ETV Bharat / politics

ବିଜେପିର ମିଛ ଇସ୍ତାହାର; ଧର୍ମେନ୍ଦ୍ରଙ୍କ ଗ୍ୟାରେଣ୍ଟି, ନା କାମ କରିବି ନା କରେଇ ଦେବି: ବିଜେଡି - BJD on BJP Manifesto

author img

By ETV Bharat Odisha Team

Published : May 7, 2024, 8:52 PM IST

BJD on BJP Manifesto: ବିଜେପି ଇସ୍ତାହାରକୁ ବିଜେଡିର କଟାକ୍ଷ । 'ମିଛ ମାନିଫେଷ୍ଟୋ ଶୀର୍ଷକ: ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ୟାରେଣ୍ଟି; ନା କାମ କରିବି ନା କରେଇ ଦେବି' ତଥ୍ୟ ଜାରି କଲା ବିଜେଡି । ଅଧିକ ପଢ଼ନ୍ତୁ

BJD on BJP Manifesto
BJD on BJP Manifesto (ETV BHARAT ODISHA)

BJD on BJP Manifesto (ETV BHARAT ODISHA)

ଭୁବନେଶ୍ବର: ଓଡିଶା ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ କିଛିଦିନ ତଳେ ଇସ୍ତାହାର ପ୍ରକାଶ ପାଇଛି । ଏହି ଇସ୍ତାହାରକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ଦଳର ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ବିଜେପି ଇସ୍ତାହାରର ପୋଷ୍ଟମର୍ଟମ କରିଛନ୍ତି । ବିଜେପି ଯାହା ପ୍ରତିଶୃତି ଦିଏ, ତାହା କରେ ନାହିଁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ବିଜେଡି ପକ୍ଷରୁ 'ମିଛ ମାନିଫେଷ୍ଟୋ ଶୀର୍ଷକ: ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ୟାରେଣ୍ଟି; ନା କାମ କରିବି ନା କରେଇ ଦେବି' ତଥ୍ୟ ଜାରି କରିଛି ଦଳ ।

ବିଜେଡି ମୁଖପାତ୍ର ସ୍ଵଂୟ ପ୍ରକାଶ ମହାପାତ୍ର କହିଛନ୍ତି, "2024 ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି ବିଜେପି । ବିଜେପି ଇସ୍ତାହାରର ନିର୍ଦ୍ଦିଷ୍ଟ କିଛି ଦିଗ ଆମେ ରାଜ୍ୟବାସୀଙ୍କ ପାଖରେ ରଖିବୁ । ଗତ ଦୁଇ ନିର୍ବାଚନ ପୂର୍ବରୁ ବିଜେପି ଯାହା ପ୍ରତିଶ୍ରୁତି ଦେଇଛି, ତାହା ଏହି ଇସ୍ତାହାରରେ ତୁଳନା କଲୁ । ବିଜେପି ଯେଉଁ ପ୍ରତିଶୃତି ଦିଅନ୍ତି, ପାଳନ କରନ୍ତି ନାହିଁ । ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି ବିଜେପି କହିବା ଓ କରିବାର ଅଲଗା ଅଲଗା ଦିଗ ରହିଛି । ମିଛ ମାନିଫେଷ୍ଟୋ : ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ୟାରେଣ୍ଟି; ନା କାମ କରିବି ନା କରେଇ ଦେବି ।" ଗତ ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶ୍ରୁତି ଓ କାର୍ଯ୍ୟକାରିତା ଉପରେ ତଥ୍ୟ ରଖିଛି ବିଜେଡି । ମୋବାଇଲ ଓ ଡିଜିଟାଲ ପାଇଁ ପ୍ରତି ଗାଁରେ ନେଟୱାର୍କ ଓ 5G କଥା କହିଥିଲା ବିଜେପି । କିନ୍ତୁ ଗାଁରେ ପାହାଡ଼ ଓ ଗଛ ଉପରେ ଚଢି ଫୋନ ଲଗାଇବାକୁ ପଡୁଛି । ବ୍ୟାଙ୍କ ସବୁ ପଞ୍ଚାୟତରେ ପହଞ୍ଚାଇବାକୁ ଉଦ୍ୟମ କରୁଛୁ ବୋଲି ବିଜେପି କହିଥିଲା । ହେଲେ ଓଡ଼ିଶାରେ ସବୁଠାରୁ କମ ବ୍ୟାଙ୍କ ଅଛି ବୋଲି ବିଜେଡି ଅଭିଯୋଗ କରିଛି ।

