ETV Bharat / politics

ବିରୋଧୀ ଦଳ ହେଉଛନ୍ତି ଓଡିଶା ବିକାଶର ବିରୋଧୀ, ବିରୋଧୀଙ୍କ ପାଇଁ ମୁଁ ଡାଇଭଲ ବଟିକା: ଅରୁଣ ସାହୁ

author img

By ETV Bharat Odisha Team

Published : Feb 8, 2024, 5:33 PM IST

Arun Sahoo Attacks Opposition: ପରୀ ହତ୍ୟା ମାମଲାରେ ରାୟ ଆସିବା ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଘଟଣାରେ ବିବାଦୀୟ ହୋଇଥିବା ବିଜେଡି ବିଧାୟକ ଅରଣୁ ସାହୁ । ସିଧାସଳଖ ନହେଲେ ବି ଇଙ୍ଗିତ କରି ବିଧାନସଭାରେ ଅରୁଣ କୁମାର ସାହୁ ମତ ରଖିଛନ୍ତି । ବିରୋଧୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

ଅରୁଣ ସାହୁ
ଅରୁଣ ସାହୁ

ଭୁବନେଶ୍ବର: ବିଧାନସଭାରେ ବିରୋଧୀଙ୍କୁ ଶାଣିତ ପ୍ରତି ଆକ୍ରମଣ କରିଛନ୍ତି ବିଜେଡି ବିଧାୟକ ଅରୁଣ କୁମାର ସାହୁ । ଓଡିଶାରେ ବିରୋଧୀ ଦଳ ଓଡିଶା ବିକାଶର ବିରୋଧୀ ବୋଲି କଟାକ୍ଷ କରିଛନ୍ତି ଅରୁଣ । ବିରୋଧୀଙ୍କ ପାଇଁ ମୁଁ ଡାଇଭଲ ବଟିକା ବୋଲି କହିଛନ୍ତି ଅରୁଣ ସାହୁ ।

ପରୀ ହତ୍ୟା ମାମଲାରେ ରାୟ ଆସିବା ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଘଟଣାରେ ବିବାଦୀୟ ହୋଇଥିବା ବିଜେଡି ବିଧାୟକ ଅରୁଣ ସାହୁ । ସିଧାସଳଖ ନହେଲେ ବି ଇଙ୍ଗିତ କରି ବିଧାନସଭାରେ ଅରୁଣ କୁମାର ସାହୁ ମତ ରଖିଛନ୍ତି । ବିରୋଧୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ଅରୁଣଙ୍କ ନିଶାନାରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାଁ ନନେଇ ଧର୍ମେନ୍ଦ୍ରଙ୍କୁ ମୋ ବନ୍ଧୁ ବୋଲି ସମ୍ବୋଧନ କରି ଅରୁଣ କହିଛନ୍ତି । ସେ କହିଛନ୍ତି ଯେ, କୋର୍ଟର ରାୟ ଆସିଲା । ମୋ ନାଁ ଉଠାଇ ମୋର ବନ୍ଧୁ ପ୍ରଧାନ ବାବୁ ଓ ତାଙ୍କର ଅନୁଗତମାନେ ଅପପ୍ରଚାର କଲେ । ହେଲେ ଏବେ ସେ ତାର ଜବାବ ପାଉଛନ୍ତି । ଓଡିଶାରେ ବିରୋଧୀ ଦଳ ନିଜର ଯୋଗ୍ୟତା ହରେଇ ସାରିଲେଣି । ଶୂନ୍ୟକାଳରେ ଏଭଳି ଢଙ୍ଗରେ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଅରୁଣ ।

