ETV Bharat / opinion

ରାଜ୍ୟସଭା ଫଳାଫଳ ପରେ ଲୋକସଭା ନିର୍ବାଚନରେ ପ୍ରଶ୍ନ ଘେରରେ ବିରୋଧୀଙ୍କ ଅସ୍ଥିତ୍ବ

author img

By ETV Bharat Odisha Team

Published : Mar 5, 2024, 5:05 PM IST

RS Election Casts a shadow on The Opposition chances in Lok Sabha poll: ଏମିତି ଲାଗୁଛି ଯେପରି କଂଗ୍ରେସ ପାର୍ଟି ଇଚ୍ଛା ମୃତ୍ୟୁ ଦିଗରେ ଅଗ୍ରସର ହେଉଛି । ଯଦିଓ ଲୋକମାନେ ଏହି ଦଳକୁ ଏବେବି ଭୋଟ୍ ଦେଉଛନ୍ତି, ତେବେ ଦଳ ନିଜେ ନିଜର ବିନାଶ କରିବା ଭଳି ଆଚରଣ କରୁଛି । ଜନସାଧାରଣ ଏହି ସର୍ବ ପୁରାତନ ଦଳ ପ୍ରତି ସମର୍ଥନ ଜାହିର କରିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି । ଆଶ୍ଚର୍ଯ୍ୟର କଥା, କଂଗ୍ରେସ ପାର୍ଟିର ପିଛା ଛାଡୁନି ବିବାଦ । ଗ୍ରାଣ୍ଡ ଓଲ୍ଡ ପାର୍ଟିକୁ ଗ୍ରାସୁଛି ଗୋଟିଏ ପରେ ଗୋଟିଏ ସଂକଟ । ସ୍ତମ୍ଭକାର ବୀରେନ୍ଦ୍ର କପୁରଙ୍କ ଆଲେଖ୍ୟ,

ରାଜ୍ୟସଭା ଫଳାଫଳ ପରେ ଲୋକସଭା ନିର୍ବାଚନରେ ପ୍ରଶ୍ନ ଘେରରେ ବିରୋଧୀଙ୍କ ଅସ୍ଥିତ୍ବ
ରାଜ୍ୟସଭା ଫଳାଫଳ ପରେ ଲୋକସଭା ନିର୍ବାଚନରେ ପ୍ରଶ୍ନ ଘେରରେ ବିରୋଧୀଙ୍କ ଅସ୍ଥିତ୍ବ

ବୀରେନ୍ଦ୍ର କପୁର

ସ୍ତମ୍ଭକାର

ହାଇଦ୍ରାବାଦ: ଏବେ ଏବେ ସରିଛି ରାଜ୍ୟସଭା ନିର୍ବାଚନ । ଆଉ ଏଥିରେ ପଦାରେ ପଡ଼ିଛି କଂଗ୍ରେସ ପାର୍ଟିର ସାଂଗଠନିକ ଦୋଷ ଦୁର୍ବଳତା । ଯାହାର ପ୍ରମାଣ ମିଳିଛି ହିମାଚଳ ପ୍ରଦେଶରୁ । ହିମାଚଳରେ କଂଗ୍ରେସ ସରକାର ରହିଛି । ଏଠାରେ କଂଗ୍ରେସର ଅଧିକ ବିଧାୟକ ମଧ୍ୟ ଅଛନ୍ତି । ମାତ୍ର ଅନ୍ତଃକନ୍ଦଳ ଯୋଗୁଁ ୬ ଜଣ କଂଗ୍ରେସ ବିଧାୟକ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କଲେ । ଫଳରେ ସଂଖ୍ୟା ଥାଇ ମଧ୍ୟ ଦଳୀୟ ପ୍ରାର୍ଥୀ ତଥା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭିଙ୍କୁ ପରାଜୟ ବରଣ କରିବାକୁ ପଡ଼ିଲା । ସେହିପରି ଉତ୍ତର ପ୍ରଦେଶରେ ମଧ୍ୟ କଂଗ୍ରେସର ସହଯୋଗୀ ଦଳ, ସମାଜବାଦୀ ପାର୍ଟିର ଅଧା ଡଜନରୁ ଅଧିକ (୭ ଜଣ) ବିଧାୟକ ରାଜ୍ୟସଭା ନିର୍ବାଚନରେ ବିଜେପି ସପକ୍ଷରେ କ୍ରସ ଭୋଟିଂ କଲେ । ଫଳରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ୨ଟି ଆସନରେ ବିଜୟୀ ହୋଇଥିବା ବେଳେ, ଗୋଟିଏ ଆସନ ହରାଇଲା । ଅନ୍ୟପକ୍ଷରେ ବିଜେପି ଗୋଟିଏ ଆସନ ଅଧିକ ପାଇଲା ।

ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସକୁ ଲାଗିଛି ସକ୍ତ ଝଟକା । ହିମାଚଳ କଂଗ୍ରେସର ସବୁ କିଛି ଠିକ୍ ଚାଲିନଥିଲା ବୋଲି ପୂର୍ବରୁ ଆଭାସ ମିଳିଥିଲା । ଦଳର ଜଣେ ବରିଷ୍ଠ ନେତା ମଧ୍ୟ ଦଳୀୟ କନ୍ଦଳ ସଂପର୍କରେ ହାଇକମାଣ୍ଡଙ୍କୁ ଅବଗତ କରାଇଥିଲେ । ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ପୂର୍ବରୁ ହିମାଚଳରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେ ମଧ୍ୟ ପୁଣି ଥରେ ହିମାଚଳରୁ ରାଜ୍ୟସଭାକୁ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେ ମନୁ ସିଂଘଭିଙ୍କ ପ୍ରାର୍ଥିତ୍ବ ଉପରେ ଆପତ୍ତି ଉଠାଇଥିଲେ । ତାଙ୍କ କହିବା କଥା, ପୂର୍ବରୁ କେବେବି ଜଣେ ବାହାର ରାଜ୍ୟର ନେତାଙ୍କୁ ହିମାଚଳରୁ ରାଜ୍ୟସଭାକୁ ପଠାଯାଇ ନଥିଲା । ସେ ଆହୁରି ମଧ୍ୟ ସଂକେତ ଦେଇଥିଲେ ଯେ, କିଛି କଂଗ୍ରେସ ବିଧାୟକ ସିଂଘଭିଙ୍କ ପ୍ରାର୍ଥିତ୍ବକୁ ବିରୋଧ କରୁଥିଲେ ।

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କଂଗ୍ରେସ ବିଧାୟକ ଦଳ ବୈଠକରେ ବିଦ୍ରୋହର ଶିକାର ହୋଇଥିଲେ । ହିମାଚଳ ବିଧାନସଭା ନିର୍ବାଚନ ପରେ ଅର୍ଥାତ ୧୪ ମାସ ତଳେ କଂଗ୍ରେସ ହାଇକମାଣ୍ଡ, ଯେତେବେଳେ ସୁଖୁଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚିତ କଲେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ବାଛିଲେ, ସେତେବେଳେ ମଧ୍ୟ ଦଳର କିଛି ବରିଷ୍ଠ ବିଧାୟକ ଆପତ୍ତି ଉଠାଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବୀରଭଦ୍ର ସିଂଙ୍କ ପତ୍ନୀ ପ୍ରତିଭା ସିଂହ କିମ୍ବା ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସେମାନେ ଦାବି କରିଥିଲେ । କେବଳ ସେତିକି ନୁହେଁ, ସେମାନେ ସୁଖୁଙ୍କ ବିରୋଧରେ ହାଇକମାଣ୍ଡଙ୍କ ନିକଟରେ ଫେରାଦ ମଧ୍ୟ ହୋଇଥିଲେ ।

