ETV Bharat / bharat

ଦିଦିଙ୍କୁ ସୁପ୍ରିମ ଝଟକା; ସନ୍ଦେଶଖାଲି ମାମଲାରେ ହେବନି ତ୍ବରିତ ଶୁଣାଣି, CJI ସ୍ଥିର କରିବେ ସମୟ

author img

By ETV Bharat Odisha Team

Published : Mar 6, 2024, 12:46 PM IST

Supreme Court On Shajahan Sheikh: ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାରେ ମମତା ସରକାରଙ୍କୁ ସୁପ୍ରିମ ଝଟକା । ମାମଲାରେ ହେବନି ତ୍ବରିତ ଶୁଣାଣି, CJI ସ୍ଥିର କରିବେ ସମୟ । ଅଧିକ ପଢନ୍ତୁ,

Supreme Court On Shajahan Sheikh
Supreme Court On Shajahan Sheikh

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପଶ୍ଚିମବଙ୍ଗ ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାରେ ମମତା ସରକାରଙ୍କୁ ଝଟକା । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତ୍ରୁଣମୂଳ କଂଗ୍ରେସ (ଟିଏମସି)କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି । ଶ୍ରୀଘ୍ର ଶୁଣାଣି ପାଇଁ ମମତା ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ଯାଇଥିବା ବେଳେ ସୁପ୍ରିମକୋର୍ଟ ମନାକରି ଦେଇଛନ୍ତି । ଆଜି ସୁପ୍ରିମକୋର୍ଟ ଏହି ଘଟଣାର ତୁରନ୍ତ ଶୁଣାଣି ପାଇଁ ମନା କରିଦେଇଛନ୍ତି ।

ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲାକୁ ନେଇ ବରିଷ୍ଠ ଓକିଲ ଅଭିଷେକ ମନ୍ନୁ ସିଂଘଭି ପଶ୍ଚିମବଙ୍ଗ ସରକାରଙ୍କ ଯାଚିକା ଉପରେ ଶୀଘ୍ର ଶୁଣାଣି କରିବା ପାଇଁ ଦାବି କରିଥିଲେ । ଏହାଉପରେ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ବେଞ୍ଚ ଶୀଘ୍ର ଶୁଣାଣି ଉପରେ ଆଦେଶ ଦେବା ପାଇଁ ମନା କରି ଦେଇଛନ୍ତି । ଅଭିଷେକ ମନ୍ନୁ ସିଂଘଭିଙ୍କୁ ପ୍ରଧାନ ବିଚାରପତିଙ୍କ ନିକଟକୁ ଯିବାକୁ କୁହାଯାଇଛି । ପଶ୍ଚିମବଙ୍ଗ ସରକାରଙ୍କ ଆବେଦନ ଉପରେ ଶୁଣାଣି କେବେ ଏବଂ କେଉଁଠାରେ ହେବ ସେନେଇ ସିଜେଆଇ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସନ୍ଦେଶଖାଲି ମାମଲାରେ CBIକୁ ତଦନ୍ତଭାର ଦେଲେ କୋଲକାତା ହାଇକୋର୍ଟ, ସୁପ୍ରିମକୋର୍ଟ ଗଲା ମମତା ସରକାର

କୋଲକାତା ହାଇକୋର୍ଟ ଏହି ମାମଲାରେ ତଦନ୍ତକୁ ଦେଶର ସର୍ବବୃହତ ଅନୁସନ୍ଧାନକାରୀ ସଂସ୍ଥା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(CBI)କୁ ହସ୍ତାନ୍ତର କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ତଥା ନିଲମ୍ବିତ ଟିଏମସି ନେତା ଶେଖ ଶାହାଜାହନଙ୍କ ସମେତ ଅନ୍ୟ ଅଭିଯୁକ୍ତର ହେପାଜତକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପଶ୍ଚିମବଙ୍ଗ ଉତ୍ତର 24-ପ୍ରଗଣା ଜିଲ୍ଲାରେ ତୃଣମୂଳ କଂଗ୍ରେସର କିଛି ସ୍ଥାନୀୟ ନେତାଙ୍କ ଦ୍ବାରା ମହିଳାମାନେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଥିଲା । ପୀଡିତାମାନେ ପ୍ରତିବାଦ କରିବା ପରେ ଏହାକୁ ନେଇ ଶାସକ ଦଳ ଟିଏମସିକୁ ବିରୋଧୀ ବିଜେପି ଘେରିଥିଲା । ବିଜେପି ସାଂସଦ ତଥା ଦଳର ରାଜ୍ୟ ସଭାପତି ସୁକାନ୍ତ ମଜୁମଦାରଙ୍କ ନେତୃତ୍ବରେ ବିଜେପି ଟିମ୍‌ ସନ୍ଦେଶଖାଲି ଅଭିମୁଖେ ଯାତ୍ରା କରିବା ବେଳେ ବସିରହାଟରେ ପୋଲିସ ସେମାନଙ୍କୁ ବାଧା ଦେଇଥିଲା । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ସାଂସଦ ସୁକାନ୍ତ ଆହତ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଲୋକସଭା ସ୍ବାଧିକାର କମିଟିରେ ମଧ୍ୟ ପହଞ୍ଚିଥିଲା ।

ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇକୁ ତଦନ୍ତଭାର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ପୂର୍ବରୁ ଏହି ମାମଲାରେ ପଶ୍ଚିମବଙ୍ଗ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଆଜି କୋଲକାତା ହାଇକୋର୍ଟ ଏହି ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତମାନଙ୍କୁ ମଧ୍ୟ କେନ୍ଦ୍ରୀୟ ସଂସ୍ଥାକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର କେନ୍ଦ୍ରୀୟ ସଂସ୍ଥା ଏହି ତଦନ୍ତଭାର ଗ୍ରହଣ କରିବା ପୂର୍ବରୁ ଏହା ବିରୋଧରେ ମମତା ବାନାର୍ଜୀ ସରକାର ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.