ସ୍ବୟଂ ପ୍ରକାଶ କହିଛନ୍ତି, "ସଂସଦରେ ରାଜ୍ୟର ବିଭିନ୍ନ ସ୍ୱାର୍ଥ ସମ୍ବନ୍ଧରେ ଉପସ୍ଥାପନ କରିଛି ବିଜେଡି । କେନ୍ଦୁପତ୍ର ଉପରେ 18% GST ନେଉଛନ୍ତି କେନ୍ଦ୍ର ସରକାର । ଗରିବ ଉପରେ ଏ ବୋଝ କାହିଁକି ବୋଲି ଆମେ ବାରମ୍ବାର ପ୍ରଶ୍ନ ଉଠାଉଛୁ । ରାଜନୀତିରେ ଅପରାଧିକରଣ କରୁଛି ବିଜେପି । ଯିଏ ଅପରାଧୀ, ତାକୁ ବିଜେପି ନେଉଛି । ବିଜେପି ନେତାଙ୍କ ଉପରେ ଗାଡି ଚଢ଼ାଉଥିବା ନେତା ହିଁ ବିଜେପିର ପୋଷ୍ଟର ବଏ । ପ୍ରଦୀପ ପାଣିଗ୍ରାହୀ ଲୋକଙ୍କୁ ଠକିଛନ୍ତି । ହେଲେ ବିଜେପି ଦଳକୁ ନେଇ ଟିକେଟ ଦେଇଛି । ହୋ ଭୂମିଜ ମୁଣ୍ଡାରୀଙ୍କୁ ମାନ୍ୟତା ଦାବି କରୁଛୁ, କିନ୍ତୁ କେନ୍ଦ୍ର ଦେଉ ନାହାନ୍ତି । 162 ସମ୍ପ୍ରଦାୟ ପାଇଁ ଆଦିବାସୀ ମାନ୍ୟତା ଦେଉନାହାନ୍ତି । ତାଳେଚର ସାର କାରଖାନା ପାଇଁ ଶୁଭ ଦିଆଗଲା । କିନ୍ତୁ ଆଗକୁ ବଢ଼ିଲାନାହିଁ । କେନ୍ଦ୍ରମନ୍ତ୍ରୀ ବାହାନା ଦେଖାଇବେ । କଣ କରିଛନ୍ତି କହି ପାରିବେନାହିଁ । କେନ୍ଦ୍ରୀୟ ଅନୁଦାନ କାଟି ଚାଲିଛନ୍ତି ।"

