ETV Bharat / politics

ETV Bharat EXCLUSIVE: 'ମୋଦି ଆଉଟ୍‌ ଗୋଇଙ୍ଗ୍‌ ପିଏମ୍‌, ୨୦୦୪ ଫଳାଫଳ ପୁନରାବୃତ୍ତି ହେବ' - Jairam Ramesh EXCLUSIVE Interview

author img

By ETV Bharat Odisha Team

Published : May 14, 2024, 7:19 PM IST

Jairam Ramesh EXCLUSIVE Interview: ଓଡ଼ିଶାରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ବିଜେପି-ବିଜେଡି ଉପରେ ବର୍ଷିଲେ । କହିଲେ 'ବିଜେପି ଦକ୍ଷିଣରେ ସଫା, ପୂର୍ବ-ପଶ୍ଚିମ-ଉତ୍ତରରେ ଅଧା' । ଅଧିକ ପଢ଼ନ୍ତୁ

Jairam Ramesh EXCLUSIVE Interview
Jairam Ramesh EXCLUSIVE Interview (ETV Bharat Odisha)

Jairam Ramesh EXCLUSIVE Interview (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଜୟରାମ ରମେଶ । ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ ନେଇ ବାଢ଼ିଲେ ଦୃଢ଼ୋକ୍ତି । ଓଡ଼ିଶାରେ ବିଜେଡି ବିଜେପି ମେଣ୍ଟ ବିରୋଧରେ କଂଗ୍ରେସର ମୁକାବିଲା ବୋଲି କହିଲେ ଜୟରାମ ରମେଶ । ଦେଶରେ ସମ୍ବିଧାନର ନୀତି ନିୟମ ଆଜି ବିପଦରେ । ତେଣୁ ବିଜେପି ସରକାରକୁ ଲୋକେ ଦୂରେଇବେ ଓ ଜୁନ ୪ ତାରିଖରେ ୨୦୦୪ ନିର୍ବାଚନ ଫଳାଫଳର ପୁନରାବୃତ୍ତି ହେବାକୁ ଯାଉଛି ବୋଲି କହିଛନ୍ତି ଜୟରାମ ରମେଶ ।

'ବିଜେପି ଦକ୍ଷିଣରେ ସଫା, ପୂର୍ବ-ପଶ୍ଚିମ-ଉତ୍ତରରେ ଅଧା': ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଜୟରାମ ରମେଶ କହିଛନ୍ତି, "୨୦୨୪ ସାଧାରଣ ନିର୍ବାଚନରେ ସବୁ ପର୍ଯ୍ୟାୟରେ ଇଣ୍ଡିଆ ମେଣ୍ଟ ଅଦ୍ଭୂତପୂର୍ବ ସଫଳତା ହାସଲ କରିବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ମୁଁ କହୁଥିଲି ବିଜେପି ଦକ୍ଷିଣରେ ସଫା, ଉତ୍ତରରେ ଅଧା ବୋଲି । ହେଲେ ୩ ପର୍ଯ୍ୟାୟ ପରେ ମୁଁ କହୁଛି, ବିଜେପି ଦକ୍ଷିଣରେ ସଫା, ପୂର୍ବ, ପଶ୍ଚିମ ଓ ଉତ୍ତରରେ ଅଧା । ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ସିଟ୍‌ରେ ନିର୍ବାଚନ ସରିଛି, ସବୁଠାରେ ଇଣ୍ଡିଆ ମେଣ୍ଟ ଭଲ ପ୍ରଦର୍ଶନ କରିବ । ବିଜେପି ସମାଜରେ ଘୃଣାର ବାତାବରଣ ସୃଷ୍ଟି କରୁଛି । ତେଣୁ ଆଜି ଦେଶର ଦଳିତ, କୃଷକ, ଯୁବବର୍ଗ, ମହିଳା, ଶ୍ରମିକ ବିଜେପିକୁ ଗାଦିରୁ କାଢ଼ିବାକୁ ମନସ୍ଥ କରିସାରିଲେଣି ।"

