ETV Bharat / politics

ନବୀନଙ୍କ ଉପରେ ବର୍ଷିଲେ ଶାହ, ମତଦାତାଙ୍କୁ ଦେଲେ ମାଳ ମାଳ ପ୍ରତିଶ୍ରୁତି - AMIT SHAH ATTACKS BJD GOVT

author img

By ETV Bharat Odisha Team

Published : Apr 25, 2024, 6:21 PM IST

Updated : Apr 25, 2024, 7:29 PM IST

AMIT SHAH ATTACKS BJD GOVT: ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । 'ଭାରତ ମାତା କି ଜୟ' କହି ଭାଷଣ ଆରମ୍ଭ କରିବା ସହ ଖୋଲାଖୋଲି ନବୀନଙ୍କୁ କଲେ ଟାର୍ଗେଟ । ଆଉ ରାଜ୍ୟବାସୀଙ୍କୁ ଭୋଟ ପାଇଁ ଅପିଲ୍‌ କରି ଦେଲେ ମାଳ ମାଳ ପ୍ରତିଶୃତି । ଅଧିକ ପଢନ୍ତୁ

AMIT SHAH ATTACKS BJD GOVT
AMIT SHAH ATTACKS BJD GOVT

ନବୀନଙ୍କ ଉପରେ ବର୍ଷିଲେ ଶାହ, ମତଦାତାଙ୍କୁ ଦେଲେ ମାଳ ମାଳ ପ୍ରତିଶୃତି

ସୁବର୍ଣ୍ଣପୁର: 'ଓଡ଼ିଶାରେ ସବୁଠୁ ଅଧିକ ଖଣିଜ ସମ୍ପଦ ରହିଛି, କିନ୍ତୁ ଦୁଃଖର ବିଷୟ ଓଡ଼ିଶାରେ ହିଁ ସବୁଠୁ ଅଧିକ ଗରିବ । ଏଠାକାର ନବୀନ ସରକାର କେବଳ ଲୁଟିବାରେ ଲାଗିଛନ୍ତି । ଏବେ ସମୟ ଆସିଛି ଓଡ଼ିଶାର ସବୁ ଘରେ ଟ୍ୟାପ ପାଣି ପହଞ୍ଚାଇବା, ସମସ୍ତ ଚାଷୀଙ୍କୁ ସମୃଦ୍ଧ କରିବା, ଓଡ଼ିଶାକୁ ବିକାଶ ଧାରାରେ ସାମିଲ କରିବା ।' ଏଣୁ ବିଜେପିକୁ ଭୋଟ ଦେବାକୁ ଶାହ ସାରା ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟରେ 20ରୁ ଅଧିକ ଆସନରେ ବିଜେପିକୁ ଜୟଯୁକ୍ତ କରିବାକୁ ଜନତା ଜନାର୍ଦ୍ଦନଙ୍କୁ ଶାହ ଅପିଲ୍‌ କରିଛନ୍ତି । ଆଜି (ଗୁରୁବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତ କରି ସୁବର୍ଣ୍ଣପୁର ସଂକଳ୍ପ ସମାବେଶରେ ଯୋଗ ଦେଇ ଏପରି କହିଛନ୍ତି । ପୂର୍ବ ଗସ୍ତ ବେଳେ ଶାହ ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ କହିନଥିବା ବେଳେ ରାଜ୍ୟରେ ସାଧାରଣ ନିର୍ବାଚନ ପୂର୍ବରୁ ଖୋଲାଖୋଲି ନବୀନଙ୍କୁ ଟାର୍ଗେଟ କରିଛନ୍ତି ।

ସୁବର୍ଣ୍ଣପୁର ସଂକଳ୍ପ ସମାବେଶ ପରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା

ନବୀନ-ପାଣ୍ଡିଆନଙ୍କୁ ଟାର୍ଗେଟ: ସୁବର୍ଣ୍ଣପୁର ବିଶାଳ ଜନସଭାରେ ଯୋଗ ଦେଇ ଶାହ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ଶାହ କହିଛନ୍ତି, "ଏଠାକାର ନବୀନ ସରକାର ନା ଯେ କେବଳ ଓଡ଼ିଶାକୁ ଲୁଟିଛନ୍ତି, ବରଂ ଅଫିସରରାଜ ସହିତ ଭ୍ରଷ୍ଟାଚାର ଚଲାଉଛନ୍ତି । ଏହାସହିତ ଓଡ଼ିଶା ଭାଷା ଓ ଗୌରବକୁ ମଧ୍ୟ ଦୂରେଇ ରଖିଛନ୍ତି । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଗତ 10 ବର୍ଷ ମଧ୍ୟରେ ଦେଶରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । ହେଲେ ଏଠାରେ 20 ବର୍ଷରୁ ଅଧିକ ସମୟ ଧରି ସରକାର ଥିବା ବେଳେ ଓଡ଼ିଶା ଆଜି ବି ପଛୁଆ ରହିଛି ।"

ଉଠାଇଲେ ଦାଦନ ସମସ୍ୟା ପ୍ରସଙ୍ଗ: ଶାହ କହିଛନ୍ତି, "ଓଡ଼ିଶାରେ ସର୍ବାଧିକ ଖଣିଜ ସମ୍ପଦ ଥିବା ବେଳେ ଏଠାରେ ସମୃଦ୍ଧି ନାହିଁ । ଲକ୍ଷ ଲକ୍ଷ ଓଡ଼ିଶାବାସୀ କାମ ପାଇଁ ମୁମ୍ବାଇ, ଗୁଜୁରାଟ, ଦିଲ୍ଲୀ, ବେଙ୍ଗାଲୁରୁ, ପଞ୍ଜାବ ପର୍ଯ୍ୟନ୍ତ ଯାଉଛନ୍ତି । ହେଲେ ମୁଁ ସମସ୍ତଙ୍କୁ ଆଜି ପ୍ରତିଶୃତି ଦେଉଛି, ଏଠାରେ ନବୀନ ସରକାରକୁ ହଟାଇ ଡବଲ ଇଞ୍ଜିନ ସରକାର ଆସିଲେ ଏଠାରୁ ଆଉ ବାହାରକୁ ଯିବାକୁ ପଡି଼ବ ନାହିଁ । "

ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗ ନେଇ ଉଭୟ ବିଜେଡି-କଂଗ୍ରେସକୁ ଟାର୍ଗେଟ: ଶାହ ଏହି ସମାବେଶରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ମଧ୍ୟ ବାଣ ମାରିଛନ୍ତି । ରାମ ମନ୍ଦିର ନିର୍ମାଣକୁ କଂଗ୍ରେସ ଅଟକାଇ ରଖିଥିଲା ବୋଲି ଶାହ କହିଛନ୍ତି । ଶାହ କହିଛନ୍ତି, " ମୋଦି ସରକାର ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ 5 ବର୍ଷ ମଧ୍ୟରେ ମନ୍ଦିରର ଭୂମି ପୂଜନଠାରୁ ଆରମ୍ଭ କରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମଧ୍ୟ କରାଇଲେ । ଏଠାକାର ବିଜେଡି ସରକାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଏଡ଼ାଇବାକୁ ଉଦ୍ୟମ କରିଥିଲେ, ମାତ୍ର ଓଡ଼ିଶାବାସୀ ଏହାକୁ ବିଫଳ କରିଥିଲେ ।"

କାଶ୍ମୀର ପ୍ରସଙ୍ଗରେ ଖଡ଼ଗେଙ୍କୁ ଟାର୍ଗେଟ: ଶାହ କାଶ୍ମୀର ପ୍ରସଙ୍ଗ ଉଠାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଟାର୍ଗେଟ କରି କହିଛନ୍ତି, " ଖଡ଼ଗେ ଜୀ କହୁଥିଲେ କାଶ୍ମୀରକୁ ନେଇ ଓଡ଼ିଶା ଚିନ୍ତିତ ନୁହେଁ । ହେଲେ କାଶ୍ମୀର ପ୍ରସଙ୍ଗ ଆସିଲେ ଓଡ଼ିଶାର ପ୍ରତିଟି ଯୁବପିଢି ନିଜ ଜୀବନକୁ ଦେବାକୁ ମଧ୍ୟ ପଛାଇବେ ନାହିଁ । କଂଗ୍ରେସ ଧାରା 370କୁ 70 ବର୍ଷ ଧରି ପାଳିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ଧାରା 370 ଉଚ୍ଛେଦ କରି କାଶ୍ମୀରକୁ ଭାରତର ଅବିଚ୍ଛେଦ ଅଂଶ କରିଛନ୍ତି ।"