ସୁଖୁ ସରକାର ଗଠନ ଆରମ୍ଭରୁ ହିମାଚଳ କଂଗ୍ରେସରେ ଅନ୍ତଃକନ୍ଦଳ କୁହୁଳୁ ଥିଲା । ସୁଖୁ ବିରୋଧୀ ମାନେ ସୁଯୋଗ ଖୋଜୁଥିଲେ । ଯାହା ରାଜ୍ୟସଭା ନିର୍ବାଚନରେ ପ୍ରତିଫଳିତ ହେଲା । ୬ ଜଣ କଂଗ୍ରେସ ବିଧାୟକ ଦଳର ହ୍ବିପ୍ କୁ ଅବମାନନା କରି ଦଳୀୟ ପ୍ରାର୍ଥୀ ସିଂଘଭିଙ୍କ ବିପକ୍ଷରେ ଭୋଟ୍ ଦେଲେ । ଅସନ୍ତୁଷ୍ଟ ୬ କଂଗ୍ରେସ ବିଧାୟକ, ବିଜେପି ରାଜ୍ୟସଭା ପ୍ରାର୍ଥୀ ହର୍ଷ ମହାଜନଙ୍କୁ ଭୋଟ୍ ଦେଇ ବିଜୟୀ କରାଇଲେ । ହର୍ଷ ହେଉଛନ୍ତି ପୂର୍ବତନ କଂଗ୍ରେସ ନେତା, ଯିଏ କି ଗତ କିଛି ଦିନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ । ରାଜ୍ୟସଭା ନିର୍ବାଚନରେ ହର୍ଷ ମହାଜନ ଏବଂ ମନୁ ସିଂଘଭି ୩୪ଟି ଲେଖାଏଁ ଭୋଟ୍ ପାଇଥିଲେ । ଫଳରେ ଲଟେରୀ ଜରିଆରେ ବିଜେପି ପ୍ରାର୍ଥୀ ହର୍ଷଙ୍କୁ ବିଜୟୀ ଘୋଷଣା କରିଥିଲେ ନିର୍ବାଚନ କମିଶନ ।

68 ସଦସ୍ୟ ବିଶିଷ୍ଟ ହିମାଚଳ ବିଧାନସଭାରେ ଶାସକ ଦଳ କଂଗ୍ରେସରୁ 40 ଜଣ ବିଧାୟକ ଥିବା ବେଳେ, ବିରୋଧୀ ବିଜେପିରୁ 25 ବିଧାୟକ ଏବଂ ୩ ଜଣ ସ୍ବାଧୀନ ବିଧାୟକ ଅଛନ୍ତି । କଂଗ୍ରେସର ୬ ଜଣ ସଦସ୍ୟ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ, ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ । ସେହିପରି ୩ ସ୍ବାଧୀନ ବିଧାୟକ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଥିଲେ ।

ସଂକଟର ସମ୍ମୁଖୀନ ହୋଇଥିଲେ ସୁଖୁ ସରକାର । ରାଜ୍ୟସଭା ନିର୍ବାଚନର ଦିନକ ପରେ, ଯେତେବେଳେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା, ବାଚସ୍ପତି ବିଜେପିର ୧୫ ଜଣ ବିଧାୟକଙ୍କୁ ନିଲମ୍ବିତ କରିଥିଲେ । ପରେ ବାଚନିକ ଭୋଟରେ ବଜେଟ୍ ପାସ୍ ହୋଇଥିଲା ଏବଂ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ରାଜ୍ୟସଭା ନିର୍ବାଚନରେ ହିମାଚଳ କଂଗ୍ରେସରେ ସୃଷ୍ଟି ହୋଇଥିବା ସଂକଟ ଦୂର କରିବାକୁ ଶିମଲାରେ ପହଞ୍ଚିଥିଲେ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ଏହାରି ଭିତରେ କ୍ରସ୍ ଭୋଟିଂ କରିଥିବା ୬ ଜଣ କଂଗ୍ରେସ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କରିଥିଲେ ବାଚସ୍ପତି । ଯାହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ୬ ବିଧାୟକ । ଗୋଟିଏ ପରେ ବିଧାୟକମାନଙ୍କ ବିଦ୍ରୋହ, ଅନ୍ୟପଟେ କଂଗ୍ରେସ ଲୋକସଭା ସାଂସଦ ପ୍ରତିଭା ସିଂଙ୍କ ପୁ୍ଅ, ତଥା ରାଜ୍ୟ ପିଡବଲ୍ୟୁଡି ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଥିଲେ । ତାଙ୍କର ଅଭିଯୋଗ ଥିଲା ଯେ, ମୁଖ୍ୟମନ୍ତ୍ରୀ ତାଙ୍କୁ କାମ କରିବାକୁ ଅନୁମତି ଦେଉ ନାହାନ୍ତି ।

