ETV Bharat / politics

ବାରବାଟୀ ନଭାଙ୍ଗି ସମ୍ପ୍ରସାରଣ କର, ନହେଲେ ଐତିହ ହେବ ଧୂଳିସାତ: ମୋକିମ

author img

By ETV Bharat Odisha Team

Published : Feb 23, 2024, 4:25 PM IST

Moquim opposed demolition of Barabati Stadium
Moquim opposed demolition of Barabati Stadium

MLA Moquim opposed demolition of Barabati Stadium: କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ ସମ୍ପୂର୍ଣ୍ଣ ଭଙ୍ଗାଯିବା ନିଷ୍ପତ୍ତିକୁ କଂଗ୍ରେସ ନେତା ତଥା ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧ । କହିଲେ ଇତିହାସକୁ ନଭାଙ୍ଗି କରାଯାଉ ସମ୍ପ୍ରସାରଣ । ଅଧିକ ପଢ଼ନ୍ତୁ

Moquim opposed demolition of Barabati Stadium

କଟକ: ବାରବାଟୀ ଷ୍ଟାଡିୟମ ନବକଳେବର ପାଇଁ ରାଜ୍ୟ ସରକାର ଘୋଷଣା କରିବା ପରେ ଏହାକୁ ବିରୋଧ ନେଇ ଉଠିଲାଣି ସ୍ବର । ସ୍ଥାନୀୟ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଆଜି ଓଡିଶା କ୍ରିକେଟ ସଙ୍ଘକୁ କରିଛନ୍ତି ସିଧାସଳଖ ଟାର୍ଗେଟ । ବାରବାଟୀ ଷ୍ଟାଡିୟମର ନୂଆ ଲୁକ୍‌ ପାଇଁ ଷ୍ଟାଡିୟମକୁ ଭାଙ୍ଗିବା ଯୋଜନାକୁ ସମ୍ପୂର୍ଣ୍ଣ ନିନ୍ଦା କରିବା ସହ କଟକର ଐତିହ ଓ କୀର୍ତ୍ତୀରାଜିକୁ ନଭାଙ୍ଗି ଏହାର ସମ୍ପ୍ରସାରଣ କରିବାକୁ ଦାବି କରିଛନ୍ତି ବିଧାୟକ । ଯଦି ଏହା ବ୍ୟତୀତ ଅନ୍ୟ କୌଣସି ଯୋଜନା ରଖିଛନ୍ତି ସରକାର, ତେବେ କଟକରେ ଆଉ ଏକ ଷ୍ଟାଡିୟମ କରି ସେଠାରେ କ୍ରିକେଟର ବିକାଶ କରାନ୍ତୁ ବୋଲି ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଧାୟକ ମହମ୍ମଦ ମୋକିମ ।

