ETV Bharat / politics

ଟିକଟ ନମିଳିଲେ ଧର୍ମେନ୍ଦ୍ରଙ୍କୁ ଗାଳି ଦେବାକୁ ପଛାଇବେ ନାହିଁ ଦେବାଶିଷ: ବିଜେଡି - BJD targets Debashis Nayak

author img

By ETV Bharat Odisha Team

Published : Apr 11, 2024, 7:03 AM IST

BJD slams BJP leader Debashis Nayak: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସର ନେଇଯାଆନ୍ତୁ ବୟାନରେ ଦେବାଶିଷଙ୍କୁ ବିଜେଡିର ପାଲଟା ଜବାବ । କହିଲା, ଟିକଟ ନ ମିଳିଲେ ଧର୍ମେନ୍ଦ୍ରଙ୍କୁ ବି ଗାଳି ଦେବାକୁ ପଛାଇବେ ନାହିଁ ଦେବାଶିଷ ନାୟକ । ଅଧିକ ପଢନ୍ତୁ

Etv Bharat
Etv Bharat

ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଦେବାଶିଷଙ୍କ କଡା ସମାଲୋଚନାରେ ଜବାବ ଦେଲା ବିଜେଡି । ''ଟିକଟ ଖଣ୍ଡିଏ ପାଇବା ପାଇଁ ବ୍ୟାକୁଳ ଅଛନ୍ତି ବିଜେଡିରୁ ବିଜେପି ଯାଇଥିବା ଦେବାଶିଷ ନାୟକ । ଟିକଟ ପାଇଁ ବିକଳ ଅବସ୍ଥାରେ ସ୍କ୍ରିପ୍ଟ ପଢୁଛନ୍ତି । ଯଦି ବିଜେପିରୁ ଟିକଟ ନପାଇଲେ ତାହେଲେ ସେ ଧର୍ମେନ୍ଦ୍ରଙ୍କୁ ଗାଳି ଦେବାକୁ ପଛାଇବେ ନାହିଁ । ସବୁବେଳେ ନିଜ ସ୍ବାର୍ଥକୁ ଜଗୁଥିବା ଦେବାଶିଷ ନାୟକଙ୍କ ସାର୍ଟିଫିକେଟର ଆବଶ୍ୟକତା ନାହିଁ'' ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ଶାସନ ଭାର ସଠିକ ଭାବେ ସମ୍ଭାଳି ପାରୁନଥିବା ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଅବସର ନେଇଯାଆନ୍ତୁ କହି ବିଜେଡିକୁ ଟାର୍ଗେଟ କରିଥିଲେ ନିକଟରେ ବିଜେପି ସାମିଲ ହୋଇଥିବା ଦେବାଶିଷ ନାୟକ । ଏହାପରେ ଦେବାଶିଷଙ୍କୁ କାଉଣ୍ଟର କରିଛି ବିଜେଡି ।

ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ବିଜେପିରୁ ଟିକଟ ଖଣ୍ଡିଏ ପାଇବା ପାଇଁ ଦେବାଶିଷ ନାୟକ ବଡ ବିକଳ ଅବସ୍ଥାରେ ଅଛନ୍ତି । ଯାହା ଲେଖିକି ଦିଆଗଲା, ସେତିକି ଆସି ଗଣମାଧ୍ୟମ ସାମ୍ନାରେ ପଢ଼ିଦେଇ ଚାଲିଗଲେ । ଯଦି କାଲି ଦେବାଶିଷଙ୍କୁ ଓଡ଼ିଶା ବିଜେପି ଟିକଟ ନ ଦିଏ ତେବେ ତାଙ୍କୁ ସ୍କ୍ରିପ୍ଟ ଲେଖି ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗାଳି ଦେବାକୁ ମଧ୍ୟ ସେ ପଛାଇବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେବାଶିଷ ନାୟକ ନିଜ ରାଜନୈତିକ କ୍ୟାରିୟରରେ କେବେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିନାହାନ୍ତି । ନିଜ ସ୍ୱାର୍ଥକୁ ସବୁବେଳେ ପ୍ରାଧାନ୍ୟ ଦେଉଥିବା ଦେବାଶିଷଙ୍କର ସାର୍ଟିଫିକେଟର କୌଣସି ଆବଶ୍ୟକତା ନାହିଁ । ସାଢେ ୪ କୋଟି ଓଡ଼ିଶାବାସୀ ଜାଣିଛନ୍ତି କିଏ କ'ଣ ।

ଏହା ମଧ୍ୟ ପଢନ୍ତୁ: ପାଣ୍ଡିଆନଙ୍କ ମନ୍ତବ୍ୟକୁ ବିଜେପିର କଟାକ୍ଷ, ଦେବାଶିଷ କହିଲେ ବିଧାୟକ ଓ ସାଂସଦ ନୋମିନେସନ ନକରନ୍ତୁ - BJP Press Meet

ସୂଚନା ଅନୁସାରେ, ଗତକାଲି (ବୁଧବାର) ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବାଶିଷ ନାୟକ କହିଥିଲେ ଯେ, ଶାସନ ଭାର ସଠିକ ଭାବେ ସମ୍ଭାଳି ପାରୁନଥିବା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଅବସର ଗ୍ରହଣ କରନ୍ତୁ । ମୁଖ୍ୟମନ୍ତ୍ରୀ ଏବଂ ବିଜେଡ଼ିକୁ ଭୋଟ ଦେବା ପାଇଁ ଭି.କେ ପାଣ୍ଡିଆନ ଅପିଲ କରି ନିଜର ଯେଉଁ ଅସହାୟତା ପ୍ରକାଶ କରିଛନ୍ତି ତାହା ସୂଚାଉଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ହ୍ରାସ ପାଇଛି । ବର୍ତ୍ତମାନ ବିଜେଡି ନେତା, ମନ୍ତ୍ରୀ, ସାଂସଦ, ବିଧାୟକ, ନିର୍ବାଚିତ ଜନପ୍ରତିନିଧିମାନଙ୍କର କୌଣସି କତୃତ୍ୱ ନାହିଁ । ସମସ୍ତଙ୍କ ସମ୍ମାନ ଓ ସ୍ୱାଭିମାନକୁ କାଢ଼ି ନେଇ ନାଳ ନର୍ଦ୍ଦମାରେ ପକାଇ ଦେଇଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.