ଲୋହିତ ସାଗର ସଙ୍କଟ: କଣ ଭାରତୀୟ ନୌସେନାର 'ଆଣ୍ଟି ପାଇରେସି ଅପରେସନ' ? - ANTI PIRACY OPERATIONS

author img

By ETV Bharat Odisha Team

Published : Apr 3, 2024, 7:11 AM IST

Red Sea Crisis

Red Sea Crisis: ଲୋହିତ ସାଗର ସଙ୍କଟ ମଧ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଭାରତୀୟ ନୌସେନା । 2008 ପର ଠାରୁ ଭାରତୀୟ ନୌସେନା ଆଡେନ୍ ଗଲ୍ଫ ଏବଂ ଆଫ୍ରିକାର ପୂର୍ବ ଉପକୂଳରେ ଆଣ୍ଟିପାଇରେସି ପାଟ୍ରୋଲିଂ କରିଆସୁଛି । ଯାହାଦ୍ବାରା ଅନେକ ବାଣିଜ୍ୟିକ ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ରକ୍ଷା କରୁଛି ଭାରତୀୟ ନୌସେନା । ପଢନ୍ତୁ ଡଃ ରାବେଲା ଭାନୁ କ୍ରିଷ୍ଣା କିରନଙ୍କ ଏହି ଆଲେଖ୍ୟ

ଲେଖକ- ଡଃ ରାବେଲା ଭାନୁ କ୍ରିଷ୍ଣା କିରନ

ହାଇଦ୍ରାବାଦ: ଥମିବାର ନାଁ ନେଉନି ଲୋହିତ ସାଗର ସଙ୍କଟ । ଇସ୍ରାଏଲ ଓ ହମାସ ଯୁଦ୍ଧ ପରେ ଲୋହିତ ସାଗର ଅଞ୍ଚଳରେ ସାମୁଦ୍ରିକ ବାଣିଜ୍ୟ ପରିବହନକୁ ଟାର୍ଗେଟ କରି ସୋମାଲିଆର ଡକାୟତମାନଙ୍କ ଦ୍ବାରା ଡକାୟତି ଘଟଣାରେ ବୃଦ୍ଧି ଘଟିଛି । 2018 ଠାରୁ 2023ର ଶେଷ ପର୍ଯ୍ୟନ୍ତ ଜଳଦସ୍ୟୁଙ୍କ ପ୍ରାଦୁର୍ଭାବ ହ୍ରାସ ପାଇଥିଲା । ହେଲେ ପୁଣି ଲୋହିତ ସାଗରରେ ପ୍ରମୁଖ ଜାହାଜ ଚଳାଚଳ ପଥରେ ବାଣିଜ୍ୟିକ ଜାହାଜ ଗୁଡ଼ିକ ଉପରେ ଆକ୍ରମଣ ବୃଦ୍ଧି ପାଇବା ପରେ ଭାରତୀୟ ନୌସେନାର 'ଆଣ୍ଟି ପାଇରେସି ଅପରେସନ' ସକ୍ରିୟ ରହିଛି । ବିଭିନ୍ନ ସାମୁଦ୍ରିକ ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ରକ୍ଷା କରିବା ଲାଗି ଏହି ଅପରେସନ କାର୍ଯ୍ୟ କରୁଛି ।

ବର୍ତ୍ତମାନ ଆମେରିକା ଏବଂ ଅନ୍ୟ ୟୁରୋପିଆନ ୟୁନିଅନ ଦେଶ ଗୁଡ଼ିକ ଲୋହିତ ସାଗରରେ ୟେମେନ ବିଦ୍ରୋହୀ ଗୋଷ୍ଠୀ 'ହାଉଥି' ସଂଗଠନକୁ ମୁକାବିଲା କରିବା ପାଇଁ ଅପରେସନ ପ୍ରସପେରିଟି ଗାର୍ଡିଆନ ଏବଂ ଅପରେସନ ଆସପାଇଡ୍ସରେ ବ୍ୟସ୍ତ ଅଛନ୍ତି । ଆଫ୍ରିକାର ପୂର୍ବ ଉପକୂଳରେ ସାମୁଦ୍ରିକ ଜାହାଜରେ ଡକାୟତି ପୁନର୍ବାର ଆରମ୍ଭ ହୋଇଛି । ଏକ ଗୁରୁତ୍ବପୂର୍ଣ୍ଣ ଜାହାଜ ଚଳାଚଳ ପଥରେ ଭାରତୀୟ ନୌସେନା ମୁତୟନ ହୋଇ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଡକାୟତି ବିରୋଧୀ କାର୍ଯ୍ୟ, ଦକ୍ଷତା ଏବଂ ପ୍ରତିବଦ୍ଧତା ଉପରେ 20 ବର୍ଷର ଅଭିଜ୍ଞତା ସହିତ ଭାରତୀୟ ନୌସେନା ବାଣିଜ୍ୟ ପରିବହନ ପାଇଁ ସୁରକ୍ଷା ପ୍ରଦାନ କରିବାକୁ ପଦକ୍ଷେପ ଗ୍ରହଣ କରିଛି ।

