ETV Bharat / politics

୨୪ ରଣ ପାଇଁ ବିଜେଡି ଯୋଦ୍ଧା ତୟାର: ସୁପ୍ରିମୋଙ୍କୁ ଦେଲେ ଧନ୍ୟବାଦ, ଝୁମିଲେ ସମର୍ଥକ - BJD candidates reaction

author img

By ETV Bharat Odisha Team

Published : Mar 28, 2024, 12:41 PM IST

Updated : Mar 28, 2024, 1:11 PM IST

BJD Candidates reaction after getting ticket: ଆସନ୍ତା ଲୋକସଭା ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ବିଜେଡି । ଏଥର ନୂଆ ମୁହଁ ଅପେକ୍ଷା ଅଧିକ ପୁରୁଣା ମୁହଁ ଦେଖିବାକୁ ମିଳିଛି । ଟିକେଟ୍ ହାତେଇବା ପରେ କ'ଣ କହୁଛନ୍ତି ପ୍ରାର୍ଥୀ, ପଢନ୍ତୁ

Etv Bharat
Etv Bharat

ଟିକେଟ୍ ଘୋଷଣା ପରେ ନେତାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଘୋଷଣା ହୋଇଛି ବିଜେଡିର ଦୁଇ ପ୍ରାର୍ଥୀ ପ୍ରାର୍ଥୀ ତାଲିକା । ଦୁଇଟି ପର୍ଯ୍ୟାୟରେ ୭୨ଟି ବିଧାନସଭା ଓ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଆସିଛି । ବିଜେଡି ତାଲିକାରେ ଅନେକ ନେତା ରିପିଟ୍ ହୋଇଛନ୍ତି । ଏଥିରେ ପୁରୁଣା ମୁହଁ ବେଶୀ ଓ ନୂଆ ମୁହଁ କମ୍ ରହିଛି । ପୁରୁଣା ନେତାଙ୍କ ଉପରେ ଭରସା କରିଛି ଦଳ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ପୁରୀର ପିନାକୀ ମିଶ୍ରଙ୍କ ଭଳି ଅନେକ ନେତାଙ୍କ ଟିକେଟ୍ ବି କଟିଛି । ଗତକାଲି ବିଜେଡି ଟିକେଟ୍ ଘୋଷଣା ପରେ କେଉଁଠି ଅସନ୍ତୋଷ ତ ଆଉ କେଉଁଠି କର୍ମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ବିଭିନ୍ନ ସ୍ଥାନରେ କର୍ମୀ ଏବଂ ସମର୍ଥକମାନେ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନାଇଛନ୍ତି । ସେହିପରି ପ୍ରାର୍ଥୀମାନେ ମଧ୍ୟ ଦଳର ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର ବିଜୟକୁ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସରୋଜ ରିପିଟ୍‌, ଲୋଇସିଂହାରେ ପୂର୍ବତନ ମନ୍ତ୍ରୀଙ୍କ ପୁଅକୁ ଟିକେଟ: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବିଧାନସଭା ନିର୍ବାଚନା ମଣ୍ଡଳୀ ପାଇଁ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରାଙ୍କୁ ଟିକେଟ୍ ଦେଇଛି ବିଜେଡି । ଏହି ଟିକେଟ୍ ଖବର ଆସିବା ପରେ ଲୋଇସିଂହା ବିଜେଡିରେ ଖୁସିର ମାହୋଲ ଦେଖାଦେଇଛି । ବିଜେଡି କର୍ମୀ ଓ ତାଙ୍କ ସମର୍ଥକ ତାଙ୍କ ବାସଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି । ଦଳ ତାଙ୍କ ଉପରେ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିହାର । ସେହିପରି ପାଟଣାଗଡ଼ରେ ପୁଣିଥରେ ରିପିଟ୍ ହୋଇଛନ୍ତି ବିଧାୟକ ସରୋଜ ମେହେର । ଗତକାଲି ଟିକେଟ୍ ଘୋଷଣା ପରେ ଏଥର ମଧ୍ୟ ଲୋକେ ତାଙ୍କୁ ବାଛିବେ ଓ ପୁଣି ଏକତରଫା ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ।