'୨୦୨୪ରେ ପୁନରାବୃତ୍ତି ହେବ ୨୦୦୪ ଫଳାଫଳ': ଏଥର ପୁଣି ୨୦୦୪ ନିର୍ବାଚନ ଫଳାଫଳର ପୁନରାବୃତ୍ତି ହେବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ଜୟରାମ ରମେଶ । ସେ କହିଛନ୍ତି, "୨୦୦୩ରେ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଆମେ ହାରିଥିଲୁ । ହେଲେ ୨୦୦୪ରେ କଂଗ୍ରେସ ସରକାର ଗଠନ ହେଲା । ୨୦୨୪ରେ ମଧ୍ୟ ସମାନ ଫଳ ଆସିବ । ଦେଶରେ ଚାଷୀ ସମସ୍ୟା, ଯୁବ ବର୍ଗ ଅବହେଳିତ, ଆଦିବାସୀ ଶୋଷଣର ଶିକାର ହେଉଛନ୍ତି । ମହିଳା ସୁରକ୍ଷା ବଡ଼ ପ୍ରଶ୍ନ ପାଲଟିଛି । ୨୦୦୬ରେ ବନ ଅଧିକାର ଅଧିନିୟମ କରାଗଲା ହେଲେ ମୋଦି ସରକାର ତାକୁ ଦୁର୍ବଳ କରିଦେଲେ । ପଲ୍ଲୀସଭାକୁ ମଧ୍ୟ ଗୁରୁତ୍ବହୀନ କରିଦେଲେ ମୋଦି ସରକାର । ୧୦ ବର୍ଷରେ ୨୧ ଜଣ ପୁଞ୍ଜିପତିଙ୍କ ପାଖରେ ସବୁଠୁ ଅଧିକ ଧନ ମହଜୁଦ ଅଛି । ସେହି ସବୁ ଆଧାରରୁ ହିଁ ସ୍ପଷ୍ଟ ହେଉଛି ଦେଶରେ ସବୁ ବର୍ଗ ବିଜେପିଠାରୁ ଦୂରେଇ ଯାଇଛନ୍ତି । ମୋଦି ଏବେ ଆଉଟ୍‌ ଗୋଇଙ୍ଗ ପିଏମ୍‌ ହୋଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ରଧାନମନ୍ତ୍ରୀଙ୍କୁ କଡା ସମାଲୋଚନା କଲେ ଅଜୟ କୁମାର, କହିଲେ ମୋଦି ସବୁଥିରେ ଦୁର୍ବଳ - Ajoy Kumar Press Meet

'ନବୀନ ପଟ୍ଟନାୟକ କୁଆଡେ ଗଲେ ?': ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାର ଅବସରରେ ରମେଶ ବିଜେଡି ଉପରେ ମଧ୍ୟ ବର୍ଷିଛନ୍ତି । ସେ କହିଛନ୍ତି, "ବିଜେପି CBI ଓ EDକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି । ଓଡ଼ିଶାରେ ସବୁ କଣ ସତ୍ୟବାନ ? କାହିଁକି ଓଡ଼ିଶାରେ CBI ଓ ED ରେଡ୍‌ ହେଉନାହିଁ ? ମମତା ବାନର୍ଜୀ, ହେମନ୍ତ ସୋରେନ, ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା । ଓଡ଼ିଶାରେ କାହିଁକି ବିଜେପି ଚୁପ ? ନବୀନ ପଟ୍ଟନାୟକ କୁଆଡେ ଗଲେ ? କିଏ ଶାସନ ଚଳାଉଛି ? ଓଡ଼ିଶାର ଯୁବବର୍ଗକୁ କାହିଁକି ଚାକିରୀ ମିଳୁନାହିଁ ? ଓଡିଶା ବାହାରକୁ ଦାଦନ ଖଟିବାକୁ ମାଳ ମାଳ ଯୁବବର୍ଗ ଯାଉଛନ୍ତି । କୃଷକ, ଯୁବବର୍ଗ, ମହିଳା, ଶ୍ରମିକ ପରିବର୍ତ୍ତନ ଚାହୁଁଛନ୍ତି । ଓଡ଼ିଆ ଜନସାଧାରଣଙ୍କ ପାଇଁ କଂଗ୍ରେସ ନ୍ୟାୟ ଅଧିକାର ଦେବ । ସବୁବର୍ଗ ପାଇଁ କଂଗ୍ରେସ ଗ୍ୟାରେଣ୍ଟି ଦେବ ।" କଂଗ୍ରେସ ୨୪ ବର୍ଷ ହେଲା କ୍ଷମତା ଠାରୁ ଦୂରରେ । ୨୦୨୪ରେ ଓଡ଼ିଶାରେ କଂଗ୍ରେସ ଦୃଢ଼ତାର ସହ ଲଢ଼ୁଛି ଏବଂ ଏଆଇସିସିର ଫୋକସରେ ରହିଛି ବୋଲି କହିଛନ୍ତି ଜୟରାମ ରମେଶ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.