ଗତ 2008ରୁ ଆମେରିକା, ଫ୍ରାନ୍ସ ଏବଂ ଚୀନ ଠାରୁ ଭାରତ ଏହି ଅଞ୍ଚଳର ସର୍ବବୃହତ ନୌସେନାର ଉପସ୍ଥିତି ଜାହିର କରିବା ସହ ନିରନ୍ତର ପାଟ୍ରୋଲିଂ ଜାରି ରଖି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । 2008 ପରଠାରୁ ଭାରତୀୟ ନୌସେନା ଆଡେନ୍ ଗଲ୍ଫ ଏବଂ ଆଫ୍ରିକାର ପୂର୍ବ ଉପକୂଳରେ ଆଣ୍ଟିପାଇରେସି ପାଟ୍ରୋଲିଂ କରିଆସୁଛି । ଭାରତୀୟ ନୌସେନା ପ୍ରାୟ 106ଟି ଜାହାଜ ବ୍ୟବହାର କରି ସଫଳତାର ସହ 3,440 ଜାହାଜ ଏବଂ 25,000ରୁ ଅଧିକ ସମୁଦ୍ରକୂଳକୁ ପଠାଇବାରେ ସକ୍ଷମ ହୋଇଛି । ଗତ 2019 ଜୁନରେ ଓମାନ ଗଲ୍ଫରେ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ପରେ ଭାରତୀୟ ନୌସେନା ପର୍ସିଆନ ଗଲ୍ଫ ଏବଂ ଓମାନ ଗଲ୍ଫରେ ‘ଅପରେସନ ସଂକଳ୍ପ’ ଆରମ୍ଭ କରି ହର୍ମୁଜ ଷ୍ଟ୍ରେଟ୍ ଦେଇ ଯାଉଥିବା ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତକୁ ନିଶ୍ଚିତ କରିଥିଲା ।

ଏହା ବି ପଢନ୍ତୁ- ରେଡ ସି'ରେ ନୌସେନା ଜାହାଜ ଉପରେ 'ହାଉଥି' ଆକ୍ରମଣ, ଦୀର୍ଘକାଳୀନ ବିବାଦର ସମ୍ମୁଖୀନ ବିଶ୍ବ

ୟେମେନ ବିଦ୍ରୋହୀ ଗୋଷ୍ଠୀ 'ହାଉଥି' ଅନେକ ସାମୁଦ୍ରିକ ଜାହାଜକୁ ଟାର୍ଗେଟ କରୁଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଭାରତ ହାଉଥି ଆକ୍ରମଣ ଅପେକ୍ଷା ଗଲ୍ଫ ଅଫ ଆଡେନ ଓ ଆରବ ସାଗରରେ ଡକାୟତିକୁ ହ୍ରାସ କରିବା ଉପରେ ଗୁରୁତ୍ବ ଦେଇଛି । ଏଥିଲାଗି ଆରବ ସାଗରରେ ପ୍ରାୟ 12ଟି ଯୁଦ୍ଧ ଜାହାଜ ମୁତୟନ ହୋଇଛି । ଏଥିରେ ମିସାଇଲ ନଷ୍ଟ, ବହୁ ଦୂର ପର୍ଯ୍ୟନ୍ତ ଏୟାରକ୍ରାଫ୍ଟ ଗତିବିଧି ଉପରେ ନଜର, ଡ୍ରୋନ, 15 ଲକ୍ଷ ବର୍ଗ କିଲୋମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଅଞ୍ଚଳ ଉପରେ ନଜର ରଖିବାକୁ ସ୍ବତନ୍ତ୍ର କମାଣ୍ଡରଙ୍କୁ ମୁତୟନ କରାଯାଇଛି । ଗଲ୍ଫ ଆଡେନରେ 2ଟି ଓ ଦକ୍ଷିଣ ଓ ପଶ୍ଚିମ ଆରବ ସାଗରରେ 10ଟି ଅତ୍ୟାଧୁନିକ ଭେସେଲକୁ ମୁତୟନ କରାଯାଇଛି ।