ଏହା ମଧ୍ୟ ପଢନ୍ତୁ: ଦୁଇଟି ପର୍ଯ୍ୟାୟରେ 87 ଯୋଦ୍ଧାଙ୍କ ନାଁ ଘୋଷଣା କଲା ବିଜେଡି, ମଇଦାନରେ 24 ନୂଆ ମୁହଁ - 24 New Faces In BJD List

ମାଲକାନଗିରିରୁ ମାଡକାମୀ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ: ମାଲକାନଗିରି ବିଧାନସଭା ଆସନରୁ ଲଢିବେ ମାନସ ମାଡକାମୀ । ନାମ ଘୋଷଣା ହେବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ମାଡକାମୀ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ସରକାରରେ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟ କରାଯାଇଛି । ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ, ଲକ୍ଷ୍ମୀ ବସ ଯୋଜନା, ବିଏସକେୱାଇ ଭଳି ବହୁ ଯୋଜନାରେ ଉପକୃତ ହୋଇଛନ୍ତି ଅଞ୍ଚଳବାସୀ । ଆଉ ଯେଉଁ ସବୁ କାମ ଗୁଡିକ ବାକି ରହିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦରେ ସେସବୁ ନିଶ୍ଚିତ କରାଯିବ । କହିରଖୁଛୁ କି, ୨୦୧୪ ନିର୍ବାଚନରେ ବିଜେଡିରୁ ଟିକେଟ୍ ପାଇ ବିଧାୟକ ନିର୍ବାଚିତ ହୋଇଥିଲେ ମାନସ ମାଡକାମୀ । ପୁଣି ୨୦୨୪ ନିର୍ବାଚନରେ ତାଙ୍କୁ ଟିକେଟ୍ ମିଳିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।

ଜୁନିୟର ମହାରଥିଙ୍କୁ ପୁଣି ଟିକେଟ, ପିପିଲିବାସୀଙ୍କ ଲୋଡ଼ିଲେ ଆଶୀର୍ବାଦ: ପିପିଲିରେ ରିପିଟ୍ ହୋଇଛନ୍ତି ରୁଦ୍ର ମହାରଥୀ । ବିଜେଡି ସୁପ୍ରିମୋ ପୁଣିଥରେ ରୁଦ୍ରଙ୍କ ଉପରେ ଭରସା କରି ଟିକେଟ୍ ଦେଇଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ପିପିଲିରେ ପୁଣିଥରେ ଏକତରଫା ବିଜୟ ଲାଭ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ରୁଦ୍ରପ୍ରତାପ । ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଶ୍ରେୟ ଦେବା ସହିତ ପୁନର୍ବାର ଆଶୀର୍ବାଦ କାମନା କରି ବିପୁଳ ଭୋଟରେ ନିର୍ବାଚିତ କରିବାକୁ କହିଛନ୍ତି । ସେହିପରି ଟିକେଟ୍ ଘୋଷଣା ପରେ କର୍ମୀ ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ପିପିଲି ବିଜେଡି କାର୍ଯ୍ୟାଳୟ ଠାରେ ବାଣ ଫୁଟାଇ ମିଠା ଖାଇ ଖୁସି ମନାଇଛନ୍ତି କର୍ମକର୍ତ୍ତା ।

ପୁଣି ପ୍ରଦୀପ ଅମାତ-ମହିଧରଙ୍କୁ ଟିକେଟ: ବୌଦ୍ଧ ଜିଲ୍ଲାର ଉଭୟ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ପାଞ୍ଚ ଥରର ବିଧାୟକ ପ୍ରଦୀପ କୁମାର ଅମାତ ଓ କଣ୍ଟାମାଳର ଦୁଇ ଦୁଇଥରର ବିଧାୟକ ମହୀଧର ରଣାଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛି ବିଜେଡି । ଉଭୟଙ୍କ ନାଁ ଘୋଷଣା ପରେ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମହୀଧର ରଣାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି କର୍ମୀ । ଟିକେଟ୍ ପାଇବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରଣା । ଏଥିସହ ସେ ସବୁବେଳେ ଲୋକଙ୍କ ସହିତ ରହି କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସଠିକ୍ ଭାବରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ପୁଣିଥିରେ ନିର୍ବାଚନ ଜିତି ଆଉ କିଛି ଅଧୁରା ରହିଯାଇଥିବା ବିକାଶମୂଳକ କାର୍ଯ୍ୟ ପୁରା କରିବେ ବୋଲି ସେ କହିଛନ୍ତି ।