ଐତିହାସିକ ବାରବାଟୀ ଷ୍ଟାଡିୟମ ଭାଙ୍ଗି ଏକ ନୂଆ ରୂପରେ ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ଗତ ୨୦ ତାରିଖ ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ନୂଆ ଷ୍ଟାଡିୟମରେ ୬୦ ହଜାର ଦର୍ଶକ ବସିବା ପାଇଁ ବ୍ୟବସ୍ଥା ରହିବ ଓ ଏହାକୁ ବିଶ୍ବସ୍ତରୀୟ କରାଯିବ ବୋଲି କୁହାଯାଉଛି । ହେଲେ ମୋକିମଙ୍କ କହିବା କଥା, "ଷ୍ଟାଡିୟମ ହେଉଛି କଟକ ସହରର ଅନ୍ୟତମ ବୈଶିଷ୍ଟ୍ୟ । ଏହା ହେଉଛି ଭାରତ ଓ ଭାରତ ବାହାରେ କ୍ରୀଡା ଜଗତରେ ସାରା ବିଶ୍ବରେ ଓଡ଼ିଶାର ଅନ୍ୟତମ ପରିଚୟ ଓ ଗୌରବ । ଏହି ଷ୍ଟାଡିୟମ ନିର୍ମାଣରେ ଗଭୀର ଐତିହାସିକ ଓ ସମ୍ବେଦନଶୀଳ ପୃଷ୍ଠଭୂମି ରହିଛି ଏବଂ ଏଠାରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତା ସଫଳତାର ସହିତ ଅନୁଷ୍ଠିତ ହୋଇ ଏହି ଷ୍ଟାଡିୟମ ଆମ ରାଜ୍ୟ ଓଡ଼ିଶାର ଖ୍ୟାତିକୁ ବହୁ ଉଚ୍ଚକୁ ଉଠାଇଛି । ବାରବାଟି ଷ୍ଟାଡିୟମ ହାଜର ହଜାର କ୍ରୀଡାବିତ୍‌, ଲକ୍ଷ ଲକ୍ଷ କ୍ରୀଡ଼ାପ୍ରେମୀ, ବିଭିନ୍ନ ବର୍ଗର ଅଗଣିତ ବୁଦ୍ଧିଜୀବୀଙ୍କ ସମେତ ସାଢ଼େ ୪ କୋଟି ଓଡ଼ିଆଙ୍କର ଭାବାବେଗ ସହିତ ଘନିଷ୍ଠ ଭାବରେ ଜଡ଼ିତ । ଏହାସହ ବାରବାଟି ଷ୍ଟାଡିୟମ ହେଉଛି ଓଡିଶା ଅଲିମ୍ପିକ୍‌ ସଙ୍ଘର ଏବଂ ଏଥିରେ ସମସ୍ତ ପ୍ରକାର କ୍ରୀଡା ପ୍ରତିଯୋଗିତାର ବ୍ୟବସ୍ଥା ରହିଛି ।" ଏବେ ଏହାକୁ କେବଳ ଏକଚାଟିଆ ଭାବରେ କ୍ରିକେଟ ଉଦ୍ଦେଶ୍ୟରେ ବ୍ୟବହାର ବା ଉପଯୋଗ କରାଇବା ଯୋଜନାର ଅଧିକାର କିଏ ଓ କାହାକୁ ଦେଇଛି, ତାହା ଓଡିଶାବାସୀଙ୍କ ପାଖରେ ସ୍ପଷ୍ଟ ହେବା ଆବଶ୍ୟକ ବୋଲି ମୋକିମ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବସ୍ତରୀୟ ହେବ ବାରବାଟୀ: 3ବର୍ଷରେ ସରିବ କାମ, 60 ହଜାରକୁ ବଢ଼ିବ ସିଟ୍‌ ସଂଖ୍ୟା

ମୋକିମ ଆହୁରି କହିଛନ୍ତି, "ରାଜ୍ୟ ସରକାର କ୍ରିକେଟକୁ ନେଇ ଯେଉଁ ନୂଆ ନୂଆ ପରିକଳ୍ପନାର କଥା ସବୁ କହୁଛନ୍ତି ସେଗୁଡିକୁ କଟକବାସୀଙ୍କ ପକ୍ଷରୁ ସ୍ବାଗତ । ମାତ୍ର ଅତ୍ୟନ୍ତ ଦୁଃଖର କଥା, ଦେବାଶିଷ ମହାନ୍ତି ହେଉଛନ୍ତି ଭାରତୀୟ କ୍ରିକେଟ ଟିମରେ ଓଡ଼ିଶାରୁ ଶେଷ ଖେଳାଳି । ଗତ ପ୍ରାୟ ଦେଢ ଦଶନ୍ଧି ଭିତରେ ଓଡ଼ିଶାରୁ ଆଉ କୌଣସି ଯୁବ ଖେଳାଳି ଭାରତୀୟ ଟିମରେ ଖେଳିବାର ସୁଯୋଗ ପାଇପାରିନାହାନ୍ତି । ଏପରିକି ଆଇପିଏଲ୍‌ରେ ମଧ୍ୟ ଦୀର୍ଘବର୍ଷ ହେଲାଣି କୌଣସି ଓଡ଼ିଆ ପିଲାଙ୍କୁ କୌଣସି ସୁଯୋଗ ମିଳୁନାହିଁ । ଚଳିତ ବର୍ଷର ରଣଜୀ ଟ୍ରଫିରେ ଓଡ଼ିଶା ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଏବଂ ୭ ଗୋଟି ମ୍ୟାଚରୁ ମାତ୍ର ଗୋଟିଏ ଜିତିଛି ।" ଖେଳ ପ୍ରଦର୍ଶନରେ ଫେଲ ମାରିବା ପରେ ନୂଆ ଷ୍ଟାଡିୟମ ଗଢିବା କେତେଦୂର ଠିକ ତାହା ମଧ୍ୟ ଲୋକେ ବିଚାର କରିବେ ବୋଲି କହିଛନ୍ତି ବିଧାୟକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.