ETV Bharat / business

ଅନ୍ତରୀଣ ବଜେଟ 2024; ବିକଶିତ ଭାରତର ନାରା, ବଡ ଘୋଷଣାରେ ଗରିବଙ୍କ ପାଇଁ ପକ୍କା ଘର

author img

By ETV Bharat Odisha Team

Published : Feb 1, 2024, 8:00 PM IST

Interim budget 2024 Highlights: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆର୍ଥିକ ବର୍ଷ 2024-25 ପାଇଁ ଅନ୍ତରୀଣ ବଜେଟ ଆଗତ କରିଛନ୍ତି । ବିକଶିତ ଭାରତର ନାରା ଦେଇ ଖୋଲିଛନ୍ତି ବଜେଟ ପେଡି । ଅଧିକ ପଢନ୍ତୁ

Interim budget 2024 Highlights
Interim budget 2024 Highlights

ଅନ୍ତରୀଣ ବଜେଟ 2024; ବିକଶିତ ଭାରତର ନାରା, ବଡ ଘୋଷଣାରେ ଗରିବଙ୍କ ପାଇଁ ପକ୍କା ଘର

ନୂଆଦିଲ୍ଲୀ: ସଂସଦରେ ଆଜି ଆର୍ଥିକ ବର୍ଷ 2024-25 ପାଇଁ ଅନ୍ତରୀଣ ବଜେଟ ଆଣିଛନ୍ତି ଅର୍ଥମନ୍ତ୍ରୀ । ଷଷ୍ଠ ଥର ପାଇଁ ବଜେଟ ପେଡି ଖୋଲି ବିକଶିତ ଭାରତର ନାରା ଦେଇଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ରେଳ, କୃଷି ଏବଂ ନାରୀ ସଶକ୍ତିକରଣ ପରି କ୍ଷେତ୍ରକୁ ମିଳିଛି ବଜେଟର ସିଂହ ଭାଗ । ଗୃହରେ ଉପସ୍ଥାପିତ ହେବା ପରେ କାମଚଳା ବଜେଟକୁ ଐତିହାସିକ କହିଛନ୍ତି ପ୍ରଧାନମନ୍ତ୍ରୀ । ଗବେଷଣା ଏବଂ ଉଦ୍ଭାବନକୁ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ବକୁ ପ୍ରଶଂସା କରିଛନ୍ତି ମୋଦି ।

ଅର୍ଥମନ୍ତ୍ରୀ ବଜେଟ ଘୋଷଣାରେ ସବୁ କ୍ଷେତ୍ରକୁ ଗୁରୁତ୍ବ ଦେବା ସହିତ ସମାଜର ସମସ୍ତ ବର୍ଗଙ୍କୁ ଖୁସ କରିବାକୁ ଉଦ୍ୟମ କରିଛନ୍ତି । ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର କ୍ଷେତ୍ରକୁ ପରିବର୍ତ୍ତନ କରିନାହିଁନ୍ତି ଏବଂ ଆୟକର ସୀମାକୁ ମଧ୍ୟ ଅପରିବର୍ତ୍ତିତ ରଖିଛନ୍ତି । ସେହିପରି ମଧ୍ୟବିତ୍ତଙ୍କ ଜୀବନ ମାନରେ ଉନ୍ନତି ପାଇଁ ସରକାର କାମ କରୁଥିବା କହିବା ସହ କରଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ତରୀଣ ବଜେଟରେ ବିକଶିତ ଭାରତ ନାରା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି । ୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ । ୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ ।

ସେହିପରି ୮୩ ଲକ୍ଷ ଏସଏଚଜିରେ ଏବେ ୯ କୋଟି ମହିଳା ସାମିଲ ଅଛନ୍ତି । ଏପର୍ଯ୍ୟନ୍ତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି । ଗବେଷଣା ପାଇଁ ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ । ୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବ । ସେପଟେ କୃଷି କ୍ଷେତ୍ରକୁ 1.27 ଲକ୍ଷ କୋଟି ଆବଣ୍ଟନ କରାଯାଇଛି । ପିଏମ କିଷାନ ଯୋଜନାରେ ଲାଭବାନ ହେବେ 11.8 କୋଟି 'ଅନ୍ନଦାତା' ।

ଏହା ବି ପଢନ୍ତୁ- ଦେଶର 4 ସ୍ତମ୍ଭକୁ ମଜବୁତ କରିବ ଅନ୍ତରୀଣ ବଜେଟ: ପ୍ରଧାନମନ୍ତ୍ରୀ

ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ 6.2 ଲକ୍ଷ କୋଟି ବ୍ୟୟବରାଦ ହୋଇଛି । ସେହିପରି ଗମନାଗମନ କ୍ଷେତ୍ରକୁ 2.78 ଲକ୍ଷ କୋଟି । ରେଳବାଇକୁ 2.55 ଲକ୍ଷ କୋଟି । ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଖାଉଟି କଲ୍ୟାଣ ବ୍ୟାପାର ବିଭାଗକୁ 2.13 ଲକ୍ଷ କୋଟି । ଗ୍ରାମୀଣ ବିକାଶକୁ 1.77 ଲକ୍ଷ କୋଟି । ଯୋଗାଯୋଗ କ୍ଷେତ୍ରକୁ 1.37 ଲକ୍ଷ କୋଟି ଏବଂ କୃଷି କ୍ଷେତ୍ରକୁ 1.27 ଲକ୍ଷ କୋଟି ମିଳିବ ବୋଲି ଘୋଷଣା ହୋଇଛି ।

ସେହିପରି ଉଡାନ ଯୋଜନାରେ ଆଉ ୫୭୦ ନୂଆ ଏୟାର-ରୁଟ୍‌ ହେବ । ୫୭୦ ନୂଆ ରୁଟ୍‌ରେ ୧.୦୩ କୋଟି ଯାତ୍ରୀ ସୁବିଧା ପାଇବେ । ଲାକ୍ଷାଦ୍ବୀପକୁ ଅଧିକ ପର୍ଯ୍ୟଟକ ଆକର୍ଷଣ ବ୍ୟବସ୍ଥା କରାଯିବ । ସେହିପରି ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବ । ବିତ୍ତୀୟ ନିଅଣ୍ଟକୁ ୪.୫%କୁ ହ୍ରାସ କରାଯିବା ଲକ୍ଷ୍ୟ ରଖାଯାଇଛି । ୨୦୨୪-୨୪ରେ ବିତ୍ତୀୟ ନିଅଣ୍ଟ ୫.୧% ହେବା ଲକ୍ଷ୍ୟ । ଅନ୍ତରୀଣ ବଜେଟରେ ଗୁରୁତ୍ବ ପାଇଛି ସ୍ବାସ୍ଥ୍ୟ କ୍ଷେତ୍ର । ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ ଆଶା ଓ ଅଙ୍ଗନବାଡି କର୍ମୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.