ETV Bharat / politics

ନାମାଙ୍କନ ପାଇଁ ଓଡ଼ିଶାରେ ପହଞ୍ଚିଲେ ଅଶ୍ୱିନୀ; ଆଉଥରେ ସୁଯୋଗ ଦେଇଥିବାରୁ ମୋଦିଙ୍କୁ ଦେଲେ ଧନ୍ୟବାଦ

author img

By ETV Bharat Odisha Team

Published : Feb 14, 2024, 2:04 PM IST

Updated : Feb 14, 2024, 4:36 PM IST

Reaction Over Ashwini's Candidature: ପୁଣି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ରିପିଟ୍ ହୋଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱ ପରେ ବିଜେଡି ଓ ବିଜେପିର ଘନିଷ୍ଠତାକୁ ନେଇ ଚର୍ଚ୍ଚା ବଢିଛି । ଅଧିକ ପଢନ୍ତୁ

ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ
ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କୁ ଦେଲେ ଧନ୍ୟବାଦ

ଭୁବନେଶ୍ବର: ଓଡ଼ିଶାର ତୃତୀୟ ରାଜ୍ୟସଭା ଆସନକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି । ପୁଣି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ରିପିଟ୍ ହୋଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟସଭା ନିର୍ବାଚନ ପାଇଁ କେନ୍ଦ୍ର ରେଳ ଓ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି ବିଜେପି । ଏଥିପାଇଁ ଅଶ୍ୱିନୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଥିବାବେଳେ ରାଜ୍ୟର ସ୍ୱାର୍ଥ କଥା ଦର୍ଶାଇ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିବା କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2019ରେ ଅଶ୍ୱିନୀ ବିଜେଡି ସମର୍ଥନରେ ବିଜେପିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ ଆଶା କରାଯାଉଥିଲା ଯେ ଏଥର ମଧ୍ୟ ବିଜେଡି ଓ ବିଜେପି ସମାନ ସମୀକରଣ ଅନୁସରଣ କରିବ । ସେପଟେ ୩ଟି ଆସନ ଜିତିବା ପାଇଁ ସଂଖ୍ୟା ଗରିଷ୍ଠତା ଥିଲେ ମଧ୍ୟ ବିଜେଡିର ୨ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । କେନ୍ଦ୍ରମନ୍ତ୍ରୀ ଆଜି ଭୁବନେଶ୍ୱରରେ ପହଞ୍ଚିଥିବାବେଳେ ସରସ୍ୱତୀ ପୂଜାକୁ ଦୃଷ୍ଟିରେ ରଖି ଆଜି ଛୁଟିଥିବାରୁ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବେ ।

ଓଡ଼ିଶାରୁ ତୃତୀୟ ରାଜ୍ୟସଭା ଆସନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ଅଶ୍ୱିନୀ ବୈଷ୍ଣବ । ଏହା ପୂର୍ବରୁ ଆଜି ଆସି ଭୁବନେଶ୍ୱରରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିମାନବନ୍ଦରରେ ପହଁଚିବା ପରେ ମିଳିଛି ଅଶ୍ୱିନୀଙ୍କ ପ୍ରାଥମିକ ପ୍ରତିକ୍ରିୟା ମିଳିଛି । ଅଶ୍ୱିନୀ କହିଛନ୍ତି, "ବିଜେପିର ମୁଁ ଜଣେ ଶୃଙ୍ଖଳିତ କର୍ମୀ । ଦଳ ଯେତେବେଳେ ଯାହା ନିଷ୍ପତ୍ତି ନେଇଛି ତାହାକୁ ମୁଁ ଅନୁପାଳନ କରିଆସୁଛି । ମୋର ସାର୍ବଜନୀକ ଜୀବନ ନିଷ୍ପତ୍ତି ପାର୍ଟି ନେଇଥାଏ । ଜନସାଧାରଣଙ୍କ ସେବା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋତେ ପୁଣି ଥରେ ସୁଯୋଗ ଦେଇଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଁ ଧନ୍ୟବାଦ ଦେଉଛି । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ପ୍ରାର୍ଥନା କରୁଛି ।"

ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି, "୨୦୧୯ ନିର୍ବାଚନରେ ବିଜେଡି ସମର୍ଥନରେ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ଯାଇଥିଲେ । କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ହୋଇଥିଲେ । ଚଳିତ ଥର ମଧ୍ୟ ବିଜେଡି ସଭାପତି ସମର୍ଥନ ଘୋଷଣା କରିଛନ୍ତି । ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଆମେ ସମର୍ଥନ କରିଛୁ । ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଓଡ଼ିଶାରୁ ଯାଇ ସେ ରେଳମନ୍ତ୍ରୀ ଅଛନ୍ତି । ଏହା ଓଡିଶା ପାଇଁ ବଡ଼ କଥା । ସେଥିପାଇଁ ବିଜୁ ଜନତା ଦଳ ତାଙ୍କୁ ସମର୍ଥନ ଦେଲା । ରେଳ ବିଭାଗ ତରଫରୁ ସେ ଓଡିଶା ପାଇଁ ବହୁତ କାମ କରିଛନ୍ତି । ଓଡ଼ିଶାର ରେଳବାଇର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏହି ସମର୍ଥନ ଦେଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ......ହଟିଲା ସସପେନ୍ସ: ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ତୃତୀୟ ରାଜ୍ୟସଭା ପ୍ରାର୍ଥୀ, ବିଜେପିର ଘୋଷଣା, ସମର୍ଥନ ଦେବ ବିଜେଡି

ସେପଟେ ଏନେଇ ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, "ମୁଖ୍ୟମନ୍ତ୍ରୀ ସ୍ୱୀକାର କଲେ ଯେ, ରାଜ୍ୟରେ ରେଳ ଏବଂ ଟେଲିକମ କ୍ଷେତ୍ରରେ ଉନ୍ନତିମୂଳକ କାମ ହୋଇଛି । ଅଶ୍ୱିନୀଙ୍କୁ ସମର୍ଥନ କରି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ବିକାଶ ପାଇଁ ଯେଉଁ ଚିନ୍ତା ତାହାକୁ ସମର୍ଥନ କଲେ ନବୀନ ।" ଏହାସହ ଉଭୟ ଦଳର ଘନିଷ୍ଠତା ପ୍ରସଙ୍ଗରେ ବିଧାୟକ ନାଉରୀ ନାୟକ କହିଛନ୍ତି, "ଆମ ପାଖରେ ପ୍ରସ୍ତାବକ ସଂଖ୍ୟା ଥିଲେ, ଆମେ ପ୍ରାର୍ଥୀ ଦେଲୁ, ଯାହାକୁ ବିଜେଡି ସମର୍ଥନ କଲା । ଏଥିରେ ଘନିଷ୍ଠତା କିଛି ନାହିଁ ।" ସେପଟେ ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ଆମ ପାଖରେ ନମ୍ବର ଅଛି ଆମେ ଜିତିବୁ । ବିଜେପି ଏକାକୀ ଲଢ଼ିବ । ଆମେ କାହାର ସମର୍ଥନ ଲୋଡି ନାହୁଁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 14, 2024, 4:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.