ ଜେଲରୁ ସରକାର ଚଲାଇବା ଉଚିତ ? ଏହି ଅଭିଯାନକୁ ନେଇ ଦଳୀୟ ସାଂସଦ ସନ୍ଦୀପ ପାଠକ କହିଥିଲେ, "90 ପ୍ରତିଶତ ଦିଲ୍ଲୀବାସୀଙ୍କ ମତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହିଁ ରୁହନ୍ତୁ । ସେ ଜେଲରେ ରୁହନ୍ତୁ ବା ବାହାରେ ମୁଖ୍ୟମନ୍ତ୍ରୀ ସେ ହିଁ ରହିବେ ।" ଏବେ ଯେତେବେଳେ କେଜ୍ରିୱାଲ ଗିରଫ ହୋଇସାରିଛନ୍ତି, ତେବେ କିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ରହିବ ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.