ETV Bharat / international

ଇସ୍ରାଏଲ ଉପରେ ଇରାନର ଆକ୍ରମଣ, କ’ଣ ରହିଛି ଦୁଇ ଦେଶ ମଧ୍ୟରେ ବିବାଦ - Iran Attacked Israel

author img

By ETV Bharat Odisha Team

Published : Apr 14, 2024, 5:41 PM IST

ଇସ୍ରାଏଲ ଉପରେ ଶତାଧିକ ରକେଟ ଓ ଡ୍ରୋନ ମାଡ କଲା ଇରାନ । ଇସ୍ରାଏଲ ଦେଇପାରେ କଡା ଜବାବ । ପଶ୍ଚିମ ରାଷ୍ଟ୍ରରୁ ମିଳୁଛି ସମର୍ଥନ । ଜାତିସଂଘ ଡାକିଲା ଜରୁରୀ ବୈଠକ । କାହିଁକି ମୁହାଁମୁହିଁ ହେଲେ ଦୁଇ ଦେଶ, ଅଧିକ ପଢନ୍ତୁ

ଇସ୍ରାଏଲ ଉପରେ ଇରାନର ଆକ୍ରମଣ, କ’ଣ ରହିଛି ଦୁଇ ଦେଶ ମଧ୍ୟରେ ବିବାଦ
ଇସ୍ରାଏଲ ଉପରେ ଇରାନର ଆକ୍ରମଣ, କ’ଣ ରହିଛି ଦୁଇ ଦେଶ ମଧ୍ୟରେ ବିବାଦ

ହାଇଦ୍ରାବାଦ: ଇସ୍ରାଏଲ ଓ ଇରାନ ମଧ୍ୟରେ ଜାରି ରହିଥିବା ତିକ୍ତତା ଶେଷରେ ଯୁଦ୍ଧର ରୂପ ନେଇସାରିଛି । ଗତକାଲି ରାତିରେ ଇରାନ, ଇସ୍ରାଏଲ ଉପରେ ଶତାଧିକ କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ କରିଛି । ଏହାକୁ ଇସ୍ରାଏଲ ପକ୍ଷରୁ ଇଣ୍ଟରସେପ୍ଟ କରାଯାଇଥିବା ଦାବି କରାଯାଇଛି । ଆକ୍ରମଣରେ ଏପର୍ଯ୍ୟନ୍ତ କେହି ମୃତାହତ କିମ୍ବା ଇସ୍ରାଏଲୀ ଅଞ୍ଚଳରେ କ୍ଷୟକ୍ଷତି ନେଇ ସୂଚନା ସ୍ପଷ୍ଟ ହୋଇନି । ଇରାନ ସ୍ପଷ୍ଟ କରିସାରିଛି, ସିରିୟାରେ ଇରାନୀୟ ଦୂତାବାସ ଉପରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକ ବିରୋଧରେ ଏହି ଜବାବ ଦିଆଯାଇଛି । ଏବେ ଆଉ ଆକ୍ରମଣ କରାଯିବନି । ମାତ୍ର ଯଦି ଇସ୍ରାଏଲ ଇରାନକୁ ଆକ୍ରମଣ କରେ, ତେବେ ନିଶ୍ଚିତ କଡା ଜବାବ ଦିଆଯିବ ବୋଲି ତେହେରାନ ସ୍ପଷ୍ଟ କରିଛି । ଇସ୍ରାଏଲର ଆଗାମୀ ରଣନୀତି କ’ଣ ହେବେ ସେ ନେଇ ସମଗ୍ର ବିଶ୍ବର ନଜର ରହିଛି । ଏହାରି ମଧ୍ୟରେ ଆମେରିକା ଏକ ଭିିନ୍ନ ସୂଚନା ମଧ୍ୟ ସାମ୍ନାକୁ ଆଣିଛି । ଇରାନ ଏକ ଦୀର୍ଘ ଆକ୍ରମଣ ପାଇଁ ପ୍ରସ୍ତୁତି ସହ ଉଦ୍ଦେଶ୍ୟ ରଖିଛି ବୋଲି ଆମେରିକା ଗୁଇନ୍ଦା ସଂସ୍ଥା ଦାବି କରିଛି ।

‘ହିଜବୁଲ୍ଲା’ଙ୍କୁ ସମର୍ଥନ ଦେଉଥିଲା ଇରାନ !- ତେବେ ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ତିକ୍ତତା ମଧ୍ୟରେ ଗାଜା ଆକ୍ରମଣ ଘଟଣାର ପ୍ରମୁଖ ଭୂମିକା ରହିଛି । ଇସ୍ରାଏଲ ସେନା ଗାଜାରେ ପ୍ରଚଣ୍ଡ ଆକ୍ରମଣ କରିବା ବେଳେ ପଡୋଶୀ ଲେବନନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ‘ହିଜବୁଲ୍ଲା’ ପାଲେଷ୍ଟାଇନ ସମର୍ଥନରେ ବାହାରିଥିଲା । ଉତ୍ତର-ଇସ୍ରାଏଲର କିଛି ଅଞ୍ଚଳରେ ‘ହିଜବୁଲ୍ଲା’ ଆକ୍ରମଣ ମଧ୍ୟ କରିଥିଲା । ଏହି ହିଜବୁଲ୍ଲା ସଂଗଠନ ଲେବନନର ହୋଇଥିବା ବେଳେ ଏହାର ପୃଷ୍ଠପୋଷକତା ଇରାନ ଦ୍ବାରା ହେଉଥିବା ଅଭିଯୋଗ ହୋଇଥିଲା । ଇରାନ ସିରିୟାରେ ଥିବା ଏୟାରବେସ ବ୍ୟବହାର କରି ଲେବନନରେ ‘ହିଜବୁଲ୍ଲା’ ଆତଙ୍କବାଦୀ ଗୋଷ୍ଠୀ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ଓ ଅନ୍ୟ ସାମଗ୍ରୀ ପଠାଉଥିବା ଅଭିଯୋଗ ହେବା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢିଥିଲା । ସେତେବେଳେ ଇସ୍ରାଏଲ ବାୟୁସେନା ଲେବନନର କିଛି ଅଞ୍ଚଳରେ ଏୟାର ଷ୍ଟ୍ରାଇକ ମଧ୍ୟ କରିଥିଲା ।