ରାଜ୍ୟବାସୀଙ୍କୁ ଦେଲେ ମାଳ ମାଳ ପ୍ରତିଶୃତି: ଶାହ ଆହୁରି କହିଛନ୍ତି, " ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟବାସୀଙ୍କୁ ପ୍ରତି ବ୍ୟକ୍ତି ପିଛା 5 କେଜି ଚାଉଳ ଦେଉଛନ୍ତି । କିନ୍ତୁ ଏହି ଯୋଜନାକୁ ନବୀନ ସରକାର ହଡ଼ପ କରୁଛି । ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାର ପ୍ରତିଟି ଘରକୁ ପିଇବା ପାଣି ପହଞ୍ଚାଯିବ, 5 ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ, କପା ହସ୍ତତନ୍ତ ମିଲ୍‌ ନିର୍ମାଣ, ଫିସରିଜ କଲେଜ ନିର୍ମାଣ, ଆୟୁର୍ବେଦ ଔଷଧ କାରଖାନା ନିର୍ମାଣ କରାଯିବ ।"

ଏହା ବି ପଢନ୍ତୁ- ଓଡିଶାରେ ଅମିତ ଶାହ, ସୁବର୍ଣ୍ଣପୁରରେ ଫୁଙ୍କିବେ ନିର୍ବାଚନ ବିଗୁଲ

ଗତ 2019 ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁବର୍ଣ୍ଣପୁରକୁ ଆସି ନିର୍ବାଚନ ପ୍ରଚାର କରିଥିଲେ । ତେବେ ନରେନ୍ଦ୍ର ମୋଦିଙ୍କ ପ୍ରଚାର ସତ୍ତ୍ବେ ବି ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ଯାକ ନିର୍ବାଚନ ମଣ୍ଡଳୀ ସୋନପୁର ଓ ବୀରମହାରାଜପୁର ବିଜେଡି ହାତକୁ ଯାଇଥିଲା । ବଲାଙ୍ଗୀର ଲୋକସଭା ଆସନଟି ବିଜେପି ହାତକୁ ଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ଉଭୟ ବିଧାନସଭା ଆସନରୁ ବିଜେପି ଲୋକସଭା ପ୍ରାର୍ଥୀ ବିଜେଡି ଲୋକସଭା ପ୍ରାର୍ଥୀଙ୍କଠାରୁ କମ ଭୋଟ ପାଇଥିଲେ । ସୁବର୍ଣ୍ଣପୁର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ବିଜୟୀ ହୋଇଥିଲେ । ସେହିପରି ବୀରମହାରାଜପୁରରେ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ବିଜୟୀ ହୋଇଥିବା ବେଳେ ବଲାଙ୍ଗୀର ଲୋକସଭା ପ୍ରାର୍ଥୀନୀ ସଂଗୀତା କୁମାରୀ ସିଂହଦେଓ ବିଜୟୀ ହୋଇଥିଲେ ।

ତେବେ ଚଳିତ ନିର୍ବାଚନରେ ପୁଣି ଉଭୟ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ରିପିଟ କରିଥିବା ବେଳେ ବଲାଙ୍ଗୀର ଲୋକସଭା ପ୍ରାର୍ଥୀଙ୍କୁ ବଦଳ କରିଛି । ହେଲେ ବିଜେପି ଲୋକସଭା ପ୍ରାର୍ଥୀ ଓ ସୁବର୍ଣ୍ଣପୁର ଜିଲ୍ଲାର ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ରିପିଟ କରିଛି । ତେବେ ବିଜେଡିର ପତିଆରାକୁ କମ କରିବା ସହିତ ସମସ୍ତ ସିଟରେ ବିଜେପିକୁ ବିଜୟୀ କରିବାକୁ ଜିଲ୍ଲା ବିଜେପି ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି । ଏଥିପାଇଁ ଅମିତ ଶାହାଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଆଗାମୀ ଦିନରେ ବିଜେପିର ଆହୁରି ଷ୍ଟାର କ୍ୟାମ୍ପେନର ସୁବର୍ଣ୍ଣପୁର ମାଟିରେ ପଦାର୍ପଣ କରିବେ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Apr 25, 2024, 7:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.