ରାଜେନ୍ଦ୍ର ଢୋଲକିଆଙ୍କୁ ଟିକେଟ, ଖୁସିରେ ଝୁମିଲେ ସମର୍ଥକ: ନୂଆପଡା ବିଧାନସଭା ଆସନରେ ପୁଣିଥରେ ରାଜେନ୍ଦ୍ର ଢୋଲକିଆ ନିର୍ବାଚନ ଲଢିବେ । ଚତୁର୍ଥ ଥର ପାଇଁ ଦଳ ତାଙ୍କୁ ଟିକେଟ ଦେଇ ଆସ୍ଥା ପ୍ରକଟ କରିଥିବାରୁ ଢୋଲକିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଏଥର ପୁଣି ବିଧାୟକ ନିର୍ବାଚିତ ହେଲେ ନୂଆପଡା ନିର୍ବାଚନ ମଣ୍ଡଳୀରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି । ଟିକେଟ୍ ଘୋଷଣା ପରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସମର୍ଥକ ଓ କର୍ମୀ ମହଲରେ ଖୁସିର ମାହୋଲ ଦେଖାଦେଇଛି । ବିଜେଡି କର୍ମୀମାନେ ମିଠା ବାଣ୍ଟିବା ସହ ମୁହଁରେ ଅବିର ବୋଳି ଖୁସି ମନାଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ଛତ୍ରପୁର ଆସନରୁ ବିଜେଡି ବିଧାୟକ ସୁବାଷ ଚନ୍ଦ୍ର ବେହେରା ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି । କବିସୂର୍ଯ୍ୟନଗରରେ ଲତିକା ପ୍ରଧାନଙ୍କୁ ଟିକେଟ୍ ଦେଇଛି ବିଜେଡି ।

ସାଲୁଗାଙ୍କୁ ଟିକେଟ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ: କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ବିଧାନସଭା ଆସନରେ ସାଲୁଗା ପ୍ରଧାନଙ୍କୁ ପୁନର୍ବାର ଟିକେଟ୍ ମିଳିବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସିଲ ମାହୋଲ ଦେଖିବାକୁ ମିଳିଛି । ଏହି ଅବସରରେ କର୍ମୀମାନେ ଦାରିଙ୍ଗିବାଡି ଠାରେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପୁନର୍ବାର ଦଳ ତାଙ୍କୁ ଟିକେଟ ଦେଇଥିବାରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଲୁଗା ପ୍ରଧାନ ।

ନବରଙ୍ଗପୁରରୁ ଲୋକସଭା ନିର୍ବାଚନ ଲଢ଼ିବେ ପ୍ରଦୀପ ମାଝୀ: ନବରଙ୍ଗପୁର ଲୋକସଭା ଆସନରେ ପ୍ରଦୀପ ମାଝୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଟିକେଟ୍ ମିଳିବା ପରେ ନିଜର ବିଜୟ ସମ୍ଭାବନାକୁ ନେଇ ଦମ୍ଭ ଦେଖାଇଛନ୍ତି ପ୍ରଦୀପ । ସେ କହିଛନ୍ତି, ''ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ବିପୁଳ ପରିମାଣର ଭୋଟ ପାଇ ବିଜୟ ଲାଭ କରିବୁ । ବିରୋଧୀ ବିଜେପି ଓ କଂଗ୍ରେସ କେବଳ ନିର୍ବାଚନ ସମୟରେ ଦେଖା ଦିଅନ୍ତି । ହେଲେ ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସହିତ ଅଛି । ସଂଗଠନକୁ ମଜବୁତ କରୁଛି ଏବଂ ଓଡିଶା ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକଙ୍କ ଦ୍ବାରଦେଶରେ ପହଞ୍ଚାଉଛି । ତେଣୁ ବିଜେଡି ସହ ମୁକାବିଲା କରିବା ବିରୋଧୀଙ୍କ ପାଇଁ କାଠିକର ପାଠ ହେବ ।''

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 28, 2024, 1:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.