ETV Bharat / international

ଖଲିସ୍ତାନୀ ଆତଙ୍କୀ ନିଜ୍ଜାର ହତ୍ୟା ମାମଲା, କାନାଡାରେ ଆଉ ଜଣେ ଭାରତୀୟ ଅଭିଯୁକ୍ତ ଗିରଫ - Hardeep Nijjar killing case

author img

By ETV Bharat Odisha Team

Published : May 12, 2024, 9:58 AM IST

Hardeep Nijjar killing case: ଚତୁର୍ଥ ଅଭିଯୁକ୍ତକୁ ଗିରଫ କଲା କନାଡା ପୋଲିସ । ଅଭିଯୁକ୍ତ ଭାରତୀୟ ନାଗରିକ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ । ନୂଆଦିଲ୍ଲୀ ରଖିନି କୌଣସି ପ୍ରତିକ୍ରିୟା । ଅଧିକ ପଢନ୍ତୁ

ଖଲିସ୍ତାନୀ ଆତଙ୍କୀ ନିଜ୍ଜାର ହତ୍ୟା ମାମଲାରେ 4ର୍ଥ ଅଭିଯୁକ୍ତକୁ ଗିରଫ କଲା କନାଡା ପୋଲିସ
ଖଲିସ୍ତାନୀ ଆତଙ୍କୀ ନିଜ୍ଜାର ହତ୍ୟା ମାମଲାରେ 4ର୍ଥ ଅଭିଯୁକ୍ତକୁ ଗିରଫ କଲା କନାଡା ପୋଲିସ (PIC-ETV Bharat Odisha)

ହାଇଦ୍ରାବାଦ: ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ସମ୍ପୃକ୍ତ ଚତୁର୍ଥ ଅଭିଯୁକ୍ତକୁ ଗିରଫ କଲା କାନାଡା ପୋଲିସ । ପୂର୍ବରୁ ଏହି ମାମଲାରେ 3 ଭାରତୀୟଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ଗିରଫ ହୋଇଥିବା ଚତୁର୍ଥ ଅଭିଯୁକ୍ତ ମଧ୍ୟ ଜଣେ ଭାରତୀୟ । ତା’ର ନାମ ଅମନଦ୍ବୀପ ସିଂ ବୋଲି ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଏହି ଗିରଫଦାରୀ ସମ୍ପର୍କରେ ନୂଆଦିଲ୍ଲୀ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନି । ଏହି ପ୍ରସଙ୍ଗରେ ଭାରତ-କାନାଡା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଅତି ତିକ୍ତତାପୂର୍ଣ୍ଣ ସ୍ଥିତିକୁ ଯାଇଥିଲା । ଏହି ହତ୍ୟାକାଣ୍ଡରେ ଭାରତୀୟ ଏଜେନ୍ସିର ସମ୍ପୃକ୍ତି ଅଭିଯୋଗ ନିଜେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଉଠାଇବା ପରେ ଏହାକୁ ନୂଆଦିଲ୍ଲୀ ଖଣ୍ଡନ କରିବା ସହ ତୀବ୍ର ନିନ୍ଦା କରିଥିଲା । ତେବେ ଏହି ମାମଲାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କାନାଡାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଭାରତୀୟ ବିଦେଶ ମନ୍ତ୍ରଣାଳୟ କହିସାରିଛି ।

କାନାଡାର ସ୍ଥାନୀୟ ଗଣମାଧ୍ୟମ ‘CBC ନ୍ୟୁଜ’ରେ ପ୍ରସାରିତ ସୂଚନା ଅନୁସାରେ, ମାମଲାର ତଦନ୍ତ କରୁଥିବା ରୟାଲ କାନାଡା ମାଉଣ୍ଟେଡ ପୋଲିସ (RCMP) ଦ୍ବାରା ଗିରଫ 4ର୍ଥ ଅଭିଯୁକ୍ତ ମଧ୍ୟ ଜଣେ ଭାରତୀୟ । ପୂର୍ବରୁ 3 ଭାରତୀୟ କରନ ବରାର, କମଲପ୍ରୀତ ସିଂ ଓ କରଣପ୍ରୀତ ସିଂଙ୍କୁ ପୋଲିସ ଗିରଫ କରିଥିଲା । ସମସ୍ତ 4 ଗିରଫ ଅଭିଯୁକ୍ତଙ୍କୁ ଏବେ ଜେରା ଜାରି ରହିଛି ।

ଖଲିସ୍ତାନୀ ଆନ୍ଦୋଳନର ନେତୃତ୍ବ ନେଇ ଏକାଧିକ ହିଂସା ଓ ଅପରାଧିକ କାଣ୍ଡରେ ସାମିଲ ଥିବା ହରଦ୍ବୀପ ସିଂ ନିଜ୍ଜାରକୁ 2020ରେ ଭାରତ ସରକାର ଦ୍ବାରା ଆତଙ୍କବାଦୀ ଘୋଷିତ ହୋଇଥିଲା । କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସେ ଦେଶ ଛାଡି ପଳାୟନ କରିଥିଲା । ପରବର୍ତ୍ତୀ ସମୟରେ ସେ କାନାଡାରେ ଥିବା ଜଣାପଡିଥିଲା । ଗତବର୍ଷ ଜୁନରେ କାନାଡାର ବ୍ରିଟିଶ କଲମ୍ବିଆ ଏରିଆରେ ତାକୁ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ । ଏହାପରେ କାନାଡା ଭାରତ ମଧ୍ୟରେ କୂଟନୈତିକ ତିତକ୍ତା ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- ଖଲିସ୍ତାନୀ ଆତଙ୍କୀ ନିଜ୍ଜାର ହତ୍ୟା ମାମଲା: 3 ଅଭିଯୁକ୍ତଙ୍କ ଫଟୋ ସହ ଅନ୍ୟ ତଥ୍ୟ ସେୟାର କଲା କାନାଡା - Hardeep Singh Nijjar killing

ଜି-20 ସମ୍ମିଳନୀ ପାଇଁ ଭାରତ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ ନୂଆଦିଲ୍ଲୀରୁ ଟରାଣ୍ଟୋ ଫେରିବା ଏହି ହତ୍ୟା ମାମଲାରେ ଭାରତୀୟ ଏଜେନ୍ସିର ଭୂମିକାକୁ ଦାୟୀ କରିଥିଲେ । ଏକାଧିକ ଭାରତୀୟ ମଧ୍ୟ ସେଠାରେ ଗିରଫ ହୋଇଥିବା ଖବର ପ୍ରସାରିତ ହୋଇଥିଲା । ସେତେବେଳେ ଉଭୟ ଦେଶ ମଧ୍ୟରେ କୂଟନୈତିକ ଅଚଳାବସ୍ଥା ମଧ୍ୟ ସୃଷ୍ଟି ହୋଇଥିଲା । ଭାରତ ସାମୟିକ ଭାବେ କାନାଡାକୁ ଭିସା ସେବା ମଧ୍ୟ ବନ୍ଦ ରଖିଥିଲା । ପରେ ଅବଶ୍ୟ ସ୍ଥିତିରେ ସାମାନ୍ୟ ସୁଧାର ମଧ୍ୟ ଆସିଛି । ମାତ୍ର ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ଦ୍ବିପାକ୍ଷିକ ସେବା ପୂର୍ଣ୍ଣସ୍ବାଭାବିକ ହୋଇପାରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.