ସେ ଆହୁରି କହିଛନ୍ତି, "ମନ୍ଦିର ରୂପାନ୍ତର ଆମ ସଂସ୍କୃତି ପରମ୍ପରା କଥା । ମନ୍ଦିର ପ୍ରକଳ୍ପ କାର୍ଯ୍ୟକୁ ବିଜେପି ବିରୋଧ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କାମ ରୋକିବାକୁ ଲାଗିଲେ । ମାମଲା ସୁପ୍ରିମକୋର୍ଟ ଯାଏଁ ଗଲା । ସେମାନେ ଭାବୁଛନ୍ତି ଶ୍ରୀମନ୍ଦିର ଓ ସମଲେଇ ଚାରିପଟୁ ନିର୍ମାଣ କାର୍ଯ୍ୟ ଭାଙ୍ଗିଦେବେ । ସେଠି ହୋଟେଲ, ଲଜ ଓ ଜୋତା ଦୋକାନ କରିବେ । ଏହା ପଛରେ ବିଜେପି କର୍ମୀ ହୋଟେଲ, ଲଜ ଚଳାଇବେ । ରାଜ୍ୟ ବିଜେପି ପକେଟକୁ ବଟି ଭାବେ ଟଙ୍କା ଆସିବ । ନିର୍ବାଚନ ଇସ୍ତାହାରରେ ଯାହା ବିଜେପି କହେ, ତାହା ମିଛ ଓ କଳ୍ପନା । ସେମାନେ ସମସ୍ତଙ୍କ ଆଗରେ କହୁଛନ୍ତି, କିନ୍ତୁ କିଛି କରନ୍ତି ନାହିଁ । ମିଶନ ଶକ୍ତି ମା'ଙ୍କ ଦୁବାଇ ଗସ୍ତକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଅଟକାଇଛନ୍ତି । ମିଶନ ଶକ୍ତି ସଚିବଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି, ଯିଏ ମହିଳାଙ୍କୁ ସଶକ୍ତ କରୁଥିଲେ । ଆଗକୁ ମିଶନ ଶକ୍ତି ବନ୍ଦ କରି ଦେବ ବିଜେପି । ମହିଳାଙ୍କୁ ଘର ଭିତରେ ରଖି ଦେବେ ବିଜେପି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିରୋଧରେ ଷଡଯନ୍ତ୍ର କରୁଛି ବିଜେପି । ରାଜ୍ୟବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ବିଜେପିକୁ ହଜମ ହେଉନାହିଁ, ତେଣୁ ଅପପ୍ରଚାର କରୁଛନ୍ତି । ଆଗାମୀ ଦିନରେ ଏହାକୁ ବନ୍ଦ କରିବାକୁ ସେମାନେ କାମ କରୁଛନ୍ତି । ଏମିତି ବ୍ୟବସ୍ଥା କରିବେ ଯେ ବୀମା କମ୍ପାନୀର ଚକର ଲଗାଇବେ ଲୋକ । ବୀମା କମ୍ପାନୀ ଠାରୁ ଟଙ୍କା ନେଇ ପକେଟ ଗରମ କରିବା ରାଜ୍ୟ ବିଜେପିର ଉଦେଶ୍ୟ ।"

ବିଜେଡି ଅଭିଯୋଗ ଅନୁସାରେ, ଲକ୍ଷ୍ମୀ ବସରେ ମହିଳା 5 ଟଙ୍କାରେ ଯିବା ଆସିବା ବିଜେପିକୁ କଷ୍ଟ ହେଉଛି । 40 ଟଙ୍କା ଅଟୋ ଭଡା ଦେଇ ଯାଆନ୍ତୁ ବୋଲି ବିଜେପି ଚାହୁଁଛି । ମମତା ଯୋଜନା ଅଟକାଇବାକୁ ବିଜେପି ଚାହୁଁଛି । ପୁଷ୍ଟି ଖାଦ୍ୟ ନପାଉ ଗର୍ଭବତୀ ମା । ଭତ୍ତା ଏକ ହଜାର ପାଇବା ପରେ ଆଶୀର୍ବାଦ ଆସୁଛି । ହେଲେ ଓଡିଶା ବିଜେପି କେବଳ 300 ଟଙ୍କା ଦେବାକୁ ଚାହୁଁଛି । ଡବଲ ଇଂଜିନ ରାଜ୍ୟରେ ଏହା ହେଉଛି । ମେଡିକାଲ ଉନ୍ନତି କରାଇ ଦେବୁ ନାହିଁ । ଆମ ଓଡିଶା ନବୀନ ଓଡିଶାରେ ଗାଁ ଲୋକ ଗାଁ ବିକାଶର ନିଷ୍ପତ୍ତି ନେଉଛନ୍ତି । ହେଲେ ତାକୁ ବନ୍ଦ କରି ବିଜେପି କୁଜି ନେତାଙ୍କ ହାତକୁ ନେଇ ଉନ୍ନତି ବିପର୍ଯ୍ୟୟ କରିବା ଉଦେଶ୍ୟ । ମେକ ଇନ ଓଡିଶା ବନ୍ଦ କରି ଗଳା ବାଟରେ ଶିଳ୍ପ ସଂସ୍ଥାରୁ ଚାନ୍ଦା ନେଇ ପାରିବେ । ଓଡିଶା ଲୋକଙ୍କୁ ଚାକିରୀ ଦେବେ ନାହିଁ । MCLରେ ବାହାର ରାଜ୍ୟର ଲୋକଙ୍କୁ ଚାକିରୀ ମିଳୁଛି । ସରକାରୀ ନିଯୁକ୍ତି ଅଟକାଉଛନ୍ତି । ନିଜ ଅନୁଗତଙ୍କୁ ବ୍ୟାପକ ଭାବେ ରୋଜଗାର ଦେବା ତାଙ୍କର ଉଦେଶ୍ୟ ବୋଲି ବିଜେଡି କହିଛି ।