ଅଧିକ ପଢନ୍ତୁ- ଶଙ୍ଖକୁ ବିରୋଧ କରି ଓଡିଆ ସଂସ୍କୃତିକୁ ଅପମାନିତ କରୁଛି ବିଜେପି : ଅରୁଣ

ବିଧାନସଭାରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଅର୍ପଣ ରଥ, ଉଷୁନା ଚାଉଳ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । ବିରୋଧୀଙ୍କୁ ଜବାବ ଦେବା ପାଇଁ ସରକାରଙ୍କ ପକ୍ଷରୁ ଉଠିଥିଲେ ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଯେ, ବିକାଶକୁ ନେଇ ପ୍ରଶ୍ନ ଉଠାଇବା ହେଉଛି ବିରୋଧୀଙ୍କ କାମ । ବିଭିନ୍ନ ତରିକାରେ ସେମାନେ ବିକାଶକୁ ବିରୋଧ କରିବେ । ହେଲେ ବିରୋଧୀ ଦଳ ଭୂମିକା ନିଭେଇବା ପାଇଁ କିନ୍ତୁ ସେ ଯୋଗ୍ୟତା ହରେଇଲେଣି । ପରିକ୍ରମା ପ୍ରକଳ୍ପକୁ ବିରୋଧୀ ବିରୋଧ କରିଚାଲିଛନ୍ତି । ବିଭ୍ରାନ୍ତକାରୀ କଥା କହି ସରକାରକୁ ବଦନାମ କରିବାକୁ ଚାହୁଁଛନ୍ତି । ହେଲେ ତାର ଫଳ କଣ ଆସିଲା ସମସ୍ତେ ଜାଣିଛନ୍ତି । ବିରୋଧୀ ପାଇଁ ସେମାନେ ଯୋଗ୍ୟ କି ନୁହେଁ, ଆଗକୁ ଓଡିଶାବାସୀ ଏହାର ଜବାବ ଦେବେ । ତେବେ ଓଡିଶାରେ ବିରୋଧୀ ଦଳ ଗୁଡିକ ହେଉଛନ୍ତି ଓଡିଶାର ବିରୋଧୀ । ଓଡିଶା ବିକାଶର ବିରୋଧୀ ଏବଂ ଓଡିଶା ଉନ୍ନତିର ବିରୋଧୀ । ଗାଁ ଲୋକଙ୍କ ବିକାଶ ହେଲେ ସେମାନଙ୍କୁ କଷ୍ଟ ହେଉଛି ବୋଲି ଅରୁଣ କହିଛନ୍ତି ।

ଖାଲି ସେତିକି ନୁହେଁ, ବିରୋଧୀଙ୍କୁ ତାତ୍ସଲ୍ୟ କରି ଅରୁଣ କହିଛନ୍ତି ଯେ, ଶେଷ ଅଧିବେଶନରେ ଟିକେ ପଶ୍ଚାତାପ କର । ଅନୁତାପ କର । ଓଡିଶାବାସୀ ଆପଣମାନଙ୍କୁ କ୍ଷମା କରିବେ ନାହିଁ । ନହେଲେ ଆଉ କିଛି ଦିନ ପରେ ନିର୍ବାଚନ । ନିର୍ବାଚନରେ ଓଡିଶାବାସୀ ଆଉ କ୍ଷମା ଦେବେନାହିଁ । ବିକାଶକୁ ବିରୋଧ କରି ଭାରତ ବର୍ଷରେ କେହି ଜିତି ନାହାଁନ୍ତି । କି ଆପଣମାନେ ଜିତି ପାରିବେନାହିଁ ବୋଲି ଅରୁଣ କହିଛନ୍ତି । ବଜେଟ ଅଧିବେଶନ ଆରମ୍ଭରୁ ସରଗରମ ରହିଛି ବିଧାନସଭା । ବିରୋଧୀ ଅର୍ପଣ ରଥ ଓ ଉଷୁନା ଚାଉଳ ବିବାଦକୁ ନେଇ ସରକାରଙ୍କୁ ଘେରୁଛନ୍ତି । ଅନ୍ୟପଟେ ପରୀ ହତ୍ୟାକାଣ୍ଡ ଘଟଣାରେ ରାୟକୁ ନେଇ ବିରୋଧୀଙ୍କୁ ଘେରିଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.