କିଛି ବରିଷ୍ଠ କଂଗ୍ରେସ ନେତାଙ୍କ ଅଭିଯୋଗ, ସୁଖୁ ସରକାରକୁ ଗାଦିଚ୍ୟୁତ କରିବାକୁ ଉଦ୍ୟମ କରୁଛି ବିଜେପି । ଏଭଳି ଅଙ୍ଗୁଳି ନିର୍ଦ୍ଦେଶ କରିବା ଅର୍ଥହୀନ ଥିଲା । କାରଣ ଯେତେବେଳେ ରାଜ୍ୟସଭା ନିର୍ବାଚନର କିଛି ଦିନ ପୂର୍ବରୁ, ବରିଷ୍ଠ ନେତା ଆନନ୍ଦ ଶର୍ମା, ଜଣେ ବାହାର ନେତାଙ୍କ ନାମାଙ୍କନ ବିରୋଧରେ ଖୋଲାଖୋଲି ଚେତାବନୀ ଦେଇଥିଲେ । ପ୍ରତିଭା ସିଂ କିମ୍ବା ତାଙ୍କ ପୁଅ ବିକ୍ରମାଦିତ୍ୟଙ୍କୁ ସିଏମ୍ ପଦବୀ ପାଇଁ ଅଣଦେଖା କରି ସୁଖଙ୍କୁ ସିଏମ୍ ମନୋନିତ କରିବାରେ ବିଜେପିର ହାତ ରହି ନ ପାରେ। ବାସ୍ତବରେ ଏକାଧିକ ବାର ମାଆ-ପୁଅ ମତ ରଖିଥିଲେ, ଯେ ସ୍ବର୍ଗତ ରାଜା ବୀରଭଦ୍ର ସିଂଙ୍କ ଲୋକପ୍ରିୟତା ପାଇଁ ହିଁ ହିମାଚଳରେ କଂଗ୍ରେସର ବିଜୟ ହୋଇଛି।

ହିମାଚଳ ବିଧାନସଭାରେ ସଂଖ୍ୟା ଗଣିତକୁ ଦେଖିଲେ କୁହାଯାଇ ପାରିବ ଯେ, ରାଜ୍ୟରେ କଂଗ୍ରେସ ସରକାର ସଂପୂର୍ଣ୍ଣ ସୁରକ୍ଷିତ ନୁହନ୍ତି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ବିପଦ ହୋଇନାହିଁ । PWD ମନ୍ତ୍ରୀ ପଦରୁ ଇସ୍ତଫା ପ୍ରତ୍ୟାହାର କରିବାକୁ କେନ୍ଦ୍ରୀୟ ନେତାମାନେ ବିକ୍ରମଦିତ୍ୟ ସିଂଙ୍କ ଉପରେ ଚାପ ପକାଇଥିଲେ। ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ କଂଗ୍ରେସ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି, ଯଦି ବିଭାଜିତ କଂଗ୍ରେସ ରାଜ୍ୟର ମୋଟ ୪ଟି ମଧ୍ୟରୁ ଗୋଟିଏ ଆସନରେ ବି ଜିତିପାରିବ, ତାହା ମଧ୍ୟ ଚମତ୍କାର ସଦୃଶ ହେବ।

ଅପର ପକ୍ଷପରେ, ଯଦିଓ ୟୁପିରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପାର୍ଟି ପ୍ରତିଯୋଗିତାରେ ନଥିଲା, ସମାଜବାଦୀ ପାର୍ଟି ସାମ୍ନା କରିଥିବା ବିପର୍ଯ୍ୟୟ ଆସନ୍ତା ଲୋକସଭା ନିର୍ବାଚନରେ ​​ଦଳର ସମ୍ଭାବନା ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ସମାଜବାଦୀ ପାର୍ଟି ସହ ୟୁପିରେ ଆସନ ବୁଝାମଣା କରିଛି କଂଗ୍ରେସ । କଂଗ୍ରେସ 17ଟି ଲୋକସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରିବ ଏବଂ ଏସପି 63ରେ ଲଢ଼ିବ । ଗତ ରାଜ୍ୟସଭା ନିର୍ବାଚନରେ ୟୁପିରେ ଏସପିର ୭ ଜଣ ସଦସ୍ୟ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଘଟଣା, ଏହା ସ୍ଥିତିକୁ ଆହୁରି ଦୁର୍ବଳ କରିବ । କାରଣ ବିଦ୍ରୋହୀ ଏସପି ବିଧାୟକମାନେ କଂଗ୍ରେସ ଗଡ଼ କୁହାଯାଉଥିବା ଆମେଥୀ ଏବଂ ରାଇବରେଲୀ ଲୋକସଭା ଅଧୀନ ବିଧାନସଭା ଆସନଗୁଡ଼ିକରୁ ବିଜୟୀ ହୋଇଛନ୍ତି । ଆମେଥୀ ଏବଂ ରାଇବରେଲୀକୁ ଗାନ୍ଧୀ ପରିବାରର ଗଡ଼ କୁହାଯାଉଥିବା ବେଳେ, ଆସନ୍ତା ଲୋକସଭା ନିର୍ବାଚନରେ ବିଦ୍ରୋହୀ ଏସପି ବିଧାୟକମାନେ କଂଗ୍ରେସ ପ୍ରାର୍ଥୀଙ୍କୁ ସହାୟତା କରିବା ନେଇ ଆଶଙ୍କା ସୃଷ୍ଟି ପାଉଛି ।

ଏସପି ବିଧାୟକଙ୍କ ବିଦ୍ରୋହର କାରଣ ଏପରି । ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ବାରଣ କରିଥିବାରୁ ସେମାନେ ଅଖିଳେଶ ଯାଦବଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଅଖିଳେଶ ଆଶଙ୍କା ଥିଲା ଯେ, ରାମ ମନ୍ଦିର ସମାରୋହରେ ଯୋଗଦେଲେ, ମୁସଲିମ ଭୋଟ୍ ବ୍ୟାଙ୍କ ହାତରୁ ଖସିଯାଇପାରେ । ଏହା ଏକ ଭିନ୍ନ କଥା ଯେ, ସମାଜବାଦୀ ପାର୍ଟିକୁ ସମର୍ଥନ କରିଆସୁଥିବା ଯାଦବ ସଂପ୍ରଦାୟ ମଧ୍ୟ ଅଯୋଧ୍ୟା ମନ୍ଦିରର ଭବ୍ୟ ଉଦଘାଟନୀ ଉତ୍ସବରେ ଯୋଗ ଦେଇ ନ ଥିବାରୁ, ଅଖିଳେଶଙ୍କ ଉପରେ ରାଗିଥିଲେ।

ସମାଜବାଦୀ ପାର୍ଟିରେ ବିଦ୍ରୋହ ଛିଟା INDIA ମହାମେଣ୍ଟ ଶୁଭଙ୍କର ନୁହେଁ । ଯଦି ଏସପି ଅଧିକ ଦୁର୍ବଳ ହୁଏ, ତେବେ ୟୁପିରେ ଏସପି-କଂଗ୍ରେସ ମେଣ୍ଟ ରାଜନୀତି ବିଶେଷ ଫଳପ୍ରଦ ହୋଇ ନପାରେ । ଏହାସହ ଯଦି ଗାନ୍ଧୀ ପରିବାର ସଦସ୍ୟ ଆମେଥୀ ଏବଂ ରାଇବରେଲୀରୁ ପ୍ରତିଦ୍ବନ୍ଦ୍ବିତା କରନ୍ତି, ତେବେ ଏସପି କେତେ ସମର୍ଥନ କରିବ ତାହାହିଁ ଗୁରୁତ୍ବପୂ୍ର୍ଣ୍ଣ । ମାତ୍ର କଥା ହେଉଛି, ଏହି ଦୁଇ ଅଞ୍ଚଳରୁ ନିର୍ବାଚିତ ହୋଇଥିବା ସମାଜବାଦୀ ପାର୍ଟି ବିଧାୟକମାନେ ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି । ତେଣୁ ଗାନ୍ଧୀ ପରିବାରର ସେହି ଦୁଇଟି ଆସନ ପ୍ରତି ବିପଦ ଟଳିବା ବଦଳରେ ବଢ଼ିବା ଆଶଙ୍କା ଅଧିକ ।

ଏବେ ହିମାଚଳ ଏବଂ ୟୁପିରୁ ଯିବା କେରଳ । କେରଳର ୱାୟନାଡ଼ ଆସନରୁ ୨୦୧୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ରାହୁଲ ଗାନ୍ଧୀ । ଏଭଳି ସ୍ଥିତିରେ ଏହି ଆସନରୁ ପ୍ରାର୍ଥୀ ଘୋଷଣା କରିଛି INDIA ମେଣ୍ଟର ଭାଗୁଆଳୀ ଦଳ ସିପିଆଇ। ରାହୁଲ ଗତ ନିର୍ବାଚନରେ ଆମେଥୀରୁ ପରାସ୍ତ ହୋଇଥିଲେ । ଅନ୍ୟପକ୍ଷରେ ରାୟବରେଲୀରୁ ବିଜୟୀ ହୋଇ ଆସୁଥିବା ସୋନିଆ ଗାନ୍ଧୀ ଆଉ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ । କାରଣ ସେ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ସାରିଛନ୍ତି । ତେଣୁ ରାହୁଲ ଗାନ୍ଧୀ ଏକ ସୁରକ୍ଷିତ ଆସନକୁ ବାଛି ପାରନ୍ତି । ଆମେଥୀ ଏବଂ ରାୟବରେଲୀରୁ ରିସ୍କ ନେବା ଅପେକ୍ଷା, ଗାନ୍ଧୀ ପରିବାର ପାଇଁ ସୁରକ୍ଷିତ ଆସନ ଖୋଜୁଛି ଦଳ । ରାହୁଲ କିମ୍ବା ପ୍ରିୟଙ୍କା ତେଲେଙ୍ଗାନାରୁ ଲଢ଼ିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଯେତେବେଳେ ଗାନ୍ଧୀ ପରିବାର ସୁରକ୍ଷିତ ଆସନ ଖୋଜୁଛନ୍ତି, ସେତେବେଳେ ବିରୋଧୀଙ୍କ ମନୋବଳ ସୁଦୃଢ଼ ହେବ କିପରି ?

ହିମାଚଳ ପ୍ରଦେଶ ଏବଂ ୟୁପିରେ ବିଫଳ ହୋଇଛି କଂଗ୍ରେସ । ଆସନ୍ତା ୨-୩ ମାସ ମଧ୍ୟରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ, ସେତେବେଳେ ଏହା ସ୍ପଷ୍ଟ ହୋଇଯିବ । ସେପଟେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ବିଶେଷ ପ୍ରଭାବ ପକାଉନାହିଁ । ରାହୁଲଙ୍କ ଯାତ୍ରା ୨.୦ରେ ଜନ ସମାଗମ ବିଶେଷ ଅନୁଭୂତ ହେଉନଥିବା ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢ଼ନ୍ତୁ : ପ୍ରତିରକ୍ଷା କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିକାଶ ଦ୍ବାରା ସାକାର ହେବ ଆତ୍ମନିର୍ଭର ଭାରତର ସ୍ବପ୍ନ

ଏହା ମଧ୍ୟ ପଢ଼ନ୍ତୁ: 2030 ସୁଦ୍ଧା 7 ଟ୍ରିଲିୟନ ଡଲାରରେ ପହଞ୍ଚିବ ଭାରତୀୟ ଅର୍ଥବ୍ୟବସ୍ଥା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.