ସେହିପରି ବିନା ଛାତରେ ଗରିବକୁ ହନ୍ତସନ୍ତ କରିବା ବିଜେପିର ଲକ୍ଷ୍ୟ ବୋଲି କହିଛି ବିଜେଡି । ଧର୍ମେନ୍ଦ୍ର ଓ ଅନ୍ୟ ସାଂସଦ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଘର ଅଟକାଇଥିଲେ । ସଡ଼କ ଓ ଗମନାଗମନରେ ବିଜୁ ଏକ୍ସପ୍ରେସୱେରେ ଗଲେ ଗାଡି ହଲେନାହିଁ । ହେଲେ NH 55 ଦେଇ ଗଲେ ଅଣ୍ଟା ବିନ୍ଧେ । ବିଜୁ ଏକ୍ସପ୍ରେସୱେକୁ NH55 କରିବାକୁ ବିଜେପି ଉଦ୍ୟମ କରୁଛି । ଏ ସବୁର ବ୍ଲୁ ପ୍ରିଣ୍ଟ କରିଛି ଓଡିଶା ବିଜେପି । ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଆଶୀର୍ବାଦ ଦେଇଛନ୍ତି ଓଡ଼ିଶାବାସୀ । ହେଲେ ଓଡିଶା ବିଜେପି କେନ୍ଦ୍ର ନିଷ୍ପତ୍ତି ଲଦିବାକୁ ଚାହୁଁଛନ୍ତି । ରାଜ୍ୟ ବିଜେପି ଦିଲ୍ଲୀ ହାଇକମାଣ୍ଡକୁ ସବୁ କଥା ପଚାରନ୍ତି । ଉଭୟ ଜାତୀୟ ଦଳରେ ହାଇକମାଣ୍ଡ ସଂସ୍କୃତି ଅଛି । ସେମାନେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ବାଛିବାର କ୍ଷମତା ଓଡିଶାବାସୀଙ୍କ ହାତରୁ ଯାଉ । ଧର୍ମେନ୍ଦ୍ର ପ୍ରଧାନ ସୁପର ମିଛୁଆ ଯିଏ ବିକାଶ କାର୍ଯ୍ୟ ବନ୍ଦ କରିବେ । ଅପରାଧୀ ସଂସ୍କୃତିକୁ ପ୍ରଶ୍ରୟ ଦେବେ । ବିପୁଳ ପୁଞ୍ଜି ନିବେଶ କହି ନିଜ ଟ୍ରେଜରି ଭରିବେ । ଓଡିଶା ବାସୀ ପ୍ରତ୍ୟାଖ୍ୟାନ କରିବାରୁ ମଧ୍ୟ ପ୍ରଦେଶ ଓ ବିହାରରୁ ପ୍ରତିନିଧି ହେବା । ଅପରାଜିତା ଷଡ଼ଙ୍ଗୀ ନିଜ ପାଇଁ ବିଭାଗ କରିଛନ୍ତି, ଭାଷା ସଂସ୍କୃତି ଓ ସାହିତ୍ୟ । କାରଣ ସେ ଭଲ ଡ୍ରାମା କରନ୍ତି । ଜୟ ନାରାୟଣ ମିଶ୍ର ନିଜ ପାଖରେ ଆଇନ ବିଭାଗ ରଖିବେ । ସେ ସବୁଠାରୁ ବେଶୀ ଆଇନ ଭାଙ୍ଗି ପାରନ୍ତି ବୋଲି ସ୍ବୟଂପ୍ରକାଶ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଦେଶର ପ୍ରଗତିରୁ ଓଡ଼ିଶା ବଞ୍ଚିତ, ବିଜେପି ଆସିଲେ ଲକ୍ଷ ଲକ୍ଷ ରୋଜଗାର ମିଳିବ: ବିଜେପି - BJP Press Meet

ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "ଏହି ମିଛ ମାନିଫେଷ୍ଟୋର ସତ୍ୟତା ହେଉଛି ମନ ଓ ପାଟିରେ ତାରତମ୍ୟ ନାହିଁ । ମନରେ ଅଛି, ପ୍ରତିଶୃତି ଯାହା ଦେବୁ ପାଳନ କରିବୁ ନାହିଁ । ଯେମିତିକି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା । ଯାହା 2014 ରେ କହିଥିଲେ । ସତ୍ୟତା ହେଉଛି, ଭୁଆଁ ବୁଲାଉଛନ୍ତି ଆଗକୁ ବି ବୁଲାଇବେ । 2022 ସୁଦ୍ଧା ଚାଷୀ ଆୟ ଦ୍ବିଗୁଣିତ କରିବେ, ହେଲେ କରିଲେ ନାହିଁ । ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣ ବଢ଼ାଇବାକୁ କହିଥିଲେ, କଲେନି । ଓଡିଶା ବିଧାନସଭାର ସର୍ବସମ୍ମତି ପ୍ରସ୍ତାବ 2930 ଟଙ୍କା ଥିଲା । ଏବେ 3100 କହୁଛନ୍ତି । କହିବେ କିନ୍ତୁ କରିବେ ନାହିଁ । ଫସଲ ବୀମା ଉପର ଠାଉରିଆ ପରି କହୁଛନ୍ତି । 60 ହଜାର କୋଟି ବୀମା କମ୍ପାନୀ ସହ ମିଶି ଖାଇଗଲେ । 2014ରେ ଦୁଇ କୋଟି ଚାକିରୀ କହିଥିଲେ । 10 ବର୍ଷରେ 80 ହଜାର ଚାକିରୀ ଓଡିଶାକୁ ମିଳିବା କଥା, 80 ମିଳିନାହିଁ । ଗରିବଙ୍କ ଆବସ କଥା କହୁଥିଲେ । ଓଡିଶାକୁ 14 ଲକ୍ଷ ଘର ବନ୍ଦ କଲେ ଓଡ଼ିଶା ବିଜେପି ସାଂସଦ । NH କାମ କରିବେ କହିଥିଲେ, NH 55ରେ ଅନେକ ଜୀବନ ପଳେଇଲା । ଏମତି ଆଉ ଦାସ ବର୍ଷ ଗଡେଇ ଚାଲିବେ ବୋଲି ବିଜେପି ମନରେ ଅଛି । ସାରା ରାଜ୍ୟକୁ ରେଳ ସଂଯୋଗ କଥା କହିଥିଲେ । ହେଲେ ପାରାଦ୍ୱୀପ ହରିଦାସପୁରକୁ ରେଳ ଗଲାନାହିଁ ।"

ସସ୍ମିତ ଆହୁରି କହିଛନ୍ତି, "ଓଡିଶା ବିଜେପିର ମନର ମିଛ ବାହାରୁଛି । 5T ସ୍କୁଲ ରୂପାନ୍ତର କହୁଛନ୍ତି ଭଲ ନୁହେଁ । ସେମାନଙ୍କ ଉଦେଶ୍ୟ ସ୍ମାର୍ଟ କ୍ଲାସରୁମ ବନ୍ଦ କରି ପିଲାଙ୍କୁ ଚକ ଧରାଇ ଭଙ୍ଗା ଦଦରା ସ୍କୁଲକୁ ପଠାଇବେ । ମୋ ସରକାରରେ ସମସ୍ତଙ୍କ ଶୁଣାଣି ହେଉଥିଲା । ବିଜେପି ଚାହୁଁଛି ଲୋକଙ୍କ ସମସ୍ୟାର ସମାଧାନ ନହେଉ । କାଳିଆ ଯୋଜନା ବନ୍ଦ କରିବା ବିଜେପିର ଉଦେଶ୍ୟ । 64 ଲକ୍ଷ ଚାଷୀ ଦୁଃଖରେ ପକାଇବା ବିଜେପିର ମାନସିକତା । ନୂଆ ଓ ଛାତ୍ରବୃତ୍ତିକୁ ବିଜେପି ବିରୋଧ କରୁଛି । କାରଣ ଯୁବପୀଢ଼ି ବିଜେପିକୁ ଯାଇ ପାରିବେ ନାହିଁ । ଦକ୍ଷତା ବିକାଶ କେନ୍ଦ୍ରରେ ତାଲା ପକାଇ ଦେବେ । ପ୍ରଶାନ୍ତ ଜଗଦେବ ଗୃହମନ୍ତ୍ରୀ, କାରଣ ମଦ ପିଇ ଗାଡି ମଡ଼େଇବା, ବାଡେଇବା ଗୁଣ ଅଛି । ମନମୋହନ ସାମଲ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହେବେ । କାରଣ 2008ରୁ ମହିଳା ବିକାଶ ଅଭିଜ୍ଞତା ରଖିଛନ୍ତି । ଓଡିଶା ଅସ୍ମିତା ନଷ୍ଟ କରିବା ଅଭିଜ୍ଞତା ଅଛି । ବୈଜୟନ୍ତ ପଣ୍ଡା ଅର୍ଥ ଓ ଶିଳ୍ପ, କାରଣ ଖଣିଜ ଲୁଟ ପାରିବାରିକ ବ୍ୟବସାୟ, ବାହମାସ ଋଣ ଲଣ୍ଡାରିଙ୍ଗ, ଆଦିବାସୀ ଜମି ହଡପ କାମ ଜାଣିଛନ୍ତି । ପ୍ରଦୀପ ପାଣିଗ୍ରାହୀ ପରିବହନ ଓ ଦକ୍ଷତା ବିକାଶ ମନ୍ତ୍ରୀ । କାରଣ କୋଭିଡ ସମୟରେ ଚାର୍ଟର୍ଡ ପ୍ଲେନରେ ଯିବା, ଚାକିରୀ ଦେବା ନାଁରେ ଠକିବା ଦକ୍ଷତା ତାଙ୍କ ପାଖରେ ଅଛି । ମନ ଭିତର ମିଛ ଲୋକ ଜାଣିବା ଦରକାର । ମୌକା ମିଳିଲେ ରାଜ୍ୟର ସବୁ ଯୋଜନା ବନ୍ଦ କରି 25 ବର୍ଷ ତଳ ଅନ୍ଧାରକୁ ଓଡିଶାକୁ ଠେଲି ଦେବା ଉଦେଶ୍ୟ ଅଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.