ଚଳିତ ବର୍ଷ ଆରମ୍ଭରୁ ଅର୍ଥାତ ଜାନୁଆରୀ 4 ତାରିଖରେ ସୋମାଲିଆ ସାମୁଦ୍ରିକ ଅଞ୍ଚଳ ଲାଇବେରିଆ ପତାକା ଥିବା ଏକ ମାଲବାହୀ ଜାହାଜ ଅପହରଣ ହୋଇଥିଲା । ଏଥିରେ ଚାଳକଙ୍କ ସମେତ ଥିଲେ ୧୫ ଜଣ ଭାରତୀୟ । ଏହି ଖବର ପାଇବା ମାତ୍ରେ ଆକ୍ଟିଭ ମୋଡକୁ ଆସିଥିଲା ଭାରତୀୟ ନୌସେନା । ସ୍ଥିତି ଉପରେ ନଜର ରଖିବା ସହିତ ଭାରତୀୟ କ୍ରୁ ମେମ୍ବରକୁ ସୁରକ୍ଷା ଦେବା ଲାଗି ଯୁଦ୍ଧପୋତ INS ଚେନ୍ନାଇକୁ ଘଟଣାସ୍ଥଳକୁ ପଠାଯାଇଥିଲା । ଏହାସହିତ ଅପହୃତ ହୋଇଥିବା ଜାହାଜ ଏମଭି ଲିଲା ନରଫକ୍‌ ଉପରେ ଭାରତୀୟ ନୌସେନା କଡ଼ା ନଜର ରଖିଥିଲା । ଭାରତୀୟ କମାଣ୍ଡୋଙ୍କ ସଫଳ ଅପରେସନରେ ଉଦ୍ଧାର ହୋଇଥିଲେ ସମସ୍ତ ଭାରତୀୟ କ୍ରୁ ମେମ୍ବର।

ଏହା ବି ପଢନ୍ତୁ- ଭାରତ ଆସୁଥିବା ତୈଳ ଜାହାଜକୁ ଲୋହିତ ସାଗରରେ ମିସାଇଲ ମାଡ !

ଖାସ କଥା ହେଉଛି, ଦକ୍ଷିଣ ଭାରତ ମହାସାଗରରେ ଭାରତୀୟ ନୌସେନାର ପ୍ରଭାବଶାଳୀ ଡକାୟତି ବିରୋଧୀ କାର୍ଯ୍ୟ ବିଶ୍ବସ୍ତରରେ ଦେଶର ଗୁରୁତ୍ବ ଓ ନୌସେନାକୁ ବହୁ ମାନ୍ୟତା ମିଳିଛି । ନିକଟରେ ଜଳଦସ୍ୟୁମାନଙ୍କ ଦ୍ବାରା ବନ୍ଧକ ଥିବା ବୁଲଗେରିଆ ନାଗରିକଙ୍କୁ ସୁରକ୍ଷିତ ସହକାରେ ଉଦ୍ଧାର କରିଥିବାରୁ ବୁଲଗେରିଆ ରାଷ୍ଟ୍ରପତି ରୁମେନ ରାଡେଭ ଭାରତକୁ ଧନ୍ୟବାଦ ଜଣାଇଥିଲେ । ଭାରତ-ପ୍ରଶାନ୍ତ ମହାସାଗରୀୟ ବିଶେଷଜ୍ଞ ଯୋଗେଶ ଯୋଶୀ ଏନେଇ କହିଥିଲେ, "ଗତ ଦଶନ୍ଧି ମଧ୍ୟରେ ଭାରତର ସାମର୍ଥ୍ୟ, ବିଶେଷ କରି ଏହାର ସାମରିକ ତଥା ନୌସେନାର ଖ୍ୟାତି ବଢିବାରେ ଲାଗିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ପ୍ରତିବଦ୍ଧତା ଏକ ନୂତନ ଆଭିମୁଖ୍ୟ ସୃଷ୍ଟି କରିଛି ।"

ଭାରତୀୟ ନୌସେନାର ବିଶ୍ବସ୍ତରୀୟ ପ୍ରତିରକ୍ଷା ଦକ୍ଷତା ବିଶ୍ବବାସୀଙ୍କ ସୁରକ୍ଷା ଦେବାରେ ଭାରତ କିପରି ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି ତାହାକୁ ଦର୍ଶାଇଛି । ଏହାସହ ବେଜିଂକୁ ଏକ ବାର୍ତ୍ତା ଯାଇଛି ଯେ ଭାରତ ମହାସାଗରରେ ଭବିଷ୍ୟତରେ ଶକ୍ତି ସନ୍ତୁଳନ ପାଇଁ ନୂଆଦିଲ୍ଲୀ ଏଭଳି ଭାବେ ବଳିଷ୍ଠ ଶକ୍ତି ନିୟୋଜିତ କରିପାରିବ । ଏଥିରୁ ଜଣାପଡୁଛି ଯେ ଭାରତ ଲୋହିତ ସାଗରର ସାମୁଦ୍ରିକ ସୁରକ୍ଷା ସଙ୍କଟ ସହିତ ଆଗାମୀ ବିଶ୍ବ ଶକ୍ତି ହେବା ପାଇଁ ଜୋରଦାର ବେଗରେ ଯାତ୍ରା କରୁଛି ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.