ଇସ୍ରାଏଲ ଉପରେ ଇରାନର ଆକ୍ରମଣ, କ’ଣ ରହିଛି ଦୁଇ ଦେଶ ମଧ୍ୟରେ ବିବାଦ
ଇସ୍ରାଏଲ ଉପରେ ଇରାନର ଆକ୍ରମଣ, କ’ଣ ରହିଛି ଦୁଇ ଦେଶ ମଧ୍ୟରେ ବିବାଦ

ସିରିୟାରେ ଇରାନ ଦୂତାବାସ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ:- ଚଳିତମାସ (ଏପ୍ରିଲ) ପହିଲାରେ ସିରିୟା ରାଜଧାନୀ ଡୋମାସକ୍ସରେ ଥିବା ଇରାନୀୟ ଦୂତାବାସ ଉପରେ ଇସ୍ରାଏଲ ଫୋର୍ସ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ପ୍ରାୟ 12ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଇରାନ ସେନା (ରିଭୋଲୁସନାରୀ ଗାର୍ଡର) କିଛି ଯବାନ ଓ ଅନ୍ୟ ଇରାନୀୟ କୂଟନୈତିକ ଅଧିକାରୀ ପ୍ରାଣ ହରାଇଥିଲେ । ଏହାକୁ ଇରାନ ଗମ୍ଭୀରତାର ସହ ନେଇ ଇସ୍ରାଏଲକୁ ଦଣ୍ଡ ମିଳିବ ବୋଲି କହିଥିଲା । ଅନ୍ୟପଟେ ଇରାନ ସହ ଆମେରିକାର ଗଭୀର ବିବାଦ ରହିଛି । ଆମେରିକା ଏବେ ଇସ୍ରାଏଲକୁ ଖୋଲା ସମର୍ଥନ କରି ଇରାନକୁ ଭୟଭୀତ କରିବାକୁ ଉଦ୍ୟମ କରୁଛି । ଗତକାଲି ଆରବ ସାଗରରେ ଏକ ଇସ୍ରାଏଲୀ ଜାହାଜକୁ ଇରାନ ସେନା ଜବତ କରିଥିଲା । ପୂର୍ବ ଆଶଙ୍କା ଅନୁସାରେ, ଗତାକାଲି ରାତିରେ ଇରାନ ଉତ୍ତର-ଇସ୍ରାଏଲ ଅଞ୍ଚଳରେ ଶତାଧିକ ରକେଟ ଓ ଡ୍ରୋନ ମାଡ କରିଛି । ଯାହାର ଭିଡିଓ ମଧ୍ୟ ଇସ୍ରାଏଲ ସେନା ସେୟାର କରିଛି ।

ଏହା ମଧ୍ୟ ପଢନ୍ତୁ:- ଘନେଇଲା ଯୁଦ୍ଧ ଆଶଙ୍କା; ଇସ୍ରାଏଲ ଉପରେ ଘନ ଘନ ମିଶାଇଲ ମାଡ କଲା ଇରାନ - Iran Israel Tensions

ପଶ୍ଚିମ ଦେଶ ସମୂହଙ୍କ ନିନ୍ଦା, ଜାତିସଂଘର ଜରୁରୀ ବୈଠକ ଡାକରା:- ଇରାନର ଆକ୍ରମଣ ପରେ ଆମେରିକା, ବ୍ରିଟେନ ପରି ପ୍ରମୁଖ ପଶ୍ଚିମ ରାଷ୍ଟ୍ରସମୂହ ନିନ୍ଦା କରିବା ସହ ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି । ପୂର୍ବରୁ ମଧ୍ୟ ଏହି ସମାନ ଧାରା ଇସ୍ରାଏଲ ଓ ଗାଜା ଯୁଦ୍ଧ ବେଳେ ଦେଖିବାକୁ ମିଳିଥିଲା । ହମାସ ଗୋଷ୍ଠୀର ଆକ୍ରମଣକୁ ତମାମ ପଶ୍ଚିମ ରାଷ୍ଟ୍ର ସମୂହ ନିନ୍ଦା କରିବା ସହ ଇସ୍ରାଏଲକୁ ଖୋଲା ସମର୍ଥନ ଘୋଷଣା କରିଥିଲେ । ଗତକାଲି ରାତିରେ ଆକ୍ରମଣ ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏକ ଜରୁରୀ ବୈଠକ ମଧ୍ୟ ଡାକିଥିବା ସୂଚନା ମିଳିଛି । ମଧ୍ୟପ୍ରାଚ୍ୟର ସ୍